ଓଡ଼ିଶାଲାଇଭ୍ ବ୍ୟୁରୋ

“ପ୍ରଥମେ ଯେବେ ପିରିୟଡସ୍ ହେଲା କାହାକୁ କହିବି ଜାଣିପାରିନଥିଲି। ବହୁତ ଡରି ଯାଇଥିଲି। ଡରି ଡରି ବାଥରୁମକୁ ଯାଇ ପ୍ୟାଡ ଚେଞ୍ଜ କରୁଥିଲି। ପ୍ୟାଡ ସରିଗଲେ କାହାକୁ କହିବି ସେଥିପାଇଁ ମନରେ ବି ଭୟ ଥିଲା। କାରଣ ବାପା କି ଭାଇ କାହା ସହ ଏ ବିଷୟରେ କଥା ହେଇପାରିବିନି। କିନ୍ତୁ ଏବେ ପିରିୟଡସକୁ ନେଇ ଧୀରେ ଧୀରେ ଲାଜ ଛାଡ଼ିଲାଣି”, କୁହନ୍ତି ୟୁନିସେଫ୍ ଓଡ଼ିଶାର ୱାସ୍ ଏବଂ ସିସିଇଏସ୍ ସ୍ପେସାଲିଷ୍ଟ ସିପ୍ରା ସକ୍ସେନା।

ପିରିୟଡସକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ଭାବନା ରହିଛି। ତେଣୁ କିଏ ଭାବେ ଏହାକୁ ଲୁଚେଇବା କଥା। ଆଉ କେହି କେହି ଭାବନ୍ତି ଏଇଟା କେବଳ ମହିଳାମାନଙ୍କ ସମସ୍ୟା, ତେଣୁ ଏ ବିଷୟରେ କେହି ନଜାଣିଲେ ଭଲ। ୫/୧୦ ବର୍ଷ ପୂର୍ବ ପିରିୟଡସ୍ ବିଷୟକୁ ନେଇ ଆଦୌ ଆଲୋଚନା କରାଯାଉ ନଥିଲା। ସେ ସମୟରେ ଝିଅର ଯଦି ପିରିୟଡସ୍ ହେଉଥିଲା ତେବେ ଏହା କେବଳ ମା’ ଏବଂ ଝିଅ ମଧ୍ୟରେ ସୀମିତ ରହୁଥିଲା ବୋଲି ସିପ୍ରା ସକ୍ସେନା କୁହନ୍ତି।

କିନ୍ତୁ ବର୍ତ୍ତମାନ ସମୟ ବଦଳିଛି। ପ୍ୟାଡକୁ ନେଇ ନିର୍ମିତ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ’ ମାଧ୍ୟମରେ ପିରିୟଡସ୍ ସମ୍ପର୍କରେ ଲୋକଙ୍କ ନିକଟରେ କିଛି ମାତ୍ରାରେ ସଚେତନତା ବାର୍ତ୍ତା ବହଞ୍ଚିପାରିଛି। ଯଦି ଏହିପରି ମନୋରଞ୍ଜନ ମାଧ୍ୟମରେ ବା ଟିଭି, ରେଡିଓ, ପୁସ୍ତକ, ସ୍କୁଲ ଶିକ୍ଷା, ବିଭିନ୍ନ ଖେଳ ଜରିଆରେ ଲୋକଙ୍କ ମଧ୍ୟରେ ପିରିୟଡସକୁ ନେଇ ସଚେତନତା ସୃଷ୍ଟି କରିହେବ, ତେବେ ଏହାକୁ ନେଇ ଲୋକଙ୍କ ମନରେ ଯେଉଁ ଭ୍ରାନ୍ତ ଧାରଣା ରହିଛି ତାହା ଦୂର ହୋଇପାରନ୍ତା ବୋଲି ସେ କୁହନ୍ତି।

“ଓଡ଼ିଶାରେ ମେନଷ୍ଟ୍ରୁଆଲ ହେଲଥ ଆଣ୍ଡ ଆଲାଏନ୍ସ ରହିଛି। ଏହା ଜରିଆରେ ମେନଷ୍ଟ୍ରୁଆଲ ହେଲ୍ଥ ଆଣ୍ଡ ହାଇଜିନ ପଲିସି ପାଇଁ ପ୍ରୟାସ ଚାଲିଛି। ପଲିସିର ମୁଖ୍ୟ ଲକ୍ଷ୍ୟ ହେଲା ସମସ୍ତଙ୍କ ଭିତରେ ପିରିୟଡସକୁ ନେଇ ସଚେତନତା ସୃଷ୍ଟି କରିବା”, କୁହନ୍ତି ସିପ୍ରା ସକ୍ସେନା।

ଘର ହେଉ ବା କାର୍ଯ୍ୟକ୍ଷେତ୍ର, ପିରିୟଡସ୍ ସମୟରେ ମହିଳାମାନେ ଯେମିତି ନିଜକୁ ସହଜ ଏବଂ ସୁରକ୍ଷିତ ମନେ କରିବେ ସେଭଳି ପରିବେଶ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଥିବା ସିପ୍ରା ସକ୍ସେନା କହିଛନ୍ତି।

ପିରିୟଡସକୁ ନେଇ କେବଳ ମହିଳା ନୁହନ୍ତି ପୁରୁଷମାନେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି। ପିରିୟଡସ୍ ବିଷୟରେ ଉଭୟ ପୁଆ, ଝିଅ ଜାଣିବା କଥା। ସହଜ ଏବଂ ସୁଲଭ ମୂଲ୍ୟରେ କିଶୋରୀ ବା ମହିଳାମାନେ କିଭଳି ପିରିୟଡସ୍ ସମୟରେ ବ୍ୟବହୃତ ସାମଗ୍ରୀ ପାଇ ପାରିବେ ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟତା ରହିଛି। ବିଶେଷ କରି ପ୍ରତ୍ୟେକ ସ୍ଥାନରେ ପିରିୟଡସ୍ ଫ୍ରେଣ୍ଡଲି ଟଏଲେଟ ହେବା ଜରୁରୀ ବୋଲି ସେ କହିଛନ୍ତି।

ପିରିୟଡସ୍ ସମୟରେ ବ୍ୟବହାର କରିବା ଲାଗି ବର୍ତ୍ତମାନ ବଜାରରେ ଅନେକ ପ୍ରଡକ୍ଟ ଉପଲବ୍ଧ ହେଉଛି। ପିରିୟଡସର ୪ରୁ ୫ ଦିନ ମଧ୍ୟରେ ଜଣେ କିଶୋରୀ ବା ମହିଳାଙ୍କୁ ୮ରୁ ୧୦ଟି ପ୍ୟାଡର ଆବଶ୍ୟକତା ପଡ଼ିଥାଏ। ତେଣୁ ପ୍ୟାଡ ବ୍ୟବହାର କରିବା ପୂର୍ବରୁ ତାହା ପରିବେଶ ଅନୁକୂଳ କି ନୁହେଁ, ସେଥିପ୍ରତି ଧ୍ୟାନ ଦେବା ଜରୁରୀ।

ଯେଉଁମାନେ ପ୍ୟାଡ ବ୍ୟବହାର କରୁନାହାନ୍ତି ସେମାନେ ସଫାସୁତରା କଟନ କପଡ଼ା ବ୍ୟବହାର କରିପାରିବେ। ଏହାକୁ ଭଲ ଭାବେ ସଫାକରି ଖରରେ ସୁଖାଇ ପୁଣି ଆଗାମି ପିରିୟଡସ୍ ସମୟରେ ମଧ୍ୟ ବ୍ୟବହାର କରିହେବ। ଏହା ସୁଲଭ ଏବଂ ପରିବେଶ ଉପଯୋଗୀ ହୋଇଥାଏ ବୋଲି କୁହନ୍ତି ୟୁନିସେଫ୍ ଓଡ଼ିଶାର ୱାସ୍ ଏବଂ ସିସିଇଏସ୍ ସ୍ପେସାଲିଷ୍ଟ ସିପ୍ରା ସକ୍ସେନା।

ମାର୍କେଟରେ ଅନେକ ପ୍ରକାର ନନ୍ ବାୟୋଡିଗ୍ରେଡେବୁଲ ପ୍ୟାଡ ଉପଲବ୍ଧ ହେଉଛି। ତେଣୁ ପ୍ୟାଡ କିଣିବା ଆଗରୁ ଭଲ ଭାବେ ଚିନ୍ତା କରିବା ଜରୁରୀ। ସବୁଠୁ ଭଲ କପଡା। କାରଣ ତାହା ସଂପୂର୍ଣ୍ଣ ଭାବେ ପରିବେଶ ଉପଯୋଗୀ।

Tags: #MHDAY2023 #TalkShow #LetsTalkAboutPeriods #WeAreCommitted #EndPeriodStigma #EndPeriodPoverty #PeriodEducationForAll #PeriodFriendlyToiletsForAll

Comment