ଗୋପାଳ ଚନ୍ଦ୍ର ନନ୍ଦ

ମୂଲ୍ୟବୋଧର ସଂଜ୍ଞା ବଦଳି ଯାଇଛି ପରିସ୍ଥିତିର ଚାପରେ ଏହାର ପୁନରୁଦ୍ଧାର ଆବଶ୍ୟକ ସେଥିପାଇଁ  ଭାରତୀୟ ସଂସ୍କୃତି ପରମ୍ପରାରୁ ଆମ୍ଭେମାନେ ଦିଗଦର୍ଶନ ପାଇପାରିବା

ପିଲାଦିନେ ବଡ଼ ବଡ଼ ପଦରେ ଅଧିଷ୍ଠିତ ବ୍ୟକ୍ତିବିଶେଷଙ୍କ ବିଷୟରେ ଗୁରୁଜନମାନଙ୍କଠାରୁ ବହୁ କଥା ଶୁଣିଥିଲୁ। ସେମାନେ ଥିଲେ ଜ୍ଞାନୀ, ସଚ୍ଚୋଟ ଓ ଦାୟିତ୍ୱସମ୍ପନ୍ନ। ଆଚାର ବ୍ୟବହାରରେ ଖୁଣିବାକୁ କିଛି ନଥିଲା। ସ୍ୱାଧୀନତା ପାଇବାର ପ୍ରଥମ ଦଶନ୍ଧିରେ ଏପରି ଏକ ଯୁଗ ଥିଲା। ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ, ଲାଲବାହାଦୂର ଶାସ୍ତ୍ରୀ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ରାଷ୍ଟ୍ରନାୟକ, ଅଧିକାରୀ ଓ ଲୋକସେବକ, ସମାଜ ଆଗରେ ଆଦର୍ଶ ହୋଇଥିଲେ ଓ ସମାଜରେ ସେମାନଙ୍କର ପ୍ରଭାବ ଅନୁଭୂତ ହେଉଥିଲା।

ଆଜିର ଅବସ୍ଥା ଦେଖିଲେ ଯେ କେହି କହିବ, ସେ ଯୁଗ ଆଉ ନାହିଁ। ତଥାକଥିତ ବହୁ ଉଚ୍ଚ ପଦାଧିକାରୀ ପଦମର୍ଯ୍ୟାଦା ରଖିବାରେ ବିଫଳ ହୋଇଛନ୍ତି। ପଦବୀର  ଅପବ୍ୟବହାର ସବୁ ସ୍ତରରେ ଦେଖିବାକୁ ମିଳୁଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ପଦବୀ ବ୍ୟକ୍ତିବିଶେଷଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ଦିଷ୍ଟ ନୁହେଁ। ଏହାର ସାମାଜିକ ଆବଶ୍ୟକତା ରହିଛି। ପଦବୀକୁ ଅଳଙ୍କୃତ କରୁଥିବା ବ୍ୟକ୍ତି ସାମାଜିକ ଦାୟିତ୍ୱକୁ ଉପଲବ୍ଧି କରି ନିଜର କର୍ତ୍ତବ୍ୟ ପାଳନ ନ କଲେ ସେ ପଦବୀର ପର୍ଯ୍ୟାଦା ହାନି ହୁଏ।

ବହୁ ପଦବୀରେ ଅଧିଷ୍ଠିତ ହେବା ପୂର୍ବରୁ ସାମ୍ବିଧାନିକ ନିୟମାନୁସାରେ ଗୋପନୀୟତା ଓ ନିରପେକ୍ଷତା ପାଇଁ ଶପଥ ନେବାକୁ ପଡ଼େ। ଏହିପରି ସରକାରୀ ସେବାରେ ଯୋଗଦାନ କରିବା ସମୟରେ ବିଶେଷ କରି ପୁଲିସ ବା ଅର୍ଦ୍ଧ ସାମରିକ ବିଭାଗରେ ନିଯୁକ୍ତି ସମୟରେ ଏପରି ଶପଥ ନେବାର ପରମ୍ପରା ଅଛି। କିନ୍ତୁ ଦୁଃଖର ବିଷୟ, କେତେକ ବ୍ୟକ୍ତି ଏ ଶପଥକୁ କିଛିକ୍ଷଣ ପରେ ଭୁଲିଯାଇ ପଦବୀର ଅପବ୍ୟବହାର କରିବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ। ସେମାନଙ୍କ ଦୃଷ୍ଟିରେ ପଦବୀଟି ସ୍ୱାର୍ଥ ପାଇଁ  ଉଦ୍ଦିଷ୍ଟ। ସତେଯେପରି ନିଜର ଜମିଦାର। ନିଜେ ଓ ନିjର ସମ୍ପର୍କୀୟମାନଙ୍କର ସମ୍ପତ୍ତି ଓ ପ୍ରଭାବ ବୃଦ୍ଧି କରିବା ଏକମାତ୍ର ଲକ୍ଷ୍ୟ।

ମୂଲ୍ୟବୋଧର ଅବକ୍ଷୟ ଯୋଗୁଁ ଏପରି ବ୍ୟକ୍ତିମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ଆଜିର ଭାରତବର୍ଷ ପୃଥିବୀର ଏକ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ହିସାବରେ ପରିଗଣିତ। ପୃଥିବୀର ସର୍ବବୃହତ୍‍ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏହା ଏକ କାଳିମା।

ସାଧାରଣତଃ ଅପରାଧ ଦୃଷ୍ଟିରୁ ଭାରତବର୍ଷର ସୁନାମ ରହିଛି। ଏକ ଲକ୍ଷ ଲୋକଙ୍କ ପାଇଁ ଉନ୍ନତ ରାଷ୍ଟ୍ରର ଅପରାଧୀଙ୍କ ସଂଖ୍ୟା ପାଞ୍ଚ ହଜାରଠାରୁ ଦଶହଜାର ଥିବାବେଳେ ଭାରତବର୍ଷର ଏହି ସଂଖ୍ୟା ପାଞ୍ଚ ଶହରୁ କମ୍। ଧୋବଧାବଳିଆ ଅପରାଧୀ (ହ୍ୱାଇଟ୍ କଲର କ୍ରାଇମ୍) ପାଇଁ ଭାରତର ଯେଉଁ ଦୁର୍ନାମ ହୋଇଛି, ସେଥିପାଇଁ କେତେକ ଅବିବେକୀ ଅଧିକାରୀ, ବ୍ୟବସାୟ ଓ ତଥାକଥିତ ଦେଶସେବୀ ଦାୟୀ। ରାଷ୍ଟ୍ର ଓ ସରକାରଙ୍କର ବିଭାଗ ସୃଷ୍ଟି ହୋଇଛି କେତେକ ସାମାଜିକ ଦାୟିତ୍ୱ ତୁଲାଇବା ପାଇଁ।

ଆଇନ୍ ଶୃଙ୍ଖଳା ରକ୍ଷା କରିବା, ଜନସାଧାରଣଙ୍କୁ ଆବଶ୍ୟକ ସେବା ଯୋଗାଇଦେବା ଓ ସାମୂହିକ କଲ୍ୟାଣ ତୁଲାଇବା ପାଇଁ ବିଭିନ୍ନ ପଦପଦବୀ ସୃଷ୍ଟି ହୋଇଛି। ବିଶେଷକରି ଗୋଟିଏ  ଗଣତନ୍ତ୍ର ରାଷ୍ଟ୍ରରେ ସରକାର ଜନସାଧାରଣଙ୍କ ଦ୍ୱାରା ଗଠିତ ହୁଏ, ଏହା ଜନସାଧାରଣଙ୍କର ଓ ସେମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ। ସାର୍ବଭୌମତ୍ୱ ଜନସାଧାରଣଙ୍କର ରହିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିବିଶେଷ ତଥା ଲୋକସେବକ ନିଜର ସ୍ୱାର୍ଥ ପାଇଁ ପଦବୀର ଅପବ୍ୟବହାର କରିବାର ଅବକାଶ ନାହିଁ। ପଦବୀଗୁଡ଼ିକ ଯେଉଁ ଲକ୍ଷ୍ୟ ପାଇଁ ସୃଷ୍ଟି ହୋଇଛି, ସେ ଉଦ୍ଦେଶ୍ୟରେ ଆବଶ୍ୟକତା ଅନୁସାରେ କ୍ଷମତା ମଧ୍ୟ ଦିଆଯାଇଛି।

ଉଦାହରଣସ୍ୱରୂପ, ଜଣେ ପୁଲିସ ଅଧିକାରୀ ତାଙ୍କର କର୍ତ୍ତବ୍ୟ ତୁଲାଇବା ପାଇଁ ଯେତିକି  କ୍ଷମତା ତାଙ୍କୁ ଦିଆଯାଇଛି ସେ, କ୍ଷମତାରେ ସ୍ୱାର୍ଥ ରହିଲା କେଉଁଠି? ଅପରାଧ ଅନୁସନ୍ଧାନ ଓ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ, ଗୃହ ତଲାସି ଓ ଗିରଫ କରିବାର କ୍ଷମତା ପୋଲିସ ହାତରେ ରହିଛି। ଏହିପରି କ୍ଷମତା ଆୟକର ବିଭାଗ, ଯୋଗାଣ ବିଭାଗ, ବହିଶୁଳ୍କ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ଅର୍ପଣ କରାଯାଇଛି। ଲକ୍ଷ୍ୟ ସାଧନ ପାଇଁ କ୍ଷମତା ଗୋଟେ ଅସ୍ତ୍ର: କିନ୍ତୁ ଦୁଃଖର ବିଷୟ, କେତେକ ଲୋକସେବକ ଭାବନ୍ତି, କ୍ଷମତାର ଅର୍ଥ ନାହିଁ, କିନ୍ତୁ ଦୁଃଖର ବିଷୟ, କେତେକ ଲୋକସେବକ ଭାବନ୍ତି, କ୍ଷମତାର ଅର୍ଥ ନାହିଁ, ଯଦି ଏହାକୁ ଦୂରୁପଯୋଗ ନ କରାଯାଏ। ଏହା ଫଳରେ ଆଇନର ଶାସନ ଦୁର୍ବଳ ହୁଏ। ପ୍ରଶାସନ ପ୍ରତି ଜନସାଧାରଣଙ୍କର ଆସ୍ଥା କମିଯାଏ। ବହୁ ସମୟରେ ସେମାନେ ନିଃସହାୟ ମନେ କରନ୍ତି। ଏହା ଗଣତନ୍ତ୍ରର ପରିପନ୍ଥୀ। ଜନସାଧାରଣଙ୍କୁ ନେଇ ଗଣତନ୍ତ୍ର ସମୃଦ୍ଧ ହେବ। ସେମାନଙ୍କୁ ହେଳା କଲେ କ୍ରମଶଃ ଜାତୀୟ ମୁଖ୍ୟସ୍ରୋତରୁ ସେମାନେ ଅପସାରିତ ହେବେ। ଗଣତନ୍ତ୍ରର ଭବିଷ୍ୟତ ଅନ୍ଧାର ହେବ। ସେଥିପାଇଁ ଏପରି ପଦାଧିକାରୀଙ୍କ ଉପରେ ସମସ୍ତେ ତୀକ୍ଷ୍‌ଣ ଦୃଷ୍ଟି ରଖିବା ଦରକାର। ସେମାନଙ୍କର ଅପକର୍ମକୁ ଲୋକଲୋଚନକୁ ଆଣିବା ଏକ ସାମାଜିକ ଦାୟିତ୍ୱ। ଭବିଷ୍ୟତ ଦାୟାଦଙ୍କ ପାଇଁ ଅନ୍ତତଃ ଏହିପରି କରିବାକୁ ପଡ଼ିବ।

ଯେଉଁ ବ୍ୟକ୍ତିମାନେ ପଦମର୍ଯ୍ୟାଦା ରକ୍ଷା ନ କରନ୍ତି, ସେମାନଙ୍କ ପ୍ରତି ସମାଜର ଆଭିମୁଖ୍ୟ ବଦଳିବା ଦରକାର। ପଦବୀ ପ୍ରତି ସମ୍ମାନ ରହୁ; କିନ୍ତୁ ପଦବୀର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପ୍ରତି ସମ୍ମାନ ନ ରହୁ। ସେମାନଙ୍କ ଉଦାହରଣ ପିଲାମାନଙ୍କୁ ନ ଦିଆଯାଉ। ଏହି ସ୍ୱାର୍ଥାନ୍ୱେଷୀ ବା ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନେ ସାଧାରଣ ଅପରାଧୀଠାରୁ ଆହୁରି ହୀନ। ଚୋରି ବା ପକେଟମାର କରି କେହି କେବେ କୋଟିପତି ହୁଅନ୍ତି ନାହିଁ; କିନ୍ତୁ ଦୁର୍ନୀତିଗ୍ରସ୍ତ ବହୁ ପଦାଧିକାରୀ କୋଟିପତି ହୋ‍ଇଛନ୍ତି,, ତୋଷରପାତ, ଠକେଇ ଓ ଲାଞ୍ଚ ମାଧ୍ୟମରେ କେହି କେହି ରାତାରାତି। ସେହିମାନଙ୍କ ଯୋଗୁଁ ଗରିବ ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦେବାରେ ଆମ୍ଭେମାନେ ସମର୍ଥ ହୋଇପାରୁନାହିଁ। ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସର୍ବନିମ୍ନ ଆବଶ୍ୟକତା ଏ ପର୍ଯ୍ୟନ୍ତ ପୂରଣ ହୋଇପାରୁନାହିଁ। ଏହି ତଥାକଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କର ଜୀବନ ଦର୍ଶନ ସାଧାରଣ ଅପରାଧୀଙ୍କ ମାନସିକତାଠାରୁ ଉଚ୍ଚତର ନୁହେଁ।

ଜଣେ ଅପରାଧୀ ଉଚ୍ଚ ଶକ୍ତିସମ୍ପନ୍ନ  ବିଦ୍ୟୁତ୍ ତା କାଟିଥିବାରୁ ତାକୁ ପଚରାଗଲା, “ତୁମେ ଜାଣିଛ, ଏହି ତାର କାଟିବା ଦ୍ୱାରା ବଡ଼ ବଡ଼ ସହର ଅନ୍ଧାର ହେବ, ଶିଳ୍ପ ସଂସ୍ଥାମାନ ବନ୍ଦ ହୋଇଯିବ ଓ ଦେଶର କୋଟି କୋଟି ଟଙ୍କା କ୍ଷତି ହେବ, ତଥାପି ଏ ପ୍ରକାର ଅପରାଧ କରୁଛ କାହିଁକି?” ସେ ଉତ୍ତର ହେଲା, “ସେଥିରୁ ମୋତେ ମିଳିବ କ’ଣ? ତାର ବିକି ମୁଁ ହଜାର ବା ଦୁଇ ହଜାର ଟଙ୍କା ପାଇବି। ମୁଁ ଓ ମୋର ପରିବାରର ପେଟ  ପୋଷିବି।”

ଏହି ଯୁକ୍ତି ଗ୍ରହଣଯୋଗ୍ୟ ନ ହୋଇପାରେ। କିନ୍ତୁ ଯେଉଁମାନେ ବଡ଼ ବଡ଼ ପଦବୀର ଅପବ୍ୟବହାର କରି ନିଜର ସ୍ୱାର୍ଥ ପାଇଁ ଦେଶର ଶହ ଶହ କୋଟି ଟଙ୍କା ବରବାଦ୍ କରୁଛନ୍ତି, ସେମାନେ ତ ଦେଶ ପାଇଁ ଅଧିକ କ୍ଷତିକାରକ। ଏହି ବ୍ୟକ୍ତିମାନେ ହିଁ ଦେଶର ଏକ ସମାନ୍ତରାଳ ଅର୍ଥନୀତି ପାଇଁ ଦାୟୀ। ଦେଶରେ ବ୍ୟାଙ୍କଗୁଡ଼ିକରେ ଋଣ ପରିଶୋଧ ନ ହୋଇ ପ୍ରାୟ ଅଶୀ ହଜାର କୋଟି ଟଙ୍କାରୁ ଅଧିକ ରହିଛି। ଏ ଋଣ ନେଇଛି କିଏ? ସେମାନଙ୍କୁ ଦେଇଛି କିଏ? ଋଣ ଅସୁଲ କରିବା ପାଇଁ ଯେପରି ସତର୍କତା ଗ୍ରହଣ କରିବା କଥା, ସେଗୁଡ଼ିକ ନ କରାଗଲା କାହିଁକି? ଋଣଦାତା ଓ ଋଣଗ୍ରହିତାଙ୍କ ମଧ୍ୟରେ ଅଛନ୍ତି ବହୁ ପ୍ରତିଷ୍ଠିତ ବ୍ୟକ୍ତି। ଏମାନେ ଭାବନ୍ତି ସାଧାରଣ ଆଇନ୍ ସେମାନଙ୍କ ପାଇଁ ଲାଗୁ ହେବ ନାହିଁ।

ଆଇନଟା କେବଳ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। କେବେ କେବେ ଯଦି କେହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରନ୍ତି, ସେମାନଙ୍କ ବିରୋଧରେ ହୁଏ ଅପପ୍ରଚାର। ଗଣମାଧ୍ୟମକୁ ଅପବ୍ୟବହାର କରିବାରେ ଏ ବ୍ୟକ୍ତିମାନେ ପାରଙ୍ଗମ। ଅର୍ଥ ବଳରେ ସଚ୍ଚୋଟ ଲୋକସେବକଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବା ପାଇଁ ଏମାନେ କୁଣ୍ଠାବୋଧ କରନ୍ତି ନାହିଁ। ଆଜି ଭାରତବର୍ଷରେ ଏକ ନୂତନ ଶ୍ରେଣୀର  ଆବିର୍ଭାବ ହୋଇଛି। ଧୋବଧୋବଳିଆ ଅପରାଧୀମାନେ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ସେମାନଙ୍କ ମଧ୍ୟରେ ବେଶ୍ ବୁଝାମଣା ରହିଛି। ଗରିବଙ୍କ ମଙ୍ଗଳ ପାଇଁ ଊଦ୍ଦିଷ୍ଟ ଅର୍ଥ ଉପରେ ସେମାନଙ୍କର ଲୋଲୁପ ଦୃଷ୍ଟି ପଡ଼େ। ମର୍ଯ୍ୟାଦା ଓ ମୂଲ୍ୟବୋଧ ସେମାନଙ୍କ ପାଇଁ ଅବାନ୍ତର।

ସମ୍ପତ୍ତି ଲୁଣ୍ଠନ ସେମାନଙ୍କର ଏକମାତ୍ର ଲକ୍ଷ୍ୟ। ଏହି ଗୋଷ୍ଠୀର ପ୍ରଭାବ ବିଶେଷକରି ଉପର ମହଲରେ ବିଶେଷ ଭାବରେ ଅନୁଭୂତ ହୁଏ। କେବଳ ଅର୍ଥରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି, ସେମାନେ ଜନସେବା  ନାମରେ କ୍ଷମତାକୁ ଆସିବାକୁ ସତତ ତତ୍ପର। ସେମାନଙ୍କ ପାଇଁ କ୍ଷମତା କ’ଣ, ଅଧିକ ବ୍ୟାଖ୍ୟା କରିବା ଅନାବଶ୍ୟକ।

ଯେଉଁ ବ୍ୟକ୍ତି ନିଜ ପଦବୀର ମର୍ଯ୍ୟାଦା ନ ରଖେ, ସେ ସମାଜରୁ ମର୍ଯ୍ୟାଦା ପାଇବା ପାଇଁ ହକଦାର ନୁହେଁ। ପ୍ରଶାସକ ତଥା ବ୍ୟବସ୍ଥାକୁ ଅଧିକ ଗଣାଭିମୁଖୀ କରିବାକୁ ହେଲେ ଏହି  ବ୍ୟକ୍ତିମାନଙ୍କୁ ଚିହ୍ନିବାକୁ ପଡ଼ିବ। ମହାତ୍ମା ଗାନ୍ଧି, ସୁଭାଷ ଚନ୍ଦ୍ର ବୋଷ ଓ ଗୋପବନ୍ଧୁ ଆଦି ମହାପୁରୁଷମାନେ ଆମମାନଙ୍କର ଆଦର୍ଶ। ରାଷ୍ଟ୍ର ବା ଜାତିର ସ୍ୱାର୍ଥ ଆଗରେ ଆଉସବୁ ତୁଚ୍ଛ। ସେମାନଙ୍କ ପ୍ରଭାବ ଯୁବପୀଢ଼ିଙ୍କ ଉପରେ କିଛିଟା ପଡ଼ିଲେ, ଦେଶର ଭବିଷ୍ୟତ ଉଜ୍ବଳ ହେବ, ଏଥିରେ ସନ୍ଦେହ ନାହିଁ।

ମୂଲ୍ୟବୋଧର ସଂଜ୍ଞା ବଦଳି ଯାଇଛି ପରିସ୍ଥିତିର ଚାପରେ। ଏହାର ପୁନରୁଦ୍ଧାର ଆବଶ୍ୟକ। ସେଥିପାଇଁ  ଭାରତୀୟ ସଂସ୍କୃତି ଓ ପରମ୍ପରାରୁ ଆମ୍ଭେମାନେ ଦିଗଦର୍ଶନ ପାଇପାରିବା। ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଓ ମହାରାଜା ଦଶରଥ ସେହି ପରମ୍ପରା ଅଂଶବିଶେଷ। ପଦବୀର ମର୍ଯ୍ୟାଦା ରକ୍ଷା କରିବା ଓ ପଦାଧିକାରୀଙ୍କ ଉତ୍ତରଦାୟିତ୍ୱ ବିଷୟରେ ସେମାନଙ୍କଠାରୁ ଯୁବପୀଢ଼ିଙ୍କୁ ପ୍ରେରଣା ମିଳିବ, ଏତିକି ଆଶା।

(ସୌଜନ୍ୟ – ଉତ୍କଳ ଗୌରବ- ୨୦୧୭)

Comment