ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ଆଗେଇ ଚାଲିଛି ଚନ୍ଦ୍ରଯାନ-୩। ଏହା ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରରେ ସଫ୍ଟଲ୍ୟାଣ୍ଡିଂ କରିବ। ୪୦ ଦିନର ଯାତ୍ରା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମଥର ପାଇଁ ପହଞ୍ଚି ଇତିହାସ ରଚିବ ଭାରତ। ସରା ଭାରତବାସୀ ଏହି ମିଶନର ସଫଳତା ପାଇଁ କାମନା କରୁଛନ୍ତି। ସଫ୍ଟଲ୍ୟାଣ୍ଡିଂ ପରେ ଚନ୍ଦ୍ରଯାନ-୩ ଇସ୍ରୋ ପକ୍ଷରୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ଆରମ୍ଭ କରିବ।

ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାପରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଭିତରୁ ୬ ଚକ ବିଶିଷ୍ଟ ରୋଭର ବାହାରକୁ ଆସିବ। ଏହା ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିବ। ଉଭୟ ଲ୍ୟାଣ୍ଡର ଓ ରୋଭର ପରସ୍ପରର ଫଟୋ ଉତ୍ତୋଳନ କରିବେ। ଏହାପରେ ଏହି ଫଟୋଗୁଡ଼ିକ ଇସ୍ରୋ ନିକଟକୁ ଟ୍ରାନ୍ସମିଟ୍ କରାଯିବ।

ଚନ୍ଦ୍ରଯାନ-୩ରେ ଥିବା ଯନ୍ତ୍ର ଏବଂ ସେଗୁଡ଼ିକର କାର୍ଯ୍ୟ  

ଚନ୍ଦ୍ର ପୃଷ୍ଠରେ ବିଭିନ୍ନ ପରୀକ୍ଷା କରିବା ପାଇଁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ମୁଖ୍ୟତଃ ୪ଟି ଯନ୍ତ୍ର ଖଞ୍ଜାଯାଇଛି। ଅବତରଣ କରିବା ମାତ୍ରେ ଏଗୁଡ଼ିକ କାମ କରିବା ଆରମ୍ଭ କରିବ। ଏହି ପରୀକ୍ଷାର ରିପୋର୍ଟ ଓ ପାରାମିଟର ସବୁକୁ ଇସ୍ରୋ ନିକଟକୁ କରିବା ପାଇଁ ଉତ୍ତମ ଯୋଗାଯୋଗ ସିଷ୍ଟମ ଲ୍ୟାଣ୍ଡରରେ ରହିଛି।

ଚନ୍ଦ୍ରଯାନ-୩ରେ ଲାଗିଥିବା ପ୍ରଥମ ତଥା ମୁଖ୍ୟ ଯନ୍ତ୍ରଟି ହେଉଛି ‘ରେଡିଓ ଏନାଟୋମି ଅଫ ମୁନ ବାଉଣ୍ଡ ହାଇପରସେନ୍ସିଟିଭ ଆଇନୋସ୍ପିୟର ଆଣ୍ଡ ଆଟମୋସ୍ପିୟର’ (ରାମ୍ଭା)। ଏହା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟରୁ ଆସୁଥିବା ପ୍ଲାଜମା କଣିକାର ଘନତ୍ୱ ,ମାତ୍ରା ଏବଂ ପରିବର୍ତ୍ତନକୁ ଯାଞ୍ଚ କରିବ ।

ସେହିପରି ଦ୍ଵିତୀୟ ଯନ୍ତ୍ରଟି ହେଉଛି ‘ଚନ୍ଦ୍ରାସ ସରଫେସ ଥର୍ମୋ ଫିଜିକାଲ ଏକ୍ସପେରିମେଣ୍ଟ’ (ଚାଷ୍ଟେ)। ଏହା ଚନ୍ଦ୍ର ପୃଷ୍ଠରେ ତାପମାତ୍ରାର ଯାଞ୍ଚ କରିବ। ତୃତୀୟ ଯନ୍ତ୍ରଟି ହେଉଛି ‘ଇନ୍ସଟ୍ରୁମେଣ୍ଟ ଫର ଲୁନାର ସେସମିକ ଆକ୍ଟିଭିଟି’ (ଇଲ୍ସା)। ଏହା ଲାଣ୍ଡିଂ ସାଇଡର ଆଖପାଖ ଭୂକମ୍ପୀୟ ଗତିବିଧିକୁ ଯାଞ୍ଚ କରିବ। ସେହିପରି ଲ୍ୟାଣ୍ଡରରେ ଥିବା ଚତୁର୍ଥ ଯନ୍ତ୍ର ଲେଜର ରେଟ୍ରୋରିଫ୍ଲେକ୍ଟର ଆରେ (ଏଲଆରଏ) ଚନ୍ଦ୍ରର ଡାଇନାମିକ୍ସ ବା ଗଠନକୁ ବୁଝିବାକୁ ଚେଷ୍ଟା କରିବ।

ଅନ୍ୟପଟେ ଚନ୍ଦ୍ରଯାନ-୩ରେ ରୋଭରରେ ଲାଗିଥିବା ଲେଜର ସ୍ପେକ୍ଟ୍ରୋସ୍କୋପ ଓ ଆଲ୍ଫା ପାର୍ଟିକିଲ ସ୍ପେକ୍ଟ୍ରୋମିଟର ଚନ୍ଦ୍ରପୃଷ୍ଠରେ ଥିବା ମାଟିର ପରୀକ୍ଷା କରିବ। ଏହାସହ ଖଣିଜ ପଦାର୍ଥର ଉପଲବ୍ଧତାକୁ ନେଇ ଯାଞ୍ଚ କରିବ। ଏହି ସବୁ ପରୀକ୍ଷା ବୈଜ୍ଞାନିକମାନଙ୍କୁ ଚନ୍ଦ୍ରର ଅଧିକ ଗବେଷଣା କରିବା ପାଇଁ ସହାୟକ ହେବ।

Tags: #Chandrayaan-3 #MoonMission #SoftLanding #SpaceExploration #MoonExperiment #ISRO

Comment