କେଦାର ମିଶ୍ର

ହଠାତ୍‌ ଏଇ କିଛିଦିନ ହେଲା ଓଡ଼ିଶା ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପରଠୁ ରାଜ୍ୟର ମୂଳ ଅଧିବାସୀ ଭାବରେ ପରିଚିତ ଆଦିବାସୀଙ୍କ ଅସ୍ମିତା ଓ ରାଜନୈତିକ ଅଧିକାରକୁ ନେଇ କେବେ ବି ଖାସ୍‌ ଆଲୋଚନା ହୋଇନାହିଁ। କହିବାରେ ଦ୍ୱିଧା ନାହିଁ ଯେ ଓଡ଼ିଶାରେ ରାଜନୈତିକ ନେତୃତ୍ୱ ପ୍ରାୟତଃ ରାଜା, ବ୍ରାହ୍ମଣ, କରଣ ଓ ଉଚ୍ଚବର୍ଗଙ୍କ ହାତରେ ରହିଆସିଛି।

ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ସବୁ ମୁଖ୍ୟମନ୍ତ୍ରୀ ଏହି ବର୍ଗରୁ ଆସିଛନ୍ତି। କେବଳ ଦଶ ମାସ ପାଇଁ ଗିରିଧର ଗମାଙ୍ଗ ପ୍ରଥମ ଓ ଶେଷ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ  ଓଡ଼ିଶାର ନେତୃତ୍ୱ ନେଇଛନ୍ତି। ସେହିପରି ହେମାନନ୍ଦ ବିଶ୍ୱାଳ ଅନୁସୂଚିତ ଜାତିବର୍ଗର ପ୍ରତିନିଧି ଭାବରେ ଆଠ ମାସ  ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ରାଜନୀତିରେ ଇତିହାସ ଦୃଷ୍ଟିରୁ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ନିଜ ନେତୃତ୍ୱକୁ ନେଇ ସେତେବେଶି ଚର୍ଚ୍ଚାରେ ରହିନାହାନ୍ତି।

ସମ୍ପ୍ରତି ଗିରିଧର ଗମାଙ୍ଗ ନିଜର ମୂଳଦଳ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କୁ ନେଇ କିଛିଟା ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାରେ ଆଦିବାସୀ ନେତୃତ୍ୱକୁ ନେଇ ବିଜେପି ଏକ ନୂଆ ସମୀକରଣ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରିଛି। ଏହି ପ୍ରୟାସରେ କେନ୍ଦ୍ରରେ ଓଡ଼ିଶାର ଏକମାତ୍ର ବିଜେପି ଲୋକସଭା ସଦସ୍ୟ ଜୁଏଲ୍‌ ଓରାମ୍‌ଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ବାଜପେୟୀ ସରକାରର ମନ୍ତ୍ରିମଣ୍ଡଳରେ ଜୁଏଲ୍‌ ମନ୍ତ୍ରୀ ଥିଲେ। ପୁନର୍ବାର ତାଙ୍କୁ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇଥିଲେ ମଧ୍ୟ ତାଙ୍କର ଦାୟିତ୍ୱ ଅପରିବର୍ତ୍ତିତ ରହିଛି। ଅର୍ଥାତ ସବୁବେଳେ ଜୁଏଲ୍‌ଙ୍କୁ ଆଦିବାସୀ କଲ୍ୟାଣ ବିଭାଗର ଦାୟିତ୍ୱ ଦିଆଯାଇଛି।

ଓଡ଼ିଶାରୁ ପ୍ରଥମଥର ପାଇଁ ଜଣେ ଆଦିବାସୀ ନେତାଙ୍କୁ କେନ୍ଦ୍ର କ୍ୟାବିନେଟ୍‌ରେ ନେଇ ଅଟଳ ବିହାରୀ ବାଜପେୟୀ ଏକ ଉଦାହରଣ ସୃଷ୍ଟି କରିଥିଲେ। ତେବେ ଜୁଏଲ୍‌ଙ୍କ ନେତୃତ୍ୱ କେବଳ ସେତିକିରେ ହିଁ ସୀମିତ ରହିଆସିଛି। ଜୁଏଲ୍‌ କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ବିଜେପି ରାଜ୍ୟ ସଭାପତି ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ ମଧ୍ୟ ଉଚ୍ଚବର୍ଗର ନେତୃତ୍ୱ ଆଗରେ ତାଙ୍କର ବ୍ୟକ୍ତିତ୍ୱକୁ ଏକପ୍ରକାର ଫିକା କରି ଦେଖାଇବାର ନିରନ୍ତର ପ୍ରୟାସ ଦଳ ଭିତରେ ଓ ଗଣମାଧ୍ୟମରେ ହୋଇଛି।

ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ମୋଦି ମନ୍ତ୍ରୀମଣ୍ଡଳରେ ଅଛନ୍ତି। ଜୁଏଲ୍‌ ଓଡ଼ିଶା ଲୋକସଭାରୁ ନିର୍ବାଚିତ ହୋଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ପଦବୀ ଦୃଷ୍ଟିରୁ ଜୁଏଲ୍‌ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ବେଳେ ଧର୍ମେନ୍ଦ୍ର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ। ତେବେ ଧର୍ମେନ୍ଦ୍ରଙ୍କ ହାତରେ ପେଟ୍ରୋଲିୟମ୍‌ ବିଭାଗ ରହିଛି। ତେଣୁ ସ୍ୱାଭାବିକ ଭାବରେ ଦଳ ଭିତରେ ଓ ବାହାରେ ତାଙ୍କ ପ୍ରଭାବ ଜୁଏଲ୍‌ଙ୍କ ତୁଳନାରେ ବହୁ  ଅଧିକ।

ଜୁଏଲ୍‌ ତୃଣମୂଳ ସ୍ତରରେ ବିଜେପି ସଙ୍ଗଠନକୁ ଦୃଢ଼ିଭୂତ କରିବା ପାଇଁ ଯେତେ ଉଦ୍ୟମ କଲେ ବି ତାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁନାହିଁ। ଧର୍ମେନ୍ଦ୍ର ଏବଂ ଜୁଏଲ୍‌ଙ୍କ ନେତୃତ୍ୱର ତୁଳନା କରି ଦେଖିଲେ ଆମର ଆଦିବାସୀ ବିରୋଧୀ ମାନସିକତା ସ୍ପଷ୍ଟ ହୋଇଯିବ। ଜୁଏଲ୍‌ ଆଦିବାସୀ ନେତା, ସେ ତୃଣମୂଳ ସ୍ତରରେ କାମ କରନ୍ତି, ତାଙ୍କ କଥା କହିବାରେ ସରଳତା ଓ ଭାବପ୍ରବଣତା ରହିଛି ଓ ସର୍ବୋପରି ନିଜର ଆଦିବାସୀ ଅସ୍ମିତାକୁ ନେଇ ସେ ଗର୍ବିତ।

ଅପରପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ସହରୀ ନେତୃତ୍ୱର ପ୍ରତୀକ। ତାଙ୍କ କଥା କହିବାରେ ଆଭିଜାତ୍ୟ ଅଛି। ଲୋକସମ୍ପର୍କ ରକ୍ଷାର ସବୁ ଆଧୁନିକ ସୂତ୍ର ତାଙ୍କୁ ଜଣା। ତେଣୁ ବିଜେପିର ସବୁ ଦଳୀୟ ବ୍ୟପାରରେ ଜୁଏଲ୍‌ ଗୌଣ ହୋଇଥିବା ବେଳେ ଧର୍ମେନ୍ଦ୍ର ମୁଖ୍ୟ ହୋଇ ଉଭା ହୋଇଛନ୍ତି। ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ଜୁଏଲ୍‌ଙ୍କୁ ଅଣଦେଖା କରିବାର ବହୁ ନମୁନା ଇତିମଧ୍ୟରେ ଦେଖିବାକୁ ମିଳୁଛି।

ଅନ୍ୟ ଏକ ଘଟଣା କ୍ରମରେ ପୂର୍ବତନ ବିଧାୟିକା, ମନ୍ତ୍ରୀ ଓ ମୟୁରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୂର୍ମୂଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ ମାନ୍ୟବର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଓଡ଼ିଶାରୁ ରାଜ୍ୟପାଳ ପଦ ମଣ୍ଡନ କରିବାରେ ଦ୍ରୌପଦୀ କେବଳ ପ୍ରଥମ ଆଦିବାସୀ ନୁହନ୍ତି, ସେ ପ୍ରଥମ ମହିଳା ମଧ୍ୟ। ଜଣେ ସାଧାରଣ କିରାଣୀରୁ ରାଜ୍ୟପାଳ ପଦବୀକୁ ଯାଇଥିବା ଦ୍ରୈାପଦୀଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ଅସାଧାରଣ ବୋଲି କୁହାଯାଇପାରେ।

ତେବେ ଦ୍ରୌପଦୀଙ୍କର ଏହି ସଫଳତା ଓଡ଼ିଶାର ଅନେକ ବଡ଼ ମୁଣ୍ଡରେ ହଜମ ହେଉନାହିଁ। ଆଜି ପର୍ଯ୍ୟନ୍ତ ରାଜ୍ୟପାଳ ପଦରେ ଉଚ୍ଚବର୍ଗର ନେତୃତ୍ୱ ପ୍ରାଧାନ୍ୟ ପାଇ ଆସୁଥିଲେ। ପ୍ରଥମ ଥର ଜଣେ ଆଦିବାସୀ ମହିଳା ଏହି ପଦବୀ ପାଇଥିବାରୁ ତାକୁ ନେଇ ଅନେକ ଅସୂୟା ଭାବ ପ୍ରକାଶ କରୁଛନ୍ତି। ଜଣେ ପୂର୍ବତନ ଲୋକସଭା ସାଂସଦ ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସ୍ୱାଭାବିକ ଭାବରେ ଏହି ପୂର୍ବତନ ସାଂସଦ ଜଣଙ୍କ ଉଚ୍ଚ ବର୍ଗର ପ୍ରତିନିଧି। ଦ୍ରୌପଦୀ ପୂର୍ବରୁ ମନ୍ତ୍ରୀ ଥିଲେ ଓ ଶ୍ରେଷ୍ଠ ବିଧାୟିକା ଭାବରେ ପୁରସ୍କାର ମଧ୍ୟ ପାଇଥିଲେ। ଏହା ରାଜ୍ୟପାଳ ପଦବୀ ପାଇଁ ଯୋଗ୍ୟତା ହେବାରେ ଅସୁବିଧା କ’ଣ ବୁଝାପଡୁନି। ଯଦି ପୂର୍ବତନ ଆଇଏଏସ୍‌, ପୋଲିସ୍‌ ଅଧିକାରୀ ଓ ବିଫଳ ରାଜନେତାମାନେ ରାଜ୍ୟପାଳ ହୋଇପାରନ୍ତି ସେଠି ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଆମ ଜାତିଆଣ ମାନସିକତାକୁ ସ୍ପଷ୍ଟ କରୁନାହିଁ କି ? ଆଦିବାସୀଙ୍କର ନେତୃତ୍ୱ ପ୍ରସଙ୍ଗ ଉଠିଲେ ଆମ ଉଚ୍ଚବର୍ଗର ମାନସିକତା ଚିହିଁକି ଉଠେ। ଆମ ସମ୍ଭ୍ରାନ୍ତ ନାକ କୁଞ୍ଚିତ ହୋଇ ଉଠେ। ଆମେ ଭାବୁ ବଣ, ଡଙ୍ଗରରେ ରହୁଥିବା ଲୋକେ ଶାସନ କରିବା ପାଇଁ ଅନୁପଯୁକ୍ତ।

ଓଡ଼ିଶାରେ ଯେତେ ଲୋକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଭିତରୁ ଗିରିଧର ଗମାଙ୍ଗ ଏକ ଭିନ୍ନ ଚରିତ୍ରର ବ୍ୟକ୍ତି। ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ଭିତରେ ପଦବୀର ଅହଙ୍କାର ନଥିଲା କିମ୍ବା ଲୋକଙ୍କଠୁ ଦୂରେଇ ରହିବାର ପ୍ରବଣତା ନଥିଲା। ଦୁର୍ଭାଗ୍ୟକ୍ରମେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ରହିଲେ ସେତେବେଳେ ଓଡ଼ିଶାକୁ ମହାବାତ୍ୟା ଭଳି ଏକ ବିରାଟ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା।

ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଯେଉଁ ପ୍ରକାର ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ଦକ୍ଷତା ରହିବା କଥା ତାହା ଗମାଙ୍ଗଙ୍କର ନଥିଲା ବୋଲି କହିହେବନି। ତେବେ ଏହି ବିପର୍ଯ୍ୟୟ ସମୟରେ ନିଜର ରାଜନୈତିକ ରାଗ ସୁଝାଇବାକୁ ଗମାଙ୍ଗଙ୍କୁ ତାଙ୍କ ଦଳ ଭିତରେ କମ୍‌ ହଲାପଟା କରାଯାଇନାହିଁ। ରାଜନୈତିକ ମଞ୍ଚରେ ସବୁବେଳେ  ଆଦିବାସୀ ନେତୃତ୍ୱକୁ ନିଚ କରି ଦେଖେଇବାର ଏକ ପ୍ରବୃତ୍ତି  ରାଜନୀତିରେ ଓ ଗଣମାଧ୍ୟମରେ ରହି ଆସିଛି।

ଓଡ଼ିଶା ରାଜନୀତିରେ ୨୫ ଭାଗ ଆଦିବାସୀ ଭୋଟର୍‌ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତଥାପି ରାଜନୈତିକ ପଦପଦବୀ, ପ୍ରଶାସନ, ପୋଲିସ୍, ଗଣମାଧ୍ୟମ ଓ ସାମାଜିକ ନେତୃତ୍ୱରେ ତାଙ୍କର କୌଣସି ପ୍ରଭାବ ନାହିଁ। ରାଜନୈତିକ ପଦପଦବୀର ଏକ ସାଙ୍କେତିକ ପ୍ରଭାବ ରହିଥାଏ। ୨୫ ଭାଗ ଆଦିବାସୀଙ୍କ ନେତୃତ୍ୱ ସବୁବେଳେ ଅଣ-ଆଦିବାସୀଙ୍କ ହାତରେ ରହିଥିବାରୁ ସେମାନଙ୍କ ଭିତରେ ଏକପ୍ରକାର ଅସୁରକ୍ଷାର ବାତାବରଣ ରହିଆସିଛି।

ଏକ ଛୋଟିଆ ଉଦାହରଣ ଦେଇ ଏହାକୁ ସ୍ପଷ୍ଟ କରାଯାଇପାରେ। ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା କୋରାପୁଟର ପ୍ରଭାବଶାଳୀ ରାଜନୈତିକ ନେତୃତ୍ୱ କେଉଁମାନେ ? ଗମାଙ୍ଗ ପରିବାରକୁ ଛାଡ଼ିଦେଲେ ଏଠିକାର ନେତୃତ୍ୱ ଐତିହାସିକ ଦୃଷ୍ଟିରୁ କେଉଁମାନେ ନେଇ ଆସିଛନ୍ତି ? ହରିଶ୍ଚନ୍ଦ୍ର ବକ୍ସିପାତ୍ର, ରଘୁନାଥ ପଟ୍ଟନାୟକ, ରବି ନନ୍ଦ ପ୍ରମୁଖ ଆଦିବାସୀ ଜିଲ୍ଲାରୁ ଉଚ୍ଚବର୍ଗର ନେତୃତ୍ୱ ନେଇଛନ୍ତି। ଗିରିଧର ଗମାଙ୍ଗ ଓ ଖଗପତି ପ୍ରଧାନୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସର୍ବାଧିକ ସମୟ ଲୋକସଭାରେ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ସେମାନେ କେବେ ବି ଆଗ ଧାଡିର ନେତା ଭାବରେ ପରିଗଣିତ ହୋଇନାହାନ୍ତି।

ବିଜେଡି ସରକାରରେ ମଧ୍ୟ ଅବସ୍ଥା ସମାନ। ରାଜ୍ୟ ମନ୍ତ୍ରିମଣ୍ଡଳରେ ଆଦିବାସୀ ନେତୃତ୍ୱକୁ ନବୀନ ପଟ୍ଟନାୟକ କେବେ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି। ଲାଲ୍‌ ବିହାରୀ ହିମିରିକା ଓ ରମେଶ ମାଝୀଙ୍କ ଭଳି ଆଦିବାସୀ ପ୍ରତିନିଧିଙ୍କୁ ସବୁବେଳେ ଗୌଣ ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି। ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ ଆଦିବାସୀଙ୍କ ନେତୃତ୍ୱକୁ ଆମ ଉଚ୍ଚବର୍ଗ ଗ୍ରହଣ କରିବାକୁ ସହଜରେ ପ୍ରସ୍ତୁତ ନୁହଁ।

ରାଜନୀତିର ପ୍ରଭାବ ସମାଜ ଜୀବନରେ ମଧ୍ୟ ପଡିଥାଏ। ଯେହେତୁ ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରଭାବ ନାହିଁ, ସାମାଜିକ କ୍ଷେତ୍ରରେ ମଧ୍ୟ ସେମାନଙ୍କର କୌଣସି ପ୍ରତିପତ୍ତି ନାହିଁ। ସାନ୍ତାଳି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍‌ ହୋଇ ଏକ ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ପାଇସାରିଛି।

ଓଡ଼ିଆ ଭାଷାର ସାହିତ୍ୟିକଙ୍କ ପରି ବହୁ ଓଡ଼ିଶାବାସୀ ସାନ୍ତାଳି ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ହେଲେ ସେମାନଙ୍କ ବିଷୟରେ ଆମ ଓଡ଼ିଶାର ଗଣମାଧ୍ୟମ ବା ସାମାଜିକ ସଙ୍ଗଠନଗୁଡିକ କିଛି ଜାଣନ୍ତି କି ? ଦମୟନ୍ତୀ ବେଶ୍ରା ବା ଯଦୁନାଥ ବେଶ୍ରାଙ୍କ ନାଁ କେତେଜଣ ଶୁଣିଛନ୍ତି? କୁଇ, ସାନ୍ତାଳି, ମୁଣ୍ଡାରୀ ଭଳି ଭାଷାରେ ଅନେକ ସାହିତ୍ୟ ରଚନା ହେଲାଣି- ତା’ର ଚର୍ଚ୍ଚା ଆମେ କେବେ କରିଛୁ କି ? ସମାଜ, ରାଜନୀତି ଓ ଚିନ୍ତନ କ୍ଷେତ୍ରରେ ଆଦିବାସୀଙ୍କୁ ଦଳିତ କରି ରଖିବାର ପ୍ରବଣତା ଆମ ପାଇଁ ଦିନେ ନା ଦିନେ ମହଙ୍ଗା ସାବ୍ୟସ୍ତ ହେବ।

Tags: Dharmendra Pradhan, Giridhar Gamang, Kedar Mishra, Draupadi Murmu, Politics, Odisha Politics, Naveen Patnaik, Atal Bihari Vajpayee, Dharmendra Pradhan, Hemananda Biswal, Congress, BJP, BJD, Jual Oram, Tribals in Politics, Odisha Tribal Leaders

Comment