ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ରହିଥିବା ବେଳେ ଏହାକୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି।

ସେହିପରି ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବୀ ସୃଷ୍ଟି ସହ ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆକୁ ୫ ଏକର ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ଏହାସହ ୨୦୦ ଇ-ବସ୍‌ ଚଳାଚଳ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛନ୍ତି।

ସେହିପରି ସହରାଞ୍ଚଳରେ ଏଲଇଡି ଲାଇଟ୍‌ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏହା ସହ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସାମିଲ କରାଯିବ। ଆସନ୍ତା ୨୦୨୪ ଜାନୁଆରି ୫ ତାରିଖରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରିବା ସହ ଜଗନ୍ନାଥ ରଥ ବୁଲିବ। ସଂଗ୍ରହ କରାଯାଇଥିବା ଗୁଆ ଓ ଚାଉଳକୁ ବ୍ଲକର ଗୋଟିଏ ମନ୍ଦିରରେ ରଖାଯିବ। ପଞ୍ଚାୟତ ଗୁଡ଼ିକରେ ଏଲଇଡି ମାଧ୍ୟରେ ପରିକ୍ରମା ପ୍ରକଳ୍ପର ଲାଇଭ୍ ଟେଲିକାଷ୍ଟ ପାଇଁ ବ୍ୟବସ୍ଥା କରାଯିବ। ଏଥିଲାଗି ୧୫୬ କୋଟି ଟଙ୍କା ବ୍ୟୟ ହେବ।

Tags: #Politics #Odisha #CabinetMeeting #Odisha #ProjectsApproved

Comment