ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ରେ ରହିଛି ଲୋକସଭା ନିର୍ବାଚନ। ଏହା ପୂର୍ବରୁ ମୋଦୀ ସରକାରଙ୍କ ଚଳିତ ଦଫାର ପଞ୍ଚମ ଓ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟରେ କୃଷକ ଓ କୃଷିକ୍ଷେତ୍ରକୁ ଫୋକସରେ ରଖିଛନ୍ତି କେନ୍ଦ୍ର ସରକାର। ପୂର୍ବ ବର୍ଷର ବଜେଟ୍ ଅପେକ୍ଷା ଚଳିତ ବଜେଟରେ ଯଥେଷ୍ଟ ଅଧିକ ବ୍ୟୟବରାଦ ରଖାଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ବୁଧବାର ବଜେଟରେ କୃଷିକ୍ଷେତ୍ର ପାଇଁ ୨୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ କୃଷିଋଣର ଘୋଷଣା କରିଛନ୍ତି। ଏଥିରେ ପ୍ରାଣୀପାଳନ, ଦୁଗ୍ଧ ଏବଂ ମତ୍ସ୍ୟଚାଷ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ନାମରେ ଏକ ନୂଆ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି, ଯେଉଁଥିରେ ୬ ହଜାର କୋଟି ଟଙ୍କାର ବ୍ୟୟବରାଦ ରହିଛି।

ଦେଶର ୬୩ ହଜାର ପ୍ରାଥମିକ କୃଷି ଋଣ ସମିତିର କମ୍ପ୍ୟୁଟରୀକରଣ କରାଯିବ। ଏଥିପାଇଁ ୨,୫୧୬ କୋଟି ଟଙ୍କାର ଘୋଷଣା ହୋଇଛି।

ଗ୍ରାମାଞ୍ଚଳର ଯୁବ ଉଦ୍ୟୋଗୀମାନଙ୍କ ଦ୍ଵାରା କରାଯାଉଥିବା ଆଗ୍ରି ଷ୍ଟାର୍ଟଅପଗୁଡ଼ିକୁ ବିଶେଷ ପ୍ରୋତ୍ସାହନ ଦେବା ପାଇଁ ସ୍ଵତନ୍ତ୍ର କୃଷି ପାଣ୍ଠିର ବ୍ୟବସ୍ଥା କରାଯାଇଛି।

ଏଥର ବଜେଟରେ ‘ଆତ୍ମନିର୍ଭର କ୍ଲିନ ପ୍ଳାଣ୍ଟ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି, ଯେଉଁଥିରେ ଉଦ୍ୟାନ କୃଷି ଲାଗି ଉନ୍ନତମାନର ସୁସ୍ଥ ଚାରା ଉପଲବ୍ଧ କରାଯିବ। ଏଥିପାଇଁ ୨,୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

୨୦୨୩ ହେଉଛି ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ। ମାଣ୍ଡିଆ ଏବଂ ଅନ୍ୟ ପୁଷ୍ଟିଶସ୍ୟକୁ ଲୋକପ୍ରିୟ କରିବାରେ ଭାରତ ହେଉଛି ସାରା ବିଶ୍ୱରେ ଏକ ଅଗ୍ରଣୀ ରାଜ୍ୟ। ଖାଦ୍ୟ ନିରାପତ୍ତା ଓ ପୋଷଣ କାର୍ଯ୍ୟକ୍ରମରେ ପୁଷ୍ଟିଶସ୍ୟ ସାମିଲ ହେବା ସହ ଚାଷୀଙ୍କ ପାଇଁ ଏହା ଏକ ଆୟକାରୀ ଫସଲ ହୋଇପାରିଛି। ତେଣୁ, ଭାରତକୁ ପୁଷ୍ଟିଶସ୍ୟର ଅନ୍ତର୍ଜାତୀୟ ହବ୍ ଭାବେ ତିଆରି କରାଯିବା ପାଇଁ ବଜେଟରେ ଘୋଷଣା କରାଯାଇଛି।

ଅନ୍ତର୍ଜାତୀୟ ସ୍ତରରେ ପୁଷ୍ଟିଶସ୍ୟର ପ୍ରଚାର ପ୍ରସାର ପାଇଁ ଉନ୍ନତ ପ୍ରଣାଳୀ, ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ପାଇଁ ହାଇଦ୍ରାବାଦ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ସ ରିସର୍ଚ୍ଚକୁ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ହିସାବରେ ଗ୍ରହଣ କରାଯିବ।

‘ଗ୍ରୀନ୍ ଫାର୍ମିଂ’  ବା ପରିବେଶ ଅନୁକୂଳ କୃଷି ପାଇଁ ‘ପ୍ରଧାନମନ୍ତ୍ରୀ-ପ୍ରଣାମ’ ଯୋଜନା ଆରମ୍ଭ କରାଯିବ। ଏଥିରେ ଜୈବିକ ସାରର ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ।

Tags: #Budget2023 #UnionFinanceMinister #NirmalaSitarama #BudgetUpdates #Agriculture

Comment