ଗୋଟିଏ ସହର କେତେ ଆଧୁନିକ ତାହା ତା ଗାଡ଼ିଘୋଡ଼ାର ଭିଡ଼ ନୁହେଁ ବରଂ ତା ପରିବେଶରୁ ଜଣାପଡ଼େ।… ‘ଛୋଟ ଛୋଟ କଥା’ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥଙ୍କ ଏକ ସାମୟିକ ସ୍ତମ୍ଭ। ଏହି କ୍ରମରେ ସେ ଆମ ଆଖି ଆଗରେ ପଡ଼ୁଥିବା ବିଭିନ୍ନ ଛୋଟ ଛୋଟ କଥାକୁ ଆପଣମାନଙ୍କ ସାମନାରେ ରଖିବାକୁ ଏକ ଛୋଟ ଉଦ୍ୟମ କରିଛନ୍ତି।

ଗୋଟିଏ ସହର କେତେ ଆଧୁନିକ ତାହା ତା’ର ଗାଡ଼ିଘୋଡ଼ାର ଭିଡ଼ ନୁହେଁ ବରଂ ତା’ର ପରିବେଶରୁ ଜଣାପଡ଼େ। ସେହିପରି ଗୋଟିଏ ଆଧୁନିକ ସହରର ଲୋକମାନେ କେତେ ସଭ୍ୟ ଓ ଶୃଙ୍ଖଳିତ ତାହା ଜାଣିବା ପାଇଁ ସେମାନଙ୍କ ସହ ବ୍ୟକ୍ତିଗତ ସମ୍ପର୍କର ଆବଶ୍ୟକତା ନାହିଁ। ଏକଥା ସେହି ସହରର ଟ୍ରାଫିକକୁ ଦେଖିଲେ ନିଶ୍ଚିତ ଭାବେ ବୁଝିହେବ।

ସେହିପରି ଗୋଟିଏ ସହରର ପୋଲିସ ପ୍ରଶାସନ କେତେ ଦୂରଦୃଷ୍ଟିସମ୍ପନ୍ନ, ଦକ୍ଷ ଏବଂ ସମସାମୟିକ ତାହା ରାସ୍ତାଘାଟର ଗାଡ଼ିଘୋଡା ପରିଚାଳନାରୁ ବୁଝିହେବ। ଏହି ଭାବନା ବା ମାପଦଣ୍ଡରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ପୁରୁଣା ରାଜଧାନୀ କଟକ ବା ଅନ୍ୟ ଯେକୌଣସି ଆଗଧାଡ଼ିର ସହରକୁ ମାପିଲେ କେତେ ମାର୍କ ମିଳିବ ଆପଣ ନିଜେ ଚିନ୍ତା କରିପାରନ୍ତି।

ନିକଟରେ ମୁଁ ଏକ ପାରିବାରିକ ଗସ୍ତରେ ମାଲେସିଆର ତିନୋଟି ସହର ବୁଲି ଯାଇଥିଲି। ସେଗୁଡ଼ିକ ହେଲା ପେନାଙ୍ଗ ରାଜ୍ୟର ରାଜଧାନୀ ଜର୍ଜ ଟାଉନ୍, ଏକ ପାହାଡ଼ିଆ ଅଞ୍ଚଳ କାମେରୁନ୍ ହାଇଲାଣ୍ଡସ ଏବଂ ମାଲେସିଆର ରାଜଧାନୀ କୁଆଲାଲୁମ୍ପୁର୍‌। ମାଲେସିଆର ସ୍ୱାଧୀନତା ସଂଗ୍ରାମର ଇତିହାସ ବେଶୀ ପୁରୁଣା ନୁହେଁ। କିନ୍ତୁ ଅନେକ କ୍ଷେତ୍ରରେ ମନେହୁଏ ଏହି ଦେଶ ଆମଠାରୁ ଉନ୍ନତ। ତେବେ ସେସବୁର କାରଣ ଖୋଜିବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ।

ଜର୍ଜ ଟାଉନ୍ ଏକ ଦ୍ୱୀପ। ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ। ମୁଖ୍ୟତଃ ପର୍ଯ୍ୟଟନ ଉପରେ ଏହାର ଅର୍ଥନୀତି ନିର୍ଭରଶୀଳ। ସହରରେ ଭିଡ଼ କମ୍। କାରଣ ଜନସଂଖ୍ୟା ସୀମିତ। ରାସ୍ତାଘାଟ ଏକଦମ୍ ସଫାସୁତୁରା। ପ୍ରତି ଟ୍ରାଫିକ୍ ଛକରେ ଆମ ଭଳି ତିନି ତିନି ଜଣ ଟ୍ରାଫିକ୍ ପୋଲିସ୍ ଲହୁଲୁହାଣ ହେଲା ଭଳି କୌଣସି ଦୃଶ୍ୟ ଦେଖିବାକୁ ମିଳିବ ନାହିଁ। କୌଣସି ଜାଗାରେ ବି ଟ୍ରାଫିକ୍ ନାହାନ୍ତି। ଲୋକେ ଟ୍ରାଫିକ୍ ଲାଇଟ୍ ବା ସିଗ୍‌ନାଲ ଅନୁଯାୟୀ ଚଳପ୍ରଚଳ ହେଉଛନ୍ତି। ରାସ୍ତାର ବାମପଟେ ଗଲାବେଳେ ଲେନ୍ ଅନୁଯାୟୀ ଗୋଟିଏ ବା ଦୁଇଟି ଧାଡ଼ିରେ ଗାଡ଼ି ଶୃଙ୍ଖଳିତ ଭାବେ ଯିବାଆସିବା କରୁଛନ୍ତି। ନିଜ ଲେନ୍‌ରେ ଭିଡ଼ ଥିଲେ ଓ ବିପରୀତ ଲେନ୍ ଫାଙ୍କା ଥିଲେ ଗୋଟିଏ ବି ଗାଡ଼ି ଡାହାଣ ପଟକୁ ଟପି କାହାକୁ ଓଭରଟେକ୍ କରିବାର ଦୃଶ୍ୟ ପ୍ରାୟ ଦେଖିବାକୁ ମିଳିବ ନାହିଁ।

କାମେରୁନ୍ ହାଇଲାଣ୍ଡସ ଏକ ଅତି ଛୋଟ ସହର। ଏଠାରେ ଚାହା, ଷ୍ଟ୍ରବେରୀ ଓ ଲାଭେଣ୍ଡର ଆଦି ଅନେକ ବଗିଚା ରହିଛି। ଏସବୁ ହେଉଛି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ। ତା’ ସାଙ୍ଗକୁ ପୃଥିବୀର ଅନ୍ୟତମ ପ୍ରାଚୀନ ଜଙ୍ଗଲ ମୋସି ଫରେଷ୍ଟ ଦେଶ ବିଦେଶର ଯାତ୍ରୀମାନଙ୍କୁ ଆକର୍ଷିତ କରିଥାଏ। ଆମେ ଜର୍ଜ ଟାଉନରୁ କାମେରୁନ୍ ସଡ଼କ ପଥରେ ଯିବା ପାଇଁ ଚାହିଁଲୁ।

କାମେରୁନ୍ ପୂର୍ବରୁ ଡ୍ରାଇଭର କହିଲେ, ‘‘ଫୁଲ୍ ଟ୍ରାଫିକ୍‌’’। ଆମେ ସମସ୍ତେ ଜାଣିବା ପାଇଁ ଚେଷ୍ଟା କଲୁ ଫୁଲ୍ ଟ୍ରାଫିକ ମାନେ କ’ଣ? ଦେଖିଲୁ ଆମ ଲେନରେ ଆଗକୁ ଆଗକୁ ଗୋଟିଏ ଧାଡ଼ିରେ ଗାଡ଼ିଗୁଡ଼ିକ ଧୀରେ ଧୀରେ ଚାଲିଛନ୍ତି। ଆମ ବିପରୀତ ଲେନ୍ ସମ୍ପୂର୍ଣ୍ଣ ଫାଙ୍କା। ୫-୭ ମିନିଟରେ ସେପଟୁ ୪, ୫ଟି ଗାଡ଼ି ଆସୁଛି।

ଆମ ଓଡ଼ିଶା ଭଳି ଜାଗାରେ ଯଦି ଆମକୁ ୬ ଇଞ୍ଚ ଫାଙ୍କା ମିଳେ ତାହା ହେଲେ ତା’ ଭିତର ଦେଇ କୌଣସି ମୋଟର ସାଇକେଲ କିମ୍ବା ୩ ଫୁଟ୍ ଜାଗା ମିଳିଲେ ଗୋଟିଏ ଅଟୋ ଅନାୟାସରେ ପଶିଯାଏ। କେବଳ ସେତିକି ନୁହେଁ ବସ୍, ଟ୍ରକ୍ ଭଳି ବଡ଼ ବଡ଼ ଯାନ ମଧ୍ୟ ବିଲେଇ ନିଶ ପଶିଲା ଭଳି ଜାଗା ପାଇଲେ  ଟ୍ରାଫିକ୍ ଭିଡ଼ରେ ମଧ୍ୟ ପଶି ଆଗକୁ ମାଡ଼ିଯିବାର ଦୃଶ୍ୟ ଅତି ମାମୁଲି। ସେଥିରେ ଯଦି ସେଇ ଫାଙ୍କ ପାଖରେ ଥିବା ଗାଡ଼ିଗୁଡ଼ିକ ନ ଘୁଞ୍ଚନ୍ତି ତାହାହେଲେ ଧାଏଁ ଧାଏଁ ଏୟାର୍ ହର୍ଣ୍ଣ ବଜାଇ ଏହି ଗାଡ଼ିଗୁଡ଼ିକ ଏକ ପ୍ରକାରର ଟେରର୍ ସୃଷ୍ଟି କରିଥାନ୍ତି। ଆମ ସଡ଼କରେ ଯେତେବଡ଼ ଗାଡ଼ି ତା’ର ସେତେ ବହପ।

ମାଲେସିଆ ଦେଶର କାମେରୁନ୍ ହାଇଲାଣ୍ଡସ ଭଳି ଅତି ଛୋଟ ଏବଂ ଏକ ପଛୁଆ ଅଞ୍ଚଳଠାରୁ ଆମେ କେତେ ପଛରେ ସତରେ। ଆମ ବ୍ୟବହାରରେ ଓ ମାନସିକତାରେ!

ଏବେ ଆସିବା ମାଲେସିଆର ରାଜଧାନୀ କୁଆଲାଲୁମ୍ପୁର। ଏହା ହେଉଛି ପୃଥିବୀର ଅନ୍ୟତମ ଜନବହୁଳ ସହର। ଦକ୍ଷିଣ ପୂର୍ବ ଏସିଆର  ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଦ ପଡ଼ୁଥିବା ସହର। ନଭଶ୍ଚୁମ୍ବୀ ଅଟ୍ଟାଳିକାର ସହର। ଏହାର ମୁଖଶାଳା ହେଉଛି ପେଟ୍ରୋନସ୍ ଟାୱାର ଭଳି କୋଠା ଯେଉଁଠି ପରିବାର ବନ୍ଧୁଙ୍କ ସହ ଫଟୋ ଉଠାଇବାକୁ ବା ଆଜିର ଦିନରେ ସେଲ୍‌ଫି ନେବାକୁ ଲୋକେ ହାଇଁପାଇଁ। କିନ୍ତୁ ଏତେ ଭିଡ଼ ସତ୍ତ୍ୱେ ସେଠାରେ ଓଡ଼ିଶା ଭଳି ବା ଭାରତ ଭଳି ଭିଡ଼ର ବିଶେଷ କୌଣସି ବିଲକ୍ଷଣ ଦେଖିବାକୁ ମିଳେ ନାହିଁ।

ଗୋଟିଏ ଛୋଟ ଉଦାହରଣ ଦେଖିବା। ରାସ୍ତାର ଗୋଟିଏ ପାଖରୁ ଅନ୍ୟ ପାଖକୁ ପଥିକମାନେ ଯିବା ପାଇଁ ରହିଛି ଜେବ୍ରା କ୍ରସିଂ। ଆମ ଓଡ଼ିଶାରେ ମଧ୍ୟ ରହିଛି। କୁଆଲାଲୁମ୍ପୁର୍ ଭଳି ପୃଥିବୀରେ ଏଭଳି ଅନେକ ସହର ରହିଛି ଯେଉଁଠି ମୁଖ୍ୟ ରାସ୍ତାରେ କୌଣସି ଗାଡ଼ିଘୋଡା ଯାଉନଥିଲେ ମଧ୍ୟ ଜେବ୍ରା କ୍ରସିଂ ପାର ହେବା ପାଇଁ ଥିବା ସିଗ୍‌ନାଲ୍ ନୀଳ ନ ହେଲା ପର୍ଯ୍ୟନ୍ତ ଲୋକମାନେ ରାସ୍ତାର ଗୋଟିଏ ପାଖେ ଅପେକ୍ଷାରେ ରହିଥା’ନ୍ତି।

ଆମ ଭୁବନେଶ୍ୱର କଥା ଭାବିବା। କୌଣସି ଟ୍ରାଫିକ ମୁହଁକୁ ଗଲେ ପ୍ରଥମେ ଆମକୁ ଜେବ୍ରା କ୍ରସିଂ କେଉଁଠି ବୋଲି ଖୋଜିବାକୁ ପଡ଼ିବ। କାରଣ ପ୍ରତି ଟ୍ରାଫିକରେ ଲୋକମାନେ ଜେବ୍ରା କ୍ରସିଂ ଟପି ଆଗ ପର୍ଯ୍ୟନ୍ତ ଗାଡ଼ି ଚଢ଼ାଇ ରଖିବା ଏକ ସାଧାରଣ ବିଷୟ। ସେହିଭଳି ଅନ୍ୟପକ୍ଷରେ ଦେଖିଲେ ଆମେ ରାସ୍ତାର ଯେକୌଣସି ସ୍ଥାନରେ ପାର ହୋଇପାରୁ। ଏପରିକି ଟ୍ରାଫିକ୍ ଛାଡ଼ିବା ବେଳେ ଗାଡ଼ି ସାମ୍‌ନାରେ ହାତ ଦେଖାଇ ରାସ୍ତା ପାର ହେବା ଆମର ଅଧିକାର। କାରଣ ରାସ୍ତାଟା ଆମ ବାପାର!

ଆମ ଟ୍ରାଫିକ ବ୍ୟବସ୍ଥାରେ ନାହିଁନଥିବା ଛିଦ୍ର। ଟ୍ରାଫିକ ବିଭାଗର ବଡ଼ ହାକିମଙ୍କ ଦୃଷ୍ଟି ଆକର୍ଷଣ କଲେ ସେମାନେ କହିବେ: ଆଜ୍ଞା ଆମର ଅଧିକାଂଶ ଷ୍ଟାଫ୍ ଭିଆଇପି ଡ୍ୟୁଟିରେ ନହେଲେ ଲ’ ଆଣ୍ଡ ଅର୍ଡର ପଛରେ ଲାଗିଛନ୍ତି… ଆବଶ୍ୟକ ସଂଖ୍ୟକ ଲୋକ ନାହାନ୍ତି… ଇତ୍ୟାଦି।

କେବଳ ସେତିକି ନୁହେଁ ଯଦି ଆପଣ ପଚାରନ୍ତି ଭୁବନେଶ୍ୱର ଖଣ୍ଡଗିରି ଛକ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ କାହିଁକି ଟ୍ରାଫିକ୍ ବ୍ୟବସ୍ଥାରେ ଉନ୍ନତି ଘଟୁନାହିଁ ତେବେ କେହି ହୁଏତ ଭାବିପାରନ୍ତି, ‘‘ଆଜ୍ଞା, ୟା ପଛରେ ପରା ମୂଳ କାରଣ ନ୍ୟାସନାଲ ହାଇୱେବାଲା।’’ ଟ୍ରାଫିକ୍ ମାମଲାରେ ବି ରାଜ୍ୟ-କେନ୍ଦ୍ର ରାଜନୀତି!

ଯଦି ମୁଁ କହିବି ଟ୍ରାଫିକ ପରିଚାଳନା କ୍ଷେତ୍ରରେ ଆମ ପ୍ରଶାସନର ସବୁ କ୍ଷେତ୍ରରେ ଅଭାବ ଓ ବିଫଳତା ରହିଛି ଯେପରିକି – ଭିତ୍ତିଭୂମି, ଲୋକବଳ, ଦୂରଦୃଷ୍ଟି ଏବଂ ଜନମଙ୍ଗଳକାରୀ ଆଭିମୁଖ୍ୟ- ତା’ହେଲେ କ’ଣ ସେମାନେ ଏହାକୁ ସ୍ୱୀକାର କରିବେ? ଯଦି ମୁଁ କହିବି ଏ ସହରର ଅଧିକାଂଶ ବାସିନ୍ଦା ଏବଂ ଜୀବିକା ନିର୍ବାହ ପାଇଁ ବିଭିନ୍ନ ପବ୍ଲିକ୍ ଟ୍ରାନ୍ସପୋର୍ଟ ପରିଚାଳନା କରୁଥିବା ଲୋକଙ୍କର ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ନେଇ ଶିକ୍ଷା, ଅଭ୍ୟାସ ଓ ସମ୍ବେଦନଶୀଳତା ଘର ଶୂନ୍ ତା’ ହେଲେ କ’ଣ ଆପଣଙ୍କୁ ଭଲ ଲାଗିବ?

ଏହାକୁ ସୌଭାଗ୍ୟ କହିବି କି ଦୁର୍ଭାଗ୍ୟ ମୁଁ ଏଭଳି ଏକ ସହରର ବାସିନ୍ଦା। ମୋ ସହରର ଲୋକଙ୍କ ମାନସିକତା (ସଡ଼କ ପରିଚାଳନା ବାବଦରେ) କେବେ ମାଲେସିଆର ପଛୁଆ ଅଞ୍ଚଳ କାମେରୁନ୍ ହାଇଲାଣ୍ଡସ ଲୋକଙ୍କ ସମକକ୍ଷ ହୋଇପାରିବ?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ଏହି ଲେଖାରେ ପ୍ରକାଶିତ ମନ୍ତବ୍ୟ ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ।)

1 COMMENT

Comment