ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଥିବାବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବୁଧବାର ଭୁବନେଶ୍ଵରରେ ବିଜେଡିର ଓ ନୂଆଦିଲ୍ଲୀରେ ବିଜେପିର ଦଳୀୟ ବୈଠକ ରାଜନୈତିକ ଜନମାନସରେ ଉଷ୍ମତା ଭରିଛି। ଉଭୟ ଦଳ ୧୫ ବର୍ଷ ଉପରେ ପୁଣି ମେଣ୍ଟ କରିପାରନ୍ତି ବୋଲି ଜୋର୍ ଧରିଛି ଚର୍ଚ୍ଚା।

ବୁଧବାର ନବୀନ ନିବାସରେ ବିଜେଡିର ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ଅନେକ ମନ୍ତ୍ରୀ ଓ ବରିଷ୍ଠ ନେତା ଯୋଗ ଦେଇଥିଲେ।

ବିଜେଡିର ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା ତଥା ଅରୁଣ ସାହୁଙ୍କଠାରୁ ଆରମ୍ଭ କରି କାର୍ତ୍ତିକ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ରାଜ୍ୟ ବିଜେପିର ପ୍ରମୁଖ ନେତାମାନେ ବୈଠକ ପାଇଁ ନୂଆଦିଲ୍ଲୀ ଗସ୍ତ କରିଥିଲେ। ବୁଧବାର ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଦା ସେମାନଙ୍କ ସହ ବୈଠକ କରିଛନ୍ତି।

ଉଭୟ ବୈଠକରେ ଲୋକସଭା ନିର୍ବାଚନୀ ରଣନୀତି ପ୍ରସଙ୍ଗରେ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମାନସମନ୍ଥନ ହେବା ନେଇ ଚର୍ଚ୍ଚା ହେଉଛି। ନିର୍ବାଚନ ପୂର୍ବରୁ ବିଜେପି ନିଜର ପୁରୁଣା ସାଥିମାନଙ୍କୁ ସାଙ୍ଗରେ ଆଣିବାକୁ ଚେଷ୍ଟା କରୁଥିବା ଅନେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ତେବେ ଦୁଇ ଦଳ ପକ୍ଷରୁ କୌଣସି ଆଧିକାରିକ ସୂଚନା ନଆସିବା ଯାଏଁ ମେଣ୍ଟ ହେବ କି ନାହିଁ, ତାହାର ଛବି ଅସ୍ପଷ୍ଟ ରହିବ।

୧୯୯୮ ମସିହାରେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ଆରମ୍ଭ ହୋଇଥିଲା। ମେଣ୍ଟ ଥିବାବେଳେ ଉଭୟ ଦଳ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ସରକାର ଗଢ଼ିଥିଲେ। ୧୧ ବର୍ଷ ପରେ ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ଏହି ମେଣ୍ଟ ଭାଙ୍ଗିଯାଇଥିଲା।

Tags: #IndianGeneralElections #BJD #BJP #Alliance #Politics #Odisha    

Comment