ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ପଞ୍ଚମ ଥର ପାଇଁ ପାଦ ରଖିଛନ୍ତି ଓଡ଼ିଶାରେ।
ବିଗତ ଦିନର ଗସ୍ତ ଅପେକ୍ଷା ଚଳିତ ଗସ୍ତ ରାଜ୍ୟ ରାଜନୀତି ପାଇଁ ଗୁରୁତ୍ୱ ବହନ କରୁଥିବାରୁ କର୍ମୀ, ନେତାମାନେ ଉତ୍ସାହିତ ହୋଇଯାଇଛନ୍ତି। କାରଣ ଏଥର ଶାହା ବିଜେଡିର ୧୭ ବର୍ଷର ଦୁର୍ଗକୁ ଭାଙ୍ଗିବା ପାଇଁ ରଣନୀତି ପ୍ରସ୍ତୁତ କରିବେ। ‘ମିଶନ-୧୨୦’କୁ ସଫଳ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ। ବିଭିନ୍ନ ଛାମୁଆ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଓଡ଼ିଶାରେ ପଦ୍ମ ଫୁଟାଇବା ଲାଗି ମାର୍ଗ ଦର୍ଶନ କରିବେ।
ଜୁଲାଇ ମାସରେ ଶାହା ଚତୁର୍ଥ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ‘ମିଶନ-୧୨୦’ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି ଲକ୍ଷ୍ୟ କିପରି ହାସଲ କରିହେବ ସେନେଇ ଶାହା ବୁଧବାର ପୁଣି ଭୁବନେଶ୍ୱରରେ ପାଦ ରଖିଛନ୍ତି। ୩ ଦିନ ଧରି ଶାହା ଏଠାରେ ମାନସ ମନ୍ଥନ କରିବେ ଏବଂ ୨୦୧୯ ପାଇଁ ୧୪୭ ନିର୍ବାଚନମଣ୍ଡଳୀରେ ନୂଆ ଚେହେରା ଖୋଜିବେ।
ଅଲୋଡା ନେତାଙ୍କୁ ଖୋଜିବେ। ଆଡଋଷା ମାରିଥିବା ନେତାଙ୍କ ମାନ ଭଞ୍ଜନ କରିବେ। ପୃଥକ୍ ପୃଥକ୍ ସ୍ଥାନରେ ଶାହା ଏନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ତାଗିଦ କରିଛନ୍ତି।
୨୦୧୪ରେ ସମଗ୍ର ଦେଶରେ ମୋଦି ହାୱାରେ ପଦ୍ମ ଫୁଟିଥିଲା। ମାତ୍ର ଓଡ଼ିଶାରେ ତାହା ସମ୍ଭବ ହୋଇ ନ ଥିଲା। ବିଜେପି ନେତାମାନେ ଯେତିକି ଆସନ ଦାବି କରୁଥିଲେ ସେତିକି ସଂଖ୍ୟକ ଆସନ ମଧ୍ୟ ମିଳି ନ ଥିଲା। ବିଜେପିକୁ ମାତ୍ର ଗୋଟିଏ ଲୋକସଭା ଓ ୧୦ଟି ବିଧାନସଭା ଆସନରେ ସନ୍ତୁଷ୍ଟ ରହିବାକୁ ପଡିଥିଲା। ଫଳରେ ରାଜ୍ୟ ବିଜେପି ନେତାଙ୍କ ମନୋବଳ ଭାଙ୍ଗି ଯାଇଥିଲା।
ନିର୍ବାଚନ ପରେ ଶାହା ବଜେପିର ରାଷ୍ଟ୍ରୀୟ ସଭାପତି ହୋଇଥିଲେ। ସଭାପତି ହେବା ପରେ ସେ ‘ପୂର୍ବାଞ୍ଚଳ ମିଶନ’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନର ଲକ୍ଷ୍ୟ ଥିଲା ବିହାର, ପଶ୍ଚିବଙ୍ଗ ଏବଂ ଓଡ଼ିଶାରେ ପଦ୍ମ ଫୁଟାଇବା। ହେଲେ ବିହାର ଓ ପଶ୍ଚିମବଙ୍ଗରେ ଏହି ମିଶନ ଫେଲ୍ ମାରିଥିଲା। ମାତ୍ର ନିକଟରେ ଏକ ଘଟଣାକ୍ରମରେ ବିହାରରେ ମେଣ୍ଟ ଶାସନ ଜରିଆରେ ବିଜେପି ପୁଣି କ୍ଷମତାକୁ ଫେରିଛି।
ବିହାରରେ ବିଜେପିର ମେଣ୍ଟ ଶାସନ ଆରମ୍ଭ ହେବା ପରେ ଶାହା ଓଡ଼ିଶାକୁ ଫୋକସ୍ କରିଛନ୍ତି। ସେଥିପାଇଁ ବାରମ୍ବାର ଓଡ଼ିଶା ଗସ୍ତରେ ଆସି କର୍ମକର୍ତ୍ତାଙ୍କ ମନୋବାଳ ବଢ଼ାଉଛନ୍ତି।
ଏପଟେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ୍ ଏବଂ କୌଶଳ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇ ଓଡ଼ିଶା ବିଜେପିକର୍ମୀଙ୍କ ମନରେ ଉତ୍ସାହ ଭରିଛନ୍ତି ମୋଦି-ଶାହା ଯୋଡି।  ଏହି ଅତିରିକ୍ତ ଦାୟିତ୍ୱ ଏବଂ ପଦୋନ୍ନତି ସୂଚନା ଦେଉଛି ଯେ, ଧର୍ମେନ୍ଦ୍ର ହେଉଛନ୍ତି ରାଜ୍ୟ ବିଜେପିର ନୂଆ ସମ୍ଭାବନା। ଏଣୁ ଏହାକୁ ଆଖିରେ ରଖି ଶାହା ଓଡ଼ିଶାରେ ପଦ୍ମ ଫୁଟାଇବାର ପ୍ରୟାସ ଆରେମ୍ଭ କରିଛନ୍ତି।
ଶାହା ବୁଧବାର ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ରାଜ୍ୟ ଅତିଥିଭବନ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ଶାହା ସେଠାରେ ବିଶ୍ରାମ କରିବା ପରେ ସନ୍ଧ୍ୟାରୁ ତାଙ୍କ କସରତ ଆରମ୍ଭ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ସେ ଦଳର ପୂର୍ବତନ ସାଂସଦ, ବରିଷ୍ଠ ନେତାଙ୍କ ସହ ଦଳୀୟ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ। ଏଥିରେ ରାଜ୍ୟ ରାଜନୀତିର ସାଂପ୍ରତିକ ସ୍ଥିତି ଏବଂ ବିଭିନ୍ନ ସ୍ଥାନରେ ସଙ୍ଗଠନ କିପରି ଚାଲିଛି ସେ ବିଷୟରେ ଆଲୋଚନା ହୋଇଥିଲା। ତା’ଛଡା ଶାହା ଏଥର ତାଙ୍କ ପଞ୍ଚମ ଗସ୍ତରେ ଆଉ ଏକ ଷ୍ଟ୍ରୋକ ଖେଳିଛନ୍ତି।
ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ, କିଛି ଅବସରପ୍ରାପ୍ତ କର୍ମଚାରୀ ଏବଂ ବୁଦ୍ଧିଜୀବୀଙ୍କୁ ଭେଟିଛନ୍ତି। ଏହାଦ୍ୱାରା ବିଜେପିକୁ ଦୁଇଟି ଲାଭ ମିଳିବ ବୋଲି କୁହାଯାଉଛି। ପ୍ରଥମ କଥା ହେଉଛି ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ମନରେ ଶାହା ବିଶ୍ୱାସ ଜନ୍ମାଇବେ ଏବଂ ଦ୍ୱିତୀୟ କଥା ହେଉଛି ବିଜେପି ପ୍ରତି ଓଡ଼ିଶାର ସାଧାରଣ ଲୋକଙ୍କ ଧାରଣା କ’ଣ ସେ ସମ୍ପର୍କରେ କିଛି ସୂଚନା ପାଇବେ।
ଖାଲି ସେତିକି ନୁହେଁ, ୭ ତାରିଖରେ ଶାହା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୁଣି ତାଙ୍କ ମନ୍ଥନ ଆରମ୍ଭ କରିବେ। ୩୦ଟି ଜିଲ୍ଲାର ୩୬ଟି ସାଙ୍ଗଠନିକ ମଣ୍ଡଳର କାର୍ଯ୍ୟକର୍ତ୍ତା ଏବଂ ୯ଟି ପ୍ରକଳ୍ପର ଛାମୁଆ କର୍ମୀ ଶାହାଙ୍କ ସହ ଆଲୋଚନା କରିବେ। ଜୁଲାଇ ଗସ୍ତ ବେଳେ ଦେଇଥିବା ଟାସ୍କ କେତେଦୂର କାର୍ଯ୍ୟକାରୀ ହୋଇଛି ତାହାର ସମୀକ୍ଷା କରିବେ। ମିଶନ-୧୨୦କୁ ସଫଳ କରିବା ପାଇଁ ନୂଆ ଟାସ୍କ ଦେବେ। ୮ ତାରିଖରେ ୧ ଲକ୍ଷ କର୍ମୀଙ୍କୁ ‘କାର୍ଯ୍ୟକର୍ତ୍ତା ମହା ଅଧିବେଶନ’ ରାଲିରେ ଉଦବୋଧନ ଦେବେ।
ଶାହାଙ୍କ ୩ ଦିନିଆ ମାନସମନ୍ଥନ ଏବେ ରାଜ୍ୟ ରାଜନୀତିରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ୧ ଲକ୍ଷ କର୍ମୀଙ୍କୁ ବିଜେପି ଏକାଠି କରୁଥିବାରୁ ବିଜେଡି ଏବଂ କଂଗ୍ରେସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
(ପ୍ରସ୍ତୁତି: ସରୋଜ)
Tags: Mission-120, Amit Shah, Bhubaneswar News, BJP, Breaking News, Dharmendra Pradhan, Latest News, Odisha Breaking News, Odisha News, Odisha Politics, Odisha Stories, Odisha Top Stories, Politics, Top Stories

 

Comment