କପିଳାସ ଭୂୟାଁ

ଅଗଷ୍ଟ ମାସ ୧୮ ତାରିଖ। ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଉଛି ଏହି ଦିନଟିକୁ। କାରଣ ଏହା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ।

ଆଜି ସକାଳେ ସ୍ଥାନୀୟ ଇଡକଲ ପ୍ରେକ୍ଷାଳୟରେ ରାଜ୍ୟ ନାଗରିକ ସମାଜ ପକ୍ଷରୁ ପାଳନ କରାଯାଇଛି ସ୍ୱାଭିମାନ ଦିବସ। ତେବେ ସ୍ୱାଭିମାନ ସହ ସୌମ୍ୟରଞ୍ଜନଙ୍କ ଜୀବନ କେଉଁଭଳି ସଂଶ୍ଲିଷ୍ଟ?

ଏହା ଜାଣିବାକୁ ଆମକୁ ପ୍ରାୟ ଚାରି ଦଶନ୍ଧି ପଛକୁ ଯିବାକୁ ହେବ। ସୌମ୍ୟରଞ୍ଜନ ଥିଲେ ଜଣେ ମେଧାବୀ ଛାତ୍ର। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କଲା ପରେ ଲଣ୍ଡନ ଗଲେ ପିଏଚଡି କରିବା ପାଇଁ। କିନ୍ତୁ ଉଚ୍ଚଶିକ୍ଷା କିମ୍ବା ଲୋଭନୀୟ ପଦପଦବୀ ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ନିଜ ରାଜ୍ୟ ଓଡ଼ିଶାର ଉନ୍ନତି ପାଇଁ କିଛି କରିବାକୁ ମନସ୍ଥ କରି ସେ ଫେରିଆସିଲେ ତାଙ୍କ ଜନ୍ମଭୂମିକୁ।

ଓଡ଼ିଆ ଭାଷା ସମୃଦ୍ଧ ହେଲେ ହିଁ ଓଡ଼ିଆର ଆତ୍ମପରିଚୟ ବଳିଷ୍ଠ ହେବ ବୋଲି ସେ ବୁଝିଥିଲେ। ତେଣୁ ବହୁ ବାଧାବିଘ୍ନକୁ ଆଡ଼େଇ ସେ ଆରମ୍ଭ କଲେ ‘ସମ୍ବାଦ’ ଦୈନିକ ଖବରକାଗଜ। ଓଡ଼ିଆର ଆତ୍ମ ପରିଚୟକୁ ଓଡ଼ିଶା ବାହାରେ ପ୍ରସାର କରିବା ପାଇଁ ଏକାସାଙ୍ଗରେ ବାହାର କଲେ ଅନ୍ୟ ଏକ ଇଂରାଜୀ ଦୈନିକ ‘ସନ୍‌ ଟାଇମ୍ସ’।

ଏହି ଉଭୟ ଖବରକାଗଜ ମୁଦ୍ରଣ ପାଇଁ ସେ ଉପଯୋଗ କଲେ ଅତ୍ୟାଧୁନିକ ପିଟିଏସ୍‌ ବା ଫଟୋ ଟାଇପ୍ ସେଟିଂ ଓ ଅଫ୍‌ସେଟ୍‌ ପ୍ରିଣ୍ଟିଂ ଭଳି ବୈଷୟିକ ଜ୍ଞାନକୌଶଳ। ଆଜି ହୁଏତ ଅଫ୍‌ସେଟ୍‌ ପ୍ରିଣ୍ଟିଂର କୌଣସି ସ୍ୱତନ୍ତ୍ରତା ନାହିଁ, କିନ୍ତୁ ୮୦ ଦଶକ ଆରମ୍ଭରେ ଆମ ରାଜ୍ୟରେ ଏଭଳି ପ୍ରିଣ୍ଟିଂ ଆଦୌ ହେଉନଥିଲା। ସେତେବେଳେ ସିସା ଅକ୍ଷରକୁ ଯୋଡ଼ି ଶବ୍ଦ ଓ ବାକ୍ୟ ହାତରେ ସେଟ୍‌ କରାଯାଉଥିଲା। ଆଜିକା ଦିନର ଡିଟିପି ବ୍ୟବସ୍ଥା ବି ନଥିଲା। ତେଣୁ ଫଟୋ ଟାଇପ୍‌ ସେଟିଂ ସେ ସମୟରେ ସମସ୍ତଙ୍କୁ ବହୁମାତ୍ରାରେ ଚମତ୍କୃତ କରିଥିଲା।

୧୯୮୪ ମସିହା ଅକ୍ଟୋବର ୪ ତାରିଖ ଦିନ ସମ୍ବାଦ ଏକ ପ୍ରାତଃ ସଂସ୍କରଣ ଖବରକାଗଜ ରୂପେ ଲୋକାର୍ପଣ ହେଲା ପରେ ସହସା ଏହା ଓଡ଼ିଶାର ଜନସାଧାରଣଙ୍କର ଯଥେଷ୍ଟ ଦୃଷ୍ଟି ଆକର୍ଷଣ କରିଥିଲା। ଅତ୍ୟାଧୁନିକ ମୁଦ୍ରଣ ପରିପାଟୀ ବ୍ୟତୀତ ଏହାର ସମ୍ପାଦକ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ରହିଥିବା ବେଳେ ‘ବାସି ଖବରର ଯୁଗ ଶେଷ, ଆଜି ଖବର ଆଜି’ ସ୍ଲୋଗାନ୍‍ ସମ୍ବାଦକୁ ଖୁବ୍‌ ଶୀଘ୍ର ଏକ ଜନପ୍ରିୟ ଖବରକାଗଜ ଭାବେ ପ୍ରତିଷ୍ଠା ଆଣି ଦେଇଥିଲା। ଉଲ୍ଲେଖନୀୟ କି ଏହା ପୂର୍ବରୁ ଓଡ଼ିଶାର ଖବରକାଗଜଗୁଡ଼ିକ ସନ୍ଧ୍ୟା ସଂସ୍କରଣ ରୂପେ ପ୍ରକାଶ ପାଇଆସୁଥିଲା। ସମ୍ବାଦ ହିଁ ସେହି ପରମ୍ପରାକୁ ଭାଙ୍ଗି ଏକ ନୂଆ ଧାରା ସୃଷ୍ଟି କଲା। ପରବର୍ତ୍ତୀ ସମୟରେ ଏହି ନୂଆଧାରାଟିକୁ ଅନ୍ୟ ସମସ୍ତ ଖବରକାଗଜ ଆପଣାଇବାକୁ ବସ୍ତୁତଃ ବାଧ୍ୟ ହେଲେ। ଫଳରେ ଏବେ ଓଡ଼ିଶାର ସବୁ ଖବରକାଗଜ ପ୍ରାତଃ ସଂସ୍କରଣ ରୂପେ ପ୍ରକାଶ ପାଉଛି।

ଆଜି ଓଡ଼ିଶାରେ ସର୍ବାଧିକ ପ୍ରସାରିତ ଖବରକାଗଜ ହେଉଛି ସମ୍ବାଦ। କିନ୍ତୁ ଏହି ସଫଳତା ଗୋଟିଏ ଦିନରେ ମିଳିନାହିଁ। ପ୍ରଥମ ୨୦ ବର୍ଷ ପର୍ଯ୍ୟନ୍ତ ସମ୍ବାଦର ପ୍ରକାଶନ ପାଇଁ ସୌମ୍ୟରଞ୍ଜନଙ୍କୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଛି। ତଥାପି ସେ ପଛଘୁଞ୍ଚା ଦେଇନାହାନ୍ତି। ବରଂ ଅଧିକ ସାହସ ସଞ୍ଚୟ କରି ବିଦ୍ୟାଳୟ ସ୍ତରରୁ ଓଡ଼ିଆ ଭାଷା ପ୍ରତି ଛାତ୍ରଛାତ୍ରୀମାନଙ୍କର ଆଗ୍ରହ ସୃଷ୍ଟି କରିବାକୁ ସୁଦୂରପ୍ରଭାବୀ ପଦକ୍ଷେପ ନେଇଛନ୍ତି।

ସମ୍ବାଦ ପ୍ରକାଶନ ସହ ସଂପୃକ୍ତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ସାରା ରାଜ୍ୟରେ ନୂଆ ପିଢିର ସାମ୍ବାଦିକ ସୃଷ୍ଟି କରିବା କ୍ଷେତ୍ରରେ ସୌମ୍ୟରଞ୍ଜନ ଏକ ପ୍ରମୁଖ ଭୂମିକା ନେଇଛନ୍ତି। ୧୯୮୦ ଦଶକ ପର୍ଯ୍ୟନ୍ତ ସାମ୍ବାଦିକତା ଏକ ବୃତ୍ତି ରୂପେ ଅଳ୍ପ କିଛି ଅଧାପଢୁଆ ଲୋକଙ୍କ ମଧ୍ୟରେ ସୀମିତ ରହିଥିଲା। ସମ୍ବାଦ ଓ ସନଟାଇମ୍ସ ମାଧ୍ୟମରେ ସୌମ୍ୟରଞ୍ଜନ ସର୍ବପ୍ରଥମେ ଶିକ୍ଷିତ ଯୁବକମାନଙ୍କୁ ସାମ୍ବାଦିକ ହେବା ଦିଗରେ ପ୍ରୋତ୍ସାହିତ କରିପାରିଲେ। ଏହା ସ୍ୱୀକାର୍ଯ୍ୟ ଯେ ଆଜି ଉଭୟ ଓଡ଼ିଆ ଓ ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବହୁସଂଖ୍ୟକ ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନଙ୍କ ପ୍ରୋତ୍ସାହନ କ୍ରମେ ସେମାନଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ।

‘ସମ୍ବାଦ’ ଭିନ୍ନ ‘କଥା’ ପତ୍ରିକା ମାଧ୍ୟମରେ ନୂଆ ପିଢିର ଲେଖକ ସୃଷ୍ଟି କରିବା କ୍ଷେତ୍ରରେ ମଧ୍ୟ ସୌମ୍ୟରଞ୍ଜନଙ୍କ ଯଥେଷ୍ଟ ଅବଦାନ ରହିଛି। ଏହା ବ୍ୟତୀତ ‘ଆମ ଓଡ଼ିଶା’ ସଂସ୍ଥା ମାଧ୍ୟମରେ ଓଡ଼ିଆ ଭାଷାର ପ୍ରସାର ସହ ଓଡ଼ିଆ ପୁସ୍ତକ ପ୍ରକାଶନ ଏକ ଅନବଦ୍ୟ ଉଦ୍ୟମ।

’ଆମ ଓଡ଼ିଶା’ର ଅନ୍ୟ ଏକ ଅବଦାନ ହେଉଛି ସାରା ବର୍ଷର ବିଭିନ୍ନ ସମୟରେ ‘ରକ୍ତଦାନ ଶିବିର’ ଆୟୋଜନ। ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଯେଉଁ ପରିମାଣର ରକ୍ତ ସଂଗ୍ରହ କରାଯାଉଛି, ‘ଆମ ଓଡ଼ିଶା’ର ରକ୍ତଦାନ ଶିବିରଗୁଡ଼ିକରୁ ମଧ୍ୟ ସମପରିମାଣର ରକ୍ତ ସଂଗ୍ରହ କରାଯାଇ ସରକାରଙ୍କୁ ଦିଆଯାଇପାରୁଛି। ଏହା ନିଶ୍ଚିତ ରୂପେ ଓଡ଼ିଶାର ଜନସାଧାରଣଙ୍କ ହିତ ପାଇଁ ସୌମ୍ୟରଞ୍ଜନଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଓଡ଼ିଶାର ଜନଜୀବନ ସହ ଓତଃପ୍ରୋତଃ ଭାବେ ଜଡ଼ିତ ହୋ‍ଇ ରହିବା ସତ୍ତ୍ୱେ ରାଜନୈତିକ କ୍ଷେତ୍ରରେ ସୌମ୍ୟରଞ୍ଜନଙ୍କୁ ଯେଉଁ ସଫଳତା ମିଳିବା କଥା, ତାହା ମିଳିପାରିନାହିଁ। ଏହା ହୁଏତ ବ୍ୟକ୍ତିଗତ ଭାବେ ତାଙ୍କ ଦୁର୍ବଳତା ହୋ‌ଇପାରେ। କିନ୍ତୁ ବାସ୍ତବ ଦୃଷ୍ଟିରୁ ବିଚାର କଲେ ତାଙ୍କର ଏହି ବ୍ୟକ୍ତିଗତ ଦୁର୍ଭାଗ୍ୟ ଓଡ଼ିଶାର ସାମ୍ବାଦିକତା, ସାହିତ୍ୟ, ଜନହିତ ଓ ସଂସ୍କୃତି କ୍ଷେତ୍ର ପାଇଁ ଅତି ମାତ୍ରାରେ ସୌଭାଗ୍ୟ ରୂପେ ସାବ୍ୟସ୍ତ ହୋ‍ଇଛି। କାରଣ ସେ ପ୍ରତି ନିର୍ବାଚନରେ ହାରିଲା ପରେ ନୂଆ ଶକ୍ତି ସଂଗ୍ରହ କରି ତାଙ୍କ କାମରେ ମନୋନିବେଶ କରିଛନ୍ତି।

ଆଜି ସୌମ୍ୟରଞ୍ଜନଙ୍କ ପବିତ୍ର ଜନ୍ମଦିନରେ ତାଙ୍କ ସମ୍ପର୍କରେ ଡକ୍ଟର ଭଗବାନ ପ୍ରକାଶଙ୍କ ବକ୍ତବ୍ୟ ଉଲ୍ଲେଖନୀୟ। ସମାଜରେ ତିନି ପ୍ରକାରର ବ୍ୟକ୍ତି ଦେଖିବାକୁ ମିଳନ୍ତି। ଅଧମ, ମଧ୍ୟମ ଓ ଉତ୍ତମ। ଅଧମ ବ୍ୟକ୍ତି ଅର୍ଥ ଉପାର୍ଜନ ପଛରେ ନିଜର ସମସ୍ତ ସାମର୍ଥ୍ୟ ବିନିଯୋଗ କରୁଥିବା ବେଳେ ମଧ୍ୟମ ବ୍ୟକ୍ତି ଉଭୟ ସମ୍ମାନ ଓ ଅର୍ଥ ପାଇଁ ଉଦ୍ୟମ କରିଥାଏ। କିନ୍ତୁ ଉତ୍ତମ ବ୍ୟକ୍ତି ସର୍ବଦା ସମ୍ମାନ ବଶବର୍ତ୍ତୀ ହୁଏ ଏବଂ ସୌମ୍ୟରଞ୍ଜନ ସେହିଭଳି ଜଣେ ସମ୍ମାନଜନକ ଉତ୍ତମ ବ୍ୟକ୍ତି।

ଓଡ଼ିଆର ଆତ୍ମ ପରିଚୟ ଓ ସ୍ୱାଭିମାନ ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅବଦାନ ନିଶ୍ଚିତ ରୂପେ ଅତୁଳନୀୟ। ତେଣୁ ତାଙ୍କର ଜନ୍ମଦିନକୁ ‘ସ୍ୱାଭିମାନ ଦିବସ’ ରୂପେ ପାଳନ କରିବା ଅତ୍ୟନ୍ତ ଯଥାର୍ଥ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Tags: Soumya Ranjan Patnaik, Sambad, Sun Times, Eastern Media, Ama Odisha, Katha, Kapilas Bhuyan

3 COMMENTS

  1. Soumya Ranjan Patnaik is not only a pioneer in the domain of media but also a man who designed the ground for many serious and creative media professionals to nurture and flourish themselves. Many greetings and congratulations on his birth day.

Comment