ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭେଙ୍କେୟା ନାଇଡୁ ଦେଶର ୧୩ଶ ଉପରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆନ୍ଧ୍ରପ୍ରଦେଶରୁ ସେ ହେଉଛନ୍ତି ଦ୍ୱିତୀୟ ଉପ-ରାଷ୍ଟ୍ରପତି। ତାଙ୍କ ଜନ୍ମ ୧୯୪୯ ଜୁଲାଇ ପହିଲା। ନେଲୋର ଜିଲ୍ଲା ଚାଭାଟାପାଲେମରେ ସେ ଜନ୍ମ ହୋଇଥିଲେ।

୧. ଭେଙ୍କେୟା ନାଇଡୁଙ୍କ ବାପା ଥିଲେ ଜଣେ କୃଷକ। କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ଚାଷୀ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ସେ ସର୍ବଦା ଅନୁକମ୍ପା ପ୍ରଦର୍ଶନ କରିଛନ୍ତି।
୨. ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଥିଲେ ଜଣେ ସମାଜକର୍ମୀ। ସ୍ନାତକ ଶିକ୍ଷା ପରେ ସେ ବିଶାଖାପାଟଣାର ଆନ୍ଧ୍ର ବିଶ୍ଵବିଦ୍ୟାଳୟରୁ ଆଇନ ଶିକ୍ଷା ଲାଭ କରିଥିଲେ।
୩. ସକ୍ରିୟ ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ୧୯୭୨ର ଜୟ ଆନ୍ଧ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ।
୪. ସେ ଆରଏସଏସର ଜଣେ ସ୍ୱୟଂସେବକ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭ୍ୟ ରହିଥିଲେ।
୫. ୧୯୭୪ରେ ସେ ଜୟ ପ୍ରକାଶ ନାରାୟଣଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ।
୬. ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢେଇ କରି ସେ ଜେଲ ଯାଇଥିଲେ।
୭. ଜରୁରୀକାଳୀନ ପରିସ୍ଥିତି ସମୟରେ ଗିରଫ ହେବା ପୁର୍ବରୁ ସେ ଗୋପନ ଭାବରେ ତାଙ୍କ କାର୍ଯ୍ୟ ଜାରି ରଖିଥିଲେ।
୮. ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ସେ ସରକାରୀ ବିରୋଧୀ ଲିଫ୍‌‍ଲେଟ ବାଣ୍ଟୁଥିଲେ।
୯. ଏନ ଟି ରାମା ରାଓ ଯେଉଁ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ ସେଥିରେ ସେ ସାମିଲ ହୋଇଥିଲେ ଓ ଜୟପାଲ ରେଡ୍ଡୀଙ୍କ ସମେତ ଏହିଠାରୁ ହିଁ ସେ ଲୋକଲୋଚନକୁ ଆସିଲେ।
୧୦. ନାଇଡୁ ଲୋକଙ୍କ ମଧ୍ୟରେ ମିଶିପାରୁଥିବାରୁ ତାଙ୍କ ଲୋକପ୍ରିୟତା ବଢ଼ିବାକୁ ଲାଗିଲା।
୧୧. ୧୯୮୦ରେ ବିଜେପି ଗଠନ ହେବା ପରେ ସେ ଯୁବ ବିଜେପିର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ।
୧୨. ନାଇଡୁ ଆନ୍ଧ୍ରପ୍ରଦେଶ ବିଜେପିର ସାଧାରଣ ସମ୍ପାଦକ, ରାଜ୍ୟ ସଭାପତି ଓ ବିଧାୟକ ଦଳ ନେତା ଥିଲେ।
୧୩. ୧୯୭୮ ଓ ୧୯୮୩ରେ ଉଦୟଗିରି ନିର୍ବାଚନମଣ୍ଡଳୀରୁ ଲଗାତର ବିଧାନ ସଭା ନିର୍ବାଚନ ଜିତି ନିଜର ରାଜନୈତିକ ଦକ୍ଷତା ପ୍ରମାଣ କରି ପାରିଥିଲେ।
୧୪. ନାଇଡୁଙ୍କ ବାକ୍‌ ଚାତୁରୀ ପାଇଁ ସେ ଦଳରେ ବିଭିନ୍ନ ସମୟରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଥିଲେ। ୨୦୦୨ରେ ସେ ବିଜେପିର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
୧୫. ଜାନା କୃଷ୍ଣମୂର୍ତ୍ତିଙ୍କ ପରେ ନାଇଡୁ ଦଳର ସଭାପତି ହୋଇଥିଲେ। ୨୦୦୪ରେ ତାଙ୍କୁ ଆଉ ୩ ବର୍ଷ ପାଇଁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା।
୧୬. ନାଇଡୁ ୧୯୯୮ରେ ରାଜ୍ୟସଭାକୁ କର୍ଣ୍ଣାଟକରୁ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୧୦ରେ ପୁଣି ତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା।
୧୭. ୧୯୯୬ରୁ ୨୦୦୦ ଯାଏଁ ସେ ଦଳର ଜାତୀୟ ମୁଖପାତ୍ର ରହିଥିଲେ।
୧୮. ତାଙ୍କର ଯୋଗାଯୋଗ ଦକ୍ଷତା ଓ ସମସ୍ତଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ସେ ବିଜେପିରେ ଜଣେ ଗୁରୁତ୍ୱପୂର୍ଣ୍ଣ ନେତା ଭାବରେ ଗ୍ରହଣୀୟ ହେବାକୁ ଲାଗିଲେ।
୧୯. ମୋଦିଙ୍କ ମନ୍ତ୍ରିମଣ୍ଡଳରେ ନାଇଡୁ ଗୃହ ନିର୍ମାଣ, ସୂଚନା ଓ ପ୍ରସାରଣ ତଥା ଦାରିଦ୍ର୍ୟ ଦୂରୀକରଣ ବିଭାଗର ମନ୍ତ୍ରୀ ଥିଲେ।
୨୦. ମୋଦିଙ୍କ ମନ୍ତ୍ରିମଣ୍ଡଳ ପୂର୍ବରୁ ସେ ଆଉ ଥରେ କେନ୍ଦ୍ରମନ୍ତ୍ରୀ ଥିଲେ।
୨୧. ୧୯୯୯ ନିର୍ବାଚନରେ ଏନଡିଏର ବିଜୟ ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନାଇଡୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ।
୨୨. ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିବା ବେଳେ ସେ ବିଭିନ୍ନ ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସେଥିମଧ୍ୟରୁ ଗୋଟିଏ।
୨୩. ତେଲୁଗୁ ଦେଶମ୍ ପାର୍ଟି ସହିତ ବିଜେପ ମେଣ୍ଟ ପଛରେ ନାଇଡୁଙ୍କ ଅବଦାନ ରହିଛି।
୨୪. ରାଜ୍ୟ ସଭାରେ ଆନ୍ଧ୍ରପ୍ରଦେଶ ବିଭାଜନ ଆଲୋଚନା ବେଳେ ନାଇଡୁ ସୀମାନ୍ଧ୍ର ଲୋକଙ୍କ ପାଇଁ ଲଢିଥିଲେ।
୨୫. ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସପକ୍ଷରେ ରାଜ୍ୟସଭାରେ ବରାବର ଯୁକ୍ତି କରିଥିଲେ ନାଇଡୁ।
୨୬. ନିଜ ଅଞ୍ଚଳର ଲୋକଙ୍କ ସେବା କରିବା ପାଇଁ ଭେଙ୍କେୟା ନାଇଡ଼ୁ ସ୍ୱର୍ଣ୍ଣ ଭାରତ ଟ୍ରଷ୍ଟ ନାମକ ଏକ ସଂସ୍ଥା ଗଠନ କରିଛନ୍ତି। ଗରିବ ପିଲାଙ୍କୁ ମାଗଣା ଶିକ୍ଷା ଓ ଯୁବକ ତଥା ମହିଳାମାନଙ୍କ ଉନ୍ନତି ପାଇଁ କୌଶଳ ବିକାଶ କ୍ଷେତ୍ରରେ ଏହି ଟ୍ରଷ୍ଟ ଉଲ୍ଲେଖନୀୟ ଅବଦାନ ରଖି ଆସିଛି।

Tags: BJP, Modi Cabinet, NDA, RSS, Venkaiah Naidu, Vice-President, Bharatiya Janata Party, Vice-President of India, RajyaSabha

 

Comment