ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ତଃରାଜ୍ୟ କାଉନସିଲ୍‌ର ଷ୍ଟାଣ୍ଡିଂ କମିଟି ବୈଠକରେ ଓଡ଼ିଶାର ୩ଟି ପ୍ରମୁଖ ଦାବି ଉଠିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇଛନ୍ତି।

  • ମୁଖ୍ୟମନ୍ତ୍ରୀ କହିଲେ, “ଶୀଘ୍ର ଗଠନ କର ମହାନଦୀ ଟ୍ରିବ୍ୟୁନାଲ”
  • ଧାନର ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ
  • ପୋଲାଭରମ୍‌ ପ୍ରସଙ୍ଗ ବି ଉଠାଇଲେ

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ବସିଥିଲା ଆନ୍ତଃରାଜ୍ୟ କାଉନସିଲ୍‌ର ଷ୍ଟାଣ୍ଡିଂ କମିଟି ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିଶାର ଦାବି ଉଠାଇଛନ୍ତି। ମହାନଦୀ ଟ୍ରିବ୍ୟୁନାଲ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ପୋଲାଭରମ୍ ପ୍ରସଙ୍ଗ ଉଠାଇ ନବୀନ କଠୋର ଅଭିମୂଖ୍ୟ ପୋଷଣ କରିଛନ୍ତି।

ମହାନଦୀ ଜଳକୁ ନେଇ ଛତିଶଗଡ଼-ଓଡ଼ିଶା ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ଏହି ବିବାଦ ସମାଧାନ ନହେବାରୁ ମହାନଦୀ ଟ୍ରିବ୍ୟନାଲ ଗଠନ କରିବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଥିଲେ। ୨୦୧୬ ନଭେମ୍ବର ୧୭ ତାରିଖରେ ଏନେଇ କେନ୍ଦ୍ରକୁ ଚିଠି ଲେଖିଥିଲା ରାଜ୍ୟ। ମୁଖ୍ୟମନ୍ତ୍ରୀ ବି ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଚିଠି ଲେଖିଛନ୍ତି। ହେଲେ ବର୍ଷେ ମଧ୍ୟରେ କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ ନେଇ ଆଗ୍ରହ ଦେଖାଇ ନାହିଁ। ଏଣୁ ତୁରନ୍ତ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ଓଡ଼ିଶାର ଚାଷୀଙ୍କ ହକ୍‌ କଥା ମଧ୍ୟ ନବୀନ ଏହି ବୈଠକରେ ଉଠାଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏମ୍‌ଏସ୍‌ପି ୧୫୩୦ରୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ନବୀନ ଦାବି କରିଛନ୍ତି।

ନିକଟରେ କେନ୍ଦ୍ର କୃଷି ମନ୍ତ୍ରାଳୟ ଏମ୍‌ଏସ୍‌ପି ବୃଦ୍ଧିକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହାକୁ ନେଇ ବିଜେଡି ତୀବ୍ର ବିରୋଧ କରିଥିଲା। ଆସନ୍ତା ୨୭ରେ ରାଜଭବନ ସମ୍ମୁଖରେ ବିଜେଡି ଏନେଇ ପ୍ରତିବାଦ କରିବ ବୋଲି ଘୋଷଣା କରିବା ପରେ ନବୀନ ଆଜି ପୁଣି ଏହି ପ୍ରସଙ୍ଗ ଦୋହରାଇଛନ୍ତି।

ପୋଲାଭରମ୍‌ ପ୍ରକଳ୍ପ କାମ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଓଡ଼ିଶା ହିତରେ ଏହି ପ୍ରକଳ୍ପ ନଥିବାରୁ ଏହାକୁ ବନ୍ଦ କରିବାକୁ ବୈଠକରେ ନବୀନ ଦୃଷ୍ଟି ଆକର୍ଷଣ କରିଛନ୍ତି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିଲା ଆନ୍ତଃରାଜ୍ୟ କାଉନସିଲର ଷ୍ଟାଣ୍ଡିଂ କମିଟି ବୈଠକ। ଏଥିରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ, ଅରୁଣ ଜେଟଲୀ, ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହାସହ ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ୨୬ରେ ସେ ଓଡ଼ିଶା ଫେରିବେ।

 

Comment