ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରେଳକୁ ଏବେ ସଙ୍କଟ ପଡ଼ିଛି। ଗତ ଜୁନ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୩୦୦ରୁ ଊର୍ଦ୍ଧ୍ଵ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାର ଚିତ୍ର ମନରୁ ନଲିଭୁଣୁ ଶୁକ୍ରବାର ଦିନ ହୁତୁ ହୁତୁ ହୋଇ ଜଳିଯାଇଛି ଫାଲକନୁମା ଏକ୍ସପ୍ରେସର ୩ଟି ବଗି। ତେବେ ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ରହିଛି।

ଶୁକ୍ରବାର ଦିନ ହାୱଡା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ ତେଲେଙ୍ଗାନାର ପାଗିଡ଼ିପାଲି-ବୋମାଇପାଲି ଦେଇ ଯାତ୍ରା କରୁଥିବା ସମୟରେ ହଠାତ୍ ଟ୍ରେନରେ ନିଆଁ ଲାଗିଯାଇଥିଲା। ଫାଲକନୁମା ଏକ୍ସପ୍ରେସର ୩ଟି ବଗି ଏସ-୪, ଏସ-୫ ଓ ଏସ-୬ ବଗି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ସମ୍ପୃକ୍ତ ବଗିଗୁଡ଼ିକରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କୌଣସି ଯାତ୍ରୀ ମୃତ କିମ୍ବା ଆହତ ହୋଇନଥିବା ସୂଚନା ଦେଇଛନ୍ତି ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଜନସମ୍ପର୍କ ଅଧିକାରୀ ସିଏଚ ରାକେଶ।

ଯାତ୍ରୀମାନଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ବିବିନଗର ଓ ସିକନ୍ଦରାବାଦ ନିଆଯାଇଛି। ଏପଟେ ନିଆଁ ଲିଭାଇବା ପାଇଁ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। ନିଆଁକୁ ଆୟତ୍ତ କରାଯାଇଥିବା ସିଏଚ ରାକେଶ କହିଛନ୍ତି।

Tags: #TrainAccident #FalaknumaExpess #Fire

Comment