ନୀଳାମ୍ବର ରଥ

ଲୋକଙ୍କ ଶାନ୍ତି, ସଂପ୍ରୀତି ଏବଂ ସ୍ୱାଧୀନ ଜୀବନରେ ବାଧା ସୃଷ୍ଟି କରିବାର ଅଧିକାର କାହାକୁ ଦିଆଯାଇ ନାହିଁ। ଯେଉଁମାନେ ଏକଥା ଭୁଲିଯାଆନ୍ତି ସେମାନଙ୍କ ହାତରେ ଦିନେ ନିଶ୍ଚୟ ହାତକଡ଼ା ଲାଗିବ। ହଁ, ଦୁର୍ଭାଗ୍ୟ କଥା ଏତିକି ଯେ ଆଇନ ସେମାନଙ୍କୁ ଦଣ୍ଡ ଦେବା ବେଳକୁ ଅନେକ ସାଧାରଣ, ଅସହାୟ ଏବଂ ନିରପରାଧ ମଣିଷଙ୍କୁ ପ୍ରାଣବଳି ଦେବାକୁ ପଡ଼ୁଛି!

ଜଳୁଛି ହରିୟାଣା, ପଞ୍ଜାବ, ଦିଲ୍ଲୀ ଏବଂ ଦେଶର ଅନ୍ୟ କେତେକ ସ୍ଥାନ। ନିଜ ଘର ଭିତରେ ଏକପ୍ରକାର ଗୃହବନ୍ଦୀ ପାଲଟିଛନ୍ତି ସାଧାରଣ ଲୋକ। ଯେମିତି ଗଣତନ୍ତ୍ର ହୋଇପଡ଼ିଛି ଅସହାୟ! ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ଜଣେ ତଥାକଥିତ ଗୁରୁଙ୍କ ପାଇଁ ଏହିସବୁ ପ୍ରଳୟ। ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍ମିତ୍ ସିଂ ଓରଫ୍ ରାମ ରହିମ୍‌ଙ୍କ କଳାକାରନାମା ଉପରୁ ଯେତିକି ପରଦା ହଟୁଛି ସେତିକି ଜଟିଳ ହେଉଛି ପରିସ୍ଥିତି।

ଶୁକ୍ରବାର ଦିନ ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ ରାମ ରହିମ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଘଟଣା ପରେ ପୋଲିସ୍ ତାଙ୍କୁ ଗିରଫ କରି ଜେଲ୍‌ରେ ଠୁକି ଦେଇଛି। ହେଲେ ଏହି ରାୟ ପ୍ରକାଶ ପାଇବାର କିଛିଦିନ ପୂର୍ବରୁ ରାମ ରହିମ୍‌ଙ୍କ ଭକ୍ତ, ସମର୍ଥକ ଓ ପୋଷା ଗୁଣ୍ଡାମାନେ ପଞ୍ଚକୁଲା ସହରକୁ ଯେଭଳି ଭାବରେ ଅକ୍ତିଆର କରିନେଇଥିଲେ ତାହା କୌଣସି ଗଣତନ୍ତ୍ରରେ ହୁଏତ  ଦେଖିବାକୁ ମିଳେ ନାହିଁ।  ବିଶେଷକରି କୋର୍ଟ ତାଙ୍କୁ ଦୋଷୀ ବୋଲି ଘୋଷଣା କରିବା ପରେ ପଞ୍ଚକୁଲା ଏବଂ ଅନ୍ୟସ୍ଥାନରେ ଯେଭଳି ଭାବରେ ନିଆଁ ଜଳୁଛି ସେଥିରୁ ସ୍ପଷ୍ଟ ମନେହେଉଛି ଯେ ଏ ଦେଶରେ ଆଇନ୍‌କାନୁନ୍ ବ୍ୟବସ୍ଥା ବା ଗଣତନ୍ତ୍ର ବୋଲି କିଛି ନାହିଁ।

ରାମ ରହିମ୍‌ଙ୍କ ନାଁରେ ଆସିଛି ତାଙ୍କ ସହିତ ଥିବା ସାଧ୍ୱୀମାନଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ। ସେହିପରି ଏହି ଖବର ସେତେବେଳେ ଗଣମାଧ୍ୟମରେ ପ୍ରକାଶ କରିଥିବା ଜଣେ ସାମ୍ବାଦିକଙ୍କ ମୃତ୍ୟୁ ପଛରେ ବାବାଙ୍କ ହାତ ନେଇ ମଧ୍ୟ ମାମଲା ଚାଲିଛି। ସାଧାରଣ ଲୋକଙ୍କୁ ଭକୁଆ ବନେଇ, ସ୍ଥାନୀୟ ପ୍ରଶାସନ ଓ ଶାସନକୁ ପକେଟ୍‌ରେ ପୂରାଇ ରାମ ରହିମ୍‌ଙ୍କ ଭଳି ଜଣେ ବ୍ୟକ୍ତି କିଭଳି ଭାବରେ  ଏଭଳି ଏକ ସ୍ତରକୁ ଚାଲିଯାଇପାରେ ଏ ପ୍ରଶ୍ନର ଉତ୍ତର କିଏ ଦେବ?

ରାମ ରହିମ୍‌ଙ୍କ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଏ ଲେଖକର ବିଶେଷ କୌଣସି ଧାରଣା ନଥିଲା କିମ୍ବା ତାଙ୍କ ସମ୍ପର୍କରେ ଆଗ୍ରହ ପ୍ରକାଶ କରିବା କିମ୍ବା ଗବେଷଣା କରିବାର କୌଣସି ଅବକାଶ ନଥିଲା। କିନ୍ତୁ ସାମ୍ପ୍ରତିକ ଘଟଣା ପରେ ରାମ ରହିମ୍‌ଙ୍କ କାରନାମା ସମ୍ପର୍କରେ ଜାଣିବା ଏବଂ ତାଙ୍କ ତଥାକଥିତ ସାମ୍ରାଜ୍ୟର ବିସ୍ତାର ପଛର ବିଭିନ୍ନ ରହସ୍ୟ ସମ୍ପର୍କରେ ଜାଣିବା ପରେ ମନେହେଉଛି ଯେ ରାମ ରହିମ୍‌ଙ୍କୁ ତିଆରି କରିବା ପଛରେ ତାଙ୍କର ଯେତିକି ହାତ ରହିଛି ତାଠାରୁ ଅଧିକ ହାତ ରହିଛି ଅନ୍ୟମାନଙ୍କର। ସେହି ଅନ୍ୟମାନଙ୍କ ଭିତରେ ଅଛନ୍ତି ସରକାର, ରାଜନେତା, ପୋଲିସ୍, ଗଣମାଧ୍ୟମ ଏବଂ ତାଙ୍କର ଲକ୍ଷ ଲକ୍ଷ ଭକୁଆ ଭକ୍ତ।

ପାକିସ୍ତାନ ବିରୋଧରେ କିଛିଦିନ ତଳେ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକର ଯେଉଁ ଆର୍ମି ଅଫିସର୍‌ ମଙ୍ଗ ଧରିଥିଲେ ସେ ପଞ୍ଚକୁଲାରେ ରହନ୍ତି। ତାଙ୍କର ଏକ ବ୍ଲଗ୍‌ରେ ସେ ଶୁକ୍ରବାର ଦିନ ପଞ୍ଚକୁଲାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ପରିସ୍ଥିତି ସମ୍ପର୍କରେ ଯେଭଳି ଭାବରେ ବର୍ଣ୍ଣନା କରିଛନ୍ତି ତାହା ପଢ଼ିଲେ ମନେହେଉଛି ଯେ ସାଧାରଣ ତଥା ଶାନ୍ତିପ୍ରିୟ ମଣିଷମାନଙ୍କ ଜୀବନ ସତରେ କେତେ ଅସହାୟ। ଆଶ୍ଚର୍ଯ୍ୟ ଏବଂ ଦୁର୍ଭାଗ୍ୟର କଥା ହେଉଛି ଆଇନକୁ ହାତକୁ ନେଇ ସାଧାରଣଲୋକଙ୍କ ଜୀବନରେ ନିଆଁ ଲଗାଉଥିବା ବାବା ରାମ ରହିମଙ୍କ ପରି ଗଡ୍‌ମ୍ୟାନ୍‌ମାନଙ୍କ ଆଗରେ ଶାସନ, ପ୍ରଶାସନ ଓ ସରକାର ଆହୁରି ଅଧିକ ଅସହାୟ।

ଓଡ଼ିଶାରେ କିଛିଦିନ ତଳେ ବାବାମାନଙ୍କୁ ନେଇ ଏକ ବଡ଼ ଧରଣର ହଲ୍‌ଚଲ୍ ହୋଇଥିଲା। ସାରଥି ବାବା କିମ୍ବା ସୁରବାବାଙ୍କ ଯୌନ କେଳେଙ୍କାରୀ ହେଉ ବା ଅନ୍ୟ ବାବାମାନଙ୍କ କାହାଣୀ, ସେତେବେଳେ ବେଶ୍ କିଛିଦିନ ପର୍ଯ୍ୟନ୍ତ  ସେ ନାଟକ ଚାଲିଥିଲା। କିନ୍ତୁ ବାବା ରାମ ରହିମ୍‌ଙ୍କ କାହାଣୀ ସମ୍ପୂର୍ଣ୍ଣ ଅଲଗା। ତାଙ୍କ ସାମ୍ରାଜ୍ୟକୁ ଭାଙ୍ଗିବା ତ ଦୂରର କଥା ଆୟତ୍ତ କରିବା ହୁଏତ ଆଜି ସ୍ଥାନୀୟ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। କେବଳ ସ୍ଥାନୀୟ ସରକାର କାହିଁକି ଏହା ଆଜି ଦେଶର ଶାନ୍ତିପ୍ରିୟ ନାଗରିକଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇଛି।

୨୦୧୭ ମସିହାରେ ଆମେ ଆଜି ଡିଜିଟାଲ୍ ଭାରତ କଥା କହୁଛୁ। ଆଜି ଗାଁ ଗାଁରେ କିଭଳି ଲୋକଙ୍କ ମୋବାଇଲରେ ଇଣ୍ଟରନେଟ୍ ମିଳିପାରିବ ଓ ସେମାନେ ଡିଜିଟାଲ୍ ମିଡ଼ିଆର ସୁବିଧା ନେଇପାରିବେ ସେ ବିଷୟରେ ଚର୍ଚ୍ଚା ଚାଲିଛି। ଡିଜିଟାଲ୍ ଓ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଶାସନ ଓ ପ୍ରଶାସନକୁ ସିଧାସଳଖ ଲୋକଙ୍କ ସହିତ ଯୋଡ଼ିବା ପାଇଁ ତତ୍ପରତା ଆରମ୍ଭ ହୋଇଛି। କିନ୍ତୁ ଆମେ ଯେତେବେଳେ ଏ ଦୃଷ୍ଟିରୁ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି କରିବା କଥା ବିଚାର କରୁଛୁ ସେତେବେଳେ ଆପଣ ଭାବନ୍ତୁ  ହରିୟାଣାର ସେହି ସାଧାରଣ ନାଗରିକମାନଙ୍କ କଥା ଯେଉଁମାନେ ଆଜି ‘ଇନଫରମେସନ ବ୍ଲକେଡ୍’ ଅବସ୍ଥା ଭୋଗୁଛନ୍ତି। ଅର୍ଥାତ୍ ଟିଭି ବନ୍ଦ, ମୋବାଇଲ୍ ବନ୍ଦ ଓ ଇଣ୍ଟରନେଟ୍ ବନ୍ଦ। ନିଜ ଘର ପାଖ ଗଳିରେ କ’ଣ ଘଟୁଛି ଜାଣିବା ମଧ୍ୟ ସମ୍ଭବ ନୁହେଁ। ଲୋକଙ୍କୁ ଏଭଳି ଏକ ବିପଜ୍ଜନକ ଏବଂ ଅସହାୟ ଅବସ୍ଥା ଭିତରକୁ ଠେଲି ଦେଉଥିବା ସରକାରକୁ ଆମେ ଏକ ଗଣତାନ୍ତ୍ରିକ ସରକାର ବୋଲି କହିପାରିବା ତ?

ବାବା ରାମ ରହିମ୍ ବଡ଼ ବିଚିତ୍ର ମିଜାଜ୍‌ର। ଗୋଟେ ପଟେ ଧର୍ମ ଏବଂ ନୈତିକତାର  ବାର୍ତ୍ତାବହ, ଅନ୍ୟପଟେ ଅପରାଧ। ଗୋଟେ ପଟେ ବୃକ୍ଷରୋପଣ, ରକ୍ତଦାନ ଶିବିର, ମାଗଣା ଚିକିତ୍ସା, ଅନ୍ୟାନ୍ୟ ସ୍ୱେଚ୍ଛାସେବୀ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଏବଂ ଅନ୍ୟପଟେ ବାହୁବଳ, ଅର୍ଥବଳ ଓ ରାଜନୈତିକ ବଳର ଅପପ୍ରୟୋଗ। ରାମ ରହିମ୍ ବାସ୍ତବରେ ସାଧୁ କି ଅସାଧୁ ତାଙ୍କର ଏହିସବୁ କାର୍ଯ୍ୟକଳାପରୁ ବାରିବା ହୁଏତ ସହଜ ନୁହେଁ। ଏହି ବହୁରୂପୀ ଚରିତ୍ର ପାଇଁ ସେ ଲକ୍ଷ ଲକ୍ଷ ଧର୍ମଭୀରୁ ମଣିଷଙ୍କୁ ନିଜର ଭକ୍ତ ବା ଅନୁଗାମୀ ଭାବେ ଲମ୍ବାଧାଡ଼ିରେ ଠିଆ କରି ନିଜେ ପାଲଟିଛନ୍ତି ସେମାନଙ୍କର ତ୍ରାଣକର୍ତ୍ତା ବା ପିତା।

ଏ ଲେଖକର ମନକୁ ଯେଉଁ ପ୍ରଶ୍ନଟି ବାରମ୍ବାର ଆସୁଛି ତା’ ହେଉଛି: ବାବା ରାମ ରହିମ୍‌ଙ୍କ ଭଳି ମଣିଷକୁ ଏଭଳି ଏକ ସ୍ତରକୁ ଆଣିଲା କିଏ? ଜଣେ ଅପରାଧୀ ଆଜି ପ୍ରକାରନ୍ତରେ ଗଣତାନ୍ତ୍ରିକ, ଆଇଲ୍‍ ଓ ସାମାଜିକ ବ୍ୟବସ୍ଥାକୁ ଲାତ ମାରିପାରୁଛି। ଏ ପ୍ରଶ୍ନ ହୁଏତ ଆଜି ଭାରତବର୍ଷର ଅନେକ ଲୋକଙ୍କ ମନକୁ ଆସୁଥିବ। କେବଳ ହରିୟାଣାର ଶାସନମୁଖ୍ୟ କାହିଁକି ଏ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଏ ପ୍ରଶ୍ନର ଉତ୍ତର ଖୋଜିବା ଦରକାର।

ବାବା ରାମ ରହିମଙ୍କୁ ପୋଲିସ ବାନ୍ଧିବା ପରେ ପଞ୍ଚକୁଲା ଏବଂ ହରିୟାଣାର ଅନ୍ୟାନ୍ୟ ସ୍ଥାନରେ ଏକପ୍ରକାରର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋ‍ଇଛି। ଗଣମାଧ୍ୟମରେ ପ୍ରସାରିତ ଯେ କୌଣସି ଫଟୋ ବା ଭିଜୁଆଲ୍‍ ଦେଖିଲେ ବୁଝିହେଉଛି ଆଜି ସେଠିକାର ସ୍ଥାନୀୟ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହୋ‍ଇଥିବ। ଜଣେ ବ୍ୟକ୍ତିର ଅପରାଧ ଓ ଔଦ୍ଧତ୍ୟ ପାଇଁ ଲକ୍ଷ ଲକ୍ଷ ନିରୀହ ଲୋକ ଆଜି ନାହିଁ ନ ଥିବା ପରିସ୍ଥିତିର ସମ୍ମୁଖୀନ ହୋ‍ଇଛନ୍ତି।

ଲୋକଙ୍କ ଶାନ୍ତି, ସଂପ୍ରୀତି ଏବଂ ସ୍ୱାଧୀନ ଜୀବନରେ ବାଧା ସୃଷ୍ଟି କରିବାର ଅଧିକାର କାହାକୁ ଦିଆଯାଇନାହିଁ। ଯେଉଁମାନେ ଏକଥା ଭୁଲିଯାଆନ୍ତି ସେମାନଙ୍କ ହାତରେ ଦିନେ ନିଶ୍ଚୟ ହାତକଡ଼ା ଲାଗିବ। ହଁ, ଦୁର୍ଭାଗ୍ୟ କଥା ଏତିକି ଯେ ଆଇନ ସେମାନଙ୍କୁ ଦଣ୍ଡ ଦେବା ବେଳକୁ ଅନେକ ସାଧାରଣ, ଅସହାୟ ଏବଂ ନିରପରାଧ ମଣିଷଙ୍କୁ ପ୍ରାଣବଳି ଦେବାକୁ ପଡ଼ୁଛି!

ଇଟ୍‌ ହାପେନସ୍ ଓନ୍‌‍ଲି ଇନ୍ ଇଣ୍ଡିଆ!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ସମ୍ପାଦକ।)

Tags: Nilambar Rath, Bhubaneswar News, BJD, BJP, Breaking News, CBI, Congress, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Latest News, Odisha Breaking News, Odisha News, Odisha Stories, Odisha Top Stories, OdishaLIVE, Politicians, Punjab, Ram Rahim, Ram Rahim Verdict, Rape Case, Religion people, Top Stories

Comment