ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ୧୮ତମ ‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା। ଏଠାରେ ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରୁ ବୁଣାକାର ଓ ହସ୍ତଶିଳ୍ପୀମାନେ ଆସି ଲଗାଇଥିଲେ ହସ୍ତତନ୍ତ ଏବଂ ହସ୍ତଶିଳ୍ପର ଆସର। ହାତ ତିଆରି ଶାଢ଼ିଠାରୁ ଆରମ୍ଭ କରି ମାଟି, କାଠ ତଥା ପଥର ଆଦିରେ ତିଆରି ବିଭିନ୍ନ ଜିନିଷ ଏଠାରେ ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ ମେଳାରେ ଲୋକଙ୍କ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ। ହସ୍ତଶିଳ୍ପୀ ପ୍ରିୟଦର୍ଶିନୀ ଦାସ ବାଉଁଶରୁ ଗଢ଼ିଥିବା ବିଭିନ୍ନ କଳାକୃତିର ମେଳାରେ ଭଲ ଚାହିଦା ରହିଥିଲା।

ତୋଷାଳି ମେଳାରେ ପ୍ରିୟଦର୍ଶିନୀ ଦାସ ବାଉଁଶରୁ ପ୍ରସ୍ତୁତ କରିଥିବା ବିଭିନ୍ନ ଘରକରଣା ଜିନିଷ, ଅଳଙ୍କାର, କପ ପ୍ଲେଟ ତଥା ସାଜସଜ୍ଜା ଜିନିଷ ଆଦି ପ୍ରଦର୍ଶିତ କରିଥିଲେ। ମେଳା ବୁଲିବାକୁ ଆସୁଥିବା ଲୋକେ ଏଗୁଡ଼ିକୁ ଖୁବ୍ ପସନ୍ଦ କରିବା ସହ କିଣିଥିଲେ।

“ବାଉଁଶରୁ ବିଭିନ୍ନ ଜିନିଷ ତିଆରି କରିବା ଏକ ଅନନ୍ୟ କଳା। ଏହା ପରିବେଶ ଉପଯୋଗୀ ମଧ୍ୟ ହୋଇଥାଏ। ଆମ ରାଜ୍ୟରେ ବାଉଁଶ ବହୁତ ପରିମାଣରେ ମିଳେ। ଏହାକୁ ବ୍ୟବହାର କରି ମୁଁ ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରିପାରିଛି। ବାଉଁଶରୁ ତିଆରି କରିଥିବା ବିଭିନ୍ନ ଅଳଙ୍କାର ତଥା ଘର ସାଜସଜ୍ଜା ଜିନିଷରେ ମୁଁ ଓଡ଼ିଶାର କଳା ଓ ସଂସ୍କୃତିକୁ ସ୍ଥାନ ଦେଇଥାଏ। ଚଳିତ ତୋଷାଳି ମେଳାରେ ଏ ସବୁ ଜିନିଷକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି”, କହିଥିଲେ ପ୍ରିୟଦର୍ଶିନୀ ଦାସ।

ସେ ଆହୁରି କହିଥିଲେ, “ମେଳାରେ ମୁଁ ପ୍ରସ୍ତୁତ କରିଥିବା ଜିନିଷଗୁଡ଼ିକର ଦାମ ସବୁ ଲୋକଙ୍କୁ ସୁହାଇଲା ଭଳି ରଖିଛି। ଏଗୁଡ଼ିକର ଭଲ ବ୍ୟବସାୟ ମଧ୍ୟ ହେଉଛି। ଆଗରୁ ମୁଁ ତୋଷାଳି ମେଳାକୁ ବହୁତଥର ବୁଲିବାକୁ ଆସୁଥିଲି। ଏ ବର୍ଷ ଏଠାରେ ନିଜ ବାଉଁଶ କଳାକୃତିକୁ ପ୍ରଦର୍ଶନ ଓ ବିକ୍ରିବଟା କରି ବହୁତ ଖୁସି ଅନୁଭବ କରୁଛି।”  

ହସ୍ତଶିଳ୍ପୀ ପ୍ରିୟଦର୍ଶିନୀ ଦାସ ବାଉଁଶ ବ୍ୟତୀତ କାଠ, ଅଦରକାରୀ କାଗଜ ଓ କାଚ ବୋତଲରେ ମଧ୍ୟ ବିଭିନ୍ନ ଜିନିଷ ପ୍ରସ୍ତୁତ କରିଥନ୍ତି। ସେ ବାଉଁଶରୁ ବିଭିନ୍ନ ଜିନିଷ ତିଆରି କରିବା ସହ ନିଜର ସଂସ୍ଥା ‘ଇକୋଦର୍ଶିନୀ’ ମାଧ୍ୟମରେ ଅନେକ ମହିଳା ଓ ଝିଅଙ୍କୁ ଏହାର ପ୍ରଶିକ୍ଷଣ ମଧ୍ୟ ଦେଇଥାନ୍ତି। ଫଳରେ ସେମାନେ ମଧ୍ୟ ବିଭିନ୍ନ ବାଉଁଶ କଳାକୃତି ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରୁଛନ୍ତି।

ବାଉଁଶ ଏକ କଠିନ ବସ୍ତୁ ହୋଇଥିବାରୁ ଏଥିରେ କଳାକୃତି କରିବା ଅତି କଷ୍ଟକର। ଏହାଛଡ଼ା ବାଉଁଶ ଶୀଘ୍ର ନଷ୍ଟ ହେଉବାରୁ ଏଥିରୁ ଜିନିଷ ପ୍ରସ୍ତୁତ କରିବା ଆଗରୁ ଏହାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଉଥିବା ପ୍ରିୟଦର୍ଶିନୀ ଦାସ କହିଥିଲେ।

“ମୁଁ ତୋଷାଳି ମେଳାରେ ବହୁତ କିଛି ହାତ ତିଆରି ଜିନିଷ ଦେଖିବାକୁ ପାଇଲି। ତେବେ ସେ ସବୁ ମଧ୍ୟରେ ମତେ ବାଉଁଶ କଳାକୃତି ବେଶ୍ ଆକର୍ଷଣୀୟ ଲାଗିଲା। ବାଉଁଶରୁ ପ୍ରସ୍ତୁତ ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଖୁବ ସୁନ୍ଦର ହୋଇଛି ଓ ଏଗୁଡ଼ିକ ପରିବେଶ ଉପଯୋଗୀ ମଧ୍ୟ। ମୁଁ ମଧ୍ୟ ଏଠାରୁ କିଛି ବାଉଁଶ ସାମଗ୍ରୀ କିଣିକି ନେଇଛି”, କହିଛନ୍ତି ମେଳା ବୁଲିବାକୁ ଆସିଥିବା ଶ୍ୟାମସୁନ୍ଦର ବେହେରା।

ବାଉଁଶରୁ ଜିନିଷ ପ୍ରସ୍ତୁତ କରିବାର କଳା ଅନେକ ପୁରୁଣା। ଓଡ଼ିଶା ସମେତ ଭାରତର ଉପକୂଳବର୍ତ୍ତୀ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅନେକ ମାତ୍ରାରେ ବାଉଁଶ ମିଳିଥାଏ। ଏହାକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଏ। ତେବେ ପ୍ରିୟଦର୍ଶିନୀ ଦାସଙ୍କ ଭଳି ହସ୍ତଶିଳ୍ପୀ ଆମ ରାଜ୍ୟରେ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Tags: #ToshaliMela #NationalCraftFair #Handicrafts #BambooCraft #Bhubaneswar #ତୋଷାଳିମେଳା #ବାଉଁଶକଳାକୃତି

Comment