ଅଶୋକ ବହିଦାର

ବିନା କଂସରେ ରାଜଦରବାରରେ ଚମକ ନଥାଏ। ନଥାଏ ଦର୍ଶକଙ୍କ ଆଗ୍ରହ। କଂସଙ୍କ ଉପସ୍ଥିତି ହିଁ ବାନ୍ଧି ରଖିଥାଏ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଅନେକ ସମୟ ଧରି। କଂସ ଏହି ଦରବାରରେ ଅନେକଙ୍କୁ କଲବଲ କରନ୍ତି, ତଥାପି ସେ ଦର୍ଶକମାନଙ୍କର ଆପଣାର ହୋଇଯାଆନ୍ତି। ଧନୁଯାତ୍ରା ପରେ ଚରିତ୍ରରୁ କଂସ କଳାକାର ଦୂରେଇ ଯାଆନ୍ତି ସିନା, ହେଲେ ଅନେକ ସ୍ମୃତି ଛାଡ଼ି ଦେଇଥାନ୍ତି ହାଟପଦା ରଙ୍ଗମଞ୍ଚରେ।

ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ରଙ୍ଗମଞ୍ଚ ହେଉଛି ରାଜ ଦରବାର। ଧନୁଯାତ୍ରା ଆରମ୍ଭ କାଳରୁ ବରଗଡ଼ର ହାଟପଦାରେ ଏହି ମଞ୍ଚ ନିର୍ମାଣ ହୋଇଆସୁଛି। ପ୍ରତିଟି ବର୍ଷ ଧନୁଯାତ୍ରାର ସମସ୍ତ ସ୍ମୃତିକୁ ସାଉଁଟି ରଖିଛି ହାଟପଦା। ଅଞ୍ଚଳର ସବୁଦିନିଆ ଜୀବନ-ଜୀବିକା ସହିତ ହାଟପଦାର ଆତ୍ମୀୟତା ଯୋଡ଼ି ହୋଇରହିଛି! ଧନୁଯାତ୍ରା ଅବସରରେ ଏଗାର ଦିନ ପାଇଁ ହାଟପଦାର ରୂପ ବଦଳିଯାଏ ପୌରାଣିକ ରଙ୍ଗରେ। ହାଟପଦାର ଠିକ୍ ମଝିରେ ନିର୍ମିତ ରାଜଦରବାରରେ ଏଗାର ଦିନ ଧରି ପ୍ରଦର୍ଶିତ ହୁଏ ଅନେକ ନାଟକୀୟ ଦୃଶ୍ୟ।

ରଙ୍ଗମଞ୍ଚ ନିର୍ମାଣରେ ଲାଗିଥାନ୍ତି ଶହ ଶହ କାରିଗର

ଶହ ଶହ କାରିଗର ଦିନରାତି ନିଜକୁ ଲଗାଇ ଦିଅନ୍ତି ସୁଶୋଭିତ ‘ରାଜ ଦରବାର’ ରଙ୍ଗମଞ୍ଚ ନିର୍ମାଣରେ।  ପ୍ରଥମ ଦିନର ଉଗ୍ରସେନଙ୍କ ଗାଦିଚ୍ୟୁତ ଘଟଣାରୁ ଶେଷଦିନର କଂସବଧ ଘଟଣାବଳି ଯାଏ, ଏଇ ରଙ୍ଗମଞ୍ଚରେ ଭିଡ଼ ଜମାନ୍ତି ଶହ ଶହ କଳାକାର। ଏହି ମଞ୍ଚ ଦୀର୍ଘ ସତୁରି ବର୍ଷ ଧରି ଅନେକ କଳାକାରଙ୍କୁ ଦେଇ ଆସୁଛି ଏକ ସ୍ୱତନ୍ତ୍ର ପରିଚୟ। ହାଟପଦାରେ ରାଜଦରବାର ମଞ୍ଚ ନିର୍ମାଣ ଆରମ୍ଭରୁ ସମଗ୍ର ବରଗଡ଼ ଚଳଚଞ୍ଚଳ ହୋଇ ଉଠେ ଉତ୍ସବର ଆୟୋଜନ ପାଇଁ।

ଲୋକ-ନାଟକ ଧନୁଯାତ୍ରା

ପ୍ରତିଟି ସନ୍ଧ୍ୟାରେ ମହାରାଜ କଂସ ଏହି ଦରବାରକୁ ପହଞ୍ଚନ୍ତି ପାତ୍ରମନ୍ତ୍ରୀଙ୍କ ଗହଣରେ। ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ଚରିତ୍ରଙ୍କ ସହିତ ‘କଂସ’କୁ ନେଇ ଅନେକ ଘଟଣା ଘଟେ। କଳାକାରମାନଙ୍କର ଅଭିନୟ ଏତେ ଜୀବନ୍ତ ହୋଇଥାଏ ଯେ, ଦର୍ଶକଙ୍କ ହୃଦୟରୁ ଆଧୁନିକତା ଆପେ ଆପେ ଅପସରିଯାଏ। ଧୀରେ ଧୀରେ ସେମାନେ ବି ଚରିତ୍ରଟିଏ ପାଲଟି ଯାଆନ୍ତି ନାଟ୍ୟଧାରା ଭିତରେ। ଏଇୟା ହିଁ ହେଉଛି ଲୋକନାଟକର ବିଶେଷତ୍ୱ, ସେଥିପାଇଁ ତ ଧନୁଯାତ୍ରାକୁ କୁହାଯାଇଥାଏ- “ଲୋକମାନଙ୍କର, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ନାଟକ”।

ରାଜ ଦରବାର ମଞ୍ଚର ଆଭିମୁଖ୍ୟ ହେଉଛି କଂସକୈନ୍ଦ୍ରିକ। ‘କଂସ’ ହିଁ ଏଇଠି ଆରମ୍ଭ, କଂସ ହିଁ ଏଇଠି ଶେଷ। କଂସଙ୍କ ଆଦେଶ ବିନା ଏଠାରେ ପବନ ଗତି କରିପାରେ ନାହିଁ। ନିଆଁ ଜଳିପାରେ ନାହିଁ। ଶୀତର କାକର ବିନ୍ଦୁ ମାଟି ଛୁଇଁ ପାରେ ନାହିଁ। ସମଗ୍ର ମଞ୍ଚ କଂସମୟ ହୋଇଉଠେ ପ୍ରତି ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏଁ। କଂସ ସର୍ବସ୍ୱ ଏହି ରାଜ ଦରବାର ମଞ୍ଚରେ ଭିଡ଼ ଜମାନ୍ତି ଭିନ୍ନ ଭିନ୍ନ ବ୍ୟକ୍ତି ଏବଂ ଅନୁଷ୍ଠାନ। କଂସଙ୍କ ନିମନ୍ତ୍ରଣରେ ହେଉ କିମ୍ବା ଆଦେଶରେ ଏମାନେ ହାଜର ହୁଅନ୍ତି ଦରବାରରେ।

ଦରବାରକୁ ଆସନ୍ତି ରାଜନେତା

ରାଜଦରବାରକୁ ଆସନ୍ତି ଭିନ୍ନ ଭିନ୍ନ ଦିନରେ ଅନେକ ରାଜନେତା। କଂସ ସେମାନଙ୍କୁ ଅନେକ ପ୍ରଶ୍ନ ପଚାରନ୍ତି। ବିନମ୍ରତାର ସହ କଂସଙ୍କୁ ଉତ୍ତର ଦେବାକୁ ସେମାନେ ବାଧ୍ୟ। କେବଳ ଏତିକି ନୁହେଁ, କଂସ ସେମାନଙ୍କୁ ରାଜକୀୟ ଆତିଥ୍ୟ ଦେବାରେ ଅବହେଳା ମଧ୍ୟ କରନ୍ତି ନାହିଁ। ପୌରାଣିକ ବିଷୟବସ୍ତୁ ସହିତ ସାମ୍ପ୍ରତିକ ଘଟଣାବଳୀକୁ ଯୋଡ଼ି ଦିଆଯାଇ ଏହି ରଙ୍ଗମଞ୍ଚରେ ଅଭିନୀତ ହୁଏ ଅନେକ ଦୁର୍ଶାବଳୀ।

ବିଭିନ୍ନ ସରକାରୀ ଓ ବେସରକାରୀ ଅଧିକାରୀମାନେ ଉପସ୍ଥିତ ହୁଅନ୍ତି ଏଇ ରାଜ ଦରବାରରେ। କଂସ ସେମାନଙ୍କଠାରୁ ବୁଝନ୍ତି ରାଜ୍ୟର ଭଲମନ୍ଦ ଖବର। କେତେବେଳେ ସେମାନଙ୍କୁ ପ୍ରଶଂସା କରନ୍ତି ତ କେତେବେଳେ ପରାମର୍ଶ ଦିଅନ୍ତି। ପୁଣି କେତେବେଳେ ତାଗିଦ୍‌ କରିଦିଅନ୍ତି ସୁଧୁରିଯିବା ପାଇଁ। ଏହି ସମୟରେ ମନେହୁଏ ଯେମିତି ରାଜତନ୍ତ୍ର ପୁଣି ଫେରି ଆସିଛି। ଆଉ ଗଣତନ୍ତ୍ରରେ ରାଜା ନାହାନ୍ତି। ସିଂହାସନ ନାହିଁ କି ମୁକୁଟ ନାହିଁ। ନାହାନ୍ତି ଆଉ ରାଜାଙ୍କ ବୋଲ୍ ମାନୁଥିବା ପ୍ରଜା। ଅଥଚ ନାଟକୀୟ ହେଲେ ବି, ଧନୁଯାତ୍ରାର ରାଜ ଦରବାର ଏ ଦୃଷ୍ଟିରୁ ପ୍ରକୃତରେ ଏକ ବ୍ୟତିକ୍ରମ।

ବିଭିନ୍ନ କଳାକାରଙ୍କୁ ସୁଯୋଗ ଦିଏ କଂସ ଦରବାର

ଏହି ରାଜ ଦରବାରରେ ପ୍ରତିଟି ସନ୍ଧ୍ୟାରେ ଜମିଯାଏ ଗୀତ,ବାଦ୍ୟ ଓ ନୃତ୍ୟର ଆସର। ‘କଂସ’ଙ୍କଠାରୁ ସାବାସି ପାଇବା ପାଇଁ କଳାକାରମାନଙ୍କ ଭିତରେ ସୃଷ୍ଟି ହୋଇଯାଏ ଏକ ପ୍ରତିଯୋଗିତା। ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ଘୋଷଣା କରି କଂସ ଉତ୍ସାହିତ କରନ୍ତି କଳାକାରମାନଙ୍କୁ। ରାଜ୍ୟ ତଥା ରାଜ୍ୟ ବାହାର, ଏପରିକି ବିଦେଶରୁ ଆସିଥିବା କଳାକାରମାନଙ୍କୁ କଳା ପ୍ରଦର୍ଶନ ପାଇଁ କଂସ ଦରବାର ଦେଇଥାଏ ସୁଯୋଗ। ଅନ୍ୟପକ୍ଷରେ ଲୋକସଂସ୍କୃତିକୁ ଉତ୍ସାହିତ କରିବା ପାଇଁ ‘କଂସ’ ଲୋକ କଳାକାରଙ୍କୁ ଦେଇଥାନ୍ତି ବିଶେଷ ଆଶ୍ୱାସନା।

କେବଳ କଳାକାର ନୁହଁନ୍ତି, ଚିତ୍ରଶିଳ୍ପୀ, ସାହିତ୍ୟିକ, ଗବେଷକ, କବି, ବ୍ୟଙ୍ଗକବି, ସାମ୍ବାଦିକ, ସମାଜସେବୀ, ବୈଜ୍ଞାନିକ, କ୍ରୀଡ଼ାବିତ୍, ଶିକ୍ଷାବିତ୍, ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀ ଅତିଥି ହୁଅନ୍ତି  କଂସଙ୍କ ରାଜଦରବାରେ। କଂସଙ୍କ ସହିତ ସେମାନଙ୍କର ଅନ୍ତରଙ୍ଗ ସାକ୍ଷାତକାର ଦରବାରରେ ସୃଷ୍ଟି କରିଥାଏ ଏକ ବୌଦ୍ଧିକ ପରିବେଶ। ପୁଣି ଅନ୍ୟ ଏକ ବିଶେଷତ୍ୱ ହେଉଛି କଂସଙ୍କର ଆତିଥ୍ୟରେ ଯେ, ସେ ରାଜ ଅତିଥିମାନଙ୍କୁ ରାଜଦରବାରକୁ ଯିବା ଆସିବା ପାଇଁ ‘ହାତୀ’କୁ ନିୟୋଜିତ କରଥାନ୍ତି।

ବିନା କଂସରେ ରାଜଦରବାରରେ ନଥାଏ ଚମକ

ଏଗାର ଦିନ ପରେ ରାଜ ଦରବାର ରଙ୍ଗମଞ୍ଚରୁ କଂସ ଓ ଅନେକ କଳାକାର ଉଭେଇ ଯାଆନ୍ତି। ଅଥଚ ବହୁଦିନ ଧରି ଝଙ୍କୁରିତ ହେଉଥାଏ ଶୂନ୍ୟମଞ୍ଚରେ କଂସଙ୍କ ଅଟ୍ଟହାସ୍ୟ। ଆଖି ଆଗରେ ଝଲସି ଯାଉଥାଏ ଅନେକ ନାଟକୀୟ ଦୃଶ୍ୟାବଳି। କଳାକାରମାନଙ୍କ ମୁହଁରୁ ରଙ୍ଗ ପୋଛି ହୋଇଯାଇଥାଏ ସତ, ହେଲେ ଅନୁଭବ ସେମାନଙ୍କୁ କେତେବେଳେ ପୁଲକିତ କରିଦେଉଥାଏ ତ କେତେବେଳେ ଅବଶୋଷିତ। କିଛିଦିନ ପରେ ରାଜଦରବାର ରଙ୍ଗମଞ୍ଚ ଅଦୃଶ୍ୟ ହୋଇଯାଏ ବରଗଡ଼ର ହାଟପଦାରୁ। ହେଲେ ପ୍ରତିଶ୍ରୁତିଟେ ଛାଡ଼ି ଦେଇଥାଏ ଆଗାମୀ ବର୍ଷରେ ଲେଉଟିବା ପାଇଁ ।

ରାଜଦରବାର ହେଉଛି କଂସଙ୍କର। ଯାହାସବୁ ଘଟେ ତାହା ସବୁବି କଂସଙ୍କର। ‘କଂସ’ ହିଁ ରାଜ ଦରବାରର ମୂଳଉତ୍ସ , ବାକି ସବୁ ଚରିତ୍ର ନିମିତ୍ତ ମାତ୍ର। ବିନା କଂସରେ ରାଜଦରବାରରେ ଚମକ ନଥାଏ। ନଥାଏ ଦର୍ଶକଙ୍କ ଆଗ୍ରହ। କଂସଙ୍କ ଉପସ୍ଥିତି ହିଁ ବାନ୍ଧି ରଖିଥାଏ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଅନେକ ସମୟ ଧରି। କଂସ ଏହି ଦରବାରରେ ଅନେକଙ୍କୁ କଲବଲ କରନ୍ତି, ତଥାପି ସେ ଦର୍ଶକମାନଙ୍କର ଆପଣାର ହୋଇଯାଆନ୍ତି। ଧନୁଯାତ୍ରା ପରେ ଚରିତ୍ରରୁ କଂସ କଳାକାର ଦୂରେଇ ଯାଆନ୍ତି ସିନା, ହେଲେ ଅନେକ ସ୍ମୃତି ଛାଡ଼ି ଦେଇଥାନ୍ତି ହାଟପଦାରେ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment