ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳୁଛି ଓଡ଼ିଶା ରାଜନୀତିର ପରିଭାଷା। ଭାଙ୍ଗିବାକୁ ଯାଉଛି ପୁରୁଷ ରାଜନୀତିର ପରମ୍ପରା।

ପୁରୁଷମାନଙ୍କ ପରି ମହିଳାମାନେ ବି ରାଜନୀତି ଜଗତରେ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ଗୋଡ କାଢ଼ିଛନ୍ତି। କେବଳ ତୃଣମୂଳ ସ୍ତରରେ ନୁହେଁ, ରାଜ୍ୟ ରାଜନୀତିରେ ଦବଦବା ସୃଷ୍ଟି କରିବା ପାଇଁ ଝିଅମାନେ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଏହାର ଆଭାସ ୨୦୧୪ ନିର୍ବାଚନଠାରୁ ମିଳିସାରିଲାଣି। ନୂଆପିଢିର ଯେଉଁ ମହିଳାମାନେ ରାଜନୀତିର ମ‌ଇଦାନରେ ଆଗକୁ ଆସିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଉପାସନା ମହାପାତ୍ର, ପ୍ରୀତିନନ୍ଦା ରାଉତରାୟ, ଲତିକା ପ୍ରଧାନ, ଅନୀତା ପଟ୍ଟନାୟକ, ସୁଲତା ଦେଓ, ସସ୍ମିତା ବେହେରା ଏବଂ ସୁଲୋଚନା ଦାସଙ୍କ ଭଳି ଚର୍ଚ୍ଚିତ ଚେହେରା।

ଗତ ୨୦୧୪ ନିର୍ବାଚନ ପ୍ରଚାର ମଇଦାନରେ କଂଗ୍ରେସର ଫାୟାରବ୍ରାଣ୍ଡ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ତାଙ୍କ ଝିଅ ଉପାସନାଙ୍କୁ ଅଘୋଷିତ ଭାବେ ନିର୍ବାଚନ ମଇଦାନରେ ପ୍ରୋଜେକ୍ଟ କରିଥିଲେ। ଯୁବ ଭୋଟ ହାତେଇବାକୁ ଉପାସନାଙ୍କୁ ସାଙ୍ଗରେ ଧରି ବ୍ରହ୍ମଗିରିରେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଏବେ ଲୁଲୁ ଆର ପାରିକୁ ଚାଲିଯିବା ପରେ ଉପାସନା ଖୋଲାଖୋଲି ରାଜନୀତି ମଇଦାନକୁ ଓହ୍ଲାଇବାକୁ ସଜ ହେଉଛନ୍ତି।

ସେହିପରି ବିଜେଡିର ଅନ୍ୟତମ ତୁଙ୍ଗ ନେତା ଡାକ୍ତର ଦାମୋଦର ରାଉତ ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ପାରାଦୀପ ନିର୍ବାଚନମଣ୍ଡଳୀ ପ୍ରଚାରରେ ସାମିଲ କରିଥିଲେ। ଏହା ସହ ପ୍ରୀତିନନ୍ଦା ୨୦୧୪ ପୂର୍ବରୁ ସକ୍ରିୟ ରାଜନୀତିକୁ ଓହ୍ଲାଇ ସାରିଛନ୍ତି। ଭୁବନେଶ୍ୱର ମହାନଗର ନିଗମର ୬ ନମ୍ବର ୱାର୍ଡର କର୍ପୋରେଟର ଭାବେ ନିର୍ବାଚିତ ହୋଇ ନାରୀ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ପ୍ରୀତି ପଦଯାତ୍ରା ଓ ରୋଡ-ସୋ ମାଧ୍ୟମରେ ଭୋଟରଙ୍କ ନିକଟତର ହେଉଥିବା ବେଳେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ସ୍ଲୋଗାନ ଲେଖି ଭୋଟରଙ୍କ ଉପରେ ପ୍ରଭାବ ବିସ୍ତାର କରିପାରିଛନ୍ତି।

ଜାତୀୟ ଦଳ ବିଜେପିର ରାଜ୍ୟ ରାଜନୀତିରେ ନୂଆ ମହିଳା ସ୍ୱର ଭାବେ ଲେଖାଶ୍ରୀ ସାମନ୍ତସିଂହାର ଚର୍ଚ୍ଚାରେ ରହିଛନ୍ତି। ନିଜ ଦଳ ସପକ୍ଷରେ ଓକିଲାତି କରିବା ହେଉ କିମ୍ବା ବିରୋଧୀଙ୍କୁ କଡ଼ା ଜବାବ ଦେବା, ଉଭୟ କ୍ଷେତ୍ରରେ ଲେଖାଶ୍ରୀ ଗଣମାଧ୍ୟମରେ ବେଶ୍‍ ସକ୍ରିୟ ଅଛନ୍ତି। ପାର୍ଟିର ବିଭିନ୍ନ ସ୍ଥାନୀୟ କାର୍ଯ୍ୟକ୍ରମ ବେଳେ ଲୋକଙ୍କ ଆଖିରେ ପଡୁଥିବା ଏହି ନେତ୍ରୀ ଦଳର ରାଜ୍ୟ ସମ୍ପାଦକ ଓ ମୁଖପାତ୍ର ଅଛନ୍ତି। ଆଗାମୀ ନିର୍ବାଚନରେ ଦଳ ତାଙ୍କୁ କି ସୁଯୋଗ ଦେବ, ତାହା ଚର୍ଚ଼୍ଚାର ବିଷୟ।

ସେହିପରି ଆସିକାର ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନ ମଧ୍ୟ ପଛରେ ପଡିନାହାନ୍ତି। ୨୦୧୪ରେ ନିଜ ଝିଅ ଲତିକା ପ୍ରଧାନଙ୍କୁ କବିସୂର୍ଯ୍ୟନଗରରୁ ଟିକେଟ ଦେବାକୁ ଲବି କରିଥିଲେ। ହେଲେ ଲତିକା ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସେ ଗଞ୍ଜାମ ଜିଲା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ସଂଯୋଜକ ରହିଛନ୍ତି। ଏହାସହ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ରୂପେ ମଧ୍ୟ କାର୍ଯ୍ୟରତ ଅଛନ୍ତି।

ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପଟ୍ଟନାୟକ ମଧ୍ୟ ଗତ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି। ସେ ନିର୍ବାଚନ ଲଢେଇରେ ସାମିଲ ହେବେ ବୋଲି ଶୁଣାଯାଇଥିଲେ ହେଁ ତାଙ୍କୁ ଟିକେଟ ପ୍ରଦାନ କରାଯାଇନଥିଲା। ଆଗାମୀ ଦିନରେ ବାପା-ମା’ଙ୍କ ପଦାଙ୍କ ଅନୁସରଣ କରି ଅନୀତା ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନମଣ୍ଡଳୀ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ସେହିପରି ପୂର୍ବତନ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ସୁଲତା ଦେଓ ବର୍ତ୍ତମାନ ବିଜେଡି ରାଜନୀତିରେ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଯଦିଓ ଦଳ ତାଙ୍କୁ ବର୍ତ୍ତମାନ କୌଣସି ବଡ ପଦପଦବୀରେ ରଖିନାହିଁ, ତେବେ ସେ ବିଭିନ୍ନ ଗଣମାଧ୍ୟମରେ ହେଉଥିବା ବିତର୍କକୁ ଆସି ଚର୍ଚ୍ଚାରେ ରହିଛନ୍ତି।

ସେହିପରି ଗଣମାଧ୍ୟମ ଜଗତରୁ କଂଗ୍ରେସ ରାଜନୀତିରେ ଯୋଗଦେଇ ନିଜର ବାକଚାତୁରୀ ବଳରେ ପ୍ରଭାବ ସୃଷ୍ଟି କରିଥିବା ସାମ୍ବାଦିକ ସୁଲୋଚନା ଦାସଙ୍କୁ ନେଇ ମଧ୍ୟ ରାଜ୍ୟ ରାଜନୀତିରେ କିଛି କମ୍‍ ଚର୍ଚ୍ଚା ହେଉନି। ନିକଟରେ ସୁଲୋଚନା କଂଗ୍ରେସର ହାତ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ୨୦୧୯ରେ ସେ ଟିକେଟ ନେବାର ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପକ୍ଷେ ରାଜନୈତିକ ପରିବାରରୁ ଆସିଥିବା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ମଧ୍ୟ ଜଣେ ଆଗଧାଡିର ମହିଳା ନେତ୍ରୀ ଭାବେ ପରିଚୟ ହାସଲ କରିଛନ୍ତି। ସେ ପୂର୍ବତନ ମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ହୋଇଥିବାରୁ ୨୦୧୪ରେ ତାଳଚେର ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ମାତ୍ର ନିର୍ବାଚନରେ ପରାଜିତ ହୋଇଥିଲେ ହେଁ ୨୦୧୯ ପାଇଁ ଆଶା ଛାଡ଼ିନାହାନ୍ତି।

ଜାତୀୟ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଆଗାଥା ସାଙ୍ଗମା, ସୁପ୍ରିୟା ସୁଲେଙ୍କ ଭଳି ନାରୀ ଉଚିତ୍‍ ସ୍ଥାନ ଦଖଲ କରିଥିବା ବେଳେ ଓଡ଼ିଶାବାସୀ ରାଜ୍ୟ ରାଜନୀତିରେ ଏପରି ଏକ ବାସ୍ତବତାକୁ ହୁଏତ ଦେଖିବାକୁ ଯାଉଛନ୍ତି। ପୂର୍ବରୁ ମନ୍ତ୍ରୀ ଚୈତନ୍ୟପ୍ରସାଦ ମାଝୀଙ୍କ ଝିଅ ସରୋଜିନୀ ହେମ୍ବ୍ରମ, ସ୍ୱର୍ଗତ ତ୍ରିନାଥ ନାୟକଙ୍କ ଝିଅ ଅଞ୍ଜଳି ବେହେରାଙ୍କୁ ଛାଡ଼ିଦେଲେ ଅନ୍ୟ କେଉଁ ନେତାଙ୍କ ଝିଅ ସକ୍ରିୟ ନିର୍ବାଚନରେ ଅଂଶ ଗ୍ରହଣ କରି ସଫଳ ହୋଇପାରିନାହାନ୍ତି। ଏବେ ଯେଉଁମାନଙ୍କୁ ନେଇ ରାଜନୀତି କରିଡରରେ ଆଲୋଚନା ହେଉଛି ସେମାନଙ୍କୁ ନେଇ ରାଜନୀତି ପାଣିପାଗ ଆଗାମୀ ଦିନରେ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଯଦି ଆମେ ୨୦୦୯ ନିର୍ବାଚନର ସ୍ଥିତି ଉପରେ ନଜର ପକାଇବା, ତେବେ ରାଜନୀତିରେ ମହିଳାଙ୍କ ପ୍ରବେଶ କମ୍‍ ଥିଲା। ହେଲେ ୨୦୧୪ରେ ଏହି ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଆଗ ଅପେକ୍ଷା ଅଧିକ ସଂଖ୍ୟାରେ ମହିଳା ସକ୍ରିୟ ରାଜନୀତିରେ ସାମିଲ ହେଉଛନ୍ତି। ବାପାମାନଙ୍କ ଉତ୍ତରାଧିକାରୀ ସୂତ୍ରରେ ହେଉ କି ନିଜ ବଂଶଗତ ରାଜନୀତିକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ହେଉ କିମ୍ବା ସମ୍ପୂର୍ଣ୍ଣ ଭାବେ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରିବା ପାଇଁ ହେଉ, ନୂଆ ପିଢିର ଏହି ନାରୀ ନେତୃତ୍ୱ ରାଜନୈତିକ ବ୍ୟବସ୍ଥାରେ ସାମିଲ ହେବା ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତର ସୂଚନା ଦେଉଛି।

(ପ୍ରସ୍ତୁତି: ସରୋଜ)

Comment