ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କ କଡ଼ା ପରୀକ୍ଷା ନିଜ ରାଜ୍ୟ ଗୁଜରାଟରେ ହିଁ ହେବାକୁ ଯାଉଛି। ଭାଜପା ଭାବିଥିଲା ଉତ୍ତରପ୍ରଦେଶରେ ଜିତିବା ପରେ ଗୁଜରାଟରେ ପୁଣି ଥରେ ସରକାର ଗଢିବା ସହଜ ହେବ। କିନ୍ତୁ ଯେତିକି  ଯେତିକି ସମୟ ପାଖେଇ ଆସୁଛି ବିଜେପିର ନିଦ ହଜିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
୨୨ ବର୍ଷ ଧରି ଗୁଜରାଟକୁ କବଳିତ କରି ରଖିଥିବା ବିଜେପି ପ୍ରଥମ ଥର ପାଇଁ କଡ଼ା ଚାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛି। ବଡ଼ କଥା ହେଉଛି ଏଥରର ନିର୍ବାଚନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜେପି ସଭାପତି ଅମିତ ଶାହାଙ୍କ ଅକାଟ୍ୟ ରଣନୀତିର ପରୀକ୍ଷା ମଧ୍ୟ ଏବେ ଗୁଜରାଟରେ ହିଁ ହେବ।
ଖବର ମିଳିଛି ଯେ ନିକଟରେ ମୋଦି ଗୁଜରାଟରେ ଯେଉଁ ରାଲି କରିଥିଲେ ସେହି ରାଲିରେ ଭିଡ଼ ପରିଲକ୍ଷିତ ତ ହୋଇଥିଲା, କିନ୍ତୁ ବିଜେପିକୁ ଏହା ବିଶେଷ ଫାଇଦା ଦେଇନାହିଁ। ବିଜେପି ନେତାମାନେ ଭାବିଥିଲେ ଏହି ରାଲିରୁ ନିର୍ବାଚନ ବିଗୁଲ୍‌ ବାଜିବ। ହେଲେ ଏହାର ପ୍ରଭାବ ଏତେ ବେଶି ନଥିଲା।
ମଜା କଥା ହେଉଛି ମଞ୍ଚ ଉପରୁ ମୋଦିଙ୍କ ଭାଷଣକୁ ଲାଇଭ୍ ଟେଲିକାଷ୍ଟ କରିବା ପାଇଁ ଟିଭି ଚାନେଲ୍‌ମାନେ ନିଜକୁ ‍ପ୍ରସ୍ତୁତ କରିଥିଲେ। କିନ୍ତୁ ଠିକ୍ ସେହି ସମୟରେ ଆରୁଷି ହତ୍ୟା ମାମଲାରେ ରାଜେଶ ଓ ନୁପୁର ତଲୱାର ନିର୍ଦ୍ଦୋଷରେ ଖଲାସ ଖବର ଆସିବା ପରେ ଚାନେଲ୍‌ମାନେ ସେମାନଙ୍କ କ୍ୟାମେରାକୁ ସେଇଆଡେ ମୁହାଁଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍ ବରଷିଥିଲେ।କିନ୍ତୁ ଲୋକଙ୍କ ଉପରେ ଏହା ସେଭଳି କିଛି ପ୍ରଭାବ ବିସ୍ତାର କରିପାରିନଥିଲା।
ଅପର ପକ୍ଷରେ ବିଜେପିକୁ ଅଲଗା ପ୍ରକାର ଚିନ୍ତା ଘାରିଛି। ବିଜେପି ପାଇଁ ଗୁଜରାଟ ଦୁଇଟି ସମସ୍ୟା ସୃଷ୍ଟି କରିଛି। ଗତ କିଛିଦିନ ଧରି କଂଗ୍ରେସ ହଠାତ୍‍ ଜୀବନ୍ତ ହୋଇଉଠିଛି। ପୂର୍ବରୁ କଂଗ୍ରେସ ନେତାମାନେ ନିଜ ନିଜ ମଧ୍ୟରେ ଝଗଡା କରୁଥିଲେ ଓ କିଛି ନେତା ବିଜେପିକୁ ପରୋକ୍ଷରେ ସାହାଯ୍ୟ କରୁଥିଲେ। ଏଥର କିନ୍ତୁ ଘଟଣା ପୂରା ଓଲଟା। ବିଜେପିର କିଛି ବିଧାୟକ ଟିକେଟ କଟିବା ଭୟରେ କଂଗ୍ରେସ ସହିତ ଯୋଗାଯୋଗ କରିବା ଆରମ୍ଭ କଲେଣି। ୨୨ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ଧରିନେଇଥିଲା ଯେ ମୋଦିଙ୍କୁ ହରାଇବା ସହଜ ନୁହେଁ। ଏଥର କିନ୍ତୁ ଦଳ ଦେଖୁଛି ଯଦି କଂଗ୍ରେସର ସବୁ ଗୋଷ୍ଠୀ ଏକାଠି ହେବେ ବିଜେପିକୁ ମାତ୍ ଦେଇହେବ।
ବିଜେପିର ମୁଣ୍ଡ ବ୍ୟଥା କେବଳ କଂଗ୍ରେସ ଦଳରେ ସୀମିତ ନୁହେଁ। ଗୁଜରାଟର ଆଉ ୩ ଜଣ ନେତା ବିଜେପିକୁ ନାକେଦମ କରିସାରିଲେଣି। ଏହି ତିନି ନେତା ହେଲେ ପଟେଲ ସମୁଦାୟ ର ହାର୍ଦିକ ପଟେଲ,ଦଳିତ ସଂପ୍ରଦାୟର ଜିଗ୍ନେସ୍ ମେବାନି ଓ ପଛୁଆ ବର୍ଗର ନେତା ଅଲ୍‌ପେସ୍ ଠ।କୋର। ଏସମସ୍ତଙ୍କୁ ନିଜ ଆଡକୁ ଟାଣି ଆଣିବା ପାଇଁ ବିଜେପି ଉଦ୍ୟମ କରିଥିଲା, କିନ୍ତୁ ସେମାନେ ରୋକଠୋକ୍ ମନା କରିଦେଇଛନ୍ତି। ଶୁଣାଯାଉଛି ହାର୍ଦିକ ପଟେଲ ଓ କଂଗ୍ରେସ ଭିତରେ ବୁଝାମଣା ପ୍ରାୟ ସରିଛି। ହାର୍ଦିକ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଦୁଇଥର ବ୍ୟାକ୍ ଚାନେଲ କଥାବାର୍ତ୍ତା ହୋଇଥିବା ପ୍ରକାଶ। ରାହୁଲ କୁଆଡ଼େ ହାର୍ଦିକଙ୍କ ସବୁ ସର୍ତ୍ତକୁ ମାନି ନେଇଛନ୍ତି।
ହାର୍ଦିକ ଚାହୁଁଛନ୍ତି ଯେ କୌଣସି ପ୍ରକାର ବିଜେପିକୁ ହରାଇବେ। ଜିଗ୍ନେସ୍ ମଧ୍ୟ ନିଜ ଜିଦରେ ଅଟଳ। ସେ ବିଜେପିକୁ କୌଣସି ପ୍ରକାର ସାହାଯ୍ୟ କରିବାକୁ ନାରାଜ। ଜିଗ୍ନେସ୍ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ ଓ ନିଜ ଦଳ ଗଠନ କରିବେ। ଯଦି ତାହା ନ ହୁଏ, ଏହି ପଛୁଆ ବର୍ଗର ଭୋଟ ମଧ୍ୟ କଂଗ୍ରେସକୁ ଯାଇପାରେ।
କୁହାଯାଉଛି, ଗୁଜରାଟରେ ବିଗତ ୨୨ ବର୍ଷ ଭିତରେ ବିଜେପି କେବଳ ଦୁଇଜଣ ନେତାଙ୍କୁ ହିଁ ସାମ୍ନାକୁ ଆଣିଛି। ବାକି ଯେଉଁମାନେ ଉପରକୁ ଉଠିବା ପାଇଁ ଚାହୁଁଥିଲେ ସେମାନଙ୍କୁ ଦବେଇ ଦିଆଯାଇଥିଲା। ଫଳସ୍ୱରୂପ ଆଜି ହାର୍ଦିକ ପଟେଲ, ଅଲ୍‌ପେସ୍ ଓ ଜିଗ୍ନେସଙ୍କ ଭଳି ନେତାଙ୍କୁ ସାମ୍ନା କରିବା ପାଇଁ ବିଜେପିରେ କେହିନାହାଁନ୍ତି।
ମୋଟାମୋଟି କଥା ହେଉଛି, ଯଦି ରାହୁଲ ଗାନ୍ଧୀ ଆଗାମୀ ଦିନରେ ତାଙ୍କ ପକଡକୁ ଜୋରଦାର କରିନିଅନ୍ତି ତେବେ ମୋଦି-ଶାହା ଯୋଡ଼ିକୁ ଆସନ୍ତା ବିଧାନସଭା ନିର୍ବାଚନରେ ବିରାଟ ଧକ୍କା ପହଞ୍ଚିପାରେ।

Comment