ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ବିଶ୍ଵ ଷ୍ଟ୍ରୋକ୍ ଦିବସ ପୂର୍ବରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଗ୍ଲୋବାଲ୍ ଷ୍ଟ୍ରୋକ୍ ଆଲାଏନ୍ସର ବାର୍ଷିକ ବୈଠକ। ବିଶ୍ୱ ଷ୍ଟ୍ରୋକ ସଂଗଠନ (ଡବ୍ଲୁଏସଓ), ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ବିଭିନ୍ନ ଦେଶର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଏଠାରେ ଷ୍ଟ୍ରୋକ୍ ଉପରେ ଏକ ଅନ୍ତର୍ଜାତୀୟ ଘୋଷଣାନାମା ସ୍ଵାକ୍ଷରିତ ହୋଇଛି।

ଏହି ଘୋଷଣାନାମା ଅନୁସାରେ ଷ୍ଟ୍ରୋକ୍ ବାବଦରେ ସଚେତନତା ସୃଷ୍ଟି କରିବା ତଥା ଏହାର ଚିକିତ୍ସା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଦେଶ ସହମତ ହୋଇଛନ୍ତି। ମିଳିତ ଜାତିସଂଘର ୨୦୩୦ ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲ୍ସର ଫ୍ରେମୱାର୍କ ଆଧାରର ଷ୍ଟ୍ରୋକକୁ ନେଇ ଏହି ଘୋଷଣାନାମା ପ୍ରସ୍ତୁତ କରାଯାଇଛି।

ବିଶ୍ଵରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ସଂସ୍ଥା, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଷ୍ଟ୍ରୋକ୍ ସପୋର୍ଟ ସଂଗଠନ ତଥା ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନର ସହଭାଗିତାରେ ଷ୍ଟ୍ରୋକ୍ ଉପରେ ଅଧିକ ଗବେଶଣା ଏବଂ ଏହାର ଚିକିତ୍ସା ପଦ୍ଧତିର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଗ୍ଲୋବାଲ୍ ଷ୍ଟ୍ରୋକ୍ ଆଲାଏନ୍ସର ସବୁ ସଦସ୍ୟମାନେ ସହମତ ହୋଇଛନ୍ତି।

ଘୋଷଣାନାମାରେ ମୁଖ୍ୟତଃ ୧୫ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ଷ୍ଟ୍ରୋକର ପ୍ରତିରୋଧ ତଥା ଚିକିତ୍ସା ପାଇଁ ପ୍ରଭାବଶାଳୀ ନୀତିର ବିକାଶ ଏବଂ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା ପାଇଁ ଏଠାରେ ନିଷ୍ପତ୍ତି ହୋଇଛି। ଘୋଷଣାନାମାରେ ରହିଥିବା ପ୍ରସ୍ତାବଗୁଡ଼ିକ ହେଲା

  • ଷ୍ଟ୍ରୋକର ଲକ୍ଷଣ, କାରଣ ଏବଂ ସଠିକ ସମୟରେ ଚିକିତ୍ସା ତଥା ନିୟନ୍ତ୍ରଣ ବିଷୟରେ ଲୋକମାନଙ୍କୁ ସଚେତନମୂଳକ ଶିକ୍ଷା ପ୍ରଦାନ କରିବା।
  • ସମାଜରେ ଶାରୀରିକ କାର୍ଯ୍ୟକଳାପ ଅଭ୍ୟାସ ପାଇଁ ନିରାପଦ ଏବଂ ସୁସ୍ଥ ପରିବେଶକୁ ପ୍ରୋତ୍ସାହିତ କରିବା।
  • ଧୂମପାନ ଓ ମଦ୍ୟପାନକୁ ନିୟନ୍ତ୍ରଣ, ସୁସ୍ଥ ଖାଦ୍ୟ ଗ୍ରହଣ ଏବଂ ସୁସ୍ଥ ଶରୀର ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା। ଏହାସହ ମସ୍ତିଷ୍କ ଏବଂ ହୃଦରୋଗକୁ ହ୍ରାସ କରିବା ପାଇଁ ନୀତି କାର୍ଯ୍ୟକାରୀ କରିବା।
  • ମସ୍ତିଷ୍କ ରୋଗର ମୁଖ୍ୟ କାରଣଗୁଡ଼ିକର ଚିହ୍ନଟ ଏବଂ ଚିକିତ୍ସା ପାଇଁ ରଣନୀତି କାର୍ଯ୍ୟକାରୀ କରିବା।
  • ଷ୍ଟ୍ରୋକ୍ ପୀଡ଼ିତମାନଙ୍କୁ ପ୍ରାଥମିକତା ଦେବାପାଇଁ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ଶିବିର ଆୟୋଜନ କରିବା।
  • ଷ୍ଟ୍ରୋକର ଚିକିତ୍ସା ପାଇଁ ଅଧିକରୁ ଅଧିକ ଚିକିତ୍ସା ଅନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକରେ ଷ୍ଟ୍ରୋକ ୟୁନିଟର ଗଠନକୁ ପ୍ରାଥମିକତା ଦେବା। ଏହାସହ ରୋଗମାନଙ୍କ ଉତ୍ତମ ଚିକିତ୍ସା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଘୋଷଣାନାମାରେ କୁହାଯାଇଛି।
  • ଷ୍ଟ୍ରୋକ ଆକ୍ରାନ୍ତ ହସପିଟାଲରେ ଆସିବାଠାରୁ ଆରମ୍ଭ କରି ଡିସଚାର୍ଜ ହେବା ଯାଏଁ ସେମାନଙ୍କ ସବୁ ସୁବିଧାର ବ୍ୟବସ୍ଥା କରିବା।
  • ଷ୍ଟ୍ରୋକ୍ କେୟାରରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଅତ୍ୟାଧୁନିକ ମାନର ପ୍ରଶିକ୍ଷଣ ଦେବା।
  • ଦେଶରେ ଦେଖାଯାଉଥିବା ଷ୍ଟ୍ରୋକର ମୁଖ୍ୟ କାରଣଗୁଡ଼ିକ ଉପରେ ନଜର ରଖିବା ଏବଂ ସେଗୁଡ଼ିକ ବାବଦରେ ଲୋକଙ୍କୁ ସଚେତନ କରିବା।
  • ଷ୍ଟ୍ରୋକର ଚିକିତ୍ସା ପାଇଁ ଜାତୀୟ କିମ୍ବା ଆଞ୍ଚଳିକ ପ୍ରମାଣ ଆଧାରିତ ଅଭ୍ୟାସ ନିର୍ଦେଶାବଳୀକୁ କାର୍ଯ୍ୟକାରୀ କରିବା।
  • ଷ୍ଟ୍ରୋକର ଶିକାର ହୋଇଥିବା ରୋଗୀମାନଙ୍କର ନିରନ୍ତର ଯତ୍ନ ପାଇଁ ଇଣ୍ଟିଗ୍ରେଟେଡ୍ ନେଟୱାର୍କର ଗଠନକୁ ପ୍ରାଥମିକତା ଦେବା, ଯେଉଁଥିରେ ସ୍ୱାସ୍ଥ୍ୟସେବାର ସବୁ ବିଭାଗ ଅନ୍ତର୍ଭୁକ୍ତ ହେବେ।
  • ଷ୍ଟ୍ରୋକ କେୟାରର କ୍ରମାଗତ ବିକାଶ ପାଇଁ ମାନବ ଏବଂ ଆର୍ଥିକ ସମ୍ବଳ ନିୟୋଜନ କରିବା।
  • ଦେଶରେ ଜାତୀୟ ସ୍ତରର ଷ୍ଟ୍ରୋକ୍ କେୟାର ଆକ୍ସନ ପ୍ଲାନ ଓ ନୀତି କାର୍ଯ୍ୟକାରୀ କରିବା।
  • ଷ୍ଟ୍ରୋକ୍ କେୟାରର ଉନ୍ନତି ପାଇଁ ଦେଶମାନଙ୍କ ମଧ୍ୟରେ ଅଭିଜ୍ଞତା ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା।
  • ପ୍ରତ୍ୟେକ ଦେଶରେ ପ୍ରାଥମିକତା ଏବଂ ଆବଶ୍ୟକତା ଉପରେ ଆଧାର କରି ଷ୍ଟ୍ରୋକ ଉପରେ ଅନୁସନ୍ଧାନକୁ ଗୁରୁତ୍ଵ ଦେବା।

ବିଶ୍ୱ ଷ୍ଟ୍ରୋକ ସଂଗଠନ ଅନୁସାରେ ବିଶ୍ଵରେ ଅଣ ସଂକ୍ରାମକ ରୋଗ ଜନିତ ଲୋକଙ୍କ ମୃତ୍ୟୁ ମଧ୍ୟରେ ୨୫ ପ୍ରତିଶତ ଷ୍ଟ୍ରୋକ ଯୋଗୁଁ ହୋଇଥାଏ। ଷ୍ଟ୍ରୋକ ହୋଇଥିବା ଲୋକଙ୍କୁ ସଠିକ ସମୟରେ ଚିକିତ୍ସା ମିଳିଲେ ସେମାନଙ୍କ ଜୀବନ ବଞ୍ଚି ପାରିବ। ଏହା ବିଷୟରେ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ଵ ଷ୍ଟ୍ରୋକ ଦିବସ ପୂର୍ବରୁ ସେପ୍ଟେମ୍ବର ୮ ତାରିଖରୁ ୧୫ ତାରିଖ ଯାଏଁ ଗ୍ଲୋବାଲ୍ ଷ୍ଟ୍ରୋକ୍ ଆଲାଏନ୍ସର ବୈଠକ ଅନୁଷ୍ଠିତ ହୋଇଥିଲା।

Tags: #GlobalStrokeAlliance #WorldStrokeOrganization #WorldStrokeDay #Stroke #Healthcare

Comment