(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଚାଷୀଙ୍କୁ ହାତ ଯୋଡ଼ିଛନ୍ତି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଲକ୍ଷ୍ମୀ ଠାକୁରାଣୀଙ୍କୁ ନପୋଡ଼ିବାକୁ ନିବେଦନ କରିଛନ୍ତି ଏହି ବରିଷ୍ଠ ନେତା।

ଚକଡ଼ା ପୋକକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ବରଗଡ଼ରୁ ରାୟଗଡା ପର୍ଯ୍ୟନ୍ତ ସବୁଠି ଜଳୁଛି ଫସଲ। ଫସଲ ନଜାଳିବାକୁ ଗୁରୁବାର ସମ୍ବଲପୁର ଜିଲ୍ଲାପାଳ ନିବେଦନ କରିବା ପରେ ଆଜି ନିଜେ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ହାତ ଯୋଡ଼ିଛନ୍ତି।

ଡାକ୍ତର ରାଉତ କହିଛନ୍ତି, “ଧାନ ହେଉଛି ଲକ୍ଷ୍ମୀଠାକୁରାଣୀ। ତାକୁ ନିଆଁ ଲଗାଇ ନଷ୍ଟ କରିବା ଅନୁଚିତ୍। ଚାଷୀଙ୍କର ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଅଫିସରମାନେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କରୁଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ଯାହା ନିୟମ କରିଛନ୍ତି ତାହା ଚାଷୀଙ୍କୁ ଦିଆଯିବ। ତାଛଡା ନକଲି କୀଟନାଶକ ଯଦି ଚାଷୀଙ୍କୁ ଦିଆଯାଇଥିବ ତାହାଲେ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଚକଡ଼ା ପୋକର ପ୍ରାଦୁର୍ଭାବ ସହି ନପାରି ବରଗଡ଼ ଜିଲ୍ଲା କାଳିଆପାଣି ଅଞ୍ଚଳର ଚାଷୀ ବୃନ୍ଦା ସାହୁ ପ୍ରଥମେ ତାଙ୍କ ଫସଲ ଜାଳି ଦେଇଥିଲେ। ପରେ ଦୁଃଖ ସହି ନପାରି ଜୀବନ ହାରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ନିଆଁ ଜିଲ୍ଲାରୁ ଜିଲ୍ଲାକୁ ଡେଇଁଛି। ପୋକ ଦାଉ ସହି ନପାରି ଚାଷୀ ଫସଲ ନଷ୍ଟ କରୁଛନ୍ତି।

 

Comment