ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗୁଆ ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସର ଥିଙ୍କ୍‌ଟ୍ୟାଙ୍କ୍‌ ମୁଣ୍ଡ ଖଟାଉଛନ୍ତି। ଏବେ ବିଜେଡି କହିଛି ଏଭଳି କୌଣସି ପରିସ୍ଥିତି ପାଇଁ ଦଳ ପ୍ରସ୍ତୁତ।

ଗତ ସପ୍ତାହରେ ବିଜେଡି ରାଜନୀତିରେ ଯାହା ଚାଲିଥିଲା ତାହା ଚଳିତ ସପ୍ତାହରେ ଆଉ ନାହିଁ। ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ଭାବେ ସମ୍ମାନିତ କରାଯିବା ପରେ ବିଜେଡି ଶିବିରରେ ପ୍ରବଳ ଉତ୍ସାହ ଭରିଯାଇଛି। ସୋସିଆଲ ମିଡିଆରେ ଯେଉଁଭଳି ଢଙ୍ଗରେ ବିଜେଡି ନେତାମାନେ କ୍ୟାମ୍ପେନ ଆରମ୍ଭ କରିଛନ୍ତି, ତାହା ଏକପ୍ରକାର ଆଗୁଆ ନିର୍ବାଚନକୁ ସ୍ୱାଗତ କରିବା ଭଳି ଜଣାପଡୁଛି।

ଯଦି ବିଜେପି ନେତାଙ୍କ ଇସାରା ଅନୁଯାୟୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ନିର୍ବାଚନ ହୁଏ, ତାହେଲେ ରାଜ୍ୟରେ ଦଳର ସ୍ଥିତି କ’ଣ ରହିବ ତାକୁ ନେଇ ଏବେଠାରୁ ବିଜେଡି ଲାଭ-କ୍ଷତିର ଅଙ୍କ କଷିବା ଆରମ୍ଭ କରିଛି।

୨୦୧୯ ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ ରାଜନୀତିରେ ହଲଚଲ୍‍ ସୃଷ୍ଟି ହୋଇଛି। ଓଡ଼ିଶା ଭଳି କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଆଗୁଆ ଏକସଙ୍ଗରେ ଲୋକସଭା ନିର୍ବାଚନ ସହ ହେବାନେଇ ଚର୍ଚ୍ଚା ଜୋର୍‍ଧରିଛି।

ଆଗୁଆ ନିର୍ବାଚନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ରହିଥିବା ଖୋଲାଖୋଲି କହିଛନ୍ତି।  ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯଦି ଆଗୁଆ ନିର୍ବାଚନ ଭଳି ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାଙ୍କ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶ୍ରେଷ୍ଠ ପ୍ରଶାସକ ସମ୍ମାନ ଧରି ଦିଲ୍ଲୀରୁ ଫେରିବା ପରେ ରବିବାର ଦିନ ନବୀନନିବାସରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଦଳ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବ। ଆଗାମୀ ନିର୍ବାଚନରେ ବିଜେପି ସହ କୌଣସି ପ୍ରକାର ମେଣ୍ଟର ସମ୍ଭାବନାକୁ ସେ ଅସ୍ୱୀକାର କରିଛନ୍ତି।

ଆଗୁଆ ନିର୍ବାଚନକୁ ସ୍ୱାଗତଯୋଗ୍ୟ ବୋଲି ବିଜେପିର ନେତୃବୃନ୍ଦ କହୁଥିଲେ ହେଁ ସେମାନଙ୍କ ମନରେ ଶଙ୍କା ରହିଛି। କାରଣ ନବୀନଙ୍କ ଲୋକପ୍ରିୟତାକୁ ଭାଙ୍ଗିବାରେ ବିଜେପି ଏପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ମୋଦି, ଶାହା ଏବଂ ବିଜେପି ଶାସିତ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଚାର ମଇଦାନକୁ ଆଣି ନିର୍ବାଚନ ବୈତରଣୀ ପାର ହେବେ ବୋଲି ଓଡ଼ିଶା ବିଜେପି ନେତା ଆଶା ରଖିଛନ୍ତି। ତେବେ ଆଗୁଆ ନିର୍ବାଚନ ହେଲେ ସେମାନେ ନିଜ ନିଜର ରାଜ୍ୟ ଏବଂ ନିର୍ବାଚନମଣ୍ଡଳୀରେ ଯେ ବ୍ୟସ୍ତ ରହିବେ, ଏଥିରେ କୌଣସି ସନ୍ଦେହ ନାହିଁ।

ସେହିପରି ଓଡ଼ିଶା କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ ମଧ୍ୟ ମୋଦି ସରକାରଙ୍କ ଆଗୁଆ ନିର୍ବାଚନ ପରିକଳ୍ପନାକୁ ସାମ୍‍ନା କରିବାକୁ କଂଗ୍ରେସ ପ୍ରସ୍ତୁତ ରହିଥିବା ଦର୍ଶାଇଛନ୍ତି। ହେଲେ ତାଙ୍କ ଦଳର ଆଭ୍ୟନ୍ତରୀଣ କନ୍ଦଳ ସମାଧାନ ନ ହେବା ଯାଏଁ କଂଗ୍ରେସ ଉଭୟ ବିଜେପି ଏବଂ ବିଜେଡିକୁ ଟକ୍କର ଦେବାର କୌଣସି ସମ୍ଭାବନା ଦେଖାଯାଉନାହିଁ।

ଏପଟେ ଦୀର୍ଘ ୧୭ ବର୍ଷ ଧରି ଲଗାତାର କ୍ଷମତାରେ ଥିବା ଶାସକ ବିଜେଡି ରବିବାର ଦିନ ଏ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ପୁଣି ରାଜ୍ୟର ରାଜନୈତିକ ଗଣିତ ନୂଆ ରୂପ ନେଇଛି। ଆଗାମୀ ନିର୍ବାଚନରେ ’ତମ ନାଁରେ ମାନେ ହଁ’ ନୀତିରେ ବିଜେଡି-ବିଜେପି ଶେଷ ମୁହୂର୍ତ୍ତରେ ସାଙ୍ଗସୁଙ୍ଗା ହୋ‍ଇ ଭୋଟ୍‌ ମ‌ଇଦାନକୁ ଓହ୍ଲାଇପାରନ୍ତି ବୋଲି ଗତ କିଛିଦିନ ଧରି ଶୁଣିବାକୁ ମିଳୁଥିଲା। ହେଲେ ନବୀନ ବାବୁଙ୍କ ମନ୍ତବ୍ୟ ପରେ ପାଣିପାଗରେ ପରିବର୍ତ୍ତନ ସ୍ପଷ୍ଟ ହୋ‍ଇଯାଇଛି।

୨୦୦୦ ଏବଂ ୨୦୦୪ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ଶକ୍ତି ନେଇ ସରକାର ଗଢିଥିଲେ। ହେଲେ ୨୦୦୯ରେ ତାହା ଭାଙ୍ଗିଯାଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ ମୋଦିଙ୍କ ପ୍ରବଳ ହାୱା ସତ୍ତ୍ୱେ ବିଜେଡି ପ୍ରଚଣ୍ଡ ବହୁମତ ପାଇ ରାଜ୍ୟର ଶାସନ ଗାଦିକୁ ପୁଣି ଫେରିବାରେ ସମର୍ଥ ହୋଇଥିଲା। ଦଳର ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ମାତ୍ର ୨୦୧୮ରେ ଆଗୁଆ ନିର୍ବାଚନ ହେଲେ ଦଳ ଲାଭ ପାଇବ ନା କ୍ଷତି ସହିବ ତାହା ଏବେ ବିଜେଡି ପାଇଁ ବଡ଼ ପ୍ରଶ୍ନ ହୋଇ ଉଭାହୋଇଛି।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଅପେକ୍ଷାକୃତ ସଫଳତା ମିଳିଛି। ଦୁଇନମ୍ବର ଦଳଭାବେ ଥିବା କଂଗ୍ରେସକୁ ପଛକୁ ପକାଇ ବିଜେପି ଏହି ସ୍ଥାନ ମାଡ଼ିବସିଛି। ଏପରିକି ବିଜେପି ରାଜ୍ୟରେ ଶାସନ ଗାଦିରେ ବସିବାକୁ ସବୁପ୍ରକାର ରଣକୌଶଳ ଗ୍ରହଣ କରୁଛି।

ନବୀନଙ୍କ ଭାବମୂର୍ତ୍ତିକୁ ପୁଞ୍ଜିକରି ବିଜେଡି ପୁଣି କ୍ଷମତାକୁ ଫେରିବା ନେଇ ଆଶାବାଦୀ ରହିଛି। ମାତ୍ର ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେଲେ ସାମ୍ପ୍ରତିକ ପରିସ୍ଥିତିରେ ମୋଦି ହାୱାକୁ ନବୀନ କେତେଦୂର କାଉଣ୍ଟର କରିବାରେ ସମର୍ଥ ହେବେ ତା’ର ଅଙ୍କ କଷୁଛି ବିଜେଡି। ଦଳ ଇତିମଧ୍ୟରେ”ଆମ ଗାଁ, ଆମ ବିକାଶ’ ସହ ’ଆମ ସହର ଆମ ଉନ୍ନତି’ କାର୍ଯ୍ୟକ୍ରମରୁ ଆରମ୍ଭକରି ବ୍ଲକ୍‍ସ୍ତରରେ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି। ସେହିପରି ଦୁଇମାସ ମଧ୍ୟରେ ୱାର୍ଡ କମିଟି ଗଠନ କରି ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ଉଦ୍ୟମ ଆରମ୍ଭ ହୋ‍ଇଛି।

୨୦୧୮ ପୌର ନିର୍ବାଚନ ପୂର୍ବରୁ ଘନଘନ କ୍ୟାବିନେଟ୍‍ ବୈଠକ ଡାକି ଲୋକଙ୍କୁ ସୁହାଇଲା ଭଳି ବହୁ ନିଷ୍ପତ୍ତି ମଧ୍ୟ ନେଉଛନ୍ତି। ମାତ୍ର ଏସବୁ ସତ୍ତ୍ୱେ ଆଗୁଆ ବିଧାନସଭା ଭାଙ୍ଗି ନିର୍ବାଚନ ମଇଦାନକୁ ବିଜେଡ଼ି ଓହ୍ଲାଇବ କି ନାହିଁ ସେ ବାବଦରେ ଠିକଣା ସମୟରେ ସୁପ୍ରିମୋ ଠିକଣା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର।

କେନ୍ଦ୍ରର ଏନଡିଏ ସରକାର ’ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଉପରେ ଗୁରୁତ୍ୱ ଦେଇଆସୁଛି। ଲୋକସଭା ସହ ଦେଶର ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଏକସମୟରେ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବହୁବାର ଯୁକ୍ତି ଉପସ୍ଥାପନ କରିଆସିଛନ୍ତି।

ଖୋଦ୍‍ ନିର୍ବାଚନ କମିଶନ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ମତ ରଖିଛନ୍ତି। ଏପ୍ରିଲ ୨୦୧୯ ଯାଏଁ ଲୋକସଭାର କାର୍ଯ୍ୟକାଳ ରହିଥିବାରୁ ୨୦୧୮ ନଭେମ୍ବର ଓ ଡିସେମ୍ବର ମାସରେ ଲୋକସଭା ନିର୍ବାଚନ ସହ ବିଧାନସଭା କାର୍ଯ୍ୟକାଳ ପୂରୁଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ହେବା ନେଇ ମଧ୍ୟ ଆଲୋଚନା ଜୋର ଧରିଛି।

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ ବିଧାନସଭା କାର୍ଯ୍ୟକାଳ ୨୦୧୮ ନଭେମ୍ବର ମଧ୍ୟରେ ଶେଷ ହେଉଛି। ଏହି ରାଜ୍ୟଗୁଡ଼ିକ ସହ ପାଞ୍ଚ ମାସ ପରେ କାର୍ଯ୍ୟକାଳ ପୂରିବାକୁ ଥିବା ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିଧାନସଭା ଭୋଟ କରାଇବା ନେଇ ନିର୍ବାଚନ କମିଶନ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

(ପ୍ରସ୍ତୁତି: ସରୋଜ)

Tags: Narendra Modi, Naveen Patnaik, BJD, Congress, BJP, Politics, Odisha Politics, Election Commission, NDA, Social Media, Saroj, Biju Janata Dal, General Election, Assembly Election, Odisha Election, Bharatiya Janata Party

Comment