ଓଡ଼ିଶାଲାଇଭ୍ ବ୍ୟୁରୋ


ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା। ପ୍ରଥମ ପର୍ଯ୍ୟାୟ ତାଲିକାରେ ଦଳ ପକ୍ଷରୁ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ପୁଣିଥରେ ବାରଣାସୀରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ବିଜେପି ଜାରି କରିଥିବା ପ୍ରାର୍ଥୀ ତାଲିକାରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ୪୭ ଜଣ ୫୦ ବର୍ଷ କମ୍‌ ଯୁବ ନେତାଙ୍କ ନାମ ରହିଛି। ଏଥିରେ ଦଳ ୧୬ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଓଡ଼ିଶାରୁ କୌଣସି ପ୍ରାର୍ଥୀଙ୍କ ନାମ ସାମିଲ ହୋଇନାହିଁ।
ବିଜେପି ପକ୍ଷରୁ ଜାରି ହୋଇଥିବା ଏହି ୧୯୫ ଜଣିଆ ପ୍ରାର୍ଥୀ ତାଲିକାରେ ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ସେହିପରି ମଧ୍ୟପ୍ରଦେଶରୁ ୨୪, ପଶ୍ଚିମବଙ୍ଗରୁ ୨୦ ଏବଂ ରାଜସ୍ଥାନ ଓ ଗୁଜରାଟରୁ ୧୫ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହାସହ କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମ ଓ ଝାଡ଼ଖଣ୍ଡରୁ ୧୧ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ରହିଛି।
ତେବେ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ଗୁଜରାଟର ଗାନ୍ଧୀନଗରରୁ ନିର୍ବାଚନ ଲଢ଼ିବେ। ଏହାସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରୁ, ଆମେଥିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅରୁଣାଚଳ ପ୍ରଦେଶ ପଶ୍ଚିମ ଆସନରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଓ ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ଏହି କ୍ରମରେ ପୂର୍ବତନ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ସ୍ୱରାଜଙ୍କୁ ନୂଆଦିଲ୍ଲୀ ପଶ୍ଚିମ ଲୋକସଭା ଆସନରୁ ଟିକେଟ ଦେଇଛି ଦଳ।
Tags: #IndianGeneralElections #BJP #Candidatelist #Politics #India

Comment