ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ନାଟକର ଦୁଇ ନାୟକ: ନବୀନ ଧର୍ମେନ୍ଦ୍ର

 

ଓଡ଼ିଶା ରାଜନୈତିକ ମଞ୍ଚରେ ଏବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ବିଜେଡି ଓ ବିଜେପି। ଅବଶ୍ୟ ଦଳ ଭିତରେ ଏବେ ପ୍ରତିଯୋଗିତା ସୀମାବଦ୍ଧ ହୋଇରହିନାହିଁ। ମଇଦାନରେ ପରସ୍ପରକୁ ସିଧାସଳଖ ସାମନା କରୁଛନ୍ତି ରାଜ୍ୟର ଦୁଇ ତୁଙ୍ଗ ନେତା ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ। ଜଣେ ୧୭ ବର୍ଷ ଧରି ଓଡ଼ିଶା ଶାସନର ମୁଖ୍ୟ, ଅନ୍ୟଜଣେ ମୋଦି ସରକାରଙ୍କ ପ୍ରଭାବଶାଳୀ ମନ୍ତ୍ରୀ। ଜଣେ କ୍ଷମତା କରିଡରକୁ ଜାବୁଡି ଧରିବାକୁ ପ୍ରୟାସ କରୁଥିବା ବେଳେ ଅନ୍ୟଜଣେ ଓଡ଼ିଶାର ରାଜମୁକୁଟ ପିନ୍ଧିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି।

ଏହି ପୃଷ୍ଠଭୂମି ଭିତରେ ନିକଟରେ ଦୁଇଟି ପରସ୍ପର ବିରୋଧୀ ଘଟଣା ଦେଖିବାକୁ ମିଳିଛି, ଯାହା ପଲିଟିକାଲ୍ ଡ୍ରାମାକୁ ଆହୁରି ରୋଚକ କରିଛି।

ଗତ ଅଗଷ୍ଟ ୧୮ ତାରିଖରେ ନୂଆଦିଲ୍ଲୀର ଓଡ଼ିଶାଭବନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନାର ପ୍ରସଙ୍ଗ ଥିଲା ପାରାଦୀପ ତୈଳ ବିଶୋଧନାଗାର ଟିକସ ବିବାଦ।

କିଛି ମାସ ଧରି ଜାରି ରହିଥିବା ଥିବା ଏହି ବିବାଦକୁ ମାତ୍ର କେତେ ମିନିଟ୍ ଭିତରେ ଝଟପଟ୍ ସମାଧାନ କରିଦେଲେ ଦୁଇ ନେତା। ଆଲୋଚନା ପରେ ଦୁହିଁଙ୍କ ଭାବଭଙ୍ଗୀ ବେଶ ସକରାତ୍ମକ ରହିଥିଲା। ଆଲୋଚନା ସଫଳ ଓ ବିବାଦର ସମାଧାନ ହୋଇଥିବା ନେଇ ଗଣମାଧ୍ୟମରେ ବିବୃତ୍ତି ଦେଲେ।

ଦୁଇ ଦଳର ଛାମୁଆ ନେତାମାନେ ମଧ୍ୟ ଓଡ଼ିଶାର ସ୍ୱାର୍ଥ ପାଇଁ କିପରି ଦୁଇ ଜଣ କାର୍ଯ୍ୟ କରୁଛନ୍ତି, ତାଙ୍କୁ ଦର୍ଶାଇବା ପାଇଁ ବୟାନବାଜି କଲେ। ସତକୁ ସତ ଏହି ବୈଠକର ଗୋଟିଏ ଦିନ ଭିତରେ ସମସ୍ୟାର ସମାଧାନ ହୋଇଗଲା। କିଏ କେତେ ନେବ, କେତେ ଦେବ, ଏହି ହିସାବ ମଧ୍ୟ ଛିଣ୍ଡିଗଲା।

ହେଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ଏପରି ମିଳନକୁ ସହଜରେ ହଜମ କରିପାରୁନାହାନ୍ତି ସାଧାରଣ ଲୋକେ। ପୂର୍ବେ କିଛି ହାତଗଣତି କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ନବୀନ ଓ ଧମେନ୍ଦ୍ର ବସିଥିବା ଦେଖାଯାଇଛି। ହେଲେ ଦୁହିଁଙ୍କ ଭିତରେ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ଦେଖିବାକୁ ମିଳିନାହିଁ। ଏବେ କ’ଣ ହେଲା ଯେ ଧର୍ମେନ୍ଦ୍ରଙ୍କୁ ଭେଟିବାକୁ ଦିଲ୍ଲୀ ଦୌଡ଼ିଗଲେ ନବୀନ।

ନବୀନ-ଧର୍ମେନ୍ଦ୍ରଙ୍କ ଏପରି ଭେଟଘାଟକୁ ନେଇ ଦଳର ବରିଷ୍ଠ ନେତା ଡାକ୍ତର ଡାମୋଦର ରାଉତ ମଧ୍ୟ ଖୋଲିଖୋଲି ଭାବେ ସମାଲୋଚନା କରିକଲେ। ହେଲେ ଏସବୁ ପ୍ରତିବାଦ ଅଟକାଇ ପାରିନଥିଲା ନବୀନବାବୁଙ୍କୁ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦୁଇ ନେତା ପରସ୍ପରକୁ ଭେଟିଥିଲେ। ତେବେ ପ୍ରଶ୍ନ ଉଠୁଛି, ସତରେ କ’ଣ ଏହି ଦୁଇ ନେତା ପରସ୍ପରକୁ ଭେଟି ଆଇଓସିଏଲ ଟିକସ ବିବାଦ ଉପରେ ଆଲୋଚନା କରୁଥିଲେ, ନା ଏହା ପଛରେ କିଛି ରାଜନୈତିକ କାରଣ ରହିଛି?

ଚର୍ଚ୍ଚା ହେଉଛି, ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ବିଜେପିର ଦିଲ୍ଲୀ ନେତାଙ୍କ ସହ ମଧୁର ସଂପର୍କ ଅତୁଟ ରହିଛି ନବୀନବାବୁଙ୍କର। ମୋଦିଙ୍କ କଠୋର ସମାଲୋଚକ ଭାବେ ପରିଚିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭଳି ପୁଣି ଥରେ ଏନଡିଏ ମେଣ୍ଟକୁ ଫେରିପାରନ୍ତି ନବୀନ।

ଆଉ ଏଥିପାଇଁ ବରିଷ୍ଠ ସାମ୍ବାଦିକ ସପନ ଦାସଗୁପ୍ତା ଓ ନବୀନଙ୍କ ଦୀର୍ଘଦିନର ବନ୍ଧୁ ରହି ଆସିଥିବା ବିଜେପି ନେତାମାନେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରିଦେଲେଣି। ନବୀନ-ଧର୍ମେନ୍ଦ୍ରଙ୍କ ଭେଟ ଏହି ପର୍ବର ପ୍ରଥମ ପାହାଚ। ଦିଲ୍ଲୀ ତମର, ଭୁବନେଶ୍ୱର ଆମର, ଏହି ନ୍ୟାୟରେ ଆଗାଉଛି ଆଲୋଚନା।

ଆଉ ମଧ୍ୟ ଚର୍ଚ୍ଚା ହେଉଛି, ସିବିଆଇ ଭୟ ଯୋଗୁଁ ନବୀନଙ୍କ ନିକଟରେ ଅଧିକ କିଛି ବିକଳ୍ପ ନାହିଁ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୈତିକ ସମୀକରଣରେ ବଡ଼ ଧରଣର ପରିବର୍ତ୍ତନ ଆସିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

ଏବେ ଆଲୋଚନା କରିବା, ନବୀନ-ଧମେନ୍ଦ୍ର ଭେଟଘାଟର ଦୁଇ ଦିନ ପରେ କ’ଣ ଘଟିଥିଲା। ଆଉଟଲୁକ ପତ୍ରିକା ପକ୍ଷରୁ ଶେଷ୍ଠ ପ୍ରଶାସକ ଭାବେ ସମ୍ମାନିତ ହେବା ପରେ ଅଗଷ୍ଟ ୨୦ ତାରିଖରେ ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ। ବିଜୟୀ ରାଜାଙ୍କୁ ସ୍ୱଦେଶ ଫେରିବା ବେଳେ ଯେପରି ସମ୍ବର୍ଦ୍ଧନା ଦିଆଯାଏ, ସେହିଭଳି ପ୍ରସ୍ତୁତି କରିଥିଲା ବିଜେଡି।

ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ନେତା ଓ କର୍ମୀଙ୍କ ପଟୁଆର ଲାଗିଥିଲା। ସ୍ୱାଗତ ଉତ୍ସବ ନେଇ ଗଣମାଧ୍ୟମରେ ବଡ଼ ବଡ଼ ବିଜ୍ଞାପନ ମଧ୍ୟ ଦିଆଯାଇଥିଲା। ବିଜେଡିର ଉଦ୍ଦେଶ୍ୟ ଥିଲା ସ୍ପଷ୍ଟ ଯେ ନିର୍ବାଚନ ପାଖେଇ ଆସୁଥିବାରୁ ପତିଆରା ପ୍ରଦର୍ଶନର କୌଣସି ସୁଯୋଗ ହାତଛଡା ନହେଉ।

ଅବଶ୍ୟ ପୁରୀ-ହରିଦ୍ୱାର ଟ୍ରେନ ଦୁର୍ଘଟଣା ହୋଇନଥିଲେ ଆଉ ଟିକେ ଜାକଜମକ ହୋଇଥା’ନ୍ତା ଉତ୍ସବ। ବାଜ, ବାଣ, ଯୋଡି ଶଙ୍ଖର ଶବ୍ଦ କାନ ଅତଡ଼ା ପକାଇଥା’ନ୍ତା। ସେ ଯାହା ହେଉ, ଲୋକବଳ ଜୁଟାଇବାରେ ସ୍ଥାନୀୟ ନେତା କିଛି ଅବହେଳା କରିନଥିଲେ।

ହେଲେ ବିଜେଡିର ଏତେ ସବୁ ଆୟୋଜନ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ହଜମ ହୋଇନଥିଲା। ସେ ଅତି କଟୁବାକ୍ୟ ପ୍ରୟୋଗ କରି ନବୀନବାବୁଙ୍କୁ ସମାଲୋଚନା କରିଥିଲେ। ସେ ସିଧାସଳଖ ଅଭିଯୋଗ କରିଥିଲେ, ଟଙ୍କା ଦେଇ ପୁରସ୍କାର କିଣିଛନ୍ତି ନବୀନ ପଟ୍ଟନାୟକ। ଉଜୁଡିଗଲାଣି ରାଜ୍ୟର ଶାସନ ବ୍ୟବସ୍ଥା, ହେଲେ ମୁଖ୍ୟମନ୍ତ୍ରୀ ପାଉଛନ୍ତି ଶେଷ୍ଠ ପ୍ରଶାସକ ସମ୍ମାନ।

ଏପରି କଡ଼ା ଭାଷାରେ କହି ଦୁଇ ଦିନ ତଳେ ବିଜେପି କର୍ମୀଙ୍କ ନିକଟକୁ ଯାଇଥିବା ନକରାତ୍ମକ ସନ୍ଦେଶକୁ କାଟିବାକୁ ଚାହିଁଥିଲେ ଧମେନ୍ଦ୍ର। ବିଜେଡି ମଧ୍ୟ ଟଙ୍କା ଦେଇ ପୁରସ୍କାର କିଣିବା ପ୍ରସଙ୍ଗରେ ବିଜେପିକୁ ଜବାବ ଦେଲା। ଦଳ ପ୍ରଶ୍ନ କଲା, ଅରୁଣ ଜେଟଲୀ କେତେ ଟଙ୍କା ଦେଇ ଶେଷ୍ଠ ସାଂସଦର ସମ୍ମାନ ନେଇଛନ୍ତି ପ୍ରଥମେ ତା’ର ଉତ୍ତର ଦିଅ।

ବିଜେଡି-ବିଜେପିର ବାଦିପାଲା ଦିନକୁ ଦିନ ରୋଚକ ହେବାରେ ଲାଗିଛି। ହେଲେ ଉପର ମହଲରେ କ’ଣ ଚାଲିଛି, କେଉଁ ପାଣି କୁଆଡକୁ ଯାଉଛି, ତାହା ଜାଣିବା ଦୁଇ ଦଳର କର୍ମୀଙ୍କ ପକ୍ଷରେ ବି ମୁସ୍କିଲ।

Tags: Naveen Patnaik, Dharmendra Pradhan, BJD, BJP, Naveen vs Dharmendra

Comment