ଓଡ଼ିଶାଲାଇଭ୍ ବ୍ୟୁରୋ

ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାନବମୀ ପୂଜା। ଏଥିପାଇଁ ଟ୍ବିନ୍‌ସିଟିର ପୂଜା ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ହାତରେ ଭୋଗ ଏବଂ ପୂଜା ସାମଗ୍ରୀ ଧରି ଶ୍ରଦ୍ଧାଳୁ ବିଭିନ୍ନ ପୂଜା ମଣ୍ଡପରେ ଲମ୍ବାଧାଡ଼ିରେ ଛିଡ଼ା ହୋଇଛନ୍ତି। ଘଣ୍ଟଘଣ୍ଟା ଓ ପଣ୍ଡିତଙ୍କ ମନ୍ତ୍ର ଧ୍ୱନିରେ ପୂଜା ମଣ୍ଡପ ପ୍ରକମ୍ପିତ ହେଉଛି। ସେହିପରି ବଭିନ୍ନ ଶକ୍ତି ପୀଠରେ ମା’ଙ୍କ  ଦଶମୀ ପୂଜା ମହା ଆଡ଼ମ୍ବରରେ ପାଳନ କରାଯାଉଛି।
ପୂଜାମଣ୍ଡପରେ ମା’ଙ୍କ ନବମୀ ପୂଜା ସ୍ବତନ୍ତ୍ର ରୀତିନୀତିରେ କରାଯାଉଛି। ଚଣ୍ଡିପାଠ କରାଯିବା ସହ ସନ୍ଧି ପୂଜା ସମ୍ପନ୍ନ ହୋଇଛି। ଏହାଛଡ଼ା ନବମୀରେ ମା’ଙ୍କ କୁଆଁରୀ ପୂଜା ଅନୁଷ୍ଠିତ ହୋଇଛି। ପୂଜାମଣ୍ଡପରେ ଜଣେ କୁଆଁରୀ ଝିଅକୁ ମହାଲକ୍ଷ୍ମୀ ଭଳି ସୁସଜ୍ଜିତ କରି ବସାଯାଇଥାଏ। ଏହାପରେ ତାଙ୍କୁ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି। ଏହି ପରମ୍ପରା ଦେଖିବା ପାଇଁ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।
ଟ୍ବିନସିଟିରେ ସକାଳୁ ପାଗ କୋହଲା ରହିଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ମା’ଙ୍କ ନବମୀ ପୂଜା ଦେଖିବା ପାଇଁ ଘରୁ ବାହାରି ଆସିଛନ୍ତି। ନବମୀ ପୂଜା ପରେ କମିଟିର କର୍ମକର୍ତ୍ତା ଦଶମୀ ପୂଜା ପ୍ରସ୍ତୁତିରେ ଲାଗିପଡ଼ିବେ।
କଟକର ଚାନ୍ଦିନୀଚୌକ, ଖାନ୍‌ନଗର, ଦର୍ଘା ବଜାର, ଚୌଧୁରୀ ବଜାର, ଅଲିଶା ବଜାର, କଲେଜ ଛକ, ଚାଉଳିଆ ଗଞ୍ଜ, ଦୋମୁଣ୍ଡାଇ ଭଳି ପ୍ରମୁଖ ପୂଜା ମଣ୍ଡପରେ ଦିନ ତମାମ୍‍ ଭିଡ଼ ଜମୁଥିବା ବେଳେ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକେ ଉପଭୋଗ କରୁଛନ୍ତି।
ସେହିପରି ଭୁବନେଶ୍ୱରର ରସୁଲଗଡ଼, ପୁରୁଣା ଷ୍ଟେସନବଜାର, ବମିଖାଲ, ଝାରପଡ଼ା, ସହିଦନଗର, ନୟାପଲ୍ଲୀ, ବରମୁଣ୍ଡାରେ ନିର୍ମିତ ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପୁରୁଣା ଭୁବନେଶ୍ବରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାମଣ୍ଡପରେ ମା’ଙ୍କ ଆରାଧନା ଚାଲିଛି। ନବମୀ ଉପଲକ୍ଷେ ଅଧିକାଂଶ ମଣ୍ଡପରେ ଶଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।
 

Comment