ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

“ପିରିୟଡସ୍‌କୁ ନେଇ ମନରେ ସବୁବେଳେ ଡର ଥିଲା। ଯେତେବେଳେ ମୋର ପ୍ରଥମ ପିରିୟଡସ୍ ହେଲା ମୁଁ ଡରିଯାଇଥିଲି। ମା’ଙ୍କୁ ଏ ବିଷୟରେ ଜଣାଇଲି। ମା’ କହିଲେ ଏଇଟା ବଡ଼ ପାଟିରେ କଥା ହେବା କଥା ନୁହେଁ, ଘରେ ଏ ବିଷୟରେ ଆଲୋଚନା କରିବା କଥା ନୁହେଁ। ୭ ଦିନ ପର୍ଯ୍ୟନ୍ତ ମୋତେ ଗୋଟେ ଘରେ ଅଲଗା ଲୁଚେଇକି ରଖାଯାଇଥିଲା। ସେ ୭ ଦିନର ଅନୁଭୂତି ଭାରି କଷ୍ଟଦାୟକ”, କୁହନ୍ତି ନାଲ୍କୋ ମହିଳା ସମିତିର ସଭାପତି ସସ୍ମିତା ପାତ୍ର।

ପିରିୟଡସକୁ ନେଇ ଏବେବି ଅଧିକାଂଶ ସ୍ଥାନରେ ଭ୍ରାନ୍ତ ଧାରଣା ରହିଛି। ଅଧିକାଂଶ କିଶୋରୀ ଓ ମହିଳା ପିରିୟଡସ୍‌କୁ ନେଇ ଖୋଲାଖୋଲି ଆଲୋଚନା କରିବାକୁ ସଙ୍କୋଚ ମନେ କରୁଛନ୍ତି।

ପିରିୟଡସ ବା ଋତୁସ୍ରାବ ଭଳି ଏକ ସମ୍ବେଦନଶୀଳ ବିଷୟରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ସ୍ଵାସ୍ଥ୍ୟପ୍ଲସ ନେଟୱର୍କ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଏକ ବିଶେଷ ଅଭିଯାନ ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’ ଆୟୋଜନ କରାଯାଇଥିଲା।

“ପ୍ରତି ମାସରେ କିଶୋରୀ ଏବଂ ମହିଳାମାନେ ପିରିୟଡସ୍ ଦେଇ ଗତି କରନ୍ତି। ଏହି ସମୟରେ ପ୍ୟାଡ ସେମାନଙ୍କର ସବୁଠୁ ବଡ଼ ଆବଶ୍ୟକତା ହୋଇଥାଏ। କିନ୍ତୁ ଏବେ ବି ଅନେକ ଲୋକ ଏହାକୁ ଜରୁରୀ ବୋଲି ଭାବନ୍ତି ନାହିଁ। ପିରିୟଡସ୍ ସମୟରେ ସ୍ଵଚ୍ଛତା ବଜାୟ ରଖିବା ଦରକାର। କାରଣ ଏହି ସମୟରେ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ, ଯାହା ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟାର କାରଣ ପାଲଟେ”, ଋତୁସ୍ରାବ ସ୍ଵଚ୍ଛତା ଦିବସ ଅବସରରେ କହିଛନ୍ତି ସସ୍ମିତା ପାତ୍ର।

ପିରିୟଡସ ସମୟରେ କିଶୋରୀ ଏବଂ ମହିଳାମାନଙ୍କଠାରେ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ଅଧିକାଂଶ ଏହି ସମୟରେ ପେଟ କଟା ଏବଂ ଥକା ପଣର ଶିକାର ହୋଇଥାନ୍ତି। କିନ୍ତୁ ଏ ସବୁକୁ ବୁଝିବା ବେଳକୁ ସମୟ ବିତିଯାଇଥାଏ ବୋଲି ସେ କୁହନ୍ତି।

ସେ ଆହୁରି କୁହନ୍ତି ଯେ, “ବର୍ତ୍ତମାନ ସମୟ ବଦଳିଲାଣି। ଶିକ୍ଷିତ ମା’ମାନେ ଏବେ ପିଲାଙ୍କ ସହ ପିରିୟଡସକୁ ନେଇ ଆଲୋଚନା କରିବା ଆରମ୍ଭ କଲେଣି। ପିରିୟଡସ୍ ଲାଜ ନୁହେଁ, ଏହା ନାରୀ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ଏବେ ବି ଏହାକୁ ନେଇ ଅନେକ ସ୍ଥାନରେ ଭୁଲ ଧାରଣା ରହିଛି, ଯାହାକୁ ଦୂର କରିବାର ସମୟ ଆସିଯାଇଛି।”

ପିରିୟଡସ୍‌କୁ ନେଇ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। କେବଳ ଝିଅ ନୁହଁନ୍ତି ପୁଅମାନେ ମଧ୍ୟ ଏ ବିଷୟରେ ଜାଣିବାର ଆବଶ୍ୟକତା ରହିଛି। ଯଦି ପୁଅମାନେ ପିରିୟଡସକୁ ନେଇ ସଚେତନ ଥିବେ ତେବେ ଆବଶ୍ୟକ ସମୟରେ ସେମାନେ ମହିଳାମାନଙ୍କୁ ମାନସିକସ୍ତରରେ ସହଯୋଗ କରିପାରିବେ ବୋଲି ନାଲ୍କୋ ମହିଳା ସମିତିର ସଭାପତି ସସ୍ମିତା ପାତ୍ର କୁହନ୍ତି।

Tags: #LetsTalkAboutPeriods #WeAreCommitted #EndPeriodStigma#SasmitaPatraPresidentNALCOMahilaSamiti#EndPeriodPoverty #PeriodEducationForAll

Comment