ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ୟାରେ ନଷ୍ଟ ହୋଇଥିବା ପାନୀୟ ଜଳ ବ୍ୟବସ୍ଥାକୁ ସୁଧାରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଶହ ଶହ ପାଇପ ମିସ୍ତ୍ରୀ ଓ ଅନ୍ୟ କୁଶଳୀ କାରିଗର କେରଳ ଯିବା ଆରମ୍ଭ କରିଛନ୍ତି।

ବନ୍ୟା ବିଧ୍ୱସ୍ତ କେରଳ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ପୁନଃନିର୍ମାଣ ପାଇଁ ସେଠାକାର ସରକାର ଯୁଦ୍ଧ କାଳୀନ ଭିତ୍ତିରେ ଥଇଥାନ କାର୍ଯ୍ୟ ଶେଷ କରିବା ପାଇଁ ଚେଷ୍ଟା କରୁଛନ୍ତି।

ଏହି ସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଶହ ଶହ ପାଇପ ମିସ୍ତ୍ରୀ ଓ ଅନ୍ୟ କୁଶଳୀ କାରିଗର କେରଳ ଯିବା ଆରମ୍ଭ କରିଛନ୍ତି। କେରଳ ବନ୍ୟାରେ ନଷ୍ଟ ହୋଇଥିବା ପାନୀୟ ଜଳ ବ୍ୟବସ୍ଥାକୁ ସୁଧାରିବା ପାଇଁ କେରଳ ସରକାର ରାତିଦିନ ଲାଗିପଡିଛନ୍ତି।

ଏଥିପାଇଁ ପାଇପ ଲାଇନ ପକାଇବା ଓ ନୂତନ ଜଳ ଯୋଗାଣ ବ୍ୟବସ୍ଥା ସକାଶେ ପାଇପ ମିସ୍ତ୍ରୀଙ୍କର ଘୋର ଆବଶ୍ୟକତା ଦେଖାଦେଇଛି।

କେନ୍ଦ୍ରାପଡ଼ା ଜିଲ୍ଲାର ପାଇପ ମିସ୍ତ୍ରୀ ମାନଙ୍କର ବିଶ୍ୱ ତମାମ ଖ୍ୟାତି ରହିଛି। ଏଣୁ ସେମାନଙ୍କୁ ଆଣିବା ପାଇଁ କେରଳର ବିଭିନ୍ନ ଚାକିରୀ ସଂସ୍ଥା ତତ୍ପର ହୋଇ ଉଠିଛନ୍ତି। ଇତି ମଧ୍ୟରେ କେରଳ ଅଭିମୁଖେ ଶହ ଶହ ସଂଖ୍ୟକ ପାଇପ ମିସ୍ତ୍ରୀ ଯିବା ଆରମ୍ଭ କଲେଣି।

ଗତ ଦୁଇ ତିନିଦିନ ଧରି ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜନଗର ତହସିଲଦାର ନିହାର ରଞ୍ଜନ ମଲ୍ଲିକ କହିଛନ୍ତି ଯେ ବିଭିନ୍ନ ଗାଁରୁ ମିସ୍ତ୍ରୀ ମାନେ ଓଡ଼ିଶା ଛାଡ଼ି କେରଳ ଯିବା ରିପୋର୍ଟ ତାଙ୍କ ପାଖରେ ପହଂଚିଛି। ଖାଲି କେନ୍ଦ୍ରାପଡ଼ା ନୁହେଁ ଅନ୍ୟ ରାଜ୍ୟରେ ଯେଉଁଠି ପାଇପ ମିସ୍ତ୍ରୀ ମାନେ କାମ କରୁଛନ୍ତି ସେମାନେ ବି କେରଳ ଯାଉଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ଇତି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରାୟ ୫ ଶହ ପାଇପ ମିସ୍ତ୍ରୀ କେରଳରେ ପହଞ୍ଚି ସାରିଲେଣି। ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ମିସ୍ତ୍ରୀ କେରଳ ଯିବାର ଆକଳନ କରାଯାଇଛି।

ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ରାଜକନିକା ଅଞ୍ଚଳର ପାଇପ ମିସ୍ତ୍ରୀଙ୍କର କାର୍ଯ୍ୟ ଦକ୍ଷତା ଯୋଗୁଁ ଦେଶ ବିଦେଶରୁ ଏମାନଙ୍କ ପାଇଁ ଡ଼କରା ଆସିଥାଏ। ବିଶେଷ କରି ଗଲ୍ଫ ଦେଶ ମାନଙ୍କରେ କେନ୍ଦ୍ରାପଡ଼ା ମିସ୍ତ୍ରୀଙ୍କର ଦବଦବା ରହିଛି।

LEAVE A REPLY

Please enter your comment!
Please enter your name here