ପ୍ରଶାନ୍ତ କୁମାର ମଙ୍ଗରାଜ

ସ୍ୱାଧୀନତା ସଂଗ୍ରାମ ୧୮୧୭ (ପାଇକ ବିଦ୍ରୋହ)ର ଠିକ୍ ଦଶବର୍ଷ ପରେ ଫିରିଙ୍ଗମାନଙ୍କ ସହ ଅନ୍ୟ ଏକ ଯୁଦ୍ଧ ସଂଗଠିତ ହୋଇଥିଲା, ଯାହା ଇତିହାସରେ ତାପଙ୍ଗ ଯୁଦ୍ଧ ଭାବେ ବେଶ୍ ଜଣାଶୁଣା। ଏହାର ନେତୃତ୍ୱ ନେଇଥିଲେ ତାପଙ୍ଗଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ। 

ମୁକ୍ତି ସଂଗ୍ରାମର ପ୍ରାକ୍ କାଳରେ ଜୟୀ ରାଜଗୁରୁଙ୍କୁ ବାଲେଶ୍ୱରର ମେଦିନପୁରର ବାଘତୋଟାର ନାଳ କୂଳରେ ବରଗଛରେ ଫାଶୀ ଦିଆଗଲା। ସଂଗ୍ରାମ କାଳରେ ବକ୍ସି ଜଗବନ୍ଧୁଙ୍କୁ ଆତ୍ମ ସମର୍ପଣ କରିବାକୁ ବାଧ୍ୟ କରାଗଲା। ତଥାପି ସ୍ୱାଧୀନତା ସଂଗ୍ରାମ ଅଗ୍ରସର ହେଉଥିଲା ପାଇକର ପ୍ରାଣେ ପ୍ରାଣେ। ଫିରିଙ୍ଗମାନେ ଖୋର୍ଦ୍ଧାଗଡ଼ର ପୂର୍ବ-ପଶ୍ଚିମ-ଉତ୍ତର ଦ୍ୱାରକୁ କରାୟତ କରିଥିଲେ ମଧ୍ୟ ଦକ୍ଷିଣ ଦ୍ୱାରକୁ ସହଜରେ କରାୟତ କରି ପାରିନଥିଲେ। କାରଣ ସେଠି ଥିଲେ ତାପଙ୍ଗଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ। ତାଙ୍କର ସାହସ ଓ ବୀରତ୍ୱ ଭୟରେ ଫିରିଙ୍ଗମାନେ ତାପଙ୍ଗଗଡ଼କୁ ପ୍ରବେଶ କରିପାରୁନଥିଲେ କି କର ଆଦାୟ କରିପାରୁନଥିଲେ। ଅତଏବ ଖୋର୍ଦ୍ଧା ଦଖଲ ପରେ ବି ଲୋକମାନେ ମାଧବ ଚନ୍ଦ୍ରଙ୍କୁ କର ଦେଉଥିଲେ ଓ ଦେବତା ପରି ମାନୁଥିଲେ।

ମାଧବ ଚନ୍ଦ୍ର କେବଳ ଯେ ତାପଙ୍ଗଗଡ଼ର ଦଳବେହେରା ଥିଲେ ତାହା ନୁହେଁ; ସେ ଥିଲେ ସେଠାକାର ଦଶ ହଜାର ସୈନ୍ୟଙ୍କ ଉପରେ ନାୟକ। ଗଜପତି ଦିବ୍ୟସିଂହ ଦେବଙ୍କ ସମୟରେ ତାଙ୍କର ପୂର୍ବ ବଂଶଜ ଭ୍ରାତୃଦ୍ୱୟ ନାରାୟଣ ରାଉତରାୟ ଓ ନରସିଂହ ରାଉତରାୟ ଗଜପତିଙ୍କର ସେନାଧ୍ୟକ୍ଷ ଥିଲେ। କଟକ ସୁବାଦାର ଯେତେବେଳେ ପୁରୀ ଆକ୍ରମଣ ପାଇଁ ମରହଟ୍ଟା ସୈନ୍ୟ ପଠାଇଥିଲେ, ସେତେବେଳେ ଏହି ଭାତୃଦ୍ୱୟ ପିପିଲିଠାରେ ଯୁଦ୍ଧ କରି ତାହାଙ୍କୁ ପରାଜିତ କରିଥିଲେ। ଏଣୁ ନାରାୟଣ ରାଉତରାୟଙ୍କ ନାମ ଅନୁସାରେ ନରଶଗଡ଼ ପ୍ରତିଷ୍ଠା କରାଇଥିଲେ। ମାଧବ ଚନ୍ଦ୍ର ରାଉତରାୟ ହେଉଛନ୍ତି- ନାରାୟଣ ରାଉତରାୟଙ୍କ ନାତି। ତାଙ୍କ ପିତାଙ୍କ ନାମ ନୀଳାମ୍ବର ରାଉତରାୟ ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଦେବୀ ଏବଂ ପତ୍ନୀଙ୍କ ନାମ ଥିଲା ଇନ୍ଦୁମତୀ। ଗଜପତି ମୁକୁନ୍ଦଦେବଙ୍କ ସମୟରେ ମାଧବ ଚନ୍ଦ୍ର ରାଉତରାୟଙ୍କର ଜନ୍ମ। ଗଜପତିଙ୍କ ଗୁପ୍ତ ଅସ୍ତ୍ରାଗାର ଥିଲା- ତାପଙ୍ଗଗଡ଼ର ହାତିଆ ପାହାଡ଼ରେ। ଅସ୍ତ୍ରାଗାର ଦାୟିତ୍ୱରେ ଥିଲେ ନିଜେ ମାଧବ ଚନ୍ଦ୍ର।

ଖୋର୍ଦ୍ଧା ଦୁର୍ଗ ପତନ ପରେ ଫିରିଙ୍ଗମାନେ ସବୁଆଡୁ କର ଆଦାୟ କଲେ ସତ; ହେଲେ ମାଧବ ଚନ୍ଦ୍ରଙ୍କ ଭୟରେ ତାପଙ୍ଗଗଡ଼ରେ ପ୍ରବେଶ କରିପାରିଲେ ନାହିଁ। ଠିକ୍ ଦଶବର୍ଷ ପରେ ଜୋର ଜବରଦସ୍ତ କର ଆଦାୟ ପାଇଁ ନିଷ୍ପତ୍ତି ନେଲେ। କର ନଦେଲେ ଅତ୍ୟାଚାର କଲେ।

୧୮୨୭ ମଇ ମାସ ୨୩ ତାରିଖ। ଫିରିଙ୍ଗମାନେ ୫୦ ଜଣ ସୈନ୍ୟ ସହ କର ଆଦାୟ ପାଇଁ ତାପଙ୍ଗଗଡ଼ରେ ପ୍ରବେଶ କଲେ। ଗଡ଼ର ପଶ୍ଚିମ ପଟ ଘରଟି ଥିଲା- ଚିନ୍ତାମଣି ରଣସିଂହଙ୍କର। ସେ ଘରେ ନଥିଲେ। ତାଙ୍କ ସ୍ତ୍ରୀ ହାରାମଣିକୁ ଫିରିଙ୍ଗମାନେ ଭୂ-ରାଜସ୍ୱ କର ଦେବା ପାଇଁ ବାଧ୍ୟ କଲେ। ଧମକାଇ ଘରେ ପଶିବାକୁ ଉଦ୍ୟମ କଲେ। ହାରାମଣି ପାଇକର ପତ୍ନୀ, ବୀରାନାରୀ। ସେ ପୁଣି ଡରିଯିବ କେଇଜଣ ଫିରିଙ୍ଗଙ୍କ ଆଗରେ। ରୋକ୍ ଠୋକ୍ ଜବାବ ଦେଲା- “ଆମେ ଆମର କର ମାଧବ ଚନ୍ଦ୍ର ରାଉତରାୟଙ୍କୁ ଦେଉଛୁ। ସେ ଆମର ଦେବତା। ଘରେ ପଶିବାକୁ ଚେଷ୍ଟା କରିବ ତ ପନିକିରେ ହାଣି ଦୁଇ ଗଡ଼ କରିଦେବି। ହୋ-ହାଲ୍ଲା ଶୁଣି ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ଓ ଦଳେଇ ଗୋବର୍ଦ୍ଧନ ବୈରୀଗଞ୍ଜନ ଘଟଣାସ୍ଥଳରେ ପହଞ୍ଚିଲେ। ଧନୁଶର, ପାଟଖଣ୍ଡ, ବନ୍ଧୁକ, କମାଣ, ଗୁପ୍ତି ଧରି ପାଇକମାନେ ଆକ୍ରମଣ କରିବାରୁ ଫିରିଙ୍ଗର ଦାରୋଗାମାନେ ଗଡ଼ ଛାଡ଼ି ପଳାଇଲେ। ଦଳେଇ ଗୋବର୍ଦ୍ଧନ ବୈରୀଗଞ୍ଜନ ବନ୍ଧୁକ ଚଳାଇ ଦୁଇ ଜଣ ଗୋରା ସୈନ୍ୟକୁ ହତ୍ୟା କଲେ।

ଦାରୋଗାମାନେ ଫେରିଯାଇ ଖୋର୍ଦ୍ଧାରେ ଅବସ୍ଥାପିତ ଫିରିଙ୍ଗ ସାହେବକୁ ଜଣାଇଲେ। ସାହେବ କଟକରେ ଥିବା କର୍ଣ୍ଣଲେ ହାରକୋଟଙ୍କ ନିକଟକୁ ଖବର ପଠାଇଲେ। କର୍ଣ୍ଣେଲ ହାରକୋଟ ପ୍ରଥମେ ମାଧବ ଚନ୍ଦ୍ରଙ୍କ ନିକଟକୁ ପତ୍ର ପଠାଇ କ୍ଷମା ମାଗିବା ଓ ସମସ୍ତ କର ପୈଠ କରିବା ପାଇଁ ଧମକେଇଲେ। ହେଲେ ସେ ଡରିଯିବା କି ତରିଯିବା ଲୋକ ନୁହଁନ୍ତି। ପାଇକ ପୁଅ, ପରାକ୍ରମ ହିଁ ତାର ଏକମାତ୍ର ସମ୍ବଳ। ପତ୍ରକୁ ଚିରିଦେଲେ। ପାଲଟା ଯବାବ ଦେଇ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଲେ।

ମାଧବ ଚନ୍ଦ୍ର ଯୁଦ୍ଧ ପାଇଁ ଗଜପତିଙ୍କଠାରୁ ଗୁପ୍ତରେ ଅନୁମତି ଆଣିଲେ। ୧୯୨୭ ଜୁନ୍ ମାସ ୧୬ ତାରିଖରେ ୭ ଦଳବେହେରା, ୪୦ ଦଳାଇ ଓ ପାଞ୍ଚ କରଣଙ୍କୁ ଦୂତ ମାଧ୍ୟମରେ ଖବର ପଠାଇଲେ। ଜୁନ୍ ମାସ ୨୪ ତାରିଖରେ ମଳିପଡ଼ା, ନରଣ ଗଡ଼, ରାମଚଣ୍ଡୀ, ସଢ଼ାଇଗଡ଼, ରଥୀପୁରଗଡ଼, ଛତ୍ରମାଗଡ଼ ଓ କାଞ୍ଚିଆଗଡରୁ ଦଳାଇ ଓ ପାଇକମାନେ ଆସି ତାପଙ୍ଗଗଡ଼ର ହସ୍ତେଶ୍ୱରୀ ଠାକୁରାଣୀଙ୍କ ମନ୍ଦିରଠାରେ ଠୁଳ ହେଲେ। ତାଙ୍କ ସହ ଦଧିମାଛଗାଡ଼ିଆ, ବଙ୍ଗିଦା, କାଞ୍ଚିଲ, ଝିଙ୍କିଝରିର କରଣ ଓ ଅଣ୍ଡାରୁ କୋଠକରଣ ଆସି ଯୋଗ ଦେଲେ। ଯୁଦ୍ଧ ପୂର୍ବରୁ ଦାୟିତ୍ୱ ବଣ୍ଟନ କରାଗଲା। ଅଣ୍ଡାର କୋଠକରଣଙ୍କୁ ସୈନ୍ୟମାନଙ୍କର ଚର୍ଚ୍ଚା, କାଞ୍ଚିଲ କରଣ ଭଣ୍ଡାର ଅଧିକାର ଓ ଝିଙ୍କିଝାରି କରଣକୁ ସୈନ୍ୟସଜ୍ଜାର ଦାୟିତ୍ୱ ମାଧବ ଚନ୍ଦ୍ର ପ୍ରଦାନ କଲେ। ସମସ୍ତଙ୍କ ନିଷ୍ପତ୍ତି କ୍ରମେ ତାପଙ୍ଗଗଡ଼ର ପୂର୍ବରେ ଥିବା କାଣ୍ଡଗୋଦା ପଦାକୁ ଯୁଦ୍ଧଭୂମି ଭାବେ ସ୍ଥିର କରାଗଲା।

ତାପଙ୍ଗ ଯୁଦ୍ଧ

ପ୍ରଥମ ଦିବସ- ୧୮୨୭ ଖ୍ରୀ ଜୁନ୍ ୨୬ ତାରିଖ,

ମାଧବ ଚନ୍ଦ୍ର ପ୍ରଥମ ଦିନ ଯୁଦ୍ଧରେ ଝିଙ୍କିଝାରି କରଣ ଧନୁର୍ଜୟ ଶ୍ରୀଚନ୍ଦନଙ୍କୁ ସେନାପତି ପଦରେ ବରଣ କଲେ। ଆଗରେ ବୀରବାଜା, ପଛରେ ତିନି ଶହ ପାଇକ, ସେମାନଙ୍କ ପଛରେ ଖଣ୍ଡାଧାରୀ ଖଣ୍ଡାୟତ ଓ ଦୁଇ ଶହ ବନ୍ଧୁକଧାରୀ ପାଇକମାନେ ଯୁଦ୍ଧ କ୍ଷେତ୍ରକୁ ଅବତୀର୍ଣ୍ଣ ହେଲେ। ଫିରିଙ୍ଗ ଦଳ କର୍ଣ୍ଣେଲ ହାରକୋଟଙ୍କ ନେତୃତ୍ୱରେ ଦୁଇ ଶହ ଅଶ୍ବାରୋହୀ ଓ ସାତ ଶହ ବନ୍ଧୁକଧାରୀ କାଞ୍ଚିଆଗଡ଼ଠାରେ ଶିବିର ପକାଇ ଥିଲେ। ସକାଳ ୭ଟା ବେଳେ ଯୁଦ୍ଧ ଆରମ୍ଭ ହେଲା।

ଫଳାଫଳ- ଫିରିଙ୍ଗ ସୈନ୍ୟ ୧୧୫ ଜଣ ମଲେ। ମାଧବ ଚନ୍ଦ୍ରଙ୍କ ପକ୍ଷରୁ ୩ ଜଣ ପାଇକ ବୀରଗତି ପ୍ରାପ୍ତ ହେଲେ ଓ ୧୭ ଜଣ ଆହତ ହେଲେ।

ଦ୍ୱିତୀୟ ଦିବସ- ୧୮୨୭ ଖ୍ରୀ. ଜୁନ୍ ୨୭ ତାରିଖ

ଫଳାଫଳ- ଉଭୟ ପକ୍ଷରୁ ୮୦ ଜଣ ମଲେ।

ତୃତୀୟ ଦିବସ- ୧୮୧୭ ଖ୍ରୀ. ଜୁନ୍ ୨୮ ତାରିଖ

ଫଳାଫଳ- ସେନାପତି ପଦରେ ଥାଇ ଧନୁର୍ଜୟ ଶ୍ରୀଚନ୍ଦନ ବହୁ ଫିରିଙ୍ଗ ସୈନ୍ୟକୁ ହତ୍ୟା କଲେ। କର୍ଣ୍ଣେଲ ହାରକୋଟ କୋପରେ ଜର୍ଜରିତ ହୋଇ ତାଙ୍କୁ ଗୁଳି କଲେ। ଫଳରେ ସେନାପତି ଧନୁର୍ଜୟ ଶ୍ରୀଚନ୍ଦନଙ୍କର ଯୁଦ୍ଧରେ ପ୍ରାଣ ଗଲା। ନିଜେ ମାଧବ ଚନ୍ଦ୍ର ସେନାପତି ଭାବେ କାର୍ଯ୍ୟ ତୁଲାଇଲେ।

ଚତୁର୍ଥ ଦିବସ- ୧୮୧୭ ଖ୍ରୀ. ଜୁନ୍ ୨୯ ତାରିଖ

ଦଳବେହେରା ମାଧବ ଚନ୍ଦ୍ର ଓ କର୍ଣ୍ଣେଲ ହାରକୋଟ ମଧ୍ୟରେ ପ୍ରବଳ ଯୁଦ୍ଧ ହେଲା। ପଚାଶ ଜଣ ପାଇକ ଆହାତ ହେଲେ ଓ ୮୫ ଜଣ ଗୋରା ସୈନ୍ୟ ନିହତ ହେଲେ।

ପଞ୍ଚମ ଦିବସ- ୧୮୧୭ ଖ୍ରୀ. ଜୁନ୍ ୩୦ ତାରିଖ

ଫିରିଙ୍ଗମାନେ ପାଇକମାନଙ୍କ ବୀରତ୍ୱ ପାଖରେ ମୁଣ୍ଡ ନତ କରି ଅନ୍ୟାନ୍ୟ ଉପାୟ ଖୋଜି ବୁଲିଲେ। ଦଧିମାଛ ଗାଡ଼ିଆର କରଣ ମୌସମ ଓରଫ ମଧୁସୂଦନ ପଟ୍ଟନାୟକଙ୍କୁ ହାତ କରିନେଲେ। ଚାକିରି ଓ ନିଷ୍କର ଭୂମିବୃତ୍ତି ଲୋଭରେ ସେ ମାଧବ ଚନ୍ଦ୍ରଙ୍କୁ ବିଶ୍ୱାସଘାତକତା କଲେ। କରଣ ମୌସମ ଜଣାଇଲା- ମଙ୍ଗଳବାର ଦିନ ମାଧବ ଚନ୍ଦ୍ର ଯୁଦ୍ଧ କରନ୍ତି ନାହିଁ। ସେ ଦିନ ସେ ଦେବୀ ହସ୍ତେଶ୍ୱରୀଙ୍କୁ ଆରାଧନା କରନ୍ତି। ଏହା ଜାଣି କର୍ଣ୍ଣେଲ ହାରକୋଟ ଖୁସି ହୋଇଗଲେ।

ପଞ୍ଚମ ଦିନ ଯୁଦ୍ଧ ଚାଲିଲା। ଘାମାଘୋଟ ଲଢ଼େଇରେ ଫିରିଙ୍ଗମାନେ ଯୁଦ୍ଧରୁ ନିବୃତ୍ତ ହେଲେ ନାହିଁ। ଏପରିକି ଯୁଦ୍ଧର ନିୟମ ଭଙ୍ଗ କରି ରାତିରେ ଯୁଦ୍ଧ ଚାଲିଲା। ଦେବୀ ହସ୍ତେଶ୍ୱରୀ ମାଧବ ଚନ୍ଦ୍ରଙ୍କ ବେଶରେ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ। ୧୦୦ ଫିରିଙ୍ଗ ସୈନ୍ୟ ନିହତ ହେଲେ। କର୍ଣ୍ଣେଲ ହାରକୋଟ ରାଗରେ ତମତମ ହୋଇ ମାଧବ ଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଲେ। ତାଙ୍କ ବାମ ପାର୍ଶ୍ୱରେ ଗୁଳି ବାଜିଲା। ମାଧବ ଚନ୍ଦ୍ର ମରିଗଲେ ବୋଲି ଫିରିଙ୍ଗମାନେ ଖୁସି ମନାଇଲେ।

କରଣ ମୌସମ କଥାଟିକୁ ସ୍ପଷ୍ଟ କରିଦେଲେ। ମାଧବ ଚନ୍ଦ୍ର ଯୁଦ୍ଧକୁ ଯାଇନାହାନ୍ତି। ମରିବେ କିପରି! ଏହା ଦେବୀ ହସ୍ତେଶ୍ୱରୀଙ୍କର ମାୟା। ଦେବୀଙ୍କୁ ଅପବିତ୍ର କଲେ ସେ ଆଉ ମାଧବ ଚନ୍ଦ୍ରଙ୍କୁ ସାହାଯ୍ୟ କରିପାରିବେ ନାହିଁ। ଫିରିଙ୍ଗମାନେ କରଣ ମୌସମ କଥାରେ ଗୋରୁମାରି ହସ୍ତେଶ୍ୱରୀ ପୀଠରେ ପକାଇ ଦେଲେ, ଯାହାଫଳରେ ଦେବୀ ଅପବିତ୍ର ହୋଇଗଲେ। ଆଉ ସାହାଯ୍ୟ କରିପାରିବେ ନାହିଁ।

ଏଣେ କରଣ ମୌସମ ଗଡ଼ ତଳେ ହାତିଆ ପାହାଡ଼ରେ ଗୁପ୍ତ ଅସ୍ତ୍ରାଗାର ସମ୍ପର୍କରେ କର୍ଣ୍ଣେଲ ହାରକୋଟକୁ ଜଣାଇ ସାରିଥିଲେ। ଫିରିଙ୍ଗମାନେ ଅସ୍ତ୍ରାଗାର ଦାୟିତ୍ୱରେ ଥିବା ସାମନ୍ତରା ଓ ଗୁମାନସିଂହ ଆଦିଙ୍କୁ ପରାସ୍ତକରି ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବୋହି ନେଲେ ଓ ଅଗ୍ନିସଂଯୋଗ କରିଦେଲେ। ଫଳରେ ମାଧବ ଚନ୍ଦ୍ର ସବୁଆଡୁ ହତାଶ ହୋଇପଡ଼ିଲେ।

ହସ୍ତେଶ୍ୱରୀ ଦେବୀ ସ୍ୱପ୍ନାଦେଶ କରି କହିଲେ, “ଫିରିଙ୍ଗମାନେ ଗୋରକ୍ତ ପକାଇ ପୀଠ ଅପବିତ୍ର କରି ସାରିଛନ୍ତି।  ତୁମେ ଯୁଦ୍ଧ କର ନାହିଁ। ମୁଁ ତୁମକୁ ସାହାଯ୍ୟ କରିପାରିବି ନାହିଁ।”

ମାଧବ ଚନ୍ଦ୍ର ସ୍ୱପ୍ନ କଥା ସମସ୍ତଙ୍କ ଆଗରେ ପ୍ରକାଶ କଲେ। ଯୁଦ୍ଧ ବନ୍ଦ କରିବା ପାଇଁ ପରାମର୍ଶ ଦେଲେ। ନିଜେ ବୀରବେଶ ତ୍ୟାଗକରି ବଣକୁ ପଳାୟନ କଲେ। ଫିରିଙ୍ଗମାନେ ତାଙ୍କ ଘର ଖାନ୍‌ତଲାସ କରି ଧନ ସମ୍ପତ୍ତି ଲୁଟି କରି ନେଲେ। କରଣ ମୌସମକୁ  ନିମକ ହାରାମ ଜାଗିର ଦେଲେ। ଏହା ପରଠାରୁ ତାପଙ୍ଗଗଡ଼ ଫିରିଙ୍ଗର ଆୟତକୁ ଚାଲିଗଲା।

ତାପଙ୍ଗଗଡ଼ ପରିତ୍ୟାଗ କରି ମାଧବ ଚନ୍ଦ୍ର ବଣଜଙ୍ଗଲରେ ଘୂରି ବୁଲିଲେ। ଏହି ସମୟରେ ଖବର ପାଇଲେ ଯେ, ଫିରିଙ୍ଗ କର୍ମଚାରୀ ଜୋରଜବରଦସ୍ତ ସାଧାରଣ ଲୋକଙ୍କଠାରୁ ଲୁଣ ମରା କର ଆଦାୟ କରୁଛନ୍ତି। ଏ କଥା ମାଧବ ଚନ୍ଦ୍ର ସହି ନ ପାରି ଚିଲିକା କୂଳକୁ ଗଲେ। ଗରିବଙ୍କ ଦୁଃଖରେ ଅସ୍ଥିର ହୋଇପଡ଼ିଲେ। ଗୁଳି କରି ଜଣେ ସୁବାଦାର ଓ ଜଣେ ଜମାଦାରଙ୍କୁ ମାରିଲେ।

ଏ କଥା ଖୋର୍ଦ୍ଧା ଶାସକଙ୍କ ପାଖକୁ ଗଲା। ପାଞ୍ଚଦିନ ଅନୁସନ୍ଧାନ ପରେ ଫିରିଙ୍ଗମାନେ ଜାଣିପାରିଲେ ଯେ ଏ କାମ ହେଉଛି ମାଧବ ଚନ୍ଦ୍ରଙ୍କର। କରଣ ମୌସମ କହିଲେ, “ଯାହା ଭାବୁଥିଲି ମୁହିଁ ତାହା ହିଁ ହେଲା। ମାଧବ ଚନ୍ଦ୍ର ରାଉତରାୟ ତାଙ୍କ ଶଶୁର ଘର ବଡ଼ପାରି ଭ୍ରମରବର ରାୟଙ୍କ ଘରେ ଗୁପ୍ତରେ ଅଛନ୍ତି। ସେହିଠାରେ ରହି ରଣପୁର ଓ ବାଣପୁର ଲୋକଙ୍କୁ ମେଳି କରୁଛନ୍ତି।”

କରଣ ମୌସମଠାରୁ ତଥ୍ୟ ପାଇବା ପରେ ଦୁଇ ଶହ ଫିରିଙ୍ଗ ସୈନ୍ୟ ପନ୍ଦର ଦିନ ଯାଏଁ ବଡ଼ପାରିରେ ଶିବିର କରି ରହିଲେ! ହେଲେ ତାଙ୍କୁ ଧରିପାରିଲେ ନାହିଁ। ଫିରିଙ୍ଗ ସୈନ୍ୟ ନିରାଶ ହୋଇ ଫେରିଗଲେ। ଶେଷରେ ଶାସକ ଘୋଷଣା କଲେ ଯେ ଯିଏ ମାଧବ ଚନ୍ଦ୍ର ରାଉତରାୟଙ୍କୁ ଧରାଇ ଦେବ ସେ ସୁନାଥାଳି ପୁରସ୍କାର ପାଇବ। ସେ ସୁନାଥାଳି ପୁରସ୍କାର ଶୁଣି ଅନେକ ଗୁପ୍ତରେ ମାଧବ ଚନ୍ଦ୍ରଙ୍କୁ ଖୋଜିବାକୁ ଲାଗିଲେ; ହେଲେ ପାଇଲେ ନାହିଁ।

ଦିନେ ବଣଜଙ୍ଗଲ ମଧ୍ୟରେ ଏକାକୀ ବସିଥିବା ସମୟରେ ଚିଲିକା କୂଳରେ ସୋରଣଗଡ଼ର ଲୋକା ତରାଇ ନାମକ କୈବର୍ତ୍ତ ସହ ଭେଟ ହେଲା। ସେ ମାଧବ ଚନ୍ଦ୍ରଙ୍କୁ ପଚାରିଲା, “ତାପଙ୍ଗଗଡ଼କୁ ରାସ୍ତା କେଉଁଠି?” କାରଣ ପଚାରିବାରୁ ସେ କହିଲା, “ମୋର ଡଙ୍ଗାଖଣ୍ଡିକ ଚିଲିକାରେ ବୁଡ଼ିଗଲା। ୮ ଘର ମଧ୍ୟ ପୋଡ଼ି ଯାଇଛି। ଦଳବେହେରାଙ୍କୁ ଦେଖା ହେବି। ଭାରି ଦୟାଳୁ ମଣିଷ ସେ। ଦୁଃଖ କହିବି, ସେ ଯାହା ସାହାଯ୍ୟ କରିବେ।”

ଲୋକା ତରାଇଠାରୁ ଏତକ ଶୁଣି ମାଧବ ଚନ୍ଦ୍ର କହିଲେ, “ଆସ ମୋ ସହିତ! ମୁଁ ତୁମକୁ ଦଳବେହେରାଙ୍କ ପାଖକୁ ନେଇଯିବି।” ଏହା କହି ମାଧବ ଚନ୍ଦ୍ର ସିଧାସିଧା ଚାଲିଲେ ଖୋର୍ଦ୍ଧା କଚେରୀ ଆଡକୁ। କଚେରୀରେ ପ୍ରବେଶ କରି ସାହେବଙ୍କ ଆଗରେ କହିଲେ, “ମୁଁ ହେଉଛି ତାପଙ୍ଗଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ। ଏହି ଲୋକଟି ମୋତେ ଧରି ଆଣିଛି। ଯେଉଁ ପୁରସ୍କାର ଘୋଷଣା କରିଥିଲ; ତାକୁ ଦିଅ।”

ସାହେବ ଦୁହିଁଙ୍କୁ ନଜର ବନ୍ଦୀରେ ରଖିଲେ। ଲୋକା ତରାଇଠାରୁ ସମସ୍ତ ଘଟଣା ବୁଝିବା ପରେ ମାଧବ ଚନ୍ଦ୍ରଙ୍କୁ କଟକ ଥିବା ଉପର ହାକିମଙ୍କ ନିକଟକୁ ପଠାଇଲେ। ଉପର ହାକିମ ମାଧବ ଚନ୍ଦ୍ରଙ୍କ ଦୟାଳୁ ମନୋଭାବ ପରିଚୟ ପାଇ ଧନ୍ୟବାଦ ଜଣାଇଲେ। ତାଙ୍କର ଦେଶପ୍ରେମ, ମହାନ୍ ତ୍ୟାଗ ମର୍ମେ ମର୍ମେ ଅନୁଭବ କରି ତାଙ୍କୁ ମୁକ୍ତି ପ୍ରଦାନ କଲେ। ମୁକ୍ତ ହେବା ପରେ ମାଧବ ଚନ୍ଦ୍ର ତାପଙ୍ଗଗଡ଼ ଫେରିଆସି ଅବସର ଜୀବନ କାଟିଲେ ସତ ହେଲେ ତାଙ୍କର ମହାନତା ଏବେ ବି ମଣିଷ ମନରେ କାହାଣୀଟିଏ ହୋଇ ବସା ବାନ୍ଧିଛି।

(ଲେଖକ ଜଣେ ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍)

Comment