(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନିରାଶ ହେବାକୁ ପଡ଼ିଛି। ଜାମିନ୍‌ ଆବେଦନ ଶୁଣାଣିକୁ ହାଇକୋର୍ଟ ଘୁଞ୍ଚାଇ ଦେବା ସହ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ହାଇକୋର୍ଟ ପ୍ରଭାତଙ୍କ ଜାମିନ୍‌ ଆବେଦନ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ନଭେମ୍ବର ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ଏପଟେ ଷ୍ଟାଟସ୍‌ ଓ ମେଡିକାଲ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ସିବିଆଇକୁ କହିଛନ୍ତି।

ସିସୋର ଚିଟଫଣ୍ଡ ସଂସ୍ଥା ସହ ଟଙ୍କା ଓ ଜମି କାରବାର ଅଭିଯୋଗ ନେଇ ସିବିଆଇ ପ୍ରଭାତଙ୍କୁ ଗିରଫ କରିଥିଲା। ସେପ୍ଟେମ୍ବର ୧୮ ତାରିଖରେ ପ୍ରଭାତଙ୍କୁ ଗିରଫ ହୋଇ ଜେଲ୍‌ ଯାଇଥିଲେ। ମାତ୍ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାତ ଏଠାରେ ଚିକିତ୍ସାଧୀନ ଅଛନ୍ତି।

ପ୍ରଥମେ ପ୍ରଭାତଙ୍କ ଓକିଲ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ପରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ମଧ୍ୟ ଜାମିନ୍ ଖାରଜ ହୋଇଥିଲା। ଏହାପରେ ପ୍ରଭାତ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। ତାଙ୍କୁ ସର୍ତ୍ତମୂଳକ ଜାମିନ୍ ଦିଆଯାଉ ବୋଲି ପ୍ରଭାତଙ୍କ ଓକିଲ ଦର୍ଶାଇଥିଲେ।

ସୋସୋର୍‌ ସହ ଜମି କିଣାବିକାକୁ ନେଇ ଉଭୟ ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ ବାରମ୍ବାର ସିବିଆଇ ଜୋରାର ସମ୍ମୁଖୀନ ହୋଇଥିଲେ। ଏହାପରେ ୨୦୧୭ ଜାନୁୟାରୀ ୧୨ରେ ସିବିଆଇ ପ୍ରଭାତଙ୍କ ଘରେ ରେଡ୍‌ କରିଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ପରେ ପ୍ରଭାତଙ୍କୁ ସିବିଆଇ ଗିରଫ କରିଛି।

 

Comment