(ଓଡ଼ିଶାଲାଇଭ୍‌ ବ୍ୟୁରୋ)

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପିଛା ଛାଡ଼ୁନି ବିବାଦ। କେତେବେଳେ ନିମ୍ନମାନର ଚିକିତ୍ସା ପାଇଁ ତ ଆଉ କେତେବେଳେ ଡାକ୍ତରଙ୍କ ଦୁର୍ବ୍ୟବହାର ପାଇଁ ଏହି ମେଡିକାଲ ଆସିଛି ଚର୍ଚ୍ଚାକୁ। କିନ୍ତୁ ଆଜି ଏହି ମେଡିକାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି।

ପାଟକୁରା ଥାନା ବଡବେତରା ଗ୍ରାମର ସୁଶାନ୍ତ କୁମାର ମହାପାତ୍ରଙ୍କ ସ୍ତ୍ରୀ ମଙ୍ଗଳବାର ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅପରାହ୍ନ ୨ଟା୪ ମିନିଟରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ମାତ୍ର ମେଡିକାଲ କର୍ମଚାରୀ କିଛି ସମୟ ପରେ ଏକ ଝିଅ ସନ୍ତାନକୁ ଆଣି ସୁଶାନ୍ତଙ୍କ ପରିବାରବର୍ଗଙ୍କୁ ଦେଇଥିଲେ।

ଏ ସମ୍ପର୍କରେ ସୁଶାନ୍ତ ସିଡିଏମ୍‌ଓଙ୍କୁ ଅବଗତ କରିଥିଲେ। ହେଲେ ସିଡିଏମ୍‌ଓ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସୁଶାନ୍ତ କେନ୍ଦ୍ରାପଡ଼ା ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି।

ପୂର୍ବରୁ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନା ଉପରେ ଶିଶୁ ବଦଳର କଳଙ୍କ ଲାଗିଥିଲା। ଏବେ ପୁଣି ଏହି ମେଡିକାଲ ଶିଶୁ ବଦଳକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି।

Comment