ଓଡ଼ିଶାଲାଇଭ୍ ବ୍ୟୁରୋ]

କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ସିଆଇଏସସିଇ) ବୋର୍ଡ ଦ୍ଵାରା ପରିଚାଳିତ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାର ପାସ ହାର ୯୮.୯୪ ପ୍ରତିଶତ ରହିଛି। ସେହିଭଳି ଦ୍ୱାଦଶରେ ୯୬.୯୩ ପ୍ରତିଶତ ପାସ ହାର ରହିଛି।

ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଭୁବନେଶ୍ଵରର ପ୍ରିୟଙ୍କା ପରାଶର ଓ ଗଞ୍ଜାମ ଜିଲ୍ଲା ଛତ୍ରପୁରର ବିଷ୍ଣୁ ଶତପଥି ୯୯.୪୦ ପ୍ରତିଶତ ନମ୍ବର ରଖି ଯୁଗ୍ମ ଭାବେ ଓଡ଼ିଶା ଟପ୍ପର ହୋଇଛନ୍ତି। ସେହିଭଳି ଦ୍ୱାଦଶ ପରୀକ୍ଷାରେ ରାଉରକେଲାର ଦିଶା ଗୋଏଲ ୯୮.୨୬ ପ୍ରତିଶତ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି।

ଆଇସିଏସଇ ଦଶମ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୯ ଜଣ ଛାତ୍ରଛାତ୍ରୀ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ସମସ୍ତେ ମୋଟ ୫୦୦ ରୁ ୪୯୯ (୯୯.୮ ପ୍ରତିଶତ) ମାର୍କ ରଖିଛନ୍ତି। ସେହିଭଳି ଦ୍ଵାଦଶ ପରୀକ୍ଷାରେ ୪୦୦ରୁ ୩୯୯ (୯୯.୭୫ ପ୍ରତିଶତ) ନମ୍ବର ସହ ୫ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ ରହିଛନ୍ତି।

ଚଳିତବର୍ଷ ସିଆଇଏସସିଇର ଉଭୟ ପରୀକ୍ଷାରେ ଝିଅମାନଙ୍କ ପ୍ରଦର୍ଶନ ଭଲ ରହିଛି। ଦଶମରେ ଝିଅଙ୍କ ପାସ ହାର ୯୯.୨୧ ପ୍ରତିଶତ ଓ ପୁଅଙ୍କ ପାସ ହାର ୯୮.୭୧ ପ୍ରତିଶତ ରହିଛି। ସେହିଭଳି ଦ୍ୱାଦଶରେ ଝିଅଙ୍କ ପାସ ହାର ୯୮.୦୧ ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ ହାର ୯୫.୯୬ ପ୍ରତିଶତ ରହିଛି।

୨୦୨୩ ମସିହାର ଆଇସିଏସଇ ଦଶମ ପରୀକ୍ଷା ଫେବ୍ରୁଆରି ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ଯାଏଁ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ୨ ଲକ୍ଷ ୩୭ ହଜାର ୬୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୨୬୧୬ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା।

ସେହିପରି ଫେବ୍ରୁଆରି ୧୩ ତାରିଖରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଆଇସିଏସଇ ଦ୍ୱାଦଶ ପରୀକ୍ଷା ହୋଇଥିଲା। ଏଥିରେ ମୋଟ ୯୮ ହଜାର ୫୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ଲାଗି ୧୨୯୧ଟି ପରୀକ୍ଷା କେନ୍ଦ୍ର କରଯାଇଥିଲା।

Tags: #CISCEBoard #ICSEExam #ISCExam #Results #Students #Education

Comment