ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ୩ ଦିନ ବର୍ଷା ଲାଗି ରହିବା ଯୋଗୁଁ ତାପମାତ୍ରା କମ ହୋଇଛି। ଶୁକ୍ରବାର ସକାଳେ କିଛି ସ୍ଥାନରେ କୁହୁଡ଼ି ପଡ଼ିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଆଗକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାକୁ ଯାଉଛି। ଆସନ୍ତା ୩ ଦିନ ମଧ୍ୟରେ ଦିନ ତାପମାତ୍ରାରେ ୮ରୁ ୧୦ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୩ ଦିନ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ଲଗାଣ ବର୍ଷା ହୋଇଥିଲା। ବର୍ଷା ସହ କୋହଲା ପାଗ ଜାରି ରହିଥିବାରୁ ତାପମାତ୍ରା କମିଥିଲା। ବୁଧବାର ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୯.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସେହିପରି ବୁଧବାର ପୁରୀରେ ଦିନର ସର୍ବାଧିକ ତାପମାତ୍ରା ୨୦.୪ ଡିଗ୍ରୀ ଥିବାବେଳେ ବାରିପଦାରେ ୨୦.୪ ଡିଗ୍ରୀ, ପାରାଦୀପରେ ୨୦.୭ ଡିଗ୍ରୀ ଏବଂ ଚାନ୍ଦବାଲିରେ ୨୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହାସହ ଓଡ଼ିଶାର ୧୨ଟି ସହରର ସର୍ବୋଚ୍ଚ ତାପମାତ୍ରା ୨୨ ଡିଗ୍ରୀ ତଳେ ରହିଥିଲା।

ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁବାରଠାରୁ ରାଜ୍ୟରେ ପାଣିପାଗ ପରିବର୍ତ୍ତନ ହେବ। ୩ ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଏହାସହ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଡେଇଁବାର ସମ୍ଭାବନା ରହିଛି।  

Tags: #Rainfall #Weather #Summer #MCBBSR #Odisha   

Comment