ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୭ ବର୍ଷ ତଳର ରାଜନୀତି ଆଉ ନାହିଁ। ଦିନକୁ ଦିନ ଓଡ଼ିଶା ରାଜନୀତି ପାଣିପାଗ ବଦଳିବାରେ ଲାଗିଛି। ୧୭ ବର୍ଷ ତଳେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସ ଉଭା ହୋଇଥିବା ବେଳେ ଏବେ ସେହି ସ୍ଥାନ ବିଜେପି ନେଇଛି। ଶାସକ ଦଳର ଦୋଷ ଦୁର୍ବଳତାକୁ ପଦାରେ ପକାଇବା ପାଇଁ ବିଜେପି ଏବେ ଅଣ୍ଟା ଭିଡିଛି। ଏଣୁ ବିଜେପିର ଏହି ଅସ୍ତ୍ରକୁ ଅଚଳ କରିବା ପାଇଁ ନିଜେ ବିଜେଡି ସୁପ୍ରିମୋ ଆଗକୁ ଆସିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ତୃଣମୂଳସ୍ତରର ପର୍ଯ୍ୟବେକ୍ଷକଙ୍କ ବୈଠକରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉପରେ ଫୋକସ୍‍ କରିଛନ୍ତି। ‘ଆମ ଗାଁ ଆମ ବିକାଶ’ ଏବଂ ‘ଆମ ସହର ଆମ ଉନ୍ନତି’ ଜରିଆରେ ଲୋକଙ୍କ ନିକଟତର ହେବାକୁ ନବୀନ ଆହ୍ୱାନ ଦେଇଛନ୍ତି। ବିଜେଡି ଆଗାମୀ ୨୦୧୮ ପୌର ଏବଂ ୨୦୧୯ ସାଧାରଣ ନିର୍ବାଚନ ପାଇଁ କସରତ ଆରମ୍ଭ କରିଦେଇଥିବା ଏହି ବୈଠକରୁ ସ୍ପଷ୍ଟ ଜଣାପଡୁଛି।

କଂଗ୍ରେସ ଏବେ ଗୋଷ୍ଠୀ-କନ୍ଦଳରେ ଉବୁଟୁବୁ ହେଉଛି। ନେତୃତ୍ୱ ପରିବର୍ତ୍ତନ ପାଇଁ ନେତା ନେତାଙ୍କ ମଧ୍ୟରେ ଗୋଡ ଟଣାଟଣି ଚାଲିଛି। ବାରମ୍ବାର ଦିଲ୍ଲୀ ଦୌଡ଼ି କଂଗ୍ରେସ ନେତା ଦଳୀୟ କନ୍ଦଳକୁ ପଦାରେ ପକାଇ ଦେଇଛନ୍ତି। ଫଳରେ କଂଗ୍ରେସ ଉପରୁ ଲୋକଙ୍କ ଭରସା ତୁଟିଗଲାଣି। ମୁଖ୍ୟ ବିରୋଧୀ ଭାବେ ଶାସକ ଦଳର ଦୋଷ ଦୁର୍ବଳତାକୁ ଟାର୍ଗେଟ କରିବେ କ’ଣ ସେମାନେ ନିଜ ଘରର ଦୁର୍ବଳତାକୁ ପଦାରେ ପକାଇ ଲୋକଙ୍କ ବିଶ୍ୱାସ ହରାଉଛନ୍ତି।

ଏହି ଘଟଣାକୁ ନେଇ ଲୋକେ କଂଗ୍ରେସଠାରୁ ଦୂରେଇ ଯାଉଥିବା ବେଳେ ଏବେ ବିଜେପି ଲୋକଙ୍କ ନିକଟତର ହେଉଛି। ନିକଟରେ ‘ମୋ ବୁଥ୍‍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ଏହି ଜାତୀୟ ଦଳ ଗାଁ ଗାଁରେ ସଙ୍ଗଠନ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି। ରାଜ୍ୟର ୩୬ ହଜାର ବୁଥ୍‍କୁ ସୁଦୃଢ଼ କରିବା ପାଇଁ ବିଜେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଣୁ ଏହି କ୍ରମରେ ବିଜେଡି ଉଭୟ ପୌର ଏବଂ ଗ୍ରାମାଞ୍ଚଳର ସଙ୍ଗଠନ ଉପରେ ଫୋକସ୍‍ କରିଛି। ଲୋକଙ୍କ ନିକଟରେ ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ନବୀନ ଆହ୍ୱାନ ଦେଇଛନ୍ତି।

ଦୁଇଦିନିଆ ପର୍ଯ୍ୟବେକ୍ଷକ ଶିବିରରେ ୨୧ଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ଦଳୀୟ ନେତାମାନେ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ସଭ୍ୟ ସଂଖ୍ୟା ବୃଦ୍ଧି ଏବଂ ସୋସିଆଲ ମିଡିଆ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଏବଂ ବିରୋଧୀଙ୍କ ଅପପ୍ରଚାରକୁ ମୁକାବିଲା କରିବା ପାଇଁ ଆଲୋଚନା ହୋଇଥିଲା।

ଏହାସହ ଆଦିବାସୀ, ହରିଜନ ଓ ସଂଖ୍ୟାଲଘୁଙ୍କ ଉତ୍‌‌ଥାନରେ ଦଳର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରତି ବ୍ଲକରେ ଦଳର ଜଣେ ଲେଖାଏଁ ମହିଳାଙ୍କୁ ସାଙ୍ଗଠନିକ ସଭାପତି କରିବା ପାଇଁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ ପରାମର୍ଶ ଦେଇଥିଲେ। ଏହାବାଦ୍‍ ଦଳ ଆଗାମୀ ଦିନରେ ସଭ୍ୟ ସଂଗ୍ରହ କରି କମିଟି ଗଠନ କରିବ ବୋଲି ଜଣାପଡ଼ିଛି।

ଗ୍ରାମାଞ୍ଚଳରେ ୱାର୍ଡ ପିଛା ୧୫ ଜଣ, ବିଜ୍ଞାପିତ ପରିଷଦରେ ୩୦ ଜଣ, ମ୍ୟୁନ୍‌ସିପାଲ ଅଞ୍ଚଳରେ ୫୦ ଜଣ, ମହାନଗର ନିଗମଗୁଡ଼ିକରେ ୱାର୍ଡ ପିଛା ୧୦୦ ଜଣିଆ କମିଟି କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଅକ୍ଟୋବରରେ ହେବାକୁ ଥିବା ପଦଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ୍‍ କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି।

ଗତ ୫ ବର୍ଷ ହେଲା ବିଜେଡି ସଙ୍ଗଠନ ମଜଭୁତ କରିବାକୁ ଯେଉଁଭଳି ଗୁରୁତ୍ୱ ଦେଉଛି ତାହା ପୂର୍ବରୁ ଦେଖିବାକୁ ମିଳି ନ ଥିଲା। ଏହାସହ ତୃଣମୂଳସ୍ତରର ପର୍ଯ୍ୟବେକ୍ଷକଙ୍କୁ ଡାକି ରାଜଧାନୀ ଭୁବନେଶ୍ୱରରେ ସିଧାସଳଖ ଆଲୋଚନା ମଧ୍ୟ ହୋଇ ନଥିଲା। ତେବେ ହଠାତ୍‍ ବିଜେଡି କାହିଁକି ଏଭଳି ଚିନ୍ତାଧାରାକୁ ଆପଣାଇଲା ତାକୁ ନେଇ ବିଭିନ୍ନ ମହଲରେ କୌତୂହଳ ସୃଷ୍ଟି ହୋଇଛି।

ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ରାଜ୍ୟର ଶାସନ ମଙ୍ଗ ଧରି ଆସିଛନ୍ତି। ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି କଂଗ୍ରେସକୁ ଚକମା ଦେଇ ଆସୁଥିଲେ ନବୀନ। ମାତ୍ର ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ରାଜ୍ୟରେ ତ୍ରିମୁଖି ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି। କଂଗ୍ରେସ ଏବଂ ବିଜେପି ଏପର୍ଯ୍ୟନ୍ତ ବିଜେଡିକୁ ବଡ଼ ଧରଣର ଝଟକା ଦେବାରେ ସମର୍ଥ ହୋଇ ନ ଥିଲେ ମଧ୍ୟ ପଞ୍ଚାୟତ ଫଳାଫଳକୁ ନେଇ ବିଜେଡି ଶିବିରରେ କିଛିମାତ୍ରାରେ ନିରୁତ୍ସାହିତ ହୋଇଯାଇଛି।

୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ପଞ୍ଚାୟତ ଭୋଟରେ ବିଜେଡିର ୩ ପ୍ରତିଶତ ଭୋଟ ହ୍ରାସ ପାଇବା ପରେ ବିଜେପିକୁ ନେଇ ବିଜେଡିର ଚିନ୍ତା ବଢ଼ିଯାଇଛି। ଏହାସହ ଜଣକ ପରେ ଜଣେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବିଜେଡିକୁ କାଉଣ୍ଟର କରୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ସଫଳତାର କାହାଣୀ ବଖାଣୁଛନ୍ତି। ଏଣୁ ଏହି ରେସରେ କାଳେ ବିଜେଡି ପଛରେ ପଡିଯିବ ସେଥିପାଇଁ ଏବେଠାରୁ ସଙ୍ଗଠନ ସଜାଡିବା ଉପରେ ଗୁରୁତ୍ୱ ଦେଉଛି।

୨୦୧୮ ପୌର ନିର୍ବାଚନ ଆଉ ବେଶୀ ବାଟ ନ ଥିବାରୁ ବିଜେଡି ଲୋକଙ୍କ ସହ ସମ୍ପର୍କ ଯୋଡିବାକୁ ଉଦ୍ୟମ କରୁଛି। ପଞ୍ଚାୟତ ଭୋଟର ପରିଣାମ ଯେପରି ପୌର ନିର୍ବାଚନକୁ ପ୍ରଭାବିତ ନ କରେ ସେଥିପାଇଁ ଦଳ ସତର୍କତାର ସହ ଗୋଟି ଚଳନା ଆରମ୍ଭ କରିଛି।

(ପ୍ରସ୍ତୁତି: ସରୋଜ)

Comment