(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ରାଜ୍ୟରେ ଚକଡା ପୋକ ଲାଗିବା ଫଳରେ ଖରିଫ ଫସଲ ନଷ୍ଟ ହେବା ଓ ଘନଘନ ଚାଷୀ ଆତ୍ମହତ୍ୟା ଏକ ରକମ ନବୀନ ପଟ୍ଟନାୟକ ସରକାରଙ୍କ ନିଦ ହଜେଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ଆରମ୍ଭକରି ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ-ଓଡିଶାର ୪/୫ ଜିଲ୍ଲାରେ ପରିସ୍ଥିତି ସଂଗିନ। ଯଦିଓ ସରକାରୀ ଭାବେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିବା କଥା କୁହାଯାଉଛି, ବାସ୍ତବତା କିନ୍ତୁ ଅଲଗା।

ପାଖାପାଖି ଦେଢ଼ ଲକ୍ଷ ହେକ୍ଟର ଚାଷଜମିରେ ଧାନ ଫସଲ ନଷ୍ଟ ହେବା ପରେ ମନ୍ତ୍ରୀ, ସଚିବ ଓ କୃଷି ବିଭାଗ ଅଧିକାରୀମାନେ ବିବ୍ରତ ହୋଇପଡ଼ିଛନ୍ତି। ଏଣେ ଚକଡା ପୋକ ଦାଉରୁ ରକ୍ଷା ପାଇବା ପାଇଁ ଚାଷୀମାନେ ବିଲରେ ଫସଲ ପୋଡୁଥିବା ବେଳେ ତେଣେ ଅଫିସରଙ୍କ ମୁଣ୍ଡ ମଧ୍ୟ ଗରମ। ତା’ ନ ହୋଇଥିଲେ ରବିବାର ଦିନ (ତାହା ପୁଣି ଛାଡ଼ଖାଇରେ!) ସଚିବାଳୟରେ ତୁଙ୍ଗ ଅଧିକାରୀମାନେ ତୁହାକୁ ତୁହା ବୈଠକ ଅନୁଷ୍ଠିତ କରିନଥା’ନ୍ତେ। ପ୍ରକୃତ କଥା ହେଉଛି ଅଚାନକ ଚକଡା ପୋକ ଯୋଗୁଁ ଫସଲ ନଷ୍ଟ ପାଇଁ କେହି ପ୍ରସ୍ତୁତ ନଥିଲେ। କୃଷି ବିଭାଗ ଅଧିକାରୀମାନେ ନାହିରେ ତେଲ ଦେଇ ଶୋଇପଡିଲେ ଯାହାଫଳରେ କି ଅବସ୍ଥା ଗୁରୁତର ହେଲା।

ଚକଡା ପୋକ ଘଟଣାରେ କୃଷିବିଭାଗ ଏବେ ପୂରା ବଦନାମ। ଏଥିରେ ବେଶି ଅସୁବିଧାରେ ପଡିଛନ୍ତି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନିଜେ। ଅଯଥା ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବିବାଦ ଭିତରକୁ ଟାଣି ହେବାକୁ ଭଲ ପାଉଥିବା ଦାମବାବୁ କିନ୍ତୁ ଫସଲହାନି ଓ ଚାଷୀ ଆତ୍ମହତ୍ୟା ଘଟଣାରେ ପୂରା କ୍ଲିନ ବୋଲ୍‌ଡ ହୋଇଯାଇଛନ୍ତି।

‘ସ୍ୱାମୀ ଛାଡ଼ି ଅଙ୍ଗନବାଡି’ ମନ୍ତବ୍ୟ ପରେ ବିରୋଧୀ ଓ ବିଶେଷ କରି ବିଜେପିର ଷଣ୍ଡୁଆସି ଆକ୍ରମଣରେ ବେହାଲ ହୋଇଥିବା ଡାକ୍ତର ରାଉତ ବାଧ୍ୟହୋଇ କ୍ଷମାପ୍ରାର୍ଥନା କରୁଛି ବୋଲି ବା ସେଭଳି କିଛି ଯାଚଜ୍ଞା ଦେବା ପର୍ଯ୍ୟନ୍ତ କଥା ଯାଇଥିଲା। ପାଟିରେ ବାଡ଼ବତା ରହୁନଥିବା କୃଷିମନ୍ତ୍ରୀ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଲେ ଯେ ଯେଉଁମାନେ ଫସଲ ପୋଡି ଦେଉଛନ୍ତି ସେମାନଙ୍କୁ କ୍ଷତିପୂରଣ ମିଳିବ ନାହିଁ। ଏହିଭଳି ଦେଖିବାକୁ ଗଲେ ଡାକ୍ତର ରାଉତ ନିଜ ପାଇଁ ଓ ସରକାରଙ୍କ ପାଇଁ ବର୍ତ୍ତମାନ ଏକ ବଡ଼ ବୋଝ ହୋଇପଡିଛନ୍ତି।

ନିଜ ଆତ୍ମରକ୍ଷା ପାଇଁ ହେଉ କି ସରକାରକୁ ସମାଲୋଚନାରୁ ବଞ୍ଚାଇବା ସକାଶେ ହେଉ, ମନ୍ତ୍ରୀ କୁଆଡେ଼  କୃଷି ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପରେ ଖୁବ୍ ଖପ୍ପା ହୋଇପଡିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧିଜନିତ ଚକଡା ପୋକ ଲାଗିବା ଘଟଣାରେ ତାଙ୍କୁ କେହି ଆଗୁଆ ସୂଚନା ଦେଇନଥିଲେ ବୋଲି ମନ୍ତ୍ରୀ କୁଆଡ଼େ କ୍ଷୋଭ ପ୍ରକାଶ କରିଛନ୍ତି। ରାଉତଙ୍କ କହିବା କଥା ଯଦି ତାଙ୍କ ବିଭାଗର କେହି ଜଣେ ସଚିବଙ୍କର କୃଷି ସମ୍ପର୍କିତ ଜ୍ଞାନଧାରଣା ଥାଆନ୍ତା, ଚକଡା ପୋକ ଘଟଣାକୁ ଭଲ ଭାବରେ ହ୍ୟାଣ୍ଡଲ କରାଯାଇପାରିଥା’ନ୍ତା।

ଆଠଟି ପାଖାପାଖି ଜିଲ୍ଲାରେ ଏବର୍ଷ ଖରିଫ ଫସଲ ନଷ୍ଟ ହେବା ଘଟଣା ବିରୋଧୀ ବିଜେପି ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ମଙ୍ଗଳବାରଠାରୁ ସପ୍ତାହବ୍ୟାପି ୩୧୪ଟି ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଯେଉଁ ଘୋଷଣା କରାଯାଇଛି ତାହା ସରକାରଙ୍କୁ ପୁଣି ଥରେ ଅଡୁଆରେ ପକାଇଛି।

Comment