ଜୟଶ୍ରୀ ମହାପାତ୍ର

ନିର୍ଭୟା ମରିନାହିଁ। ସେ ଆହୁରି ନିର୍ଭୀକ ହୋଇଯାଇଛି। ନିଜ ଜୀବନ ବଦଳରେ ଆଇନର ପଟ୍ଟ ପରିବର୍ତ୍ତନ କରିପାରିଛି। ଧନ୍ୟ ହୋଇଛି ସେଇ ମାତୃତ୍ୱ ଯିଏ ଖାଲି ନିଜ ଝିଅପାଇଁ ନୁହେଁ, ଶହ ଶହ ଝିଅଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି।

ଆଜିର ଦିନରେ ‘‘ନିର୍ଭୟା’’ ହୁଏତ ଇତିହାସ ପାଲଟି ଯାଇଛି।

୧୬ ଡିସେମ୍ବର ୨୦୧୨ର ଘଟଣା। ‘ବର୍ବିରୋଚିତ ଘଟଣା’ ଯାହା ସାରା ବିଶ୍ୱର ଆଖିରେ ଲୁହ ଆଣି ଦେଇଥିଲା। ପ୍ରକୃତି ବି ଯାହା ସାଙ୍ଗେ ତାଳ ମିଳାଇ କାନ୍ଦୁଥିଲା। ସେଇ ୨୩ ବର୍ଷର ମେଡ଼ିକାଲ ପଢ଼ୁଥିବା ଝିଅଟି ପାଇଁ। ଯିଏ ଦିନେ ସ୍ୱପ୍ନ ଦେଖିଥିବ ‘‘ଡାକ୍ତରାଣୀ ହେଲେ କେମିତି ନିର୍ଭୟର ସହିତ ରୋଗୀଙ୍କ ଶରୀର ପରୀକ୍ଷା କରିବି।’’ ସେ ତା’ର ଅସହାୟତାକୁ ଅନୁଭବ କରିବାକୁ ସମୟ ବି ପାଇଲାନି। କିନ୍ତୁ ତା’ର ‘ମୃତ୍ୟୁ’ ଏକ ଦୃଢ଼ ପଦକ୍ଷେପ ନେଇଥିଲା।

ଗୋଟେ ପାଖେ ଗୋଟେ ନିର୍ଭୟାର ଅସହାୟତା ଅନ୍ୟ ପାଖେ ‘ବାଲ୍ୟ ଅପରାଧୀ’ର ରୁଗ୍‌ଣ ଔଦ୍ଧତ୍ୟ ମାନସିକତା… ‘ମନ ଓ ବିବେକର’ ଖେଳ। ଗମ୍ଭୀର କରିଦେଇଥିଲା ସାରା ବିଶ୍ୱକୁ। ସମସ୍ତଙ୍କ ଅଜାଣତରେ ‘‘ନିର୍ଭୟା’’ ଆଖି ବୁଜିଦେଲା। ସମସ୍ତଙ୍କ ଜାଣତାରେ ବାଲ୍ୟ ଅପରାଧୀର ‘ଦଣ୍ଡ’ର ମାପ ୩ ବର୍ଷରେ ସୀମିତ ରହିଲା। ୧୮ ବର୍ଷରୁ ତଳକୁ ଥିବା ବାଲ୍ୟ ଅପରାଧୀର ସମୟ ସୀମା, ଆଇନର ଧାରାରେ ଭିନ୍ନ ଏବଂ କୋହଳ। ଏଇଟା କ’ଣ ନିହାତି ଭାବରେ ବାଲ୍ୟ ଅପରାଧୀର ଅଜ୍ଞତା? ମନରେ ପ୍ରଶ୍ନ ଉଠେ।

ଅଜ୍ଞତା ବି ଏକ ଦଣ୍ଡନୀୟ ଅପରାଧ। ‘ମଣିଷ ପଣିଆ’ ଯେ ସର୍ବଶ୍ରେଷ୍ଠ ଆଇନ ଏଇଟା ବେଳେ ବେଳେ ବୁଝିବାରେ ଭୁଲ ହୋଇଯାଏ। ଯାହା ଆମେ କହିଥାଇ ‘Humanity is the best Law’ –

‘‘ନିର୍ଭୟା’ ଆଇନର ଏକ ମାନଦଣ୍ଡ ହୋଇ ରହିଗଲା। ଆଇନର ପରିବର୍ତ୍ତନ ଆସିଲା। ପ୍ରତିକ୍ରିୟାଶୀଳ ସମାଜ ଯେତେବେଳେ ଆଇନର ସ୍ୱର ଉତ୍ତୋଳନ କଲେ ସେତେବେଳେ ଆଇନ୍‌ ବି କଡ଼ ଲେଉଟେଇଲା। ଧାରା ୧୫ ଜୁଭେନାଇଲ୍‌ ଆଇନ ଅନୁସାରେ ମକଦ୍ଦମାର ଗୁରୁତ୍ୱ ଦେଖିକରି ବାଲ୍ୟ ଅପରାଧୀର ଦଣ୍ଡ ନିରୁପଣ କରିବାର ବ୍ୟବସ୍ଥା ରହିଲା। ଅଥବା ଜଣେ ଲିଗାଲ୍ ପ୍ରୋବେସନ୍‌ ଅଫିସରଙ୍କ ହାତରେ ନ୍ୟସ୍ତ ରହିଲା। ବାଲ୍ୟ ଅପରାଧୀର ସାମାଜିକ ବ୍ୟବସ୍ଥା ଉପରେ ଆଲୋକପାତ କରିବା ପାଇଁ। ଏହି ଆଇନ୍‌ଟି ଆଗରୁ ହୋଇଥିଲେ ହୁଏତ ‘‘ନିର୍ଭୟା’’ର ଆତ୍ମା ଶାନ୍ତି ପାଇଥାନ୍ତା।

ତିନିଜଣ ବିଚାରପତିଙ୍କ ଖଣ୍ଡପିଠରେ ଆଜି ପ୍ରକାଶ ପାଇଥିବା ରାୟ…। ନିର୍ଭୟାର ‘ବାପା’, ‘ମା’ଙ୍କ ଉପସ୍ଥିତିରେ ଦୀର୍ଘ ୬ ବର୍ଷ ପରେ ମେ ମାସ ୫ ତାରିଖ ୨୦୧୭ରେ ଖୋଲାକୋର୍ଟରେ ଉଚ୍ଚାରଣ ହେଇଥିଲା। ଆଇନର କଠୋର ଶବ୍ଦ- ଯାହାଥିଲା ‘ଭୟଙ୍କର ପାଶବିକତା’(Grusome), ‘ନକାରାତ୍ମକ ସୁଖ’ (Sadistic)‘ ମିଳିତ ଭାବରେ ଦୁଃଷ୍କର୍ମ’ (Gross), ‘ପଶୁପରି ଅତ୍ୟାଚାର କରିବା’ (Beastly) ଯାହାର ରାୟର ୪୨୯ଟି ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଥିଲା।

ନିର୍ଭୟାର ପିତାଙ୍କ ପ୍ରତିକ୍ରିୟା ଅତି କଷ୍ଟଦାୟକ ଥିଲା। ‘‘ନିର୍ଭୟା ଏକ ଉପଭୋଗର ବସ୍ତୁ’’- ପାଲଟିଥିଲା। ଏ ଏକ ପିତୃପ୍ରାଣର ଆକୁଳ ଚିତ୍କାର। ଆଶାଦେବୀଙ୍କର (ନିର୍ଭୟାଙ୍କ ମାତା) ଆଶା… ଆକାଂକ୍ଷା ଆଜି ବାସ୍ତବ ରୂପ ଧାରଣ କରିଥିଲା।

ଫାଶି ଖୁଣ୍ଟରେ ଆସୁରୀୟ ଶକ୍ତିର ବିନାଶ ଘଟିବାର ରାୟ… ଆଜି… ଆଇନ ଉପରେ ଆସ୍ଥା ହରାଇଥିବା ମଣିଷମାନଙ୍କ ପାଇଁ ଏକ ପ୍ରମାଣ ସ୍ୱରୂପ- ଆମର ମୂଳ ମନ୍ତ୍ର ‘ବନ୍ଦେ ମାତରମ’ ଧ୍ୱନୀ ଯେମିତି ଚତୁର୍ଦ୍ଦିଗ କମ୍ପେଇ ଦେଉଛି ନିରବରେ… ପ୍ରତ୍ୟେକ କାନରେ ଗୁଞ୍ଜରଣ ହୋଇ ଉଠୁଛି ମନ୍ତ୍ର ‘ଓଁ ବନ୍ଦେ ମାତରମ’।

ନିର୍ଭୟା ମରିନାହିଁ। ସେ ଆହୁରି ନିର୍ଭୀକ ହୋଇଯାଇଛି। ନିଜ ଜୀବନ ବଦଳରେ ଆଇନର ପଟ୍ଟ ପରିବର୍ତ୍ତନ କରିପାରିଛି। ଧନ୍ୟ ହୋଇଛି ସେଇ ମାତୃତ୍ୱ ଯିଏ ଖାଲି ନିଜ ଝିଅପାଇଁ ନୁହେଁ, ଶହ ଶହ ଝିଅଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି। ଆଶାଦେବୀ (ନିର୍ଭୟାର ମା)ଙ୍କର ବିଜୟ ଆଜି ପ୍ରତ୍ୟେକ ନାରୀର ବିଜୟ। ସେ ଶୁଣିପାରୁଛନ୍ତି ନିର୍ଭୟାର ସ୍ୱର…। ଯିଏ ତାର ପ୍ରାଣ ବଦଳରେ ଆଇନର ଧାରାକୁ ପରିବର୍ତ୍ତନ କରିଛି… ଆଉ କହିଚାଲିଛି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’

(ଲେଖିକା ଓଡ଼ିଶା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡର ଜଣେ ସଦସ୍ୟା)

4 COMMENTS

Comment