ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଇପ୍ ପଲିଟିକ୍ସକୁ ନେଇ ଆଜି ରାଜ୍ୟ ରାଜନୀତି ଉଠିଛି ପଡ଼ିଛି। ରାଜ୍ୟ ସରକାରଙ୍କ  ପାଇପ୍‌ ଯୋଗେ ଜଳ ଯୋଗାଣ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗଟେ କରିଥିବା ବେଳେ ବିଜେଡି ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ଉପରେ ଆଙ୍ଗୁଠି ଉଠାଇଛି। ଦୁଇ ଦିନ ହେଲା କୋହଲା ପାଗରେ ଓଡ଼ିଶା ଥଣ୍ଡା ପଡ଼ି ଯାଇଥିବା ବେଳେ ପାଇପ୍‌ ପଲିଟିକ୍ସ ରାଜ୍ୟ ରାଜନୀତିକୁ ସରଗରମ୍ କରିଦେଇଛି।

ଭୁବନେଶ୍ୱର ନାଲ୍‌କୋ ନଗରରେ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍‍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶ ଆଡ଼କୁ ଗତି କରୁଥିବା ବେଳେ ୧୭ ବର୍ଷର ଓଡ଼ିଶା ସରକାର ରାଜ୍ୟର ଉନ୍ନତି କରିବାରେ ବିଫଳ ବୋଲି କହିଛନ୍ତି। କଟକରେ ଆୟୋଜିତ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶିଳାନ୍ୟାସକୁ ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “କଟକ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମ ଭୂମି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଭୂମି। କଟକରେ ଜନ୍ମ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ୧୭ ବର୍ଷ ହେଲା ଓଡ଼ିଶା ଶାସନର ଡୋର ଧରିଛନ୍ତି। ହେଲେ ୧୭ ବର୍ଷ ଭିତରେ କଟକର ବିକାଶ କଥା ଚିନ୍ତା କରି ନାହାନ୍ତି। ୧୭ ବର୍ଷ ପରେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା କଥା ଚିନ୍ତା କରିବା ଦୁର୍ଭାଗ୍ୟଜନକ।”
ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ମାତ୍ର ଅଳ୍ପ କେଇ ଘଣ୍ଟା ପରେ ବିଜେଡି ପାଇପ୍ ଯୋଗେ ଗ୍ୟାସ୍‌ ଯୋଗାଣକୁ ଟାର୍ଗଟେ କରିଛି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ପ୍ରତାପ କେଶରୀ ଦେବ ଏବଂ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଯୋଜନାକୁ ସମାଲୋଚନା କରିଛନ୍ତି। କହିଛନ୍ତି, ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ। ଏଣୁ କେନ୍ଦ୍ରମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନ୍ଧାରରେ ନରଖି ପ୍ରକୃତ ତଥ୍ୟ ସ୍ପଷ୍ଟ କରନ୍ତୁ।
ବିଜେଡି କହିଛି ଯେ, ୨୦୦୯ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖିଥିଲେ। ୨୦୧୨ରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ୨୦୧୬ରେ ମଞ୍ଜୁରି ମିଳିଥିଲା।
ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, “କେନ୍ଦ୍ର ସରକାରଙ୍କ ଏକ କେଲାନିର କାହିଁକି ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ ହେଲା? ଭୁବନେଶ୍ୱର ଏକ ବସ୍ତିରୁ ଏହି ପ୍ରକଳ୍ପ ଶୁଭାରମ୍ଭ କାହିଁକି କରାଗଲା ନାହିଁ?”

 

Comment