ସିଦ୍ଧାର୍ଥ କାକ୍। ଡକ୍ୟୁମେଣ୍ଟାରି ଫିଲ୍ମ ଏବଂ ଏକାଧିକ ଟେଲିଭିଜନ ସିରିଜର ନିର୍ମାତା। ଲୋକେ ଯେତେବେଳେ ଡକ୍ୟୁମେଣ୍ଟାରି କ’ଣ ଜାଣି ନଥିଲେ ସେତେବେଳେ ସିଦ୍ଧାର୍ଥ ଦୂରଦର୍ଶନରେ ‘ସୁରଭି’ ଭଳି କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ରହିଥିଲେ। ‘ସୁରଭି’ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା। ଭୁବନେଶ୍ୱର ଆସିଥିବା ବେଳେ ସିଦ୍ଧାର୍ଥଙ୍କ ସହ ଓଡ଼ିଶାଲାଇଭର ରିପୋର୍ଟର ସତ୍ୟବ୍ରତ ପାଢ଼ୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର।

ନବେ ଦଶକରେ ଯେତେବେଳେ ଲୋକେ ଡକ୍ୟୁମେଣ୍ଟାରି ଜାଣି ନଥିଲେ, ସେତେବେଳେ ଆପଣସୁରଭିପରି ଏକ ସାଂସ୍କୃତିକ ପତ୍ରିକା ପ୍ରକାଶ କରିବାକୁ କାହିଁକି ମନସ୍ଥ କଲେ?
ପିଲାବେଳେ ମୁଁ ବ୍ରିଟିଶ୍ ସ୍କୁଲରେ ପାଠ ପଢ଼ିଛି। ହେଲେ ମୁଁ ହିନ୍ଦୀ ଭଲ ଭାବରେ କହିପାରେନି। ମୁଁ ଯେତେବେଳେ ବଡ଼ ହେଲି ସେତେବେଳେ ମୁଁ ଭାରତର ଭୌଗୋଳିକ ସ୍ଥିତି, ସାଂସ୍କୃତିକ ପରମ୍ପରା, ପ୍ରାଚୀନ ଐତିହ୍ୟ, ବିଭିନ୍ନତା ଭିତରେ ଏକତା, ଭାଷା, ଖାଦ୍ୟ, ବିଭିନ୍ନ ଅଞ୍ଚଳର ଚାଲିଚଳଣି ମୋତେ ଚକିତ କରିଥିଲା। ତେଣୁ କିଛି ନୂଆ କରିବାକୁ ମୁଁ ମନସ୍ଥ କଲି, ଯାହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଛୁଇଁପାରିବ। ସେଥିପାଇଁ ଆମେ ‘ସୁରଭି’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ଯାହାକି ଡକ୍ୟୁମେଣ୍ଟାରି ମାଧ୍ୟମରେ  ସମ୍ଭବ ହୋଇଥିଲା। ଧୀରେଧୀରେ ସମଗ୍ର ଭାରତବର୍ଷ ‘ସୁରଭି’ର ପରିବାର ହୋଇଗଲା।
ସୁରଭିଅଧିକ ଲୋକପ୍ରିୟ ହେବା କାରଣ ?
‘ବିଭିନ୍ନତା ଭିତରେ ଏକତା’ ହେଉଛି ଆମର ବୈଶିଷ୍ଟ୍ୟ। ଆମ ଦେଶ ଅନେକ ସାଂସ୍କୃତିକ ସମ୍ପଦରେ ଭରପୁର। ହେଲେ ଏହା ବିଷୟରେ ଅଧିକାଂଶ ଲୋକେ ଜାଣି ପାରୁ ନଥିଲେ। ଯେତେବେଳେ ଆମେ ‘ସୁରଭି’ ଆରମ୍ଭ କଲୁ ଗୋଟିଏ ସପ୍ତାହରେ ଆମ ପାଖକୁ ୧୪ ଲକ୍ଷରୁ ଊର୍ଦ୍ଧ୍ଵ ପୋଷ୍ଟକାର୍ଡ ଆସିଥିଲା। ଯାହାକି ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା।
ଏହି ପୋଷ୍ଟକାର୍ଡ ମାଧ୍ୟମରେ ବିଭିନ୍ନ ରାଜ୍ୟର ଲୋକେ ତାଙ୍କ ଅଞ୍ଚଳକୁ ଯିବାକୁ ନିମନ୍ତ୍ରଣ କରିଥିଲେ। ଆମେ କେବଳ ସକରାତ୍ମକ ପ୍ରସଙ୍ଗ ଲୋକମାନଙ୍କ ଆଗରେ ଉପସ୍ଥାପିତ କରିଥିଲୁ। ସବୁବେଳେ ହସିଖେଳି ଜୀବନକୁ ଉପଭୋଗ କରିବା ଉଚିତ୍ ବୋଲି ଆମେ ଲୋକମାନଙ୍କୁ ବୁଝାଇଥିଲୁ। ଆମେ ଯେଉଁ କାର୍ଯ୍ୟକ୍ରମ କରୁଥିଲୁ ତାହା ବ୍ୟବସାୟିକ ମନୋବୃତ୍ତି ନେଇ କରୁ ନ ଥିଲୁ।
ଲୋକେ ସୁରଭିକୁ ପୁଣି କିପରି ଦେଖିପାରିବେ?
ସମୟ ବଦଳି ଯାଇଛି, ଆମକୁ ଯୁଗ ସହିତ ପାଦ ମିଶାଇ ଚାଲିବାକୁ ପଡ଼ିବ। ବର୍ତ୍ତମାନର ଯୁବପିଢ଼ି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି। ଏଣୁ ଆମେ ସୁରଭିକୁ କେବଳ ଟିଭି ବା ପତ୍ରିକା ମାଧ୍ୟମରେ ନୁହେଁ, ଡିଜିଟାଲ୍ ମିଡିଆ, ମୋବାଇଲ୍ ଏବଂ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ପହଞ୍ଚାଇବାକୁ ଚାହୁଁଛୁ। ଏହା ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ମୁଁ ଆଶା କରୁଛି।
ଆପଣ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି କରିଛନ୍ତି, ଏହାସହ ଆପଣ ଜଣେ ଅଭିନେତା ଏବଂ ଉପସ୍ଥାପକ ମଧ୍ୟ ତେବେ ଆପଣ ଅଭିନୟ ନା ଫିଲ୍ମ  ତିଆରି କରିବାକୁ ବେଶୀ ଆଗ୍ରହୀ?
ବଲିଉଡ଼ରେ ବୁଲନ୍ଦି, ମିଷ୍ଟର ଇଣ୍ଡିଆ, ସୌ ଦିନ୍ ଶାସକେ, ଆର୍ଥ, ସୁରାଗ୍ ଭଳି ଫିଲ୍ମରେ ମୁଁ ଅଭିନୟ କରିଛି। ଦର୍ଶକମାନେ ମୋତେ ଅଭିନେତା ଭାବେ ଗ୍ରହଣ କରିଛନ୍ତି। ହେଲେ ପ୍ରକୃତ କଥା ହେଲା, ମୁଁ ଭଲ ଅଭିନୟ କରିପାରେନି। କିନ୍ତୁ ମୋର ଏକ୍ସପ୍ରେସନ ପ୍ରତି ମୁୀଁ ଖୁବ୍ ସଚେତନ ଥାଏ। ହେଲେ ଡକ୍ୟୁମେଣ୍ଟାରି ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମୁଁ ଲେଖାଲେଖି କରିବାକୁ ବେଶ୍ ପସନ୍ଦ କରେ।
ଓଡ଼ିଶାର କେଉଁ ଜିନିଷକୁ ନେଇ ଭଲ ଡକ୍ୟୁମେଣ୍ଟାରି କରି ହେବ?
ବହୁ ପୂର୍ବରୁ ମୁଁ ଓଡ଼ିଶା ଆସିଛି। ଓଡ଼ିଶାକୁ ମୁଁ ବହୁତ ଭଲପାଏ। କାରଣ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଅନନ୍ୟ। ଗୁରୁ କେଳୁଚରଣ ମହାପାତ୍ର ଥିବା ବେଳେ ମୁଁ ଓଡିଶା ଆସିଥିଲି ଏବଂ ରଘୁରାଜପୁର ଯାଇଥିଲି। ସେଠାକାର ପଟ୍ଟଚିତ୍ର ବିଶ୍ଵରେ ଅଦ୍ଵିତୀୟ। ଓଡ଼ିଶାର ଧଉଳି, କୋଣାର୍କ, ଚିଲିକା, ଶାଢ଼ୀ, ଖାଦ୍ୟସାମଗ୍ରୀକୁ ନେଇ ଭଲ ଭଲ ଡକ୍ୟୁମେଣ୍ଟାରି ଫିଲ୍ମ କରାଯାଇପାରିବ।
Tags: Siddharth Kak, OdishaLIVE, Documentary, Surabhi, Doordarshan, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

1 COMMENT

Comment