ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତଙ୍କ ଉପରୁ ସୋମବାର ଦିନ ବହିଷ୍କାର ଆଦେଶ ହଟାଇଲା ବିଜୁ ଜନତା ଦଳ। ନୂଆ ବର୍ଷ ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବହିଷ୍କାର ଆଦେଶ ହଟାଇଛନ୍ତି।

ଗତ ୨୦୧୮ ମସିହାରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଡକ୍ଟର ଦାମୋଦର ରାଉତ। ପରେ ୨୦୧୯ ମସିହାରେ ବିଜେପିରେ ସାମିଲ ହୋଇଥିଲେ। ବିଜେପି ଟିକେଟରୁ ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ପରାଜିତ ହେବା ପରେ ସେହି ବର୍ଷ ଅକ୍ଟୋବର ମାସରେ ବିଜେପିରୁ ଇସ୍ତଫା ଦେଇଥିଲେ ଦାମୋଦର ରାଉତ। ପରେ ପୁଣି ବିଜେଡିରେ ଯୋଗ ଦେବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି ବିଜେପିରେ ଯୋଗ ଦେଇ ଭୁଲ କରିଥିଲେ ବୋଲି ଦାମୋଦର ରାଉତ ଖୋଲାଖୋଲି ଭାବେ କହିଥିଲେ।

ନୂଆବର୍ଷରେ ଡକ୍ଟର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ବିଧାୟକ ତଥା ପୁଅ ସମ୍ବିତ ରାଉତ। ସମ୍ବିତ କହିଛନ୍ତି, “ଏହି ନିଷ୍ପତିକୁ ନେଇ ସାରା ଅଞ୍ଚଳବାସୀ ବେଶ୍ ଖୁସି ଅଛନ୍ତି। ବାପା ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଯଦି ବାପାଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ରୁହେ ଏବଂ ଦଳର ସଭାପତି ଚାହାନ୍ତି, ତେବେ ବାପା ଆଗାମୀ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇବେ।”

Tags: #Politics #OdishaPolitics #BJD #DrDamodarRout #CMOdisha #NaveenPatnaik

Comment