ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଭାସି ନିଖୋଜ ହୋଇଥିବା ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୧୦ ଘଣ୍ଟା ଉଦ୍ୟମ ପରେ ପ୍ରଜ୍ଞାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ମୃତ ଛାତ୍ରୀଙ୍କ ଗାଁ ଶେରଗଡ଼ କାନ୍ଦବୋବାଳିରେ ଫାଟି ପଡ଼ୁଛି।

ମାମୁଁ ଘରକୁ ବୁଲି ଯାଇଥିବା ପ୍ରଜ୍ଞା ଗୁରୁବାର ଦିନ ସକାଳେ ଅନ୍ୟ ୪ ଜଣଙ୍କ ସହ ଆର୍ଯ୍ୟପଲ୍ଲୀ ନିକଟସ୍ଥ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସମସ୍ତେ ଭାସି ଯାଇଥିଲେ। ଗ୍ରାମବାସୀ ଓ ଉଦ୍ଧାରକାରୀ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରଜ୍ଞା ଏବଂ ସ୍ୱପ୍ନାରାଣୀ ପଣ୍ଡିତଙ୍କୁ ପାଇନଥିଲେ।

କିଛି ସମୟ ଖୋଜାଖୋଜି ପରେ ସ୍ୱପ୍ନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ପ୍ରଜ୍ଞାଙ୍କର କୌଣସି ଖୋଜ ଖବର ମିଳିନଥିଲା। ଦୀର୍ଘ ସମୟ ଖୋଜାଖୋଜି ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ଭୁବନେଶ୍ଵରରୁ ଆର୍ଯ୍ୟପଲ୍ଲୀ ପହଞ୍ଚି ପଇଁତରା ମାରିଥିଲା ଏୟାରକ୍ରାଫ୍ଟ।

ପ୍ରାୟ ୧୦ ଘଣ୍ଟାର ଉଦ୍ୟମ ପରେ ପ୍ରଜ୍ଞାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ କାନ୍ଦବବୋଳିରେ ଫାଟିପଡ଼ୁଛି ଶେରଗଡ଼। ଝିଅର ଅକାଳ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକ।

Tags: #Ganjam #Aryapalli #StudentsDrowns #DrownDead #RescueOperation

Comment