ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ଗଣ ଦୁଷ୍କର୍ମରୁ ରାଜନୈତିକ ଫାଇଦା ନେବା ପାଇଁ ପଦଯାତ୍ରା ଆୟୋଜନ କରୁଛି କଂଗ୍ରେସ। ହେଲେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅସହଯୋଗ କଂଗ୍ରେସର ‘ଏକତା’ ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାରେ ବିଜେପି ନୀରବ ରହିଛି। ସିଆର୍‌ପିଏଫ୍‌ ଯବାନଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସୁଥିବାରୁ ଏଥିରୁ ରାଜନୈତିକ ଫାଇଦା ନେବା ପାଇଁ କଂଗ୍ରେସ ଚାହୁଁଛି। ହେଲେ ଦଳ ଫାଇଦା ନେବ କ’ଣ କଂଗ୍ରେସରେ ଥିବା ଫାଟ ଦଳକୁ ପୁଣି ଅଡ଼ୁଆରେ ପକାଇଛି।
ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ୭ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦ ଡାକରାରେ କୋରାପୁଟରେ ଚକ ଅଖ ବନ୍ଦ ହୋଇଯାଇଥିଲା। ଏହାର ନେତୃତ୍ବ ନେଇଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଜିଲ୍ଲାର ବହୁ ଛାମୁଆ କଂଗ୍ରେସ କର୍ମୀ ଏଥିରେ ସାମିଲ୍‌ ହୋଇଥିଲେ। କୋରାପୁଟ ବନ୍ଦ ସଫଳ ହେବା ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବରିଷ୍ଠ ନେତା ଜ଼ୟଦେବ ଜେନା ଏବଂ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା କୋରାପୁଟରେ ଆଜି ସନ୍ଧ୍ୟାରେ ପହଞ୍ଚିଛନ୍ତି। କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କୁନ୍ଦୁଲି ପୀଡିତାଙ୍କୁ ଭେଟିବା ସହ ମଙ୍ଗଳବାର ହେବାକୁ ଥିବା ପଦଯାତ୍ରାରେ ସାମିଲ୍‌ ହେବେ। ପୀଡିତାଙ୍କ ଗାଁରୁ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଅଫିସ ପର୍ଯ୍ୟନ୍ତ ଯିବ ଏହି ପଦଯାତ୍ରା। ହେଲେ ପଦଯାତ୍ରା ଆରମ୍ଭ ହେବା ପୂର୍ବରୁ କଂଗ୍ରେସରେ ପୁଣି ଫାଟ ଦେଖିବାକୁ ମିଳିଛି। ଏହି ପଦଯାତ୍ରାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସାମିଲ ହେବେ ନାହିଁ ବୋଲି କହିଛନ୍ତି। ପଦଯାତ୍ରା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ସେ କହିଛନ୍ତି।
ତାରା ପ୍ରସାଦ ବାହିନୀପତି କହିଛନ୍ତି, “ପଦଯାତ୍ରା ଆୟୋଜନ ହେବା କଥା ମୁଁ ଜାଣି ନାହିଁ। କାରଣ ମୋତେ ନିମନ୍ତ୍ରଣ ମିଳିନାହିଁ। ବିନା ନିମନ୍ତ୍ରଣରେ ମୁଁ କେଉଁଠାକୁ ଯାଏ ନାହିଁ।”
ବାହିନୀପତିଙ୍କ ଏହି ରୋକଠୋକ୍‌ ମନ୍ତବ୍ୟ କଂଗ୍ରେସର ଏକତା ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ତାରା ନୁହନ୍ତି, କୋଟପାଡ଼ ବିଧାୟକ ଚନ୍ଦ୍ର ଶେଖର ମାଝିଙ୍କ ସମେତ ଅନ୍ୟ ନେତା ମଧ୍ୟ ପଦଯାତ୍ରାରେ ସାମିଲ ନହେବାର ସମ୍ଭାବନା ରହିଛି।
ଦୀର୍ଘ ଦିନ ଧରି ତାରା ଏବଂ ପିସିସି ଟିମ୍‌ଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଗତ ପଞ୍ଚାୟତ ନିର୍ବାଚନ ବେଳେ ପ୍ରସାଦ ଏବଂ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ସମୀକ୍ଷା ବୈଠକ କରିବାକୁ ଯାଇଥିଲେ। ହେଲେ ତାରା ଏହି ବୈଠକରେ ଉପସ୍ଥିତ ନଥିଲେ। ଖାଲି ସେତିକି ନୁହେଁ, ପ୍ରସାଦଙ୍କ ବିରୋଧରେ ତାରା ବିଷୋଦଗାର ମଧ୍ୟ କରିଥିଲେ। ଏହାକୁ ନେଇ ତାରା ଏବଂ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଥିଲା। ଏହାପରେ ଆରମ୍ଭ ହୋଇଥିଲା ପିସିସି ସଭାପତି ହଟାଓ ଅଭିଯାନ। ଏହି ଅଭିଯାନ ଆରମ୍ଭ ହେବା ପରେ ପ୍ରସାଦ ନୀରବ ରହିଥିଲେ। ଦୀର୍ଘ ଦିନର ନୀରବତା ପରେ ଏବେ ପୁଣି ପ୍ରସାଦ ମଇଦାନକୁ ଓହ୍ଲାଇଛନ୍ତି। କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାରୁ ରାଜନୈତିକ ଫାଇଦା ନେବା ଲାଗି କଂଗ୍ରେସ ଉଦ୍ୟମ ଆରମ୍ଭ କରିଥିଲେ ହେଁ ତାରା ବାହିନୀପତିଙ୍କ ଅସହଯୋଗ କଂଗ୍ରେସ ଏବଂ ପିସିସି ଟିମ୍‌କୁ ମହଙ୍ଗା ପଡ଼ିଛି।

 

Comment