ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୬ ବିରୋଧୀ ଦଳର ଦଳ ହେବଇଣ୍ଡିଆ’, ୨୦୨୪ ସାଧାରଣ ନିର୍ବାଚନରେ ଏନ୍ଡିଏକୁ କେମିତି ଚକମା ଦେବ ଇଣ୍ଡିଆ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା।

  • ବେଙ୍ଗାଳୁରୁରେ ମହାମେଣ୍ଟର ନାମକରଣ
  • ମୁମ୍ବାଇ ବୈଠକରେ କମିଟି ଘୋଷଣା
  • ଗଠନ ହେବ ୧୧ ଜଣିଆ ପ୍ୟାନେଲ

ୟୁପିଏର ଅବସାନ ହେଲା। ୨୦୨୪ ସାଧାରଣ ନିର୍ବାଚନରେ ‘ଏନ୍‌ଡିଏ’ ବନାମ ‘ଇଣ୍ଡିଆ’ର ଲଢ଼େଇ ହେବ। ବେଙ୍ଗାଳୁରୁରେ ବିରୋଧୀ ଦଳଙ୍କ ବୈଠକରେ ମେଣ୍ଟର ନାଁ ‘ଇଣ୍ଡିଆ’ ରଖାଯାଇଛି। ଇଣ୍ଡିଆ-ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ୍ ଇନ୍‌କ୍ଲ୍ୟୁସିଭ ଆଲିଆନ୍ସ ରଖିବାକୁ ଲାଲୁ ପ୍ରସାଦ ଯାଦବ ପ୍ରସ୍ତାବ ଦେଇଥିଲେ। ଏହି ନାମରେ ସର୍ବସମ୍ମତି କ୍ରମେ ମୋହର ବାଜିବା ପରେ କଂଗ୍ରେସ ଅଧ୍ୟକ୍ଷ ଆନୁଷ୍ଠାନିକ ଭାବେ ‘ଇଣ୍ଡିଆ’ର ଘୋଷଣା କରିଛନ୍ତି।

‘ଇଣ୍ଡିଆ’ ନାମକରଣ ପରେ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଏବେ ମୋଦୀଙ୍କୁ ଇଣ୍ଡିଆ ନାଁ ଧରିବାକୁ ବି କଷ୍ଟକର ହେବ। ସେହିପରି ଟିଏମ୍‌ସି କହିଛି ଚକ୍‌ ଦେ ଇଣ୍ଡିଆ, କଂଗ୍ରେସ ବି କହିଛି ଜିତେଗା ଇଣ୍ଡିଆ। ଇଣ୍ଡିଆର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ୧୧ ଜଣିଆ ସମନ୍ଵୟ ପ୍ୟାନେଲ ସହ ବିଭିନ୍ନ କମିଟି ଗଠନ ହେବ। ଏହି କମିଟିର ପରାମର୍ଶରେ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି। କିନ୍ତୁ ଏହାର ଅଧ୍ୟକ୍ଷ କିଏ ହେବ ସେ ନେଇ ଘୋଷଣା ହୋଇନାହିଁ।

‘ଇଣ୍ଡିଆ’ ନାମକରଣ ଘୋଷଣାକୁ ନେଇ ବିଜେପି ପକ୍ଷରୁ କିଛି ପ୍ରତିକ୍ରିୟା ଆସି ନଥିଲେ ମଧ୍ୟ ଏହି ମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସମାଲୋଚନା କରିଛନ୍ତି। ଏହାକୁ କଟ୍ଟର ଭ୍ରଷ୍ଟାଚାରୀଙ୍କ ଦଳ ବୋଲି କହିଛନ୍ତି। ଏହା ସହିତ ଏହି ମେଳି ପରିବାରବାଦକୁ ଗୁରୁତ୍ଵ ଦେଉଥିବା ସେ କହିଛନ୍ତି। ଏମାନଙ୍କ ପାଇଁ ପରିବାର ଆଗ ଓ ଦେଶ ପଛ ବୋଲି କହିଛନ୍ତି ମୋଦୀ।

୨୬ ବିରୋଧୀ ଦଳ ଏକାଠି ହେଉଥିବା ବେଳେ ଏନ୍‌ଡିଏ ମଧ୍ୟ ୩୮ ସହଯୋଗୀ ଦଳଙ୍କୁ ନେଇ ଦିଲ୍ଲୀରେ ଏକ ବୈଠକ ଡାକିଛି। ଏଥିରୁ ଆପାତତଃ ପ୍ରମାଣିତ ହେଉଛି ଯେ, ବିରୋଧୀ ଦଳ ଏକାଠି ହେବାକୁ ଏନ୍‌ଡିଏର ଚିନ୍ତା ବଢ଼ିଯାଇଛି।

କେବଳ ଗଣିତ ଜିତାଇବନି ନିର୍ବାଚନ

କେବଳ ଗଣିତକୁ ଆଧାର କରି ନିର୍ବାଚନ ଜିତିବାକୁ ଚାହୁଁଥିବା ବିରୋଧୀ ମେଣ୍ଟଙ୍କ ପାଇଁ ଏହା ଯଥେଷ୍ଟ ହେବ ନାହିଁ। କାରଣ ଏନ୍‌ଡିଏର ଗଣିତ ବି ବହୁତ ଭଲ। ବିଜେପିର ୨୦୨୪ ଅଙ୍କ ବିଗାଡ଼ିବାକୁ ହେଲେ ୨୦୧୪ ଓ ୨୦୧୯ର ଫଳାଫଳକୁ ବି ଗୁରୁତ୍ଵ ଦେବାକୁ ପଡ଼ିବ। କାରଣ କର୍ଣ୍ଣାଟକ ଏକୁଟିଆ ଦିଲ୍ଲୀ ଦଖଲ କରିବାର ଆଧାର ହେବ ନାହିଁ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି। ୨୦୧୪ ନିର୍ବାଚନରେ ବିଜେପି ମାତ୍ର ୩୧ ପ୍ରତିଶତ ଓ ଏନ୍‌ଡିଏକୁ ମୋଟ୍ ୩୮ ପ୍ରତିଶତ ଭୋଟ୍ ମିଳିବା ସହ ୨୮୨ ଆସନ ମିଳିଥିଲା।

ବିରୋଧୀ ଦଳ ୬୨ ପ୍ରତିଶତ ଭୋଟ୍ ପାଇଥିଲେ। ସେହିପରି ୨୦୧୯ ନିର୍ବାଚନରେ ବିଜେପିକୁ ୩୮ ପ୍ରତିଶତ ଓ ଏନ୍‌ଡିଏକୁ ୪୫ ପ୍ରତିଶତ ଭୋଟ୍ ମିଳିଥିଲା। ବିରୋଧୀଙ୍କୁ ୫୫ ପ୍ରତିଶତ ଭୋଟ୍ ମିଳିଥିଲା। ତେଣୁ ବିରୋଧୀ ଏକତା ଚିନ୍ତା କରୁଛନ୍ତି ସେମାନେ ଏକାଠି ହୋଇ ରହିଲେ ଏହି ୫୫ ପ୍ରତିଶତ ଭୋଟ୍ ସେମାନଙ୍କୁ ଜିତାଇ ଦେବ। କିନ୍ତୁ ଏକାଠି ହେଲେ ଏହି ଅଙ୍କ ବିରୋଧୀ ଦଳଙ୍କ କାତାକୁ ଆସିବ କି ନାହିଁ ତା’ର ଗ୍ୟାରେଣ୍ଟି ନାହିଁ।

ମୋଦିଙ୍କୁ କିଏ ଦେବ ଟକ୍କର?

ଏନ୍‌ଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ। ଗତ ଦୁଇଟି ନିର୍ବାଚନ ଭଳି ଆସନ୍ତା ସାଧାରଣ ନିର୍ବାଚନ ବି ତାଙ୍କ ନେତୃତ୍ଵରେ ଏନ୍‌ଡିଏ ଲଢ଼ିବ। ବିଭିନ୍ନ ସର୍ଭେ ଅନୁସାରେ ମୋଦୀଙ୍କ ସପକ୍ଷରେ ଏବେ ବି ଅଧିକ ଲୋକପ୍ରିୟତା ରହିଛି। ରାହୁଲଙ୍କର ବି ଲୋକପ୍ରିୟତା ବଢ଼ିଛି। କିନ୍ତୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ିପାରିବେ କି ନାହିଁ ସେ ନେଇ ସନ୍ଦେହ ରହିଛି। ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସ୍ପଷ୍ଟ ହେବ।

ଅନ୍ୟପଟେ ରାହୁଲଙ୍କ ନାମକୁ ନେଇ ସହମତି ମିଳିବ କି ନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଦଳରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଅନେକ ନେତା ଆଶାୟୀ ଅଛନ୍ତି। ମମତା ବାନାର୍ଜୀ, ନୀତିଶ କୁମାର ଓ ଅରବିନ୍ଦ କେଜ୍ରିଓ୍ଵାଲ ଆଗ୍ରହୀ ଅଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଲାଳାୟିତ ନୁହେଁ। ତେଣୁ ଏହା ଏକ ବଡ଼ ପ୍ରଶ୍ନ ମୋଦୀଙ୍କୁ ଟକ୍କର ଦେବ କିଏ?

କେଉଁ ଆଧାରରେ ଆସନ ବୁଝାମଣା

ମେଣ୍ଟରେ ନେତା ଘୋଷଣା ହେବା ଭଳି ଆସନ ବୁଝାମଣା ଗୋଟେ ବଡ଼ ସମସ୍ୟା। ଉପରେ ଘୋଷଣା ନହେଲେ ମଧ୍ୟ ଏହି ମେଣ୍ଟର ଡ୍ରାଇଭର ସିଟ୍‌ରେ କଂଗ୍ରେସ ବସିଛି। ତେଣୁ କଂଗ୍ରେସକୁ କେତେ ଆସନ ମିଳିବ? ଅନ୍ୟମାନେ କେତେ ଆସନ ପାଇବେ? ମ୍ୟାଜିକ ନମ୍ବର ୨୭୩ରୁ ଅଧିକ ଆସନରେ ଲଢ଼ିବ କି ନାହିଁ? ମମତା ଓ କେଜ୍ରିଓ୍ଵାଲଙ୍କ ଗଣିତ ହିସାବରେ ଗତ ନିର୍ବାଚନରେ କଂଗ୍ରେସ ୨୨୭ ଆସନରେ ସିଧାସଳଖ ଲଢ଼େଇ କରିଥିଲା। ତେଣୁ ୨୨୭ ଆସନରେ କଂଗ୍ରେସ ଲଢ଼ିବା ଦରକାର। ଯଦି ଏମିତି ହୁଏ ତେବେ ପଶ୍ଚିବଙ୍ଗ ଭଳି କେତେକ ରାଜ୍ୟରେ କଂଗ୍ରେସ ଅପ୍ରାସଙ୍ଗିକ ହୋଇଯିବ, ଯାହା କଂଗ୍ରେସ ଚାହିଁବ ନାହିଁ। ମମତା ବାନାର୍ଜୀ ଏଠାରେ କେମିତି ରାଜନୈତିକ ତ୍ୟାଗ କରିବେ ତାକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛି।

କେନ୍ଦ୍ରରେ ଏକାଠି ରାଜ୍ୟରେ ଅଲଗା

କଂଗ୍ରେସ ସହ ଆଞ୍ଚଳିକ ଦଳଗୁଡ଼ିକର ସାଧାରଣ ନିର୍ବାଚନ ପାଇଁ ମେଣ୍ଟ ଘୋଷଣା ହୋଇଛି। କିନ୍ତୁ ଅନେକ ରାଜ୍ୟରେ କଂଗ୍ରେସ ସେହି ଆଞ୍ଚଳିକ ଦଳ ବିରୋଧରେ ନିର୍ବାଚନ ଲଢୁଛି। ତେଣୁ ଏହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା ଶରଦ ପାଓ୍ଵାର ବି କହିଛନ୍ତି ଓ ନିଜେ ଖଡ଼ଗେ ମଧ୍ୟ ମାନିଛନ୍ତି। ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମ୍‌ସି ପରସ୍ପର ବିରୋଧରେ ଲଢ଼େଇ କରୁଛନ୍ତି। କେରଳରେ ବାମପନ୍ଥୀ ଓ କଂଗ୍ରେସ ଲଢୁଛନ୍ତି। ତେଣୁ ସାଧାରଣ ନିର୍ବାଚନରେ ଏକାଠି ହେବା ପାଇଁ ଏକ ସାଧାରଣ ବିନ୍ଦୁରେ ପହଞ୍ଚିବା ଦରକାର।

ଆଞ୍ଚଳିକ ଦଳ କେତେ ସଶକ୍ତ?

ଗତ କିଛି ମାସ ମଧ୍ୟରେ କେତେକ ଆଞ୍ଚଳିକ ଦଳ ଗତ ସାଧାରଣ ନିର୍ବାଚନ ତୁଳନାରେ ଦୁର୍ବଳ ହୋଇଛନ୍ତି। ତେଣୁ ଏଥର ମେଣ୍ଟ ପାଇଁ ସେହି ଦଳ କେତେ ଭୋଟ୍ ଏକାଠି କରିପାରିବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ମହାରାଷ୍ଟ୍ରରେ ଶିବସେନାରେ ବିଭାଜନ ହୋଇସାରିଛି। ଏନ୍‌ସିପି ମଧ୍ୟ ଭାଙ୍ଗି ଯାଇଛି। ଏମିତି କି ନୀତିଶ କୁମାର ମଧ୍ୟ ସେଭଳି ଶକ୍ତିଶାଳୀ ନାହାନ୍ତି। କେଜ୍ରିଓ୍ଵାଲଙ୍କ ଆମ୍‌ଆଦ୍‌ମୀ ପାର୍ଟି ଦିଲ୍ଲୀ ଦଖଲ କରିଥିଲେ ମଧ୍ୟ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିନଥିଲା। ବିଜେପି ଦିଲ୍ଲୀର ୭ ଆସନ ପୋଛି ନେଇଥିଲା।

ଦିଲ୍ଲୀ ପାଇଁ ଅଲଗା, ରାଜ୍ୟ ପାଇଁ ଅଲଗା

ଯେଉଁଠି ରାଜ୍ୟରେ ବିଜେପି ସରକାର ଗଠନ କରିଛି, ସେଠାରେ ଲୋକସଭା ଆସନର ସିଂହଭାଗ ମଧ୍ୟ ବିଜେପି କିମ୍ବା ଏନ୍‌ଡିଏ ଖାତାକୁ ଯାଇଛି। କିନ୍ତୁ ଯେଉଁଠି କଂଗ୍ରେସର ସରକାର ରହିଛି, ସେଠାରୁ କଂଗ୍ରେସ ସାଂସଦ ନିର୍ବାଚିତ ହୋଇପାରିନାହାନ୍ତି। ଲୋକଙ୍କ ଏକ ପ୍ରତିକ୍ରିୟା ମଧ୍ୟ ବଡ଼ ଚିନ୍ତାର ବିଷୟ ପାଲଟିଛି। ରାଜସ୍ଥାନରେ କଂଗ୍ରେସ ସରକାର ଥିଲା, କିନ୍ତୁ ବିଜେପି ସାଧାରଣ ନିର୍ବାଚନରେ ଆସନ ପୋଛି ନେଇଥିଲା।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ-ଜେଡିୟୁ ମେଣ୍ଟ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜେପିକୁ ମାତ୍ ଦେଇପାରିନଥିଲେ। ଛତିଶଗଡ଼, ମଧ୍ୟପ୍ରଦେଶ, ବିହାରରେ ମଧ୍ୟ ବିଜେପିର ଦବଦବା ରହିଥିଲା। ତେଣୁ ଲୋକଙ୍କ ମନ ପରିବର୍ତ୍ତନ କରିବା ଲାଗି ବିରୋଧୀ ମେଣ୍ଟକୁ ରାସ୍ତା ବାହାର କରିବାର ଆବଶ୍ୟକତା ରହିଛି।

ମାନସିକତା ବି ମିଶିବା ଜରୁରୀ

ରାଜନୀତିର ଚାଣକ୍ୟ ତଥା ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ କହିବା କଥା, “ବିରୋଧୀ ଦଳ ନେତା କେବଳ ଏକାଠି ବସିଲେ ହେବ ନାହିଁ, ଏକାଠି ଚିନ୍ତା କରିବାର ଆବଶ୍ୟକତା ରହିଛି। ସବୁ ବିରୋଧୀ ଦଳଗୁଡ଼ିକ ଏକକ ଏଜେଣ୍ଡାରେ କାମ କରିବା ଦରକାର। ତୃଣମୂଳସ୍ତରରେ କାମ କରୁଥିବା କର୍ମୀଙ୍କୁ ଗୁରୁତ୍ଵ ଦେଇ ବିଭିନ୍ନ ନିଷ୍ପତ୍ତି ନିଆଗଲେ ତାହା ଭୋଟ୍ ହାସଲ କରିବାରେ ସହାୟକ ହେବ।”

ବେଙ୍ଗାଳୁରୁ ବୈଠକରେ କିଏ କହିଲେ?

“ଆଜି ଆମେ ନିଜ ହିତ ପାଇଁ ଏଠାରେ ଏକାଠି ହୋଇନୁ। ଦେଶକୁ ବଞ୍ଚାଇବା ପାଇଁ ଏକାଠି ହେଇଛୁ। ଆମର ଲକ୍ଷ୍ୟ ହେଉଛି ସରକାରଙ୍କ ବିଫଳତାକୁ ଲୋକଙ୍କୁ ଜଣାଇବା।ମୁଁ ଖୁସି ଯେ ରାହୁଲ, ମମତା ଓ ଅନ୍ୟମାନେ ସମସ୍ତେ ସହମତ। ଆମେ ୨୦୨୪ରେ ଏକାଠି ଲଢ଼ିବୁ ଓ ବହୁତ ଭଲ ପ୍ରଦର୍ଶନ କରିବୁ”, କହିଛନ୍ତି କଂଗ୍ରେସର ରାଷ୍ଟ୍ରୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ଦେଶରେ ଦଳିତ, ହିନ୍ଦୁ, ମୁସଲିମ୍ ସମସ୍ତଙ୍କର ନିରାପତ୍ତା ବିପନ୍ନ ହୋଇଛି। ଦିଲ୍ଲୀ, ପଶ୍ଚିମବଙ୍ଗ, ମଣିପୁର ହେଉ କି ଆଉ କେଉଁଠି ସରକାରକୁ ବିକିବା ଓ କିଣିବା ବିଜେପି ସରକାରର କାମ। ଆମ ମେଣ୍ଟର ନାଁ ‘ଇଣ୍ଡିଆ’ ବିଜେପି ‘ଇଣ୍ଡିଆକୁ ଚ୍ୟାଲେଞ୍ଜଲ ଦେଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ମମତା।

ଏହି ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସବୁ କ୍ଷେତ୍ରକୁ ବରବାଦ୍ କରିଦେଇଛନ୍ତି। ଏ ସରକାରରେ କୃଷକ ଓ ବ୍ୟବସାୟୀ ସମସ୍ତେ ଦୁଃଖୀ। ଦେଶରେ ଯେଉଁଭଳି ଘୃଣାର ପ୍ରସାର କରାଯାଉଛି, ସେଥିରୁ ଦେଶକୁ ସୁରକ୍ଷା ଦେବା ପାଇଁ ଆମେ ଏକାଠି ହୋଇଛୁ ବୋଲି ବେଙ୍ଗାଳୁରୁ ବୈଠକରେ କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

Tags: #Politics #IndianPolitics #INDIA #NDA #OppositionParty #Election

Comment