ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ

ଏହାକୁ ସବୁଠାରୁ ସାଙ୍ଘାତିକ ମାନସିକ ବ୍ୟାଧି ବୋଲି କୁହାଯାଇପାରେ। ମଣିଷର ସମୁଦାୟ ବ୍ୟକ୍ତିତ୍ୱକୁ ଏହା ଆକ୍ରମଣ କରି ତା’ର ଭାବନା, ଆବେଗ ଓ କାମନାକୁ ବ୍ୟାଧିଗ୍ରସ୍ତ କରି ପକାଏ। ତେଣୁ ତା’କୁ ସାଧାରଣ ଜୀବନରୁ ଅବସର ନେବାକୁ ପଡ଼େ। ସ୍କିଜୋଫ୍ରେନିଆର ପ୍ରାରମ୍ଭିକ ଉତ୍ତେଜନା ଦୂର ହେଲା ପରେ ପୁରାତନ ଓ ଜଟିଳ ରୋଗ ହିସାବରେ ଏହା ଜୀବନର ବାକି ସମୟତକରେ ଦେଖାଦିଏ। ଏ ଅବସ୍ଥାରେ ରୋଗର ସେପରି କୌଣସି ଭୟାବହ ଲକ୍ଷଣ ଦେଖିବାକୁ ମିଳେ ନାହିଁ। ତଥାପି ଏହା ଏତେ ମାନସିକ ଦୌର୍ବଲ୍ୟ ଆଣି ଦେଇଥାଏ ଯେ ରୋଗୀ ଆଜୀବନ ଚିକିତ୍ସାଳୟରେ ଆବଦ୍ଧ ହୋଇ ରହିବାକୁ ବାଧ୍ୟ ହୁଏ। ସେ ଆଉ ସ୍ୱାଭାବିକତା ଫେରିପାଏ ନାହିଁ। ଅବଶ୍ୟ ଶୀଘ୍ର ଜଣାପଡ଼ିଲେ ରୋଗରୁ ଆରୋଗ୍ୟଲାଭ କରିବାର ସମ୍ଭାବନା ବେଶୀ, କିନ୍ତୁ ସାଧାରଣତଃ ରୋଗ ଆରମ୍ଭ ହେଲାବେଳେ ଆଦୌ ଜଣାପେଡ଼ନି ଓ ଡାକ୍ତରଙ୍କ ପାଖକୁ ଆସିଲାବେଳକୁ ରୋଗ ଚାରି ପାଞ୍ଚ ବର୍ଷ ପୁରୁଣା ହୋଇଯାଇଥାଏ। ହଜାରକରେ ପ୍ରାୟ ଆଠଜଣଙ୍କୁ ଏ ରୋଗ ହେବାର ସମ୍ଭାବନା ଅଛି।

ସ୍ପିଜୋଫ୍ରେନିଆ ଏକାଧିକ ରୋଗର ସମଷ୍ଟି। ଏ ପ୍ରତ୍ୟେକ ରୋଗର ପୁଣି ବହୁ ପ୍ରକାର ଲକ୍ଷଣ ଅଛି। ଏସବୁକୁ ରୋଗ ବୋଲି ଦେଖିପାରି ଯେ ଏହାର ସାମୁହିକ ସଂଜ୍ଞା ଦେଇଥିଲେ ସେ ନିଶ୍ଚୟ ପ୍ରତିଭାବାନ୍। ୧୮୯୬ ଖ୍ରୀଷ୍ଟାଦ୍ଦରେ ବିଜ୍ଞାନ ଓ ବିଶେଷକରି ଚିକିତ୍ସା ବିଜ୍ଞାନ ଏତେ ଉନ୍ନତ ନଥିଲା। ସେତେବେଳେ କ୍ରାଏପଲିନ୍ ନାମକ ଜଣେ ବିଶିଷ୍ଟ ମାନସିକ ଚିକିତ୍ସକ ଏହାକୁ ଗୋଟିଏ ରୋଗ ବୋଲି ଠିକ୍ କରି ଏହାର ନାଁ ଦେଇଥିଲେ ଡିମେନସିଆ ପ୍ରିକୋକ୍ସ (Demenita praecox) ଯୌବନର ପ୍ରାରମ୍ଭରେ ଏ ମାନସିକ ବ୍ୟାଧି ଦେଖାଯିବାର ସେ ଲକ୍ଷ୍ୟ କରିଥିବାରୁ ଏପରି ନାମ ଦେଇଥିଲେ। କିନ୍ତୁ ଜୀବନର ଅନ୍ୟାନ୍ୟ କାଳରେ ମଧ୍ୟ ଏହା ଦେଖାଯାଉଛି ବୋଲି ଜଣାପଡ଼ିଲା। ତେଣୁ  ବ୍ଲିଉଳର ଏହାର ନୂତନ ନାମ ଦେଲେ ସ୍କିଜୋଫ୍ରେନିଆ। ସ୍କିଜୋଫ୍ରେନିଆର ଅର୍ଥ ହେଉଛି ଖଣ୍ଡବିଖଣ୍ଡିତ ବ୍ୟକ୍ତିତ୍ୱ। ତେଣୁ ଏ ନାମ ଦ୍ୱାରା ବୟସ ଉପରେ ଜୋର ନ ଦିଆଯାଇ ବ୍ୟକ୍ତିତ୍ୱ ଉପରେ ଜୋର୍ ଦିଆଗଲା।

ଲକ୍ଷଣ

ସ୍କିଜୋଫ୍ରେନିଆର ଦୈହିକ କାରଣ ଜଣାଯାଇନାହିଁ। ତେଣୁ ଏ ପର୍ଯ୍ୟନ୍ତ ଦୈହିକ ଲକ୍ଷଣ ଉପରେ ବିଶେଷ ଜୋର ନ ଦେଇ ମାନସିକ ଲକ୍ଷଣଗୁଡ଼ିକ ଅନୁସାରେ ରୋଗର ନିର୍ଣ୍ଣୟ କରିବାକୁ ପଡ଼ିବ। ଯେତେବେଳେ ଦୈହିକ କାରଣ ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ିବ, ଆମେ ମାନସିକ କାରଣଗୁଡ଼ିକୁ ଗୌଣ ବୋଲି ଧରିବୁ। ଏହାର ମୁଖ୍ୟ ମାନସିକ ଲକ୍ଷଣଗୁଡ଼ିକ ତଳେ ଦିଆଗଲା।

ଭାବନାରେ ବିଶୃଙ୍ଖଳତା

ରୋଗୀର ଭାବନା ସାଧାରଣତଃ ଅସଙ୍ଗତ। ସେ ଗୋଟାଏ କଥା ଠିକ୍ କରି ଭାବିପାରେ ନାହିଁ। ଭାବିବାକୁ ଆରମ୍ଭ କଲେ ବହୁ ପ୍ରକାରର ଅସଙ୍ଗତ ଭାବନା ସବୁ ତା’ ମନରେ ଉଙ୍କିମାରେ। ଗାଧୋଇବା କଥା ଭାବୁଭାବୁ ରେଡିଓ କଥା ଭାବେ। ଏ ଗୋଳମାଳ କଥା ବାର୍ତ୍ତାରେ ସ୍ପଷ୍ଟ ରୂପେ ଦେଖାଦିଏ। ଅମୁକ ଲୋକଙ୍କ ଘର କେଉଁଠି ପଚାରିଲେ ମନେକର ସେ କହିଲା  ହଜାରୀଗଳି, ତା’ପରେ ହଜାରିମଲ ଧର୍ମଶାଳା କଥା ମନେପଡ଼ିଲା। ତା’ ପରେ ଧର୍ମରେ ଶାଳା କାହିଁକି ଲାଗିଛି ଓ ଏହା ଯେ ଅଶ୍ଳୀଳ କଥା ଓ ଏକଥା ଏ ପର୍ଯ୍ୟନ୍ତ କେହି ଲକ୍ଷ୍ୟ କରିନାହାନ୍ତି ଏହା ସେ କହି ବସେ। ତା’ କହିବା ଭିତରେ ଅଳଙ୍କାର ଓ ଅନୁପ୍ରାସ ସବୁ ଦେଖାଦିଏ। ମନେକର କଣ କହୁ କହୁ ସେ ମହାଜନ ଶଦ୍ଦଟି ବ୍ୟବହାର କଲା। ତା’ ପରେ ସେ ଖାଲି ‘ଜନ’ ଲଗାଇ କଥା କହେ- ଯଥା ପରିଜନ, କୂଜନ, ବିଜନ, ସଜ୍ଜନ, ନିଜ୍ଜନ ଇତ୍ୟାଦି। ଆଉ କେବେ କେବେ ସେ ଏକା କଥାକୁ ବାରମ୍ବାର କହୁଥାଏ। ଜଣେ ରୋଗୀ ତା’ର ଜୀବନର ଅନୁଭୂତି ସବୁ ବର୍ଣ୍ଣନା କରୁ କରୁ ସେ କାହାକୁ ‘‘ଜୋ ହୁଆ ସୋ ଠିକ୍ ହୁଆ, କହିଥିବାର ବର୍ଣ୍ଣନା କଲା। ତା’ ପରେ ଆଉ କିଛି ନ କହି କେବଳ ଠିକ୍ ହୁଆ, ଠିକ୍ ହୁଆ ବୋଲି କହିଚାଲିଲା। ନୂତନ ଭାଷା ସୃଷ୍ଟି କରିବାରେ ଓ ନୂଆ ସଙ୍କେତ ଉଦ୍ଭାବନ କରିବାରେ ସ୍କିଜୋଫ୍ରେନିଆ ରୋଗୀ ଖୁବ୍ ପାରଙ୍ଗମ। ପିଲାମାନଙ୍କ ପରି ସେ ‘ବଫଆଲା’ ଲେଖି ‘ବରଫ ଆଣିଲା’ ବୁଝୁଥିବ। କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହୁଥିବା ବେଳେ ସେ ପିଲାଳିଆ ଥଟ୍ଟା ପରିହାସ କରୁଥିବ। ଅଯଥା ହସୁଥିବ ବା ଖତେଇ ହେଉଥିବ। ତା’ କଥାବାର୍ତ୍ତାରୁ ଅବଶ୍ୟ ଭାବନା ପ୍ରକ୍ରିୟାର ସବୁ ଗୋଳମାଳ ଧରାପଡ଼େନି। ଏମିତିକି ସାଧାରଣ କଥାବାର୍ତ୍ତା ହେଲାବେଳେ ମଧ୍ୟ ରୋଗୀ ଖୁବ୍ ସ୍ୱାଭାବିକ ମନେ ହୁଏ। କିନ୍ତୁ ରୋଗୀକୁ କୌଣସି ପ୍ରବାଦର ମାନେ ପଚାର କିମ୍ବା କୌଣସି ଜଣାଶୁଣା ଗପ କହିବାକୁ ଦିଅ, ତା’ର ଭାବନାର ଅପୂର୍ଣ୍ଣତା ଅବାନ୍ତରତା ଓ ଦାରିଦ୍ର୍ୟ ସହଜରେ ଜଣାପଡ଼େ। ମନେକର ପଚରା ହେଲା ‘‘ଗରଜିଲା ମେଘ ବରଷେ ନାହିଁ’’ ମାନେ କ’ଣ? ସେ ଆଶ୍ଚର୍ଯ୍ୟଜନକ ଉତ୍ତର ଦେବେ। ସେ ହୁଏତ ’ଗରଜିବା’ ବିଷୟରେ କହି ଚାଲିବ। କିମ୍ବା ରୋଗୀକୁ ପଚାର ବିଲୁଆ ଓ ଅଙ୍ଗୁରକୋଳି ବିଷୟରେ ଗପ କହିବାକୁ। ସେ କେବେ ଠିକ୍ କରି ଗପଟା କହି ପାରିବନି କି ସାରିପାରିବନି। ମଝିରେ ମଝିରେ ରୋଗୀ କହିବ ଯେ ତା’ ମୁଣ୍ଡରେ ଅନେକ ଭାବନା ଏକାଠି ଦେଖାଯାଉଛି, ଆଉ ସେ କୌଣସିଟା କହି ପାରୁନାହିଁ। ପୁଣି ଅନ୍ୟବେଳେ କହିବ, ଯେମିତି ନିଜେ କିଛି ଭାବୁନାହିଁ, ଜଣେ କିଏ ତା’ ମନରେ ଜବରଦସ୍ତ କ’ଣ ସବୁ କହୁଛି ଓ ସେ କେବଳ ସେହିଗୁଡ଼ିକ ଆଉ ଥରେ ନିଜେ କହୁଛି। ଅଧିକାଂଶ ବେଳେ ରୋଗୀ ଭାବୁକ ଭଳିଆ ବସିଥିଲେ ମଧ୍ୟ ପ୍ରାୟ ଖୁବ୍ କମ୍ ଭାବନା ତା’ ମନକୁ ଆସେ; ପ୍ରକୃତରେ ଭାବନାର ଦାରିଦ୍ର୍ୟ ଓ ଶୂନ୍ୟତା  ଏ ରୋଗର ବିଶେଷତ୍ୱ। ଶୂନ୍ୟତା ହେତୁ ସେ ଯନ୍ତ୍ରଭଳିଆ ଗୋଟିଏ ଦୁଇଟି କଥା କହେ- ଯଥା ‘ମୁଁ ଘରକୁ ଯିବି’, ‘ମୋ ମନ ଖରାପ ଲାଗୁଛି’। ଏହି କଥା ଖାଲି କହୁଥାଏ। ପ୍ରକୃତରେ କିଛି ଆବେଗ ସହିତ କହୁନଥାଏ। କାରଣ ଏମିତି ଗୋଟାଏ ଦୁଇଟା ନିର୍ଦ୍ଦିଷ୍ଟ ଭାବନା ଛଡ଼ା ତା’ ମୁଣ୍ଡରେ ସବୁ ଗୋଳମାଳିଆ ଭାବନା ଦେଖାଯାଏ।

ଆବେଗରେ ବିଶୃଙ୍ଖଳତା

ସ୍କିଜୋଫ୍ରେନିଆ ରୋଗୀର ଆବେଗ (emotion) ଅସ୍ୱାଭାବିକ। ପ୍ରଥମେ ଆଖିରେ ପଡ଼ୁଥିବା ଅସ୍ୱାଭାବିକତା ହେଲା ଆବେଗହୀନତା। ରୋଗୀ କ୍ରମେ କ୍ରମେ ସାଧାରଣ ଆବେଗ ଅନୁଭବ କରିପାରେ ନାହିଁ। ମନେକର ରାସ୍ତାରେ ଜଣଙ୍କୁ ମଟର ମାଡ଼ିଗଲା, ତାହା ଦେଖି ରୋଗୀର କୌଣସି ଆବେଗ ଆସେ ନାହିଁ। ଆବେଗ ଅନୁଭବ କରିବା ଶକ୍ତି ଆସ୍ତେ ଆସ୍ତେ କମିଯିବା ସ୍କିଜୋଫ୍ରେନିଆର ପ୍ରାରମ୍ଭିକ ଲକ୍ଷଣ। ଏ ରୋଗ ପ୍ରଥମେ ଆରମ୍ଭ ହେଲାବେଳେ ରୋଗୀ କାହା ପ୍ରତି ସହାନୁଭୂତି ଦେଖାଇ ପାରେ ନାହିଁ। କାହାର ଦୁଃଖରେ ସମଦୁଃଖୀ ହୋଇପାରେ ନାହିଁ। ତା’ପରେ ଏପରି ହୁଏ ଯେ  ନିଜର ଅତି ପ୍ରିୟଜନର ମୃତ୍ୟୁରେ ମଧ୍ୟ ସେ ଅବିଚଳ ରହେ; କୌଣସି ଦୁଃଖ ଅନୁଭବ କରେ ନାହିଁ।

ଏ ପ୍ରକାର ଚରମ ବୈରାଗ୍ୟ ସ୍ୱାଭାବିକ ଭାବରେ ରୋଗୀଠାରେ ଦେଖାଦିଏ। ଜଣାଯାଏ ଯେମିତି ଦୁନିଆରେ କୌଣସି ଜିନିଷ ରୋଗୀର ମନରେ ଆନ୍ଦୋଳନ ସୃଷ୍ଟି କରିବ ନାହିଁ। ନିଜର ଚେହେରା ସମ୍ପର୍କରେ ରୋଗୀ ଆଦୌ ଯତ୍ନ ନିଏନାହିଁ। ତେଣୁ ବିନା ଦ୍ୱିଧାରେ ସେ ଅତି ଅପରିଷ୍କାର ହୋଇପାରେ। ଆବେଗରେ ଜଡ଼ତା ସହିତ ଆବେଗର ଆକସ୍ମିକ ଉତ୍‌ଥାନ ପତନ ମଧ୍ୟ ଦେଖାଯାଏ। ରୋଗୀ ସୁଖ ବା ଦୁଃଖରେ କୌଣସିଥିରେ ବିଚଳିତ ହୁଏ ନାହିଁ। କିନ୍ତୁ ସମୟେ ସମୟେ ହଠାତ୍ ଖୁବ୍ ଖୁସି ହୋଇ ପାଟିତୁଣ୍ଡ କରିପାରେ, ଖୁବ୍ ଡରିଯାଇ ପାରେ ବା ଅଯଥା ଆତଙ୍କରେ ଅଭିଭୂତ ହୋଇପାରେ। ଏହା ଅବଶ୍ୟ ଅଳ୍ପକ୍ଷଣସ୍ଥାୟୀ। ଏହା ସଙ୍ଗେ ସଙ୍ଗେ ଅସଙ୍ଗତ ଆବେଗ ଆଉ ଗୋଟିଏ ଲକ୍ଷଣ ହିସାବରେ ସ୍କିଜୋଫ୍ରେନିଆ ରୋଗୀଠାରେ ଦେଖାଯାଏ। ଦୁଃଖ କଥା କହୁଥିବା ବେଳେ ରୋଗୀ ହସୁଥିବ ବା କୌଣସି ସାଧାରଣ କଥା ବର୍ଣ୍ଣନା କଲାବେଳେ ଦୁଃଖରେ ଅଭିଭୂତ ହୋଇ କାନ୍ଦୁଥିବା ଅର୍ଥାତ୍ ଯାହା କହୁଛି ତା’ ସାଙ୍ଗେ ଯଥାଯଥ ଆବେଗ ପ୍ରକାଶିତ ହେଉନାହିଁ। ରୋଗୀର ଭାବନା ଓ ଆବେଗ ଭିତରେ କୌଣସି ସମ୍ପର୍କ ନଥିଲା ପରି ଜଣାପଡ଼େ। ଆବେଗର ଜଡ଼ତା ସହିତ ଆବେଗର ଅସଙ୍ଗତତା ମିଶି ରୋଗୀକୁ ଏଭଳି ଏକ ଅବସ୍ଥାକୁ ନେଇ ଆସେ, ରୋଗୀ ଗୁରୁତର ଅପରାଧ କଲେ ବି କିଛି ଅନୁଭବ କରିପାରେ ନାହିଁ। ତେଣୁ ସେ ଅତି ନିଷ୍ଠୁର ଭାବରେ ଜଣଙ୍କୁ ହତ୍ୟା କରିପାରେ ବା ଯେ କୌଣସି ଲୋକ ଘରେ ନିଆଁ ଲଗାଇ ଦେଇପାରେ। ନଈ ପୋଖରୀରେ ନିଜ ଭାଇଭଉଣୀଙ୍କୁ ଠେଲି ଦେବା ମଧ୍ୟ ତା’ ପକ୍ଷରେ ଆଶ୍ଚର୍ଯ୍ୟ  ନୁହେଁ। ଏସବୁ କରିବା ଦ୍ୱାରା ତା’ ମନରେ କୌଣସି ଦୁଃଖ ଆସେ ନାହିଁ। ସୁବିଧା ପାଇଲେ ନିଜର ହାତ ଗୋଡ଼ ମଧ୍ୟ ସେ ନିର୍ବିକାର ଚିତ୍ତରେ କାଟି ପକାଏ। କିନ୍ତୁ ରୋଗୀ କୌଣସି କାମ ନିଶ୍ଚିତ ଭାବରେ କରିପାରେ ନାହିଁ। କାରଣ ତା’ର ଭାବନା ପ୍ରକ୍ରିୟା ସ୍ୱାଭାବିକ ନ ଥିବାରୁ କୌଣସି କାମରେ ପୁରା ମନଯୋଗ ଦେଇପାରେ ନାହିଁ। ତେଣୁ ଖୁବ୍ ଗୁରୁତର ଅପରାଧ କରିବା ପାଇଁ ଯେଉଁ ପ୍ରସ୍ତୁତି ଓ ଯୋଜନା ଆବଶ୍ୟକ ତାହା ରୋଗୀଠାରେ ନଥାଏ। ଏଇଥିପାଇଁ ସ୍କିଜୋଫ୍ରେନିଆ ରୋଗୀ ପ୍ରକୃତରେ ଅପରାଧ କରିବାର ଦୃଷ୍ଟାନ୍ତ ବିରଳ।

ଆବେଗହୀନତା ଯୋଗୁଁ ଚିକିତ୍ସକ ରୋଗୀଠାରୁ କୌଣସି କଥା ଆଦାୟ କରି ପାରନ୍ତି ନାହିଁ। ରୋଗୀ ସାଧାରଣତଃ ବହୁ କଷ୍ଟରେ ଗୋଟିଏ ଦୁଇଟି ଶଦ୍ଦରେ ଉତ୍ତର ଦିଏ। ତେଣୁ ସାଧାରଣ ମଣିଷ ହିସାବରେ ତା’ ସାଙ୍ଗରେ ବ୍ୟବହାର କରିବା ଅସମ୍ଭବ ହୋଇପଡ଼େ।

କାମରେ ନିଃସ୍ପୃହତା

ରୋଗୀର କିଛି କାମ କରିବାକୁ ଇଛା ହୁଏ ନାହିଁ। ସେ ସବୁବେଳେ ନିଷ୍କାମୀ ହୋଇ ବସିବାକୁ ବା ଶୋଇ ରହିବାକୁ ଭଲପାଏ। ପଚାରିଲେ ହୁଏତ କହିବ ନିଗୁଡ଼ ତତ୍ତ୍ୱ କଥା ଭାବୁଛି ବା ଆଧ୍ୟାତ୍ମିକ କଥା କରୁଛି। ତା’ର ବିଚାର ଶକ୍ତି ଦୁର୍ବଳ ହୋଇପଡ଼େ। ‘‘ଏଇ କାମଟା କଲେ ଭଲ, ତେଣୁ ଏଇଟା କରାଯାଉ’’ ଏମିତି ପରିଷ୍କାର ଭାବରେ ସେ ଭାବି ଚିନ୍ତିପାରେ ନାହିଁ। ତେଣୁ କାମ କରିଲେ ମଧ୍ୟ ପୂର୍ଣ୍ଣ ପ୍ରାଣରେ କରି ପାରେ ନାହିଁ। ଅଧିକାଂଶ ସମୟରେ ଅଳସୁଆ ହୋଇ ବସିବାଟା ତା’କୁ ସ୍ୱାଭାବିକ ଲାଗେ। ଏହାଛଡ଼ା ରୋଗୀ ବଡ଼ ଏକଜିଦିଆ ଓ ମନୁଆ ହୋଇଯାଏ। ଯାହା କହିଲେ ସେ କହିବ ’ମୁଁ ଶୁଣିବିନି’ ‘ମୁଁ କରିବିନି’ ଇତ୍ୟାଦି। କାମ କରିବା ଇଛାର ଦୁର୍ବଳତା ଯୋଗୁଁ ରୋଗୀ ସବୁକାମ ଅଧାପାନ୍ତରିଆ କରି ଛାଡ଼ିଦିଏ। ଯଥା ତା’କୁ କୁହ ସାମନାରେ ଥିବା ବହିଟା ଦେବାକୁ। ସେ ବହିଟି ବହୁ ସମୟ ପରେ ଅତି କଷ୍ଟରେ ଉଠେଇବ, ତୁମ ଆଡ଼କୁ ଟିକିଏ ବଢ଼େଇଦେବ, ପୁଣି ଯେଉଁଠି ଥିଲା ସେଇଠି ଥୋଇଦେବ।

କାମ କରିବା ଇଛା ଦୁର୍ବଳ ହେବାରୁ ନିଷ୍କ୍ରିୟତା ଦେଖାଯାଏ। ରୋଗୀ ଯାହା ବା କିଛି କାମ କରେ ଭାବେ ଯେ କିଏ ଜଣେ ସେ ସବୁ ତାଦ୍ୱାରା କରାଇ ନେଉଛି। ତା’ ଭିତରେ ଜଣେ କିଏ ତା’କୁ ଯେମିତି ବସି କହୁଛି ହସିବାକୁ, କାନ୍ଦିବାକୁ ଓ ଅବାନ୍ତର କଥା ଗପିବାକୁ। ଅର୍ଥାତ୍ ରୋଗୀ କେତେକ ପରିମାଣରେ ବୁଝୁଛି ଯେ ସେ ଯାହା କହୁଛି ବା କରୁଛି ତାହା ଅପ୍ରାସଙ୍ଗିକ। କିନ୍ତୁ ସେ କୌଣସି ମତେ ବୁଝିପାରୁନି ଯେ ଏ ସବୁ ଅପ୍ରାସଙ୍ଗିକ କାମ କାହିଁକି କରୁଛି। ତେଣୁ ତା’ ଭିତରେ କିଏ ଜଣେ ରହି ଏସବୁ କରାଉଛି ବୋଲି ତା’ର ମନେ ହେଉଛି। ଆଧୁନିକ ସମାଜରେ ବଢ଼ିଥିବା ରୋଗୀ କହେ ଯେ କିଏ ଜଣେ ରେଡିଓ ସାହାଯ୍ୟରେ ବା ସମ୍ମୋହନ କରି ତା’ର ବ୍ୟବହାରକୁ ନିୟନ୍ତ୍ରଣ କରୁଛି; ଆଗକାଳରେ ରୋଗୀ କହୁଥିଲେ ଡାହାଣୀ ବା ଭୂତ ତା’ ଦେହରେ ପଶି ଯାଇଛି। ତେଣୁ ଏସବୁ ସେହି କରାଉଛି। ଜଣେ ସ୍କିଜୋଫ୍ରେନିଆ ରୋଗୀକୁ ପଚାରିବାରୁ ସେ କହିଲା ଯେ ତା’ର ଚନ୍ଦା ମୁଣ୍ଡଟା ଗୋଟିଏ ଟ୍ରାନ୍ସମିଟର ଓ ତେଣୁ ସେ ଯାହା ଭାବୁଛି ସାଙ୍ଗେ ସାଙ୍ଗେ ଚାରିଆଡକୁ ପ୍ରଚାରିତ ହୋଇଯାଉଛି। ଏଥିପାଇଁ ସେ ଆଉ କିଛି ଭାବୁ ନାହିଁ।

ଏ ଧାରଣା ଚରମ ସୀମାରେ ପହଞ୍ଚେ ଯେତେବେଳେ ରୋଗୀ ଭାବେ ଯେ ସେ ଗଛପତ୍ର, ଜୀବଜନ୍ତୁ, ଆକାଶ, ମେଘ ଏ ସବୁର ଗୋଟିଏ ଅଂଶ ଓ ସେଗୁଡ଼ିକ ମଧ୍ୟ ତାହାର ଶରୀରର ଗୋଟିଏ ଅଂଶ। ରୋଗୀ ନିଜର ଏକତ୍ୱ ଓ ପରିଚୟ ହରାଇ ବସେ। ତା’ର ‘ଅସ୍ମିତା’ ଲୋପ ପାଏ। ଫ୍ରଏଡଙ୍କ ମତରେ ଏହା ମୁଖଗତ ଯୌନ-ବିକାଶ ସ୍ତରର ଆରମ୍ଭକୁ ଫେରିଯିବାର ନିଶ୍ଚିତ ଲକ୍ଷଣ।

ଚାରି ପ୍ରକାର ସ୍କିଜୋଫ୍ରେନିଆ ଦେଖିବାକୁ ମିଳେ। ସେଗୁଡ଼ିକ (କ) ସରଳ ସ୍କିଜୋଫ୍ରେନିଆ (ଖ) ହେବେଫ୍ରେନିଆ (ଗ) କାଟାଟୋନିଆ (ଘ) ପାରାନୋଇଆ।

(କ) ସରଳ ସ୍କିଜୋଫ୍ରେନିଆ (Simple Schizophrenia)

ଏ ପ୍ରକାର ସ୍କିଜୋଫ୍ରେନିଆ ଚିହ୍ନିବା ସବୁଠାରୁ କଷ୍ଟ। କାରଣ ଏହାର ଏକମାତ୍ର ଲକ୍ଷଣ ହେଲା ଆବେଗ ଅନୁଭବ କରିବା ଶକ୍ତିର ହ୍ରାସ। ରୋଗୀ ସାଧାରଣତଃ ନିରାସକ୍ତ ହୋଇଯାଏ; କାହା ପ୍ରତି ସେମିତି ବିଶେଷ ମାୟାମମତା ଦେଖାଏ ନାହିଁ। ନିଜର ଅତି ପ୍ରିୟଜନମାନଙ୍କୁ ମଧ୍ୟ ସ୍ନେହ କରେ ନାହିଁ। ଏ ଲକ୍ଷଣ ଖୁବ୍ ଆସ୍ତେ ଆସ୍ତେ ଦେଖାଦିଏ। ତେଣୁ ରୋଗ ଆରମ୍ଭ ହୋଇଛି ବୋଲି କାହା ନଜରରେ ପଡ଼େ ନାହିଁ। ସାମାଜିକ କର୍ତ୍ତବ୍ୟରେ ଅବହେଳା ଓ ଅତ୍ୟନ୍ତ ନିକଟତମ ଆତ୍ମୀୟମାନଙ୍କ ପ୍ରତି ଉଦାସୀନତା ରୋଗର ଆରମ୍ଭରେ ଏକ ମାତ୍ର ଲକ୍ଷଣ ହିସାବରେ ଦେଖାଦିଏ। କିନ୍ତୁ ତା’ ସାଙ୍ଗରେ ଚଳୁଥିବା ଲୋକମାନେ ଏହାକୁ ରୋଗର ଲକ୍ଷଣ ବୋଲି ଭାବି ପାରନ୍ତି ନାହିଁ। ସେମାନେ ଏ ସବୁକୁ ରୋଗୀର ଚରିତ୍ରରେ ସାମୟିକ ପରିବର୍ତ୍ତନ ବୋଲି ଧରି ନିଅନ୍ତି। ରୋଗୀ ନିଜେ କୌଣସି ବିଚାର କରି ସିଦ୍ଧାନ୍ତରେ ପହଞ୍ଚି ପାରେ ନାହିଁ। କାମ କରିବା ଇଛା ଖୁବ୍ କମିଯିବାରୁ ସେ ଅଳସୁଆ ହୋଇ ଘରେ ବସି ରହେ। ନିକଟ ଆତ୍ମିୟଙ୍କର ତତ୍ତ୍ୱାବଧାନରେ ନ ଥିଲେ କାମଦାମ ନ କରି ଆସ୍ତେ ଆସ୍ତେ ଗରିବ ହୋଇଯାଏ। ଭିକାରୀ ଓ ବେଶ୍ୟାମାନଙ୍କ ଭିତରେ ଏପ୍ରକାର ରୋଗୀ ଦେଖିବାକୁ ମିଳନ୍ତି। ଏମାନେ କେବଳ ଛୋଟକାଟରେ କୌଣସି କାମ କରିପାରନ୍ତି- ଅବଶ୍ୟ ସେ କାମରେ କିଛି ଦାୟିତ୍ୱ ନ ଥିବ ଓ ଖୁବ୍ ବେଶୀ ବିଚାର ବୁଦ୍ଧି ପ୍ରୟୋଗ କରିବା ଦରକାର ହେଉନଥିବ। ସାଧାରଣତଃ ସେମାନେ ଅଧିକାଂଶ ବେଳେ କୌଣସି କାମରେ ସନ୍ତୁଷ୍ଟ ନ ରହି ଗୋଟିଏ କାମ ଛାଡ଼ି ଅନ୍ୟ ଗୋଟିଏ କାମ ଧରନ୍ତି। ଶେଷକୁ ଏ ପ୍ରକାର ରୋଗୀ ବୁଲା ହୋଇଯାଆନ୍ତି।

ଇଆଡୁସିଆଡୁ ଛୋଟ ଛୋଟ ସଭା ସମିତିରେ ସଭ୍ୟ ହୁଅନ୍ତି। ଯଥା- ମାଙ୍କଡ଼ ରପ୍ତାନୀ ବିରୁଦ୍ଧରେ ଦଳ ଗଢ଼ା ହେଲେ ସେମାନେ ତା’ର ସଭ୍ୟ ହେବା ପାଇଁ ଆକୃଷ୍ଟ ହେବେ। ଚିରକାଳ ଛାତ୍ର ହୋଇ ରହିବାକୁ ଭଲ ପାଉଥିବା ଲୋକମାନଙ୍କ ଭିତରେ ଏମାନଙ୍କୁ ଦେଖିବାକୁ ମିଳେ। ଡିଗ୍ରୀ ପରେ ଡିପ୍ଲୋମା ଓ ଆହୁରି ଡିପ୍ଲୋମା ପାଇଁ ପଢ଼ି ପଢ଼ି ସେମାନେ ଚିରଦିନ ବିଶ୍ୱବିଦ୍ୟାଳୟର ଛାତ୍ର ହୋଇରହନ୍ତି। ନିଜର ପିଲାଛୁଆ ଓ ବୁଢ଼ା ବାପାମା’ଙ୍କ ପ୍ରତି ଅତ୍ୟନ୍ତ ଅବହେଳା ଯେଉଁମାନେ ଦେଖାନ୍ତି ତାଙ୍କ ଭିତରେ ସରଳ ସ୍କିଜୋଫ୍ରେନିଆ ରୋଗୀ ଥିବା ଖୁବ୍ ସମ୍ଭବ। ସେମାନେ କିଛି ରୋଜଗାର କରନ୍ତି ନାହିଁ। ନିଜପ ପିଲାଙ୍କୁ ପୋଷିବା ନିଜ ଦାୟିତ୍ୱ ବୋଲି ଭାବନ୍ତି ନାହିଁ। ନିର୍ମଳ ଭାବରେ ସ୍ତ୍ରୀ ଓ ପିଲାଙ୍କୁ ଉପାସ ରଖି ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ ଥିବାର ଛଳନା କରନ୍ତି। ସ୍ତ୍ରୀ ବାଧ୍ୟ ହୋଇ ରୋଜଗାର କଲେ ତା’ର ସବୁ ପଇସା ନେଇ  ଖର୍ଚ୍ଚ କରିଦିଅନ୍ତି; ନିର୍ମମ ଭାବରେ ସ୍ତ୍ରୀକୁ ପିଟାପିଟି କରନ୍ତି ଓ ତା’ଠାରୁ ଅତ୍ୟନ୍ତ ଅଧୀନତା ଆଶା କରନ୍ତି। ସେ ଏମିତି ହୃଦୟହୀନ ପଶୁଭଳି ବ୍ୟବହାର କଲେ ମଧ୍ୟ ବେଳେ ବେଳେ ସ୍ତ୍ରୀ ବା ଅନ୍ୟ ସାଙ୍ଗ ଲୋକ ଲୋକ ବୁଝିପାରନ୍ତି ନାହିଁ  ଯେ କୌଣସି ମାନସିକ ରୋଗ ଯୋଗୁଁ ଏହା ହେଉଥାଇପାରେ।

ରୋଗୀ ନିଜର ଦୋଷ ବିଷୟରେ ଆଦୌ ସଚେତନ ନଥାଏ। ତା’ର ବ୍ୟକ୍ତିତ୍ୱ ଏପରି ଅବାଞ୍ଛିତ ଦିଗରେ ପରିବର୍ତ୍ତିତ ହେଉଛି ବୋଲି ସେ ମୋଟେ ଜାଣି ପାରେ ନାହିଁ। ଚୋରମାନଙ୍କ ସାଙ୍ଗରେ ପଡ଼ିଲେ ରୋଗୀ ସବୁଠାରୁ ବିପଦଜନକ ଅପରାଧୀ ହୁଏ- କାରଣ ସେ କିଛି ବୁଝିବିଚାରି ପାରୁନଥିବାରୁ ଯେ କୌଣସି ବିପଦଜନକ କାମ ନିର୍ଭୟରେ କରିପାରେ। ଫଳାଫଳ ନ ଭାବି ନିର୍ଦ୍ଦୟ ଭାବରେ ହତ୍ୟା କରିବା ତା’ ପକ୍ଷରେ ଅତି ସହଜ। ତେଣୁ ବାରମ୍ବାର ଜେଲ୍‌ ଭୋଗୁଥିବା କଏଦିମାନଙ୍କ ଭିତରେ ସରଳ ସ୍କିଜୋଫ୍ରେନିଆ ରୋଗୀ ଥିବାର ଜଣାଯାଏ।

ରୋଗୀ ମାନସିକ ଚିକିତ୍ସାଳୟରେ ରହିବାକୁ ସୁଖ ପାଏ; କାରଣ ସେଠିକାର ଶାନ୍ତିପୂର୍ଣ୍ଣ ବାତାବରଣ ତା’କୁ ବେଶ ଭଲ ଲାଗେ। ବାହାର ଜଗତରୁ ଦୂରରେ ରହି ସେ ନିଜର କଳ୍ପନା ରାଜ୍ୟରେ ରହିବାରେ ସୁଖ ପାଏ। ତା’ର କୌଣସି  ଆଗ୍ରହ ନାହିଁ ବା ଆକାଂକ୍ଷା ନାହିଁ। ଚିକିତ୍ସାଳୟରୁ ବାହାରିଗଲା ପରେ କ’ଣ କରିବ ସେ ବିଷୟରେ ତା’ର କୌଣସି ଯୋଜନା ନଥାଏ। ହୁଏତ ସେ ଆଦୌ ଘରକୁ ଫେରିଯିବାକୁ ଇଛା କରେ ନାହିଁ। ଜଣେ ଡାକ୍ତରଙ୍କୁ ଏ ରୋଗ ହୋଇଥିଲା। ତାଙ୍କୁ ପଚରାଗଲା “ତୁମେ ଭଲ ହେଲା ପରେ କ’ଣ କରିବ?’’ ସେ କହିଲେ ‘‘ଯାହା ମିଳିବ ତା’ କରିବି।’’ ଆହୁରି ପଚାରିବାରୁ କହିଲେ ‘ଚାଷ କରିବି।’’ ପୁଣି ପ୍ରଶ୍ନ ହେଲା ‘‘ତୁମକୁ କ’ଣ ଚାଷ କରି ଆସେ?’’ ‘‘ଶିଖିବି।’’ ‘‘ତୁମର କ’ଣ ଜମି ଅଛି?’’ ‘‘ନାହିଁ।’’ ‘‘ତେବେ ଚାଷ କେମିତି କରିବ?’’ ‘‘ଅନ୍ୟ ଜମିରେ ଚାଷ କରିବି।’’ ରୋଗୀ ଡାକ୍ତରୀ ପଢ଼ିଛି, ଅଥଚ ଫେରିଗଲେ ଡାକ୍ତରୀ କରିବ ବୋଲି ସେ ଭାବୁନାହିଁ, ଯାହା କେବେ କରି ନାହିଁ, ସେଇଆ କରିବ ବୋଲି କହୁଛି।

(ଖ) ହେବେଫ୍ରେନିଆ

ସରଳ ସ୍କିଜୋଫ୍ରେନିଆରେ ଯେପରି ଆବେଗ ଶୂନ୍ୟତା ମୁଖ୍ୟ ଲକ୍ଷଣ, ଏଠାରେ ଭାବନାରେ ବିଶୃଙ୍ଖଳତା ସେହିପରି ମୁଖ୍ୟ ଲକ୍ଷଣ। ଭାବନାରେ ଏ ବିଶୃଙ୍ଖଳା ଆଂଶିକ ବା ସମ୍ପୂର୍ଣ୍ଣ ଭାବରେ ଦେଖାଦେଇପାରେ। ଏ ବିଶୃଙ୍ଖଳା କଥା ସ୍କିଜୋଫ୍ରେନିଆର ସାଧାରଣ ଲକ୍ଷଣ ବର୍ଣ୍ଣନା ବେଳେ କୁହାଯାଇଛି।

ପନ୍ଦରରୁ ପଚିଶ ବର୍ଷ ଭିତରେ ଏହା ସାଧାରଣତଃ ଦେଖାଦିଏ ଏବଂ ଏହାର ଆରମ୍ଭରେ ରୋଗୀ ପୂର୍ବ ବ୍ୟକ୍ତିତ୍ୱ ହଠାତ୍ ପରିବର୍ତ୍ତିତ ହୁଏ ନାହିଁ। ଆସ୍ତେ ଆସ୍ତେ ଅପ୍ରତ୍ୟକ୍ଷ ଭାବରେ ରୋଗ ଆରମ୍ଭ ହୁଏ। ଏ ବୟସରେ ସାଧାରଣତଃ କୈଶୋର ଛାଡ଼ି ଯୌବନରେ ରୋଗୀ ପଦାର୍ପଣ କରେ ଏବଂ ଏହି ପରିବର୍ତ୍ତନ ସମୟରେ ସୁସ୍ଥ ଲୋକ ମଧ୍ୟ ଟିକେ ଖାମ୍‌ଖିଆଲି ବ୍ୟବହାର କରିଥାଆନ୍ତି। ବେଳେ ବେଳେ ଚିନ୍ତିତ ହେବା, ଅସ୍ୱାଭାବିକ ଆବେଗ ଅନୁଭବ କରିବା ଓ ଯୌନ ବିକାଶ ଯୋଗୁଁ  ସାମୟିକ ଉଦ୍‌ବେଗ ପ୍ରକାଶ କରିବା ଏ ବୟସର ସ୍ୱାଭାବିକ ଲକ୍ଷଣ। ତେଣୁ ହେବେଫ୍ରେନିଆର ପ୍ରାରମ୍ଭିକ ଲକ୍ଷଣ ସହଜରେ ଧରାପଡ଼େ ନାହିଁ- ସେ ଲକ୍ଷଣ ସବୁ ଏ ସମୟର ସାଧାରଣ  ଅସ୍ୱାଭାବିକତା ବୋଲି ଭୁଲରେ ମନେହୁଏ। ଅବଶ୍ୟ କିଛିଦିନ ଧରି ଚିକିତ୍ସକଙ୍କ ପର୍ଯ୍ୟବେକ୍ଷଣରେ ରହିଲେ ରୋଗ ଧରାପଡ଼େ। ରୋଗୀ କ୍ରମେ କ୍ରମେ ମନୋନିବେଶ କରିବାରେ କଷ୍ଟ ହୁଏ। ଯେଉଁପାଠ ସେ ଘଣ୍ଟାଏ ପଢ଼ିଲେ ହେଉଥିଲା ତା’ର ଚାରିଘଣ୍ଟା ପଢ଼ିଲେ ବି ସେତେ ଭଲ ହୁଏ ନାହିଁ। ପିଲା ଆଗରୁ ପଢ଼ାଶୁଣାରେ ଭଲ କରୁଥିବ, କିନ୍ତୁ ରୋଗ ଆରମ୍ଭ ହେଲେ ଆସ୍ତେ ଆସ୍ତେ ଖୁବ୍ ଖରାପ କରିବ। କ୍ଲାସପଢ଼ା ମୋଟେ କରିପାରୁନି ବୋଲି କହିବ। ଅଥଚ ଦିନରାତି ପରିଶ୍ରମ କରୁଥିବ। ଆଗେ ଯାହା ବୁଦ୍ଧି ଖେଳାଇ ବୁଝୁଥିଲା ଓ ପରୀକ୍ଷାରେ ପ୍ରଶ୍ନୋତ୍ତର କରୁଥିଲା, ଏବେ ନିହାତି ନୋଟ ମୁଖସ୍ଥ ନ କଲେ ହୋଇପାରିବ ନାହିଁ। ଏହା ଦେଖି ସାଧାରଣ ଶିକ୍ଷକ ଓ ଡାକ୍ତର ପରାମର୍ଶ ନ ନେଲେ ସେମାନେ କହିବେ ସ୍କୁଲ ବା ସ୍ଥାନ ପରିବର୍ତ୍ତନ କର; ଅଧିକା ଟିଉସନ୍ ମାଷ୍ଟ୍ର ନିଯୁକ୍ତ କର ଓ ବିଭିନ୍ନ ପ୍ରକାର ବଳକାରକ ଟନିକ୍ ଖାଅ। ସେମାନେ ପ୍ରାୟ ଏହାକୁ ହେବେଫ୍ରେନିଆର ପ୍ରାରମ୍ଭିକ ଆକ୍ରମଣ ବୋଲି ସନ୍ଦେହ କରିପାରନ୍ତି ନାହିଁ। ହେବେଫ୍ରେନିଆ ରୋଗୀଙ୍କୁ ଡାକ୍ତରଖାନାର ଆଉଟଡୋରରେ ଦେଖିବା କିଛି ଆଶ୍ଚର୍ଯ୍ୟ ନୁହେଁ। କିଛି ଗୋଟାଏ ରୋଗ ହେଉଛି ବୋଲି ଡାକ୍ତରଙ୍କ ପାଖକୁ ବହୁତ ଥର ଏମାନେ ଆସନ୍ତି ଓ ବହୁତ ଥର ଡାକ୍ତର ବଦଳାନ୍ତି। ଏପରି କିଛିଦିନ ଗଲା ପରେ ଘନ ଘନ ଡାକ୍ତର ବଦଳାଇବାରୁ ଓ ଆଶ୍ଚର୍ଯ୍ୟଜନକ ଦୈହିକ ରୋଗର ଲକ୍ଷଣ ସବୁ ଦେଖାଦେଉଛି ବୋଲି କହିବାରୁ ଚିକିତ୍ସକଙ୍କର ସନ୍ଦେହ ହୁଏ ଓ କୌଣସି ସାଂଘାତିକ ମାନସିକ ବ୍ୟାଧି ହୋଇଥିବା ଭାବି ସେ ରୋଗୀକୁ ମାନସିକ ଚିକିତ୍ସକଙ୍କ ନିକଟକୁ ପଠାଇ ଦିଅନ୍ତି। ତା’ର ଆଡପାଗଳାମୀ ହୋଇଛି ବୋଲି ମଧ୍ୟ ବହୁତ ସମୟରେ ଭୁଲରେ ସନ୍ଦେହ କରାଯାଇଥାଏ।

ରୋଗୀ ପ୍ରାୟ ସ୍ୱପ୍ନାବିଷ୍ଟ ଥାଏ। ବଡ଼ ବଡ଼ କଥା ଭାବୁଛି ବୋଲି ଲୋକମାନଙ୍କୁ କୁହେ। ଜୀବନ ଓ ଜଗତ ବିଷୟରେ ଉଚ୍ଚଧରଣର ଦାର୍ଶନିକ ଚିନ୍ତା କରୁଛି ବୋଲି ମନେ ମନେ ଭାବେ ଓ ସେଥିପାଇଁ ଅଧିକାଂଶ ସମୟରେ ମୁକଭଳିଆ ବସିଛି ବା ଶୋଇଛି ବୋଲି ଅନ୍ୟମାନଙ୍କୁ କୁହେ। ସେ ଦିନେ ନା ଦିନେ ଖୁବ୍ ବଡ଼ କିଛି ଉଦ୍ଭାବନ କରିବ ବା ତା’ ପାଖରେ ଜଟିଳତ୍ତ୍ୱ ସମ୍ବଳିତ ବହି ଲେଖାଥିବା ଶକ୍ତି ବା ସାମର୍ଥ୍ୟ ଅଛି ବୋଲି ସେ ବିଶ୍ୱାସ କରେ। କିନ୍ତୁ ସେ ଯେତେବେଳେ ବସିଥାଏ ବା ଶୋଇଥାଏ ତା’ ମନରେ କୌଣସି ଭାବନା ପ୍ରକୃତରେ ଆସୁନଥାଏ, ଭାବନାରେ ଦରିଦ୍ରତା ଯୋଗୁଁ ସେ ଏମିତି ଚୁପ୍ ହୋଇ ବସି ରହେ, ତା’ର ଭାବନା ଶୁଷ୍କ ଓ ନିଷ୍ଫଳ। ବିଷମ ଅବସ୍ଥା କଟିଗଲା ପରେ ରୋଗ ଆଉ ବଢ଼େ ନାହିଁ। ଅଥଚ ରୋଗର ପ୍ରଭାବ ସ୍ପଷ୍ଟ ଭାବରେ ରୋଗୀର ବ୍ୟକ୍ତିତ୍ୱରେ ଦେଖାଯାଏ। ସେ କୌଣସିମତେ ଗୋଟାଏ ଛୋଟ କାମ କରି ନିଜ ପେଟ ପୋଷିବାକୁ ସମର୍ଥ ହୁଏ। ଚାକର, ଚାକରାଣୀ ରିକ୍‌ସାବାଲା, ମାଳି, ମାଟିବୋହିଲାବାଲା ବା ଝାଡ଼ୁଦାର ପ୍ରଭୃତିଙ୍କ କାମ ସେ କରିପାରେ। ମନେକର ତା’କୁ ୧୮/୧୯ ବର୍ଷ ହେଲା ବେଳେ ରୋଗର ବିଷମ ଅବସ୍ଥା ଦେଖା ଦେଇଥିଲା, ତା’ ପରଠାରୁ ସେ ମାଳିକାମ କରୁଛି। ବାହାରୁ ମୋଟେ ଜଣାପଡ଼ିବନି ଯେ ସେ ଜଣେ ହେବେଫ୍ରେନିଆର ରୋଗୀ। କିନ୍ତୁ ତା’ର ଅତୀତ ବିବରଣୀରୁ ଜଣାଯିବ କିପରି ଆସ୍ତେ ଆସ୍ତେ ତା’ର ସାମର୍ଥ୍ୟ କମିଗଲା କିପରି ଆଗେ ମିସ୍ତ୍ରୀ ବା ସେପରି କିଛି କୌଶଳ ଦରକାର କରୁଥିବା କାମ କରୁଥିଲା, କିନ୍ତୁ ୧୮/୧୯ ବର୍ଷ ପରଠାରୁ ସେ ତା’ଠାରୁ ଛୋଟ କାମ ନେଇଛି। କିପରି ତା’ର ବୁଦ୍ଧି ଓ ବିଚାରଶକ୍ତି ଖୁବ୍ କମ୍ ଓ ଏକାଠି ଗୋଟାକ ପରେ ଗୋଟାଏ ଏମିତି ଚାରିଟା କାମ କରିବାକୁ କହିଲେ ତା’ ମୁଣ୍ଡରେ ସବୁ ଗୋଳମାଳିଆ ହୋଇଯାଏ ଇତ୍ୟାଦି।

ଭାବନାରେ ଗୋଳମାଳ ଥିବାରୁ ସେ କୌଣସି ଜିନିଷ ବା ବ୍ୟବହାରର ମୂଲ୍ୟ ବୁଝିପାରେ ନାହିଁ। କେଉଁଟା କରିବା ଭୁଲ୍ ଓ କାହିଁକି ଭୁଲ୍ ଏହା ସେ ଜାଣିପାରେ ନାହିଁ। କେତେକ ରୋଗୀଙ୍କର ଏହି ଅବସ୍ଥାରେ ଯୌନଲିପ୍‌ସା ପ୍ରବଳ ହୁଏ ଓ ତେଣୁ ସେମାନେ ନିର୍ବିଚାରରେ ସ୍ଥାନ କାଳପାତ୍ର ବିବେଚନା ନ କରି ତାହା ଚରିତାର୍ଥ କରିବାର ଚେଷ୍ଟା କରନ୍ତି, ଝିଅମାନେ ଯେ କୌଣସି ପୁରୁଷର ପ୍ରେମଭିକ୍ଷା କରନ୍ତି। ଏହି ହେତୁ ବିପଦଜନକ ପରିସ୍ଥିତି ସୃଷ୍ଟି ହୁଏ। ହେବେଫ୍ରେନିଆ ରୋଗୀ ଏକଧାରରେ ଭାବୁକ, ତତ୍ତ୍ୱଦର୍ଶୀ ଓ ନିର୍ବୋଧ ଭଳିଆ ବ୍ୟବହାର କରିପାରେ। ନିର୍ବୋଧ ଭଳିଆ କଥା କହି ଓ ହସି ଥିଏଟରରେ ସେ  ବେଳେ ବେଳେ ଜୋକର ଅଂଶ ଗ୍ରହଣ କରେ। ଏମିତି ଅଜବ କଥା କହିପାରୁଥିବାରୁ ତା’କୁ ଖୁବ୍ ଚତୁର ବୋଲି ଲୋକେ ଭାବନ୍ତି। କିନ୍ତୁ ଏଗୁଡ଼ାକ ପ୍ରକୃତରେ ଭାବନାରେ ବିଶୃଙ୍ଖଳାର ଅନ୍ୟ ଏକ ରୂପ। ରୋଗୀର ଭ୍ରମଧାରଣାସବୁ ମଧ୍ୟ ଭାବନାର ବିଶୃଙ୍ଖଳତାର ଫଳ। ସେ ଭାବେ ଯେ ତା’କୁ କିଏ ଗୁଣୀ କରିଦେଇଛି, ଆଉ ସେଥିପାଇଁ ସେ  ଯାହା କରୁଛି ତା’ଠାରୁ ଅଲଗା କିଛି କରିପାରିବ ନାହିଁ। ତା’ର ଏମିତି ଭ୍ରାନ୍ତି ହୁଏ ଯେମିତିକି ତା’ କାନରେ କିଏ କ’ଣ କହୁଛି, କି ସେ ତାହାର କଥା ବେଳେବେଳେ ଶୁଣିପାରୁଛି। ବିଶେଷତଃ, ଶୁଣିବାରେ ଏ ପ୍ରକାର ଭ୍ରାନ୍ତି ଦେଖାଦିଏ। ପୁରୁଣା ହେବେଫ୍ରେନିଆ ରୋଗୀମାନେ ବରାବର ଏମିତି ଜଣେ କିଏ ସେମାନଙ୍କୁ କଥା କହିବାର ଶୁଣୁଥାଆନ୍ତି- ସିଏ ସବୁବେଳେ ଏମାନଙ୍କୁ ଆଶା, ଆଶ୍ୱାସନା ଦେଉଥାଏ, ଏମାନଙ୍କର ଭବିଷ୍ୟତ ଉଜ୍ୱଳମୟ ବୋଲି କହୁଥାଏ ଓ ଏମାନଙ୍କର ଧନଧାନ୍ୟ ଗୋପଲକ୍ଷ୍ମୀ ସବୁ ଲାଭ ହେବ ବୋଲି ଭବିଷ୍ୟତବାଣୀ ଶୁଣାଉଥାଏ। ଏହା ଶୁଣି ଶୁଣି ରୋଗୀମାନେ ସବୁବେଳେ ବେଶ୍ ଖୁସିରେ ଥାଆନ୍ତି ଓ ମନକୁ ମନ ହସୁଥାଆନ୍ତି।

ଆବେଶିତ ଆଡପାଗଳାମୀ ପରେ ପରେ ବେଳେ ବେଳେ ହେବେଫ୍ରେନିଆ ଦେଖାଦିଏ। ଏଥିରୁ ଅନୁମାନ ହେଉଛି ଯେ ଆବେଶିକ ଆଡପାଗଳାମୀ ହେବେଫ୍ରେନିଆର ଅନୁକୂଳ ଅବସ୍ଥା ସୃଷ୍ଟି କରୁଥିବ।

(ଗ) କାଟାଟୋନିଆ

ଏହାର ପ୍ରଧାନ ଲକ୍ଷଣ ହେଉଛି ଜଡ଼ତା। ଜଡ଼ତା ସ୍ୱଳ୍ପ ଥିଲେ ରୋଗୀ କିଛି ସମୟ ପାଇଁ ନିଶ୍ଚଳ ହୋଇ ରହିଯାଏ, ତା’ର ଅଙ୍ଗପ୍ରତ୍ୟଙ୍ଗ କାମ କରେ ନାହିଁ କି ଚଲାବୁଲା କରିପାରେ ନାହିଁ। ସମ୍ପୂର୍ଣ୍ଣ ଜଡ଼ତା ଦ୍ୱାରା ଆକ୍ରାନ୍ତ ହେଲେ ରୋଗୀ ଦୀର୍ଘ ସମୟ ଧରି ପୁରାପୁରି ନିଶ୍ଚଳ ଅବସ୍ଥାରେ ରହିଥାଏ। ବସିଥିବ ତ  ଦୁଇ ତିନିଦିନ ଧରି ଏକାସଜରେ ହଲଚଲ ନ ହୋଇ ବସିଥିବ, କେହି ଡାକିଲେ ଶୁଣିବନି କି କଥା କହିବନି। ଭୋକଶୋଷ କରୁଛି ବୋଲି କହିବିନି ଅଥଚ ଖାଇବନି। ବାଧ୍ୟ କରି ନ ଖୁଆଇପାରିଲେ ନାକରେ ରବର ନଳୀ  ଦ୍ୱାରା  ଦିଆହୁଏ। କାଟାଟୋନିଆ ଅବସ୍ଥାରେ ରୋଗୀ ମୂକ ହୋଇ ଶୋଇ ରହିଥାଏ ବା ବସିଥାଏ, କୌଣସି କଥାର  ଉତ୍ତର ଦିଏନାହିଁ, କିନ୍ତୁ ପ୍ରଶ୍ନକର୍ତ୍ତା ଚାଲିଯିବାକୁ ଆରମ୍ଭ କଲେ ସେ ଉତ୍ତର ଦେବା ଆରମ୍ଭ କରେ। ଏପରି ବିପରୀତ ବ୍ୟବହାର ରୋଗୀ ସବୁଠାରେ ଦେଖାଏ। ରୋଗୀକୁ  ଖାଇବାକୁ ଦିଆଗଲେ ଖାଏନାହିଁ, କିନ୍ତୁ ଅନ୍ୟ ଲୋକଙ୍କ ଥାଳିରୁ ଖାଇବା ଜିନିଷ ଚୋରି କରି ଖାଏ, ଖଟରେ ଅବାଗିଆ ହୋଇ ମୁଣ୍ଡଟା ତଳକୁ ଝୁଲେଇ ଶୁଏ, ଯେତେ କହିଲେ ଶୁଣେନି। କିନ୍ତୁ ଡାକ୍ତର ଚାଲିଗଲା ପରେ କେହି ନ ଦେଖିଲେ ସଜାଡ଼ି ହୋଇ ଶୋଇପଡ଼େ। କାଟାଟୋନିଆ ରୋଗୀ ପୁଣି ବେଳେ ବେଳେ ଅତି ବାଧ୍ୟ ହୋଇପଡ଼େ। ତା’ର ହାତଗୋଡ଼ ଯେମିତି ରଖିଦେବ, ସେଗୁଡ଼ିକ ସେମିତି ହୋଇ ରହିଥିବ। ତା’କୁ ଯେତେ ଅଖାଡ଼ୁଆ କରି ଶୁଆଇ ଦେଲେ ମଧ୍ୟ ସେ ସେମିତି ଶୋଇ ରହେ। ଦୈହିକ ପୀଡ଼ା ପ୍ରତି ସେ ଆଦୌ ସଜାଗ ନୁହେଁ। ତା’ ଦେହରେ ପିନ୍ କଣ୍ଟା ଫୋଡ଼ା ହେଉଥିବା ଦେଖି ମଧ୍ୟ ସେ କୌଣସି ପ୍ରତିବାଦ କରେ ନାହିଁ। ନରମ ମହମ ଭଳି କଟାଟୋନିକର ହାତକୁ ଯେ କୌଣସି  ଆଡେ ମୋଡ଼ି ରଖିଦେଲେ ହାତ ସେମିତି ମୋଡି ହୋଇରହେ। ମନେକର ତା’କୁ ହାତ ସିଧା କରିବାକୁ କୁହ, ତା’ ପରେ କହୁଣିଠାରୁ ବଙ୍କା କରି ହାତକୁ ରଖିଦିଅ, ହାତ ସେହି ଅବସ୍ଥାରେ ରହିବ। ଗୋଡ଼ ଉପରକୁ କରି ଆଣ୍ଠୁଠାରୁ ‘୮’ ଭଳିଆ ଭାଙ୍ଗିଦିଅ, ଗୋଡ଼ ସେହିପରି ରହିବ।

ରୋଗୀର ଠିଆ ହେବାରେ କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀ ଥାଇପାରେ, ଯଥା ସେ ଆଙ୍ଗୁଠି ଆଗରେ ଠିଆ  ହେଉଥିବ, କେବେ ପୁରା ପାଦ ପକାଇ ଠିଆ ହେବ ନାହିଁ। ଏହାର ଅର୍ଥ ତା’ ପାଇଁ ହେଲା ଯେ ସେ ଭଲ ଓ ମନ୍ଦ ଭିତରେ ଭାରସାମ୍ୟ ରଖୁଛି। ସେହିପରି ହାତ ରଖିବାରେ ବା ଶୋଇବା ଭଙ୍ଗୀରେ ଗତାନୁଗତିକ ରୀତି ରୋଗୀ ପାଇଁ କୌଣସି ନା କୌଣସି ଅର୍ଥ ଜ୍ଞାପନ କରେ। କେତେକ ରେଗୀ ଆଣ୍ଠୁ ଜାକି କୁଣ୍ଡଳ ଆକାରରେ ଶୁଅନ୍ତି, ରୋଗୀ ପାଇଁ ଏହା ମାନେ ହେଲା ମା ପେଟରେ ଥିବା ବେଳେ ଯେମିତି ଶୋଉଥିଲା ଏବେ ବି ସେମିତି ଶୋଉଚି। ଚାଲିବାରେ ଜିନିଷପତ୍ର ଧରିବାରେ ବା ସେହିପରି ଅନ୍ୟ କୌଣସି କାମ କରିବାରେ ପ୍ରତ୍ୟେକ ରୋଗୀର ଅଲଗା ଅଲଗା ନିର୍ଦ୍ଦିଷ୍ଟ ଢ଼ଙ୍ଗ ଦେଖାଯାଏ।

କାଟାଟୋନିଆରେ ଉତ୍ତେଜନା ପୂର୍ବେ ବା ପରେ ଜଡ଼ତା ଦେଖାଯାଇପାରେ କେତେକ ରୋଗୀଠାରେ ଉତ୍ତେଜନା ଓ ଜଡ଼ତା ଗୋଟିଏ ପରେ ଗୋଟିଏ ଆସୁଥାଏ। ଉତ୍ତେଜିତ ଅବସ୍ଥାରେ ରୋଗୀ ଲୋକମାନଙ୍କୁ ଆକ୍ରମଣ କରିପାରେ;  ଜିନିଷପତ୍ର ଭାଙ୍ଗେ ଏବଂ ଖବୁ ସାଙ୍ଘାତିକ ଉତ୍ତେଜନା ଓ ଜଡ଼ତା ଗୋଟିଏ ପରେ ଗୋଟିଏ ଆସୁଥାଏ। ଉତ୍ତେଜିତ ଅବସ୍ଥାରେ ରୋଗୀ ଲୋକମାନଙ୍କୁ ଆକ୍ରମଣ କରିପାରେ; ଜିନିଷପତ୍ର ଭାଙ୍ଗେ ଏବଂ ଖୁବ୍ ସାଙ୍ଘାତିକ ଉତ୍ତେଜନା ହେଲେ ଅନବରତ ହିଂସ୍ର ପଶୁଭାବରେ ବ୍ୟବହାର କରୁଥାଏ। ଝରକା କବାଟ ଭାଙ୍ଗିପକାଏ। କାଠ ରେଲିଂ ଦିଆହୋଇଥିଲେ ଉତ୍ତେଜନା ସମୟରେ ଅପରିସୀମ ଶକ୍ତି ଦ୍ୱାରା ସେସବୁ ଭାଙ୍ଗି ଦେବା ତା’ ପକ୍ଷରେ ବିଚିତ୍ର ନୁହେଁ। ଏ ଅବସ୍ଥାକୁ ଆୟତ୍ତାଧୀନ କରିବା କଷ୍ଟ। କୌଣସି ମତେ ବହୁ ପରିମାଣରେ ନିଦ ଔଷଧ ଦେଇ ଶୁଆଇ ନ ପକାଇଲେ ଓ ଏ ଅବସ୍ଥା ପରିବର୍ତ୍ତିତ ନ ହେଲେ ରୋଗୀର ମୃତ୍ୟୁ ଘଟେ।

କଥା କହିବାରେ ବିଶୃଙ୍ଖଳା କାଟାଟୋନିଆ ରୋଗୀଠାରେ ଦେଖାଯାଏ। ତା’ର କଥା ଅବାନ୍ତର ଓ ନିରର୍ଥକ ମନେହୁଏ। ସେ ନୂଆ ଭାଷା ସୃଷ୍ଟି କରେ। କଥା କହୁଥିବା ବେଳେ ସେ ଅନବରତ ଇଆଡୁସିଆଡୁ କହି ଚାଲିଥାଏ। କିନ୍ତୁ ତା’ର ସେ ଭାଷା କେହି ବୁଝିପାରନ୍ତିନାହିଁ। ପୁଣି ବେଳେ ବେଳେ ସେ କିଛିଦିନ ପାଇଁ ମୁକ ହୋଇଯାଇପାରେ।

ରୋଗ ପୁରାତନ ହେଲେ ଲକ୍ଷଣଗୁଡ଼ିକ ଆଉ ସାଙ୍ଘାତିକ ଭାବରେ ଦେଖାଯାଏ ନାହିଁ ଏବଂ ଏତିକିବେଳେ ପାରିପାର୍ଶ୍ୱିକ ଅବସ୍ଥା ଅନୁକୂଳ ହେଲେ ବହୁତ ଲକ୍ଷଣ ଏକବାରେ ଲୋପ ପାଇଯାଏ। କାଟାଟୋନିଆ ରୋଗୀର ଆଉ ଗୋଟିଏ ସ୍ୱଭାବ ଯେ ସେ ଅନ୍ୟ କାହା ସହିତ ମିଶେ ନାହିଁ। କିନ୍ତୁ ରୋଗ ପୁରାତନ ହୋଇଗଲେ ଅନ୍ୟମାନଙ୍କ ସହ ମିଶିବା ରୋଗୀ ପକ୍ଷରେ ଟିକେ ସହଜ ହୋଇଥାଏ। ତେଣୁ ଏହି ଅବସ୍ଥାରେ ଏକାଠି ମିଶି କାମ କରିବା ଓ କଥାବାର୍ତ୍ତା କରିବା ବା ସେହିପରି ଦଳଗତ ଆମୋଦ ପ୍ରମୋଦରେ ଯୋଗ ଦେବା ତା’ ପାଇଁ ମଙ୍ଗଳକର।

ସ୍କିଜୋଫ୍ରେନିଆ କହିଲେ ମୁଖ୍ୟତଃ ଯାହା ବୁଝୁ ସେସବୁ ଲକ୍ଷଣ କାଟାଟୋନିଆରେ ଦେଖିବାକୁ ମିଳେ। ତେଣୁ କାଟାଟୋନିଆକୁ ସ୍କିଜୋଫ୍ରେନିଆର ସବୁଠାରୁ ଭଲ ପ୍ରତିନିଧି ବୋଲି ନିଆଯାଇପାରେ। ଏ ରୋଗ ଚିହ୍ନିବା  ଆଦୌ କଷ୍ଟ ନୁହେଁ। ହେବେଫ୍ରେନିଆ ବା ସରଳ ସ୍କିଜୋଫ୍ରେନିଆ ପରି ଏହା ଅଗୋଚରରେ ଓ ଅପ୍ରତ୍ୟକ୍ଷ ଭାବରେ ଆକ୍ରମଣ କରେ ନାହିଁ। ଏହାର ମୁଖ୍ୟ ଲକ୍ଷଣ ଜଡ଼ତା, ଖୁବ୍ ପରିଷ୍କାର ଭାବରେ ଦେଖାଯାଏ। ଜଡ଼ତା ଓ ଉତ୍ତେଜନା, ପ୍ରଗ୍‌ଳଭତା ଓ ମୁକତ୍ୱ,  ଅବାଧ୍ୟତା ଓ ବାଧ୍ୟତା, ଅବୟବରେ କାଠିନ୍ୟ ଓ ମହାସଦୃଶ କୋମଳତା ଏ ସବୁ କାଟାଟୋନିଆର ଲକ୍ଷଣ ଏବଂ ଏ ପ୍ରକାର ସ୍କିଜୋଫ୍ରେନିଆରେ ରୋଗୀ ମରିଯିବାର ସମ୍ଭାବନା ଅଛି। ଭାନ୍‌ଗଫ୍ ଓ  ଗଗାଙ୍କ ପରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଖ୍ୟାତ ଚିତ୍ରଶିଳ୍ପୀମାନଙ୍କର କାଟାଟୋନିଆ ସଦୃଶ ବ୍ୟକ୍ତିତ୍ୱ ଥିଲା ଓ ଏଥିପାଇଁ ସେମାନଙ୍କର ଚିତ୍ରରେ ବୈଶିଷ୍ଟ୍ୟ ଏତେ ଅସାଧାରଣ ବୋଲି ଜଣାପଡ଼େ। କାରଣ ଯାହା ଅତି ଅସ୍ୱାଭାବିକ ତାହା ଅତ୍ୟନ୍ତ ଅସାଧାରଣ ବୋଲି ନିଶ୍ଚୟ ମନେ ହେବ।

(ଘ) ପାରାନୋଇଆ ବା ପାରାନୋଏଡ୍ ସ୍କିଜୋଫ୍ରେନିଆ

ପାରାନୋଇଆ ଏକ ଦିଗରୁ ସବୁଠାରୁ ଭଲ ସ୍କିଜୋଫ୍ରେନିଆ। କାରଣ ଏ ରୋଗରେ ରୋଗୀ ବେଶ୍ ସ୍ୱାଭାବିକ ଜଣାପଡ଼େ, କିନ୍ତୁ କେବଳ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଭ୍ରାନ୍ତି (Delnsion) ରୋଗୀର ମନରେ ଥାଏ। ଯଥା, ରୋଗୀ ଭାବୁଛି ଯେ ତା’ର ବଡ଼ ଭାଇମାନେ ତା’କୁ ହଇରାଣ କରୁଛନ୍ତି। ତା’ ପଛରେ ଲୋକ ଲଗାଉଛନ୍ତି। ସେ ଖରାପ ବୋଲି କୁପ୍ରଚାର କରୁଛନ୍ତି ଇତ୍ୟାଦି। ଏହାଛଡ଼ା ରୋଗୀ ପ୍ରାୟ ସ୍ୱାଭାବିକ ମନେ ହୁଏ। ସେ ଖବରକାଗଜ ପଢ଼େ, ଲୋକଙ୍କ ସାଙ୍ଗରେ ଆନ୍ତର୍ଜାତିକ ଖବର ନେଇ ଆଲୋଚନା କରେ, ଚିହ୍ନା ଲୋକଙ୍କୁ ମନେ ରଖିଥାଏ ଓ ଦେଖିଲେ ସବୁ ପୁରୁଣା କଥା ପଚାରେ- ଅମୁକ କ’ଣ କରୁଛି, ସମୁକ ବାହା ହେଲାଣି କି ନାହିଁ ଇତ୍ୟାଦି। କିନ୍ତୁ ମଝିରେ ମଝିରେ ଭାଇ କେମିତି ଖରାପ ଲୋକ ତାହା ଅତ୍ୟନ୍ତ ସ୍ୱାଭାବିକ ଭାବରେ ବର୍ଣ୍ଣନା କରେ। ଯିଏ ଜାଣିନଥିବ ଯେ ଏହାର ପାଗଳାମୀ ହୋଇଛି ବୋଲି ସେ ଅନ୍ୟାୟାସରେ ସେଥିରେ ବିଶ୍ୱାସ କରିଯିବ।

ପାରାନୋଇଆ ରୋଗୀ ଖୁବ୍ ଭଲ ବକ୍ତା ହୋଇପାରେ, ବିଦ୍ୱାନ ମଧ୍ୟ ହୋଇପାରେ; ଏବଂ ସାଂଘାତିକ ଅବସ୍ଥା କଟିଗଲେ ଗୋଟିଏ ଭ୍ରାନ୍ତି ଧାରଣାବ୍ୟତୀତ ଆଉ କୌଣସି ଅସ୍ୱାଭାବିକତା ଦେଖାଯାଏ ନାହିଁ। କିନ୍ତୁ ଏହି ଭ୍ରାନ୍ତି ଧାରଣାଟି ଦୂର କରିବା ପ୍ରାୟ ଅସମ୍ଭବ, ତେଣୁ ପାରାନୋଇଆରୁ ଆରୋଗ୍ୟ ଲାଭ କରିବାର ସମ୍ଭାବନା ଖୁବ୍ କମ୍‌। ବଡ଼ଭାଇ ପ୍ରତି ବିଦ୍ୱେଷ ଥିବା ରୋଗୀକୁ ତୁମେ ଯେତେ ବୁଝାଅ, ପ୍ରମାଣ ଦିଅ ଯେ- ନା ବଡ଼ ଭାଇ ତା’ର କ୍ଷତି କରୁନାହାନ୍ତି ତେବେ ତା’ର ବଦ୍ଧମୂଳ ଭ୍ରାନ୍ତି ଟିକିଏ ବି ବଦଳିବନି। ଜଣେ ପାରାନୋଇଆ ରୋଗୀକୁ ଲେଖକ କେତେକ ମନୋବୈଜ୍ଞାନିକ ପରୀକ୍ଷା ଦେଉଥିଲେ। ପରୀକ୍ଷା ବେଳେ ତା’କୁ କୁହାଯାଉଥିଲା କେମିତି ଉତ୍ତର ଦେବାକୁ ହେବ, କ’ଣ  କ’ଣ କରିବାକୁ ହେବ ଇତ୍ୟାଦି। ଗୋଟିଏ ପରୀକ୍ଷାରେ ରୋଗୀକୁ ଆଖିବୁଜି ଠିଆ ହେବାକୁ କୁହାଗଲା ଓ ସୂଚନା ଦିଆଗଲା ଯେ ସେ ଆଗକୁ ପଡ଼ିଯାଉଛି; ଆହୁରି ଆଗକୁ ପଡ଼ିଯାଉଛି। (ଆଡପାଗଳାମୀ, ପରିଚ୍ଛେଦରେ ଏ ପରୀକ୍ଷା ବର୍ଣ୍ଣିତ ହୋଇଛି।) ହଠାତ୍ ରୋଗୀ ଆଖି ଖୋଲି ଠିଆ ହୋଇଗଲା, କହିଲା, ‘‘ଜାଣନ୍ତି , ମୁଁ ଜଣେ ହତ୍ୟାକାରୀ। ଶ୍ୱେତଚକ୍ର ହତ୍ୟାକାରୀ ଦଳରେ ମୁଁ  ଥାଏ। କେବଳ ସେମାନେ ଯାହା କହନ୍ତି  ମୁଁ ତାହା କରେ। ଆପଣ ଯାହା କହୁଛନ୍ତି କରିପାରିବିନି। ଏଇଟା ଦଳର ନିୟମ ବିରୁଦ୍ଧ ଅଟେ।’’ ସେ ଏତେ ସ୍ୱାଭାବିକ ଭାବରେ କହିଲା ଯେ ମନେ ହେଲା ଯେମିତି ସେ ‘ତା’ ଗାଁ କେଉଁଠି’ ବା ତା’ ବାପାଙ୍କ ନା କ’ଣ’ ଭଳି ସାଧାରଣ କଥା କହୁଛି।

ଅତଏବ କୌଣସି ଏକ ପରିବର୍ତ୍ତନହୀନ ଭ୍ରାନ୍ତିଧାରଣା ପାରାନୋଇଆର ମୁଖ୍ୟ ଲକ୍ଷଣ। ଭ୍ରାନ୍ତି ଧାରଣା ଦୁଇ ପ୍ରକାରର ହୋଇପାରେ। (୧) ରୋଗୀ ବିଷର୍ଣ୍ଣ ଭାବାପନ୍ନ ହୋଇଥିଲେ ଭାବେ ଯେ ସମସ୍ତେ ତା’ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି, କିମ୍ବା (ଖ) ଖୁସିବାସିଆ ଲୋକ ହୋଇଥିଲେ ଭାବେ ଯେ ସେ ଖୁବ୍ ବଡ଼ଲୋକ ଏବଂ ପୃଥିବୀରେ ସମସ୍ତେ ତା’କୁ ଜାଣନ୍ତି। ଉପରେ କୁହାଯାଇଥିବା ‘ଶ୍ୱେତଚକ୍ର ହତ୍ୟାକାରୀ’ ରୋଗୀ ଦ୍ୱିତୀୟ ପ୍ରକାରର। ବଡ଼ଭାଇ ତା’ର କ୍ଷତି କରୁଛନ୍ତି ବୋଲି ଯେଉଁ ରୋଗୀ ଭାବୁଥିଲା ସେ ପ୍ରଥମ ପ୍ରକାରର ମୂଳଭ୍ରାନ୍ତି ଧାରଣା ସହିତ ଆନୁସଙ୍ଗିକ ଭ୍ରାନ୍ତି ଧାରଣା ଦେଖାଯାଏ। ଯଥା ଯେ, ନିଜକୁ ଭାବୁଛି ଭାରତର ରାଷ୍ଟ୍ରପତି ବୋଲି ସେ କହିବ ସେ ରାସ୍ତାରେ ରିକ୍ସାରେ ଗଲା ବେଳେ ପୋଲିସ ହାତ ଉଠେଇ ତା’କୁ ସଲାମ କରୁଛି, ଲୋକେ ପାଖେଇ ଯାଉଛନ୍ତି ଓ ସେ ଯେଉଁଦିନ ଯେଉଁ ରାସ୍ତାରେ ଯିବା ତାହା ଆଗରୁ ସମସ୍ତଙ୍କୁ ଜଣା। ତେଣୁ ମୂଳ ଧାରଣା ହେଉଛି ରାଷ୍ଟ୍ରପତି, ଆନୁସଙ୍ଗିକ ଧାରଣା ଯଥା- ପୁଲିସ ସଲାମ କରିବା ପ୍ରଭୃତି ମୂଳ ଧାରଣାକୁ ସାହାଯ୍ୟ କରୁଛି। ବେଳେ ବେଳେ ମୂଳ ଧାରଣା ଥାଏ ଯେ ରୋଗୀ ବଡ଼ ଓ ବିଖ୍ୟାତ ଲୋକ ଓ ଏହାର ଆନୁସଙ୍ଗିକ ଧାରଣା ହେଲା ତା’ର ସମସ୍ତେ କ୍ଷତି କରୁଛନ୍ତି। ଯଥା ଜଣେ ପାରାନୋଇଆ ରୋଗୀର ଧାରଣା ଯେ ତା’ର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି, କଲିକତାରେ କୋଠା ଅଛି, ଅନ୍ୟ ଜାଗାରେ ବହୁତ ଜମିବାଡ଼ି ଅଛି ଇତ୍ୟାଦି। ଅଥଚ ତା’ର ବନ୍ଧୁବାନ୍ଧବମାନେ ଚକ୍ରାନ୍ତ  କରି ସେସବୁ ସମ୍ପତ୍ତି ହସ୍ତଗତ କରିବେ ବୋଲି ଚେଷ୍ଟା କରୁଛନ୍ତି। ତା’କୁ ବିଷ ଦେବାକୁ ଚେଷ୍ଟା କରୁଥିଲେ, ତା’କୁ ବହୁତ ବିପଦରେ ପକାଉଥିଲେ କିନ୍ତୁ  ସ୍ୱୟଂ ଶିବଙ୍କର ଶକ୍ତି ତା’ ଦେହରେ ପ୍ରବେଶ କରିଛି, ସେ ସାଧନା ବଳରେ ଅଷ୍ଟସିଦ୍ଧି ଲାଭ କରୁଛି। ତେଣୁ ସିଏ ଯାହା କରୁନା କାହିଁକି ତା’ର କେହି କୌଣସି କ୍ଷତି କରିପାରିବେ ନାହିଁ।

ପୁରୁଷମାନେ ବେଶୀ ସଂଖ୍ୟାରେ ପାରାନୋଇଆ ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ଶତକଡ଼ା ୭୦ ଜଣ ପୁରୁଷ ଓ ୩୦ ଜଣ ସ୍ତ୍ରୀ ପାରାନୋଇଆ ରୋଗୀଙ୍କ ଭିତରେ ଥିବାର ଦେଖାଯାଏ। ପୁଣି ୩୫/୩୬ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରେ ପାରାନୋଇଆ ସବୁଠାରୁ ବେଶୀ ଦେଖାଯାଏ। ରୋଗୀର ଭ୍ରାନ୍ତି ଧାରଣା ତା’ର ପାରିପାର୍ଶ୍ୱିକ ଅବସ୍ଥା ସହିତ ଘନିଷ୍ଠ ଭାବରେ ଏପରି ମିଶିଯାଇ ଥାଏ ଯେ ତାହା ସମୟେ ସମୟେ ଅତ୍ୟନ୍ତ ଯୁକ୍ତିଯୁକ୍ତ ମନେହୁଏ। ଯଥା ଜଣେ ବ୍ୟବସାୟୀର ଭ୍ରାନ୍ତି ହେବ ଯେ ତା’ ଜିନିଷ ନଷ୍ଟ କରିଦେବା ପାଇଁ ଅନ୍ୟ ଲୋକେ ସେଥିରେ ଦୂଷିତ ପଦାର୍ଥ ମିଶାଉଛନ୍ତି। ଜଣେ ସ୍ତ୍ରୀ ଲୋକର ପାରାନୋଇଆ ହେଲେ ସେ ଭାବିବ ଯେ ସ୍ୱାମୀର ଅଫିସରେ  କାମ କରୁଥିବା ଝିଅଙ୍କ ସାଙ୍ଗେ ଅବୈଧ ସମ୍ପର୍କ ଅଛି। ସେହିପରି ଧାର୍ମିକ ଲୋକଙ୍କର ପାରାନୋଇଆ ହେଲେ ତାଙ୍କର ଭଗବତ ଦର୍ଶନ ହୋଇଛି ବୋଲି ଭାନ୍ତି ଜନ୍ମିବ। ଭ୍ରାନ୍ତି ଧାରଣା କିଛିଦିନ ପୁରୁଣା ହୋଇଗଲେ ରୋଗୀର ମାନସିକ ଜୀବନର ଏହା ଏକ ସ୍ୱାଭାବିକ ଓ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୁଏ। ନିତିଦିନିଆ ଭାବନା ପରି ଏଥିରେ କୌଣସି ଉତ୍ତେଜନା ନଥାଏ। ଜଣେ ରୋଗୀର ଧାରଣା ଥିଲା ଯେ ସମସ୍ତେ ତା’କୁ ବିଷ ଦେଇ ମାରି ପକାଉଅଛନ୍ତି। ତେଣୁ ସେ ଖାଇବା ବେଳେ ଖୁବ୍ ଆପତ୍ତି କରୁଥିଲା ଓ ଉତ୍ତେଜିତ ହେଉଥିଲା। କିଛି ବର୍ଷ ପରେ  ତା’ର ସେ ଧାରଣା ଅତି ସାଧାରଣ ଧାରଣା ପରି ଦେଖାଦେଉଥାଏ। ସେ ଡାକ୍ତରଖାନାରେ ଖିଆପିଆ କରେ, କିନ୍ତୁ ହୁଏତ ଜଣେ ନୂଆ ନର୍ସ ଆସିଲେ ତା’ ହାତରୁ ଖାଇବାକୁ ନାରାଜ ହେବ। ବିଷ ଦେବା କଥା ପଚାରିଲେ କହିବ ହଁ, ବିଷ ଦିଅନ୍ତେ ଯେ, ତେବେ ଡାକ୍ତରଙ୍କ କଡ଼ା ନଜରରୁ କେହି ଆଉ ବିଷ ଦେଉନାହାନ୍ତି। ସେହିପରି ଆଉ ଜଣେ ରୋଗୀ ସବୁବେଳେ ହାତ ହଲେଇ କ’ଣ ଗୁଡ଼ାଏ ଘଉଡେଇ ଦେଇଥାଏ। ଖିଆପିଆ କିମ୍ବା ଅନ୍ୟାନ୍ୟ କୌଣସି କାମରେ ଏହା ଅବଶ୍ୟ ବ୍ୟାଘାତ ସୃଷ୍ଟି କରୁନଥାଏ। ପଚାରିଲେ କହେ ସେ ସାପ ଘଉଡଉଛି। ସେ ପ୍ରଥମେ ହସ୍ପିଟାଲକୁ ଆସିଲା ବେଳେ ତା’କୁ ସାପ ଆକ୍ରମଣ କରୁଛନ୍ତି ବୋଲି ଭୟରେ, ଆତଙ୍କରେ ଚିତ୍କାର କରୁଥିଲା ଓ ଅତ୍ୟନ୍ତ ଉତ୍ତେଜିତ ହେଉଥିଲା। ଏବେ ହୁଏତ  ଦଶବର୍ଷ ପରେ ସେ ତା’ର ଭ୍ରାନ୍ତି ଧାରଣା ନେଇ ବଞ୍ଚିବାକୁ ଶିଖିଛି। ସେ ଭ୍ରାନ୍ତିରେ ଆଗର ସେ ଦାହ ନାହିଁ ବା ଆତଙ୍କ ନାହିଁ।

ପାରୋନୋଇଆ ହଠାତ୍ ଦେଖାଦେଇ ପାରେ। ରୋଗୀର ରୋଗ ପୂର୍ବର ବ୍ୟକ୍ତିତ୍ୱ ଅଧିକାଂଶ ସମୟରେ ସୁସ୍ଥ ଓ ସ୍ୱାଭାବିକ ଥାଏ ଏବଂ ପାରାନୋଇଆ ହେବାର କୌଣସି ଚିହ୍ନ ନଥାଏ। କେତେକ କ୍ଷେତ୍ରରେ ପାରାନୋଇଆଜନିତ ଭ୍ରାନ୍ତିକୁ ରୋଗୀ ଲୁଚାଇ ରଖି ଦୈନନ୍ଦିନ କାମ କରି ଯାଇଥାଏ। ଗୋଟାଏ କିଛି ଦୁର୍ବିପାକ ପଡ଼ିଲେ ପାରାନୋଇଆ ହଠାତ୍ ଦେଖାଦିଏ। କିନ୍ତୁ ତାହା ଭଲ କରିବା ଖୁବ୍ କଷ୍ଟ କାରଣ ରୋଗଟି ଅଳ୍ପ ଦିନ ହେଲା ଦେଖାଗଲେ ମଧ୍ୟ ଭିତରେ ଲୁଚି ରହି ବେଶ ପୁରୁଣା ହୋଇଯାଇଥାଏ।

ଅତିଶୟ ଆବେଗ ଓ ଭାବନାରେ ଗଣ୍ଡଗୋଳ ପ୍ରାୟ ସବୁ  ସାଂଘାତିକ ପାରାନୋଇଆରେ ଦେଖାଦିଏ; ଅବଶ୍ୟ ପୁରାତନ ରୋଗରେ ଏସବୁ ଏତେ ଦେଖିବାକୁ ମିଳେ ନାହିଁ। ଯେକୌଣସି ଛୋଟ କଥା ରୋଗୀକୁ ଚିନ୍ତିତ ଓ ଆତଙ୍କିତ କରିପକାଏ। ସବୁ କଥାକୁ ସେ ସନ୍ଦେହ ଚକ୍ଷୁରେ ଦେଖେ। ମାନସିକ ଚିକିତ୍ସାଳୟରେ ୨୦/୩୦ ବର୍ଷ ରହିଥିବା ପାରାନୋଇଆ ରୋଗ ଦେଖିବାକୁ ମିଳନ୍ତି। ଏମାନଙ୍କର ସେମିତି କିଛି ଅସ୍ୱାଭାବିକ ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ଏମାନଙ୍କର ପାରାନୋଇଆ ଭଲ ହୋଇ ଗଲାଣି ବୋଲି କହିହେବ ନାହିଁ। ଏମିତି ଭଲ ଅଛି, କିନ୍ତୁ ତା’ ପୁରୁଣା ଓ୍ୱାର୍ଡରୁ ନୂଆ ଓ୍ୱାର୍ଡକୁ ବଦଳି କରିଦିଅ, ରୋଗୀ ହଠାତ୍ ପାରାନୋଇଆର ଲକ୍ଷଣ ଦେଖାଇବ- ତା’କୁ ହଇରାଣ କରିବା ପାଇଁ ଏସବୁ କରାଯାଉଛି ବୋଲି କହିପାରେ। ନୂଆ ନର୍ସ ବା ଡାକ୍ତର ସେ ଓ୍ୱାର୍ଡରେ ରହନ୍ତୁ, ରୋଗୀ ସନ୍ଦେହ କରିବ।  ଯାହାକୁ ବି ରୋଗ ଛାଡ଼ିଯାଇଛି ବୋଲି ଡାକ୍ତର କହନ୍ତି ତା’ର ବ୍ୟକ୍ତିତ୍ୱ  ପୂରା ସ୍ୱାଭାବିକ ଅବସ୍ଥାକୁ ଫେରିଆସେ ନାହିଁ। ତା’ର ବ୍ୟବହାରରେ ଛୋଟ ଛୋଟ ଦୋଷ ଦେଖାଯାଏ ଓ ବହୁତ ସମୟରେ ସେ ଅବାଗିଆ ବ୍ୟବହାର କରେ। ସେ ନିଜର ଭ୍ରାନ୍ତି ଧାରଣାକୁ କେବେ ଆଲୋଚନା କରିବା ପାଇଁ ରାଜି ହୁଏ ନାହିଁ- ଭ୍ରାନ୍ତିକୁ ମନ ଭିତରେ ଚାପି ରଖିଲାପରେ ଜଣାପଡ଼େ। ଯେଉଁ ପାରାନୋଇଆ ରୋଗୀର ବ୍ୟକ୍ତିତ୍ୱର କେବଳ ଗୋଟିଏ ଅଂଶ ବ୍ୟାଧିଗ୍ରସ୍ତ ହୋଇଥାଏ, କିନ୍ତୁ ଅନ୍ୟ ଅଂଶ ସୁସ୍ଥ ଥାଏ, ତାହାର ଆରୋଗ୍ୟ ଲାଭ କରିବାର ସମ୍ଭାବନା ବେଶୀ। ସୁସ୍ଥ ଅଂଶଗୁଡ଼ିକୁ ବାସ୍ତବତା ସହିତ ଅଧିକରୁ ଅଧିକ ଭାବରେ ସଂଯୁକ୍ତ କରିବାକୁ ଚିକିତ୍ସକ ଚେଷ୍ଟା କରନ୍ତି। ସେ ସୁସ୍ଥ ଅଂଶଟିକୁ ଆହୁରି ବଳବାନ କରି ରୋଗୀକୁ ସାମାଜିକ ଜୀବନ ସହିତ ଘନିଷ୍ଠ ସମ୍ପର୍କ ରଖିବା ପାଇଁ ଉତ୍ସାହିତ କରନ୍ତି। ଆସ୍ତେ ଆସ୍ତେ ବ୍ୟାଧିଗ୍ରସ୍ତ ଅଂଶଟି ଏହିପରି ଦୁର୍ବଳ ହୋଇପଡ଼େ ଓ ବ୍ୟକ୍ତିତ୍ୱର ସୁସ୍ଥ ଅଂଶ ଆୟତନରେ ବଢ଼ିଚାଲେ। ସମ୍ପୂର୍ଣ୍ଣ ସ୍ୱାଭାବିକ ନ  ହେଲେ ମଧ୍ୟ ରୋଗୀ ଆରମ୍ଭରୁ ଚିକିତ୍ସିତ ହେଲେ କାମ ତୁଲେଇ ପାରିବା ଭଳି ଆରୋଗ୍ୟ ଲାଭ କରେ।

ସ୍କିଜୋଫ୍ରେନିଆର ଅନୁକୂଳ ଅବସ୍ଥା

କୈଶୋରର ଶେଷ ଓ ଯୌବନର ପ୍ରାରମ୍ଭରେ ସ୍କିଜୋଫ୍ରେନିଆ ଆକ୍ରମଣ କରେ। ସ୍କିଜୋଫ୍ରେନିଆ ରୋଗୀଙ୍କ ଭିତରୁ ଦୁଇ ତୃତୀୟାଂଶ ଲୋକଙ୍କର ୧୫ ଓ ୩୦ ବର୍ଷ ବୟସ ଭିତରେ ରୋଗ ପ୍ରଥମେ ଦେଖାଦେଇଥାଏ। ୨୫ବର୍ଷ ବୟସରେ ସବୁଠାରୁ ସ୍କିଜୋଫ୍ରେନିଆ ହେବାର ବେଶୀ ସମ୍ଭାବନା ଏବଂ ଚାଳିଶି  ବର୍ଷ ପରେ ପ୍ରାୟ ସ୍କିଜୋଫ୍ରେନିଆ ହୁଏ ନାହିଁ। ଯଦିବା ହୁଏ, ତାହା ପ୍ରକୃତରେ ଆଗରୁ ଆରମ୍ଭ ହୋଇଥାଏ ଓ ଗୁପ୍ତ ଭାବରେ ରହିଥାଏ।

ସ୍କିଜୋଫ୍ରେନିଆ କେତେକାଂଶରେ ବଂଶଗତ। କିନ୍ତୁ ବଂଶଗତ କାରଣ ଯୋଗୁଁ ସ୍କିଜୋଫ୍ରେନିଆ  ଯେ ନିଶ୍ଚୟ ହେବ ଏମିତି କିଛି କଥା ନାହିଁ। ସାଧାରଣ ଲୋକଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ହଜାର କରେ ୮ ହେବା ସ୍ଥଳେ ସ୍କିଜୋଫ୍ରେନିଆ ହୋଇଥିବା ବାପା ମା’ଙ୍କର ଛୁଆମାନଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ହଜାର କରେ ୨୨୦। ଜେଜେବାପା, ଜେଜେମା ବା ଅଜା ଆଈଙ୍କୁ ସ୍କିଜୋଫ୍ରେନିଆ ହୋଇଥିଲେ (ଅଥଚ ବାପା ମାଙ୍କୁ ହୋଇନଥିଲେ) ନାତିନାତୁଣୀଙ୍କୁ ସେ ରୋଗ ହେବାର ସମ୍ଭାବନା ଶତକଡ଼ା ୩, ଝିଆରୀ ପୁତୁରାଙ୍କୁ ହେବାର ସମ୍ଭାବନା ଶତକଡ଼ା ୨ ଓ ଦାଦିପୁଅ, ମାମୁଁ ପୁଅ ଓ ପିଉସୀପୁଅ ଭାଇଭଉଣୀମାନଙ୍କୁ ଏ ରୋଗ ହେବାର ସମ୍ଭାବନା ମଧ୍ୟ ଶତକଡ଼ା ୨; ଅର୍ଥାତ ସାଧାରଣଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନାର ତିନିଗୁଣ। ସମ-ଡିମ୍ବାଣୁ ବିଶିଷ୍ଟ ଯମଜମାନଙ୍କୁ ପରୀକ୍ଷା କରି ଦେଖାଯାଇଛି ଯେ ଜଣଙ୍କର ସ୍କିଜୋଫ୍ରେନିଆ ଥିଲେ ଅନ୍ୟଟିକୁ ହେବାର ସମ୍ଭାବନା ଶତକଡ଼ା ୬୭। ଅନ୍ୟ ଏକ ଗବେଷଣାରୁ ମିଳିଛି ଯେ ଏ ସମ୍ଭାବନା ଶତକଡ଼ା ୭୬ ହୋଇପାରେ।

କୈଶୋରର ପାନ୍ତ ଭାଗରେ ଓ ଯୌବନର ପ୍ରାରମ୍ଭରେ ଏ ରୋଗ ହେଉଥିବାରୁ କ୍ରାଏପଲିନ୍ ଭାବୁଥିଲେ ଯେ ଯୌନଗ୍ରନ୍ଥିର କ୍ଷରଣ ସହିତ ସ୍କିଜୋଫ୍ରେନିଆର ନିଶ୍ଚୟ କିଛି ସମ୍ବନ୍ଧ ଅଛି। କାରଣ ଏହି ସମୟରେ ଯୌନବିକାଶରେ ଯଥେଷ୍ଟ ପରିବର୍ତ୍ତନ ହୁଏ ଓ ତତସଂଲଗ୍ନ ଗ୍ରନ୍ଥ ଗୁଡ଼ିକରେ କ୍ଷରଣରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ। କେହି କେହି ସମଗ୍ର ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକରେ କ୍ଷରଣରେ ଗୋଳମାଳ ରହୁଥିବାରୁ ସ୍କିଜୋଫ୍ରେନିଆ ହୁଏ ବୋଲି ମତ ଦିଅନ୍ତି। ଦେଖାଯାଇଛି ଯେ ଅଧିକାଂଶ ସ୍କିଜୋଫ୍ରେନିଆ ରୋଗୀଙ୍କର ଶୁକ୍ରାଣୁ ତିଆରି ହେବା ପୁରାପୁରି ବନ୍ଦ ହୋଇଯାଏ ଓ ଅଣ୍ଡକୋଷରେ ଥିବା ସ୍ନାୟୁକୋଷଗୁଡ଼ିକ ଆସ୍ତେ ଆସ୍ତେ ନଷ୍ଟ ହୋଇଯାଏ। ସ୍ତ୍ରୀଲୋକମାନଙ୍କର ଡିମ୍ବକୋଷରେ ମଧ୍ୟ ଅନୁରୂପ ଲକ୍ଷଣମାନ ଦେଖାଯାଇଛି। ଅବଶ୍ୟ ଏହା ସ୍କିଜୋଫ୍ରେନିଆର କାରଣ ନ ହୋଇ ଆନୁସଙ୍ଗିକ ଅବସ୍ଥା ହୋଇପାରେ ବୋଲି ବହୁ ବିଶେଷଜ୍ଞଙ୍କର ମତ। କାରଣ ଏହା ରୋଗୀର ବୟସ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦୈହିକ ରୋଗ ଉପରେ ନିର୍ଭର କରେ। କେତେକ ସ୍କିଜୋଫ୍ରେନିଆ ରୋଗୀଙ୍କର ଯୌନଗ୍ରନ୍ଥି ସ୍ୱାଭାବିକ ଥିବା ପରୀକ୍ଷା କରି ଦେଖାଯାଇଅଛି। ଏଥିରୁ ଅନୁମାନ କରାଯାଏ ଯଦିଓ ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକ ସ୍କିଜୋଫ୍ରେନିଆ ରୋଗରେ ସ୍ୱାଭାବିକ ଅବସ୍ଥାରେ ନ ଥାନ୍ତି, ତଥାପି ଏଗୁଡ଼ିକର ଅସ୍ୱାଭାବିକତା ଓ ସ୍କିଜୋଫ୍ରେନିଆ ମଧ୍ୟରେ କାର୍ଯ୍ୟକାରଣ ସମ୍ବନ୍ଧ ଅଛି ବୋଲି କୁହାଯାଇ ପାରିବ ନାହିଁ।

ଆଉ କେତେକ ବିଶେଷଜ୍ଞଙ୍କ ମତରେ କେବଳ ଦୈହିକ କାରଣ ସ୍କିଜୋଫ୍ରେନିଆ ସୃଷ୍ଟି କରିବା ପାଇଁ ଯଥେଷ୍ଟ ନୁହନ୍ତି। ଆଗରୁ ବର୍ଣ୍ଣନା କରାଯାଇଥିବା କାରଣ ସବୁ ଯଥା- ବଂଶାନୁକ୍ରମ, ଅନ୍ତଃସ୍ରାବୀ ଗ୍ରନ୍ଥିର କ୍ଷରଣରେ ଅସ୍ୱାଭାବିକତା କିମ୍ବା ଦୈହିକ ବିକୃତି କୌଣସିଟି ସ୍କିଜୋଫ୍ରେନିଆର  ପ୍ରତ୍ୟକ୍ଷ କାରଣ ନୁହନ୍ତି। ଏ ସବୁ ଦୋଷ ଲୋକଙ୍କୁ ତା’ର ପରିବେଷ୍ଟନୀ ସହିତ ଖାପ୍ ଖୁଆଇ ଚଳିବାରେ ବାଧା ସୃଷ୍ଟି କରନ୍ତି ଓ କ୍ରମାନ୍ୱୟରେ  ଏହିପରି ବାଧା ସୃଷ୍ଟି ହେବା ଦ୍ୱାରା ପରିଶେଷରେ ସ୍କିଜୋଫ୍ରେନିଆ ଦେଖାଦିଏ। ଏହି ବିଶେଷଜ୍ଞଙ୍କ ମତରେ ସୁସ୍ଥ ମଣିଷର ମନୋଭାବ ହେଲା ଜୀବନ ବିଭିନ୍ନ ସମସ୍ୟାକୁ ସାହସର ସହିତ ସମାଧାନ କରିବା ପାଇଁ ଅଗ୍ରସର ହେବା, ପ୍ରତ୍ୟକ୍ଷ ଭାବରେ ବହୁ ବାଧାବିଘ୍ନ ଅତିକ୍ରମ କରି ସନ୍ତୋଷ ଲାଭ କରିବା। ଅଥଚ ସ୍କିଜୋଫ୍ରେନିଆ ରୋଗୀ ପରିବେଷ୍ଟନୀରୁ ଦୂରେଇ ହୋଇ ନିଜ ମନର ସଂକୀର୍ଣ୍ଣ ପ୍ରକୋଷ୍ଠରେ ଆବଦ୍ଧ ହୋଇ ରହେ, ଜୀବନ ସମସ୍ୟାର ସମ୍ମୁଖୀନ ନ ହୋଇ ପରୋକ୍ଷରେ ପରାସ୍ତ ହୋଇଥିବାର ମନୋଭାବକୁ ଆଦରି ନିଏ; ସମାଜଠାରୁ ଦୂରରେ ରହି ନିଜର କଳ୍ପନାପ୍ରସୂତ ଔଦାସ୍ୟନିମଗ୍ନ  ସଂସାରରେ ବାସ କରେ। କ୍ରମେ କ୍ରମେ ଏ ପ୍ରକାର ବ୍ୟବହାର ଅଭ୍ୟାସରେ ପରିଣତ ହୁଏ ଓ ତା’ଠାରେ ପରିଣତ ସ୍କିଜୋଫ୍ରେନିଆର ସମସ୍ତ ଲକ୍ଷଣ ଦେଖାଯାଏ।

ଦୈହିକ କାରଣଗୁଡ଼ିକ  ଠିକ୍ କେଉଁ ପ୍ରକାରରେ ସ୍କିଜୋଫ୍ରେନିଆ ଜାତ କରାନ୍ତି ଏ ବିଷୟରେ ଯଥେଷ୍ଟ ଜ୍ଞାନ ବର୍ତ୍ତମାନ ଆମର ନାହିଁ। ତେଣୁ ଉପରୋକ୍ତ ବ୍ୟାଖ୍ୟା ବର୍ତ୍ତମାନ ପାଇଁ ଗ୍ରହଣୀୟ, କିନ୍ତୁ ଏହା ଖୁବ୍ ସନ୍ତୋଷଜନକ ନୁହେଁ। କାରଣ ସ୍କିଜୋଫ୍ରେନିଆର ଦୈହିକ କାରଣ ସହିତ ଘନିଷ୍ଠ ସମ୍ବନ୍ଧ ଥିବା ନିଃସନ୍ଦେହ। ଦୈହିକ ରୋଗର ଠିକ୍ ପରେ ସ୍କିଜୋଫ୍ରେନିଆ ହେବାର ଦେଖାଯାଇଛି। ଯକ୍ଷ୍ମା ପ୍ରଭୃତି ସଂକ୍ରାମକ ରୋଗ ପରେ, ଗର୍ଭାବସ୍ଥାରେ ବା ସନ୍ତାନ ପ୍ରସବର ପରେ ପରେ ସ୍କିଜୋଫ୍ରେନିଆ ହୁଏ। ତା’ ଛଡ଼ା ମସ୍ତିଷ୍କରେ ଘା’ ବା ସେହିପରି କିଛି ରୋଗରେ ସ୍କିଜୋଫ୍ରେନିଆ ସଦୃଶ ଲକ୍ଷଣ ଦେଖିବାକୁ ମିଳେ। ଅଥଚ କୌଣସି ମାନସିକ ବିପର୍ଯ୍ୟୟ ଯୋଗୁଁ ସ୍କିଜୋଫ୍ରେନିଆ ହୁଏ  ବୋଲି କହି ହେବ ନାହିଁ। ଯୁଦ୍ଧବେଳେ ପ୍ରିୟଜନଙ୍କର ମୃତ୍ୟୁ ବା ବହୁପ୍ରକାର ଭୟାବହ ଅନୁଭୂତି ଭଳି ଯଥେଷ୍ଟ ମାନସିକ କାରଣ ଥାଇ ମଧ୍ୟ ସ୍କିଜୋଫ୍ରେନିଆ ରୋଗୀଙ୍କ ସଂଖ୍ୟା ବଢ଼ିବାର ଜଣାନାହିଁ। ଏଣୁ ଶାରୀରିକ କାରଣ ଯେ ଯଥେଷ୍ଟ ଭାବରେ ସ୍କିଜୋଫ୍ରେନିଆକୁ ପ୍ରଭାବିତ କରେ ତାହା ଠିକ୍; କିନ୍ତୁ କେଉଁ ଉପାୟରେ ପ୍ରଭାବିତ କରେ ତାହା ଭବିଷ୍ୟତରେ ଜଣାପଡ଼ିବ ବୋଲି ଖୁବ୍ ଆଶା ଅଛି।

ସ୍କିଜୋଫ୍ରେନିଆର ପରିଣତି

ସ୍କିଜୋଫ୍ରେନିଆ ପ୍ରକୃତରେ ଭଲ ହୋଇଛି କି ନାହିଁ ଜାଣିବା ସହଜ ନୁହେଁ। ରୋଗୀ ପ୍ରାୟ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲା ଭଳି ଜଣାପଡ଼ୁଥିବ, ଅଥଚ ହଠାତ୍ ଦିନେ ସବୁ ସଂଘାତିକ ଲକ୍ଷଣ ସହ ପୁରୁଣା ରୋଗ ଦେଖାଦେଇପାରେ। କିନ୍ତୁ ରୋଗୀ ବହୁତଦିନ ଡାକ୍ତରଖାନାରେ ରହିଲା ପରେ ରୋଗର ଲକ୍ଷଣଗୁଡ଼ିକ ଆଉ ଏତେ ତୀବ୍ର ଆକାରରେ ଦେଖାଯାଆନ୍ତି ନାହିଁ କି ରୋଗୀ ସେପରି କିଛି ଉଦ୍‌ବେଗ ଦେଖାଏ ନାହିଁ। ମନେହୁଏ ଯେପରି ରୋଗୀ ତା’ ଲକ୍ଷଣ ସହିତ ଗୋଟିଏ ଚୁକ୍ତିରେ ଆବଦ୍ଧ ହୋଇଛି। ଜଣେ ରୋଗୀ ନୂଆ ନୂଆ ଆସିଲା ବେଳେ ଅତ୍ୟନ୍ତ ଉତ୍ତେଜିତ ହୋଇ କହୁଥିଲା, ସେ ୟୁରୋପର ସମ୍ରାଟ ଓ ସେହି ଅନୁସାରେ ଉଚ୍ଛୃଙ୍ଖଳା ବ୍ୟବହାର କରୁଥିଲା। ବହୁତ ବର୍ଷ ପରେ ଦିନସାରା ମାଟିଆ କାଗଜରେ ଇଆଡୁସିଆଡୁ ସଂଖ୍ୟା ଲେଖୁଥାଏ। ଆଉ କିଛି କରୁନଥାଏ। ପଚାରିଲେ କହେ ସେ ତା’ ରାଜ୍ୟର ହିସାବ ଲେଖୁଛି। କିନ୍ତୁ ସମ୍ରାଟ ହେବାର ଉତ୍ତେଜନା ବା ଆନୁସଙ୍ଗିକ ଆଦବକାଇଦା କୁଆଡେ ଲୋପ ପାଇଗଲାଣି। ସବୁ ପୁରାତନ  ସ୍କିଜୋଫ୍ରେନିଆ ରୋଗୀଙ୍କର ଭାବନା ଦରିଦ୍ର, ଆଗ୍ରହ ଓ ମନୋଭାବର ପରିଧି ଅତ୍ୟନ୍ତ ସଂକୀର୍ଣ୍ଣ। ନୂଆ ନୂଆ  ଯେଉଁ ରୋଗୀକୁ ଭୟଙ୍କର ଓ ବିପଦଜନକ ବୋଲି ଅଲଗା କରି ରଖାଯାଉଥିଲା କିଛି ବର୍ଷ ପରେ ସେ ଅତ୍ୟନ୍ତ ନିରୀହ ହୋଇଯାଏ। ଏମିତିକି ରୋଗୀ ଯାହାକୁ ଦେଖିଲେ ଜୀବନରେ ମାରି ଦେବ ବୋଲି କହୁଥିଲା ତା’ର ଉପସ୍ଥିତି ମଧ୍ୟ ସେ ସହିଯାଏ। ଖାଇବା ପିଇବା ଠିକ୍ ସମୟରେ କରେ ଓ ସାଧାରଣ କଥାବାର୍ତ୍ତା ଚଳିଗଲା ଭଳି କରିପାରେ। ପୂର୍ବର ଭ୍ରାନ୍ତିଧାରଣା ମନରେ ଥାଏ। କିନ୍ତୁ ରୋଗୀ ତା’ ଉପରେ ଆଉ ଜୋର ଦିଏନାହିଁ। ଯଦିଓ ତା’ର ବ୍ୟକ୍ତିତ୍ୱ ନଷ୍ଟ ହୋଇଯାଇଥାଏ, ତା’ର ବୃଦ୍ଧି ଓ  ସ୍ମରଣଶକ୍ତି ଅକ୍ଷୂର୍ଣ୍ଣ ରହିଥିବାର ଦେଖାଯାଏ। ସ୍କିଜୋଫ୍ରେନିଆ ରୋଗୀ କିଛି ବୁଝୁନି ବୋଲି ତା’ ଆଗରେ ଅପମାନ କରି କହିବା କିଛି ଉଚିତ ନୁହେଁ, କାରଣ ସେ କିଛି କହୁ ନଥିଲେ ମଧ୍ୟ ଗୋଟି ଗୋଟି କରି ସବୁ ବୁଝିପାରୁଥାଏ ଓ ମଝିରେ ମଝିରେ ଏମିତି ଉତ୍ତର ଦିଏ ଯେ କଥାବାର୍ତ୍ତା କରୁଥିବା ଲୋକେ ଅପଦସ୍ତ ହୋଇଯାଆନ୍ତି।

ସ୍କିଜୋଫ୍ରେନିଆ ରୋଗୀ ଡାକ୍ତରଖାନାର ସୁରକ୍ଷିତ ବାତାବରଣରେ ରହି ବୟସରେ କମ୍ ଜଣାପଡ଼ନ୍ତି। ଏମାନଙ୍କର ହାରାହାରି ଆୟୁ ସାଧାରଣ ଲୋକଙ୍କଠାରୁ କମ୍ । ଯକ୍ଷ୍ମା ବା ସେହିପରି କୌଣସି ସଂକ୍ରାମକ ରୋଗରେ କେତେକ ସ୍କିଜୋଫ୍ରେନିଆ ରୋଗୀଙ୍କର ମୃତ୍ୟୁ ଘଟେ। ବୋଧହୁଏ ସ୍କିଜୋଫ୍ରେନିଆରେ ସ୍ୱାଭାବିକ ଦୈହିକ ପ୍ରକ୍ରିୟା ବାଧାପାଏ, ତେଣୁ ରୋଗୀ ଶୀଘ୍ର ମରିଯାଏ।

ସ୍କିଜୋଫ୍ରେନିଆ ଆଦୌ ଭଲ ହୁଏ ନାହିଁ ବୋଲି ଆଗେ ଧାରଣା ଥିଲା ଓ ପ୍ରକୃତରେ କିଛି ବର୍ଷ ତଳେ ସେ ରୋଗ କ୍ୱଚିତ ଭଲ ହେଉଥିଲା। ଆଧୁନିକ ଚିକିତ୍ସା ପ୍ରଣାଳୀ ପ୍ରୟୋଗ ନ କଲେ ରୋଗୀର ବ୍ୟକ୍ତିତ୍ୱ ଆସ୍ତେ ଆସ୍ତେ ନଷ୍ଟ ହୋଇଥାଏ;  ରୋଗୀର ଅବସ୍ଥା ଖୁବ୍ ଖରାପ ହୁଏ ଓ ତା’ ପାଇଁ ଆଜୀବନ ଡାକ୍ତରଖାନାରେ ରହିବାର ବ୍ୟବସ୍ଥା କରିବାକୁ ପଡ଼େ। କିଛି ଦିନ ପାଇଁ ରୋଗ ଛାଡ଼ିଯାଇ ପୁଣି ହୋଇପାରେ। ୩/୪ ଥର ରୋଗ ଲେଉଟିଲେ ଭଲ ହେବାର ସମ୍ଭାବନା ଆଦୌ  ରହେ ନାହିଁ କହିଲେ ଚଳେ। ଅବଶ୍ୟ ଜଣେ ସ୍କିଜୋଫ୍ରେନିଆରୁ ଆରୋଗ୍ୟ ଲାଭ କରିଛି ବୋଲି କେମିତି ଜାଣିବ? ମନେକର ଜଣେ ଚାଷୀକୁ ଏ ରୋଗ ହୋଇ ଆପାତତଃ ଭଲ ହୋଇଗଲା। ସେ ପୁଣି ଯାଇ ଚାଷବାସ କରି ରହିଲା, କେହି ତା’ ବ୍ୟବହାରରେ ବିଶେଷ କିଛି ଦୋଷ ଦେଖିପାରିଲେ ନାହିଁ। ଅଥଚ ଯଦି ଜଣେ ରାଷ୍ଟ୍ରଦୂତଙ୍କୁ ସ୍କିଜୋଫ୍ରେନିଆ ହେଲା, ଆପାତତଃ ଭଲ ହେବା ପରେ ସେ ଆଉ ରାଷ୍ଟ୍ରଦୂତର କାମ ତୁଲାଇ ପାରିବେ ନାହିଁ, ରୋଗ ହେତୁ ବ୍ୟବହାରରେ ରହି ଯାଇଥିବା ତ୍ରୁଟି ଚାଷ କାମ ପାଇଁ କିଛି ନୁହେଁ; କିନ୍ତୁ ରାଷ୍ଟ୍ରଦୂତର କାମ ପାଇଁ ବେଶ୍ ଗୁରୁତର।

ସ୍କିଜୋଫ୍ରେନିଆ ଅଗୋଚରରେ ଆସ୍ତେ ଆସ୍ତେ ଆରମ୍ଭ ହେଲେ ସେଥିରୁ ଭଲ ହେବାର ସମ୍ଭାବନା ଅତ୍ୟନ୍ତ ଅଳ୍ପ। କିନ୍ତୁ ବିଷମ ଓ ସାଙ୍ଘାତିକ ଭାବରେ ଆରମ୍ଭ ହୋଇଥିଲେ ଭଲ ହେବା ଅପେକ୍ଷାକୃତ ସହଜ।

ପ୍ରତିଷେଧ ଚିକିତ୍ସା

ପ୍ରତିଷେଧ

ସ୍କିଜୋଫ୍ରେନିଆ କେତେକ ସ୍ଥଳରେ ବଂଶଗତ ବୋଲି ଆଗରୁ କୁହାଯାଇଛି। ତେଣୁ ସ୍କିଜୋଫ୍ରେନିଆ ରୋଗୀକୁ ବାହାହେବାକୁ ନ ଦେଲେ ଓ ଅସ୍ତ୍ରୋପଚାର ଦ୍ୱାରା ତା’ର ଜନନଶକ୍ତି ନଷ୍ଟ କରି ଦେଲେ ରୋଗ ନିର୍ମଳ ହେବ ବୋଲି ଭାବନା ସ୍ୱାଭାବିକ। କିନ୍ତୁ ଆମେ ଜାଣୁ ଯେ ସ୍କିଜୋଫ୍ରେନିଆ ରୋଗୀର ଛୁଆକୁ ନିଶ୍ଚୟ ସେ ରୋଗ ହେବ ଏମିତି କିଛି କଥା ନାହିଁ। ଅତି ବେଶୀରେ ଶତକଡ଼ା ୨୦ରୁ ୨୨ ଛୁଆଙ୍କୁ ଏ ରୋଗ ହେବାର କେବଳ ସମ୍ଭାବନା ଅଛି। ତେଣୁ କେବଳ ସମ୍ଭାବନା ଉପରେ ନିର୍ଭର କରି ସବୁ ସ୍କିଜୋଫ୍ରେନିଆ ରୋଗୀଙ୍କୁ ଏ ଦଣ୍ଡ ଦେବା କେତେ ଦୂର ସମିଚୀନ ତାହା ଭାବିବା କଥା। ଯେଉଁ ଦେଶରେ ଏ ପ୍ରକାର ନିୟମ ହୋଇଛି ସେଠାରେ ସ୍କିଜୋଫ୍ରେନିଆ ରୋଗୀଙ୍କ ସଂଖ୍ୟା ଆଖିକୁ ଦେଖାଗଲା ଭଳିଆ କମି ନାହିଁ। ପୁଣି ରୋଗୀର ସନ୍ତାନ ପ୍ରଜନନ ଶକ୍ତି ରୋଗ ଯୋଗୁଁ ସାଧାରଣତଃ ଦୁର୍ବଳ ହୋଇପଡ଼ିଥାଏ ଓ ରୋଗ ହେଲା ପରେ ଏଥିପାଇଁ ଖୁବ୍ କମ୍ ଛୁଆ ହୁଅନ୍ତି। ଆଉ ମଧ୍ୟ ଅଧିକାଂଶ ସ୍କିଜୋଫ୍ରେନିଆ ରୋଗୀ ସ୍କିଜୋଫ୍ରେନିଆ ଦ୍ୱାରା ଆକ୍ରାନ୍ତ ନ ହୋଇଥିବା ବାପାମାଆଙ୍କର ପିଲାଛୁଆ। ଏଣୁ ସାମୂହିକ ନିୟମ  ପ୍ରୟୋଗ କରି ସ୍କିଜୋଫ୍ରେନିଆ ରୋଗୀଙ୍କର ଜନନଶକ୍ତି ନଷ୍ଟ କରିବା ଦ୍ୱାରା ବିଶେଷ କିଛି ଉପକାର ହେବନାହିଁ। ଜଣେ ଡାକ୍ତର ସ୍କିଜୋଫ୍ରେନିଆ ରୋଗୀଙ୍କର ୬୭୦ ଜଣ ପିଲାଙ୍କୁ ନେଇ ଦେଖିଲେ ଯେ ସେଥିରୁ ମୋଟେ ୧୦୭ ଜଣ ରୋଗ ହେଲା ପରେ ଜନ୍ମ ହୋଇଛନ୍ତି ଅର୍ଥାତ୍ ବାଧ୍ୟତାମୂଳକ ଭାବେ ଜନନ ଶକ୍ତି ନଷ୍ଟ କରି ଦେବା  ଦ୍ୱାରା ୬୭୦ରୁ କେବଳ ୧୦୭ ଜଣଙ୍କର ଏ ରୋଗ ହେବା ବନ୍ଦ କରାଯାଇପାରନ୍ତା।

ତଥାପି ସ୍କିଜୋଫ୍ରେନିଆ ରୋଗୀ ସ୍ୱେଚ୍ଛାରେ ଜନନ ଶକ୍ତି ନଷ୍ଟ କରିବାକୁ ଚାହିଁଲେ ତା’ ପାଇଁ ଅସ୍ତ୍ରୋପଚାରର ସମସ୍ତ ସୁବିଧା ଦେବା ଉଚିତ, ଏପରି କି ଏହା କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଉଚିତ। କାରଣ ସମ୍ଭାବନା ଯେତେ କମ୍ ଥିଲେ ମଧ୍ୟ ସ୍କିଜୋଫ୍ରେନିଆ ରୋଗୀର ଛୁଆକୁ ଯେ କେବେ ସ୍କିଜୋଫ୍ରେନିଆ ହେବ ନାହିଁ ଏହା କେହି କହିପାରିବେ ନାହିଁ। ତେଣୁ ନିର୍ଦ୍ଦୋଷ ଶିଶୁକୁ ଏ ଭୟାବହ ଭବିଷ୍ୟତ ସହ ପୃଥିବୀକୁ ଆଣିବା ଠିକ୍ ନୁହେଁ। ସେଥିପାଇଁ ସ୍କିଜୋଫ୍ରେନିଆ ରୋଗୀ ସହାନୁଭୂତିଶୀଳ ସେବା ମନୋବୃତ୍ତି ଥିବା ସ୍ତ୍ରୀ-ପୁରୁଷକୁ ବାହା ହୋଇପାରେ କିନ୍ତୁ  ପିଲାଛୁଆ ଯେମିତି ନ ହୁଏ ସେଥିପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ଦରକାର।

ସ୍କିଜୋଫ୍ରେନିଆ ରୋଗୀଙ୍କର ବନ୍ଧୁବାନ୍ଧବଙ୍କୁ ବାହା ହେବା କେଡେ ବିପଦଜନକ? ମନେକର ଜଣେ ଝିଅର ଭାଇ ସ୍କିଜୋଫ୍ରେନିଆ ରୋଗୀ, ତା’କୁ ବାହା ହେବା ଉଚିତ କି?

ସ୍କିଜୋଫ୍ରେନିଆ ରୋଗଙ୍କର ଭାଇ- ଭଉଣୀଙ୍କୁ ସେ ରୋଗ ହେବାର ସମ୍ଭାବନା ଶତକଡ଼ା ୧୧। ତେଣୁ ବାହା ହେବାରେ ନିଶ୍ଚୟ କିଛିଟା ବିପଦ ଅଛି। ପୁଣି ଝିଅ ୧୫ରୁ ୨୫ ବର୍ଷ  ଭିତରେ ହୋଇଥିଲେ ଓ ତା’ ବ୍ୟବହାରରେ ସାମାନ୍ୟ ଅସ୍ୱାଭାବିକତା ଦେଖା ଯାଉଥିଲେ ରୋଗ ହେବାର ସମ୍ଭାବନା ଆହୁରି ବେଶୀ। ତେବେ ଝିଅର ଯଦି କୌଣସି ଅସ୍ୱାଭାବିକତା ନାହିଁ, ସେଠାରେ ବିଚାର କରିବାକୁ ହେବ ଯେ ଶହକରେ ୧୧ ଜଣଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ଥିଲେ, ଆଉ ୮୯ ଜଣଙ୍କୁ ଏ ରୋଗ ହେବାର ସମ୍ଭାବନା ଆଦୌ ନାହିଁ।

ଆମ୍ଭେମାନେ  ସ୍କିଜୋଫ୍ରେନିଆ ରୋଗର କାରଣ ଏ ପର୍ଯ୍ୟନ୍ତ ଜାଣିନାହୁଁ। ତେଣୁ କ’ଣ କଲେ ସ୍କିଜୋଫ୍ରେନିଆ ହେବନାହିଁ ତା’ କହିବା ଅସମ୍ଭବ। ଯେପରି ମେଲେରିଆ କାହିଁକି ହୁଏ ନ ଜାଣିଲେ ତା’ର ପ୍ରତିରୋଧ କରିବା ସମ୍ଭବପର ନୁହେଁ। ଏ ରୋଗ ସାଧାରଣତଃ ସବୁ ଦେଶରେ ଦେଖାଯାଏ। ସଭ୍ୟ ଓ ଆଦିମ ସବୁ ସମାଜରେ ଏହା ଦ୍ୱାରା ଲୋକେ ଆକ୍ରାନ୍ତ ହୁଅନ୍ତି, ପୁଣି ସବୁ ସ୍ଥାନରେ ସ୍କିଜୋଫ୍ରେନିଆ ପ୍ରାୟ ସମାନ ଅନୁପାତର ଲୋକଙ୍କୁ ହୁଏ। ଏ ସବୁରୁ ଅନୁମାନ କରାଯାଉଛି ଯେ ପରିବେଷ୍ଟନୀ ନିୟନ୍ତ୍ରଣ  ଦ୍ୱାରା ବା ମାନସିକ ସ୍ୱାସ୍ଥ୍ୟରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା ଦ୍ୱାରା ସ୍କିଜୋଫ୍ରେନିଆରୁ ରକ୍ଷା ମିଳେ ନାହିଁ। ତେବେ ଯାହାର ସ୍ପିଜୋଫ୍ରେନିଆ ହେବାର ସବୁ ଲକ୍ଷଣ ଦେଖାଯାଉଛି ତା’କୁ ବିଭିନ୍ନ ସାମାଜିକ କାମରେ ନିୟୋଗ କରିବା କଥା; ଏକୁଟିଆ ରହିବାକୁ ନ ଛାଡ଼ି ଲୋକମାନଙ୍କ ସଙ୍ଗେ ମିଶାଇବା ଓ ଅଯଥା ନିରାଶ ବା ଉତ୍ତେଜିତ ହେବାକୁ ନ ଦେବା ଉଚିତ।

ସ୍କିଜୋଫ୍ରେନିଆ ହେବାର ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ କେବେ ମନୋବିଶ୍ଳେଷଣ କରାଇବା ଉଚିତ ନୁହେଁ। ମନୋବିଶ୍ଳେଷଣ କରୁ କରୁ ଲୁଚି ରହିଥିବା ସ୍କିଜୋଫ୍ରେନିଆ ହଠାତ ବାହାରି ପଡ଼ିବାର ବିପଦ ବହୁତ ବେଶୀ।

ଚିକିତ୍ସା

ମାନସିକ ଓ ଶାରୀରିକ

ମନୋବିଶ୍ଳେଷଣ ବା ସେହିପରି କୌଣସି ଚିକିତ୍ସା ସ୍କିଜୋଫ୍ରେନିଆରେ କ୍ଷତିକାରକ ବୋଲି ଆଗରୁ କୁହାଯାଇଛି। ମନୋବିଶ୍ଳେଷଣରେ ରୋଗୀ ନିଜ ବିଷୟରେ ଭାବିବା ପାଇଁ ଉତ୍ସାହ ପାଏ ଓ  ଟିକିନିଖି କରି ନିଜର ବ୍ୟବହାରକୁ ବିଶ୍ଳେଷଣ କରେ ଏହା ଦ୍ୱାରା ରୋଗୀ ସମାଜଠାରୁ ବେଶୀ ବେଶୀ ଦୂରେଇ ଯାଏ। ସ୍କିଜୋଫ୍ରେନିଆ ରୋଗୀ ସାଧାରଣତଃ ସମାଜଠାରୁ ଦୂରରେ ରହିବାକୁ ଭଲପାଏ, ତା’ ଉପରେ ମନୋବିଶ୍ଳେଷଣ କଲେ ଏ ଅସ୍ୱାଭାବିକତା ଆହୁରି ବଢ଼େ ଓ ରୋଗର ପୂର୍ଣ୍ଣ  ବିକାଶ ହୁଏ।

ରୋଗ ଆରମ୍ଭ ହେବାର ଦୁଇବର୍ଷ ଭିତରେ ମାନସିକ ଡାକ୍ତରଖାନାରେ ଭର୍ତ୍ତି ହେଲେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ। କିନ୍ତ ଅଧିକାଂଶ ରୋଗୀ ଡାକ୍ତରଖାନାକୁ  ପୁରାତନ ରୋଗ ନେଇଆସନ୍ତି। ତାଙ୍କ ଭିତରୁ କେତେକ ରୋଗର ସାଙ୍ଘାତିକ  ଅବସ୍ଥା ପାରିହୋଇ ଯାଇଥାଆନ୍ତି। ଏହି ପ୍ରକାର ରୋଗୀମାନେ ଯଦି କୌଣସି  ଛୋଟକାଟର କାମ କରୁଥାଆନ୍ତି ତାହାହେଲେ ସେମାନଙ୍କୁ ସେ କାମ କରିବାକୁ ଦିଆହେବା ଉଚିତ। କାମରୁ କାଢ଼ି ଡାକ୍ତରଖାନାରେ ଭର୍ତ୍ତି କରିବା ଉଚିତ ନୁହେଁ। ବରଂ ସେ କିଛି କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍। ଏ ଅବସ୍ଥାରେ ଡାକ୍ତର ସାଧାରଣତଃ ରୋଗୀକୁ ପରାମର୍ଶ ଦିଅନ୍ତି ଯେ, “ତମର  ଯେଉଁ ଭ୍ରାନ୍ତଧାରଣା ସବୁ ରହିଛି ସେ ସବୁ ବିଷୟରେ ବିଶେଷ ଭାବି କିଛି ଲାଭ ନାହିଁ; ବରଂ ସେ ସବୁ ଭାବିବା ଅପେକ୍ଷା ନିଜ କାମରେ ଅଧିକ ମନ ଦେବା ଭଲ।’’ ଅବଶ୍ୟ ସେମାନଙ୍କୁ ସ୍କୁଲ୍‌ ଶିକ୍ଷକତା, ଘରୋଇ ଭାବରେ ପିଲାମାନଙ୍କୁ ଟିଉସନ କରିବା ବା ଡାକ୍ତରୀ କରିବା ଭଳି ଦାୟିତ୍ୱପୂର୍ଣ୍ଣ କାମ ଦିଆଯିବା ଉଚିତ୍ ନୁହେଁ। ଅଥଚ ସେମାନେ ବୈଷୟିକ କାମ, ଲାଇବ୍ରେରୀରେ ବହି ତଦାରଖ କାମ ବା ଅଫିସ କାମ ଭଲଭାବେ କରିପାରିବେ। ଅଶିକ୍ଷିତ ଓ ଅଳ୍ପଶିକ୍ଷିତ ରୋଗୀମାନଙ୍କୁ ଏବଂ ଟିକିଏ ବେଶୀ ଖରାପ ଅବସ୍ଥାର ରୋଗୀଙ୍କୁ ହାତକାମ ଓ ବୁଣାବୁଣି ପ୍ରଭୃତି ଶିଖାଇବ। ଏହାଦ୍ୱାରା କେବଳ ତାଙ୍କୁ ଜୀବିକାର୍ଜନ ପାଇଁ ପ୍ରସ୍ତୁତ କରାଯାଏ ନାହିଁ, ଏକାଠି ମିଳିମିଶି କାମ କରିବା ଦ୍ୱାରା ସେମାନଙ୍କର ସାମାଜିକ ବୋଧ ଦେଖାଦିଏ ଓ ଶକ୍ତିସାମର୍ଥ୍ୟ ଏକାକି ବସିରହି ବୃଥା ଭାବନାରେ ଅଯଥା ଖର୍ଚ୍ଚ ନ ହୋଇ ଦରକାରୀ କାମରେ ଲାଗେ। ପ୍ରକୃତରେ କାମ ଯୋଗାଇବା ଦ୍ୱାରା ସ୍କିଜୋଫ୍ରେନିଆ ରୋଗୀ ବେଶ୍ ସୁସ୍ଥ ଓ ସ୍ୱାଭାବିକ ଅବସ୍ଥାରେ ଥାଏ। କେତେକ ଜାଗାରେ ସାଧାରଣ ଲୋକଙ୍କ ଭିତରେ ସ୍କିଜୋଫ୍ରେନିଆ ରୋଗୀଙ୍କୁ ରଖାଯାଇଛି। ସେମାନଙ୍କୁ ଚାଷ କାମରେ ନିଯୁକ୍ତ କରାଯାଇ ଜଣେ ଚାଷୀଙ୍କ ପାଖେ ରଖାଯାଇଛି। ଡାକ୍ତର ମାସକରେ ଥରେ ଦିଥର ଦେଖିବାକୁ ଯାଆନ୍ତି ଓ ସେମାନେ କେମିତି ଅଛନ୍ତି ବୁଝିଆସନ୍ତି। ସେଠାରେ ରୋଗୀମାନେ ବେଶ୍ ଭଲରେ ଥିବାର ଓ କାମଦାମରେ ଯଥେଷ୍ଟ ସାହାଯ୍ୟ କରୁଥିବାର ଖବର ମିଳେ।

ସ୍କିଜୋଫ୍ରେନିଆର ଶାରୀରିକ ଚିକିତ୍ସା ମଧ୍ୟରେ ଇନସୁଲିନ୍ ଦେଇ ଅଚେତନ କରିବା, ଇଲେକ୍ଟ୍ରିକ୍ ଶକ୍ ଦେବା ଓ ନିଦ ଔଷଧ ଦେଇ କ୍ରମାଗତ ଶୁଆଇ ରଖିବା ପ୍ରଧାନ। ଇନସୁଲିନ୍ ଏକପ୍ରକାର ରାସାୟନିକ ଦ୍ରବ୍ୟ। ଇନସୁଲିନ୍ ଇଞ୍ଜେକସନ ମାଂସପେଶୀରେ ବା ଶିରାରେ ଦିଆଯାଏ। ଇଞ୍ଜେକସନ ଦେଲାପରେ ଦେହର ସର୍କରା ଅଂଶ ଖୁବ୍ କମିଯାଏ ଓ ଏଥିଯୋଗୁଁ ଆସ୍ତେ ଆସ୍ତେ ତାହାର ସଂଜ୍ଞା ଲୋପ ପାଏ। ସେ ସମ୍ପୂର୍ଣ୍ଣ ଅକ୍ଷମ ଓ ଅସମର୍ଥ ହୋଇପଡ଼େ। ଇଞ୍ଜେକସନ ଦେବାର ଦୁଇ ତିନି ଘଣ୍ଟାପରେ ଏପରି ଅବସ୍ଥାର ସୃଷ୍ଟି ହୁଏ। ଏ ସମୟରେ ନିଆଁ ପାଖରୁ ହାତ ଟାଣି ନେବା, ଶକ୍ ଦେଲେ ଘୁଞ୍ଚିଯିବା ପ୍ରଭୃତି କେବଳ କେତେକ ସ୍ୱୟଂଚାଳିତ ପ୍ରକ୍ରିୟା ବ୍ୟତୀତ ରୋଗୀ ମୃତପ୍ରାୟ ପଡ଼ିରହିଥାଏ। ଏ ଅଚେତ ଅବସ୍ଥାକୁ କୋମା(Coma) କହନ୍ତି। କୋମା ହେବା ଆଗରୁ ରୋଗୀ କ୍ଲାନ୍ତି ବୋଧ କରେ, ବିଛଣାରେ ଛଟପଟ ହୁଏ ଓ ବାତ ମାଇଲା ଭଳି ତା’ ଦେହ ସାରା ଆଙ୍କୁଚନ ପ୍ରସାରଣ ଦେଖାଦିଏ। ଏହି ଅବସ୍ଥାରେ କାଳେ ବିଛଣାରୁ ପଡ଼ିଯିବ ବୋଲି ତା’ର ଗୋଡ ହାତ ଭଲ କରି ଖଟ ସାଙ୍ଗରେ ବାନ୍ଧି ଦିଅନ୍ତି। ଇନସୁଲିନ୍ ଦେଲେ ମସ୍ତିଷ୍କର ସୂକ୍ଷ୍ମ ଓ ଉଚ୍ଚସ୍ତରର କ୍ରିୟାକଳାପ ଯଥା ଚିନ୍ତା କରିବା ପ୍ରଭୃତି ବନ୍ଦ ହୋଇଯାଏ।

କିନ୍ତୁ ସ୍ୱୟଂକ୍ରିୟ ସ୍ନାୟୁମଣ୍ଡଳୀ ପ୍ରକ୍ରିୟା ଯଥା-ପାକସ୍ଥଳୀ, ହୃତ୍‌ପିଣ୍ଡ ଓ ନାଳଗ୍ରନ୍ଥି ପ୍ରଭୃତି ଅତ୍ୟଧିକ କାମ କରେ। ୩୦। ୪୦ ମିନିଟ୍ ପରେ ଅଚେତ ଅବସ୍ଥାରେ (କୋମା) ରହିଲା ପରେ ରୋଗୀକୁ ଶର୍କରା ବା ଗ୍ଲୁକୋଜ ମିଶା ଚାହା ନାକବାଟେ ରବର ନଳୀଦ୍ୱାରା ଖାଇବାକୁ ଦିଆଯାଏ ଓ ରୋଗୀର ଚେତା ଫେରିଆସେ। ଏଥିରେ ଚେତନା ନ ଆସିଲେ ଗ୍ଲୁକୋଜ ଇଞ୍ଜେକସନ ଦେଇ ଚେତା ଫେରାଇ ଅଣାହୁଏ। ଶର୍କରା ବା ଗ୍ଲୁକୋଜ ଦେବାର ୨୦।୩୦ ମିନିଟ ପରେ ରୋଗୀ ଚେତାପାଏ। ଟିକିଏ ସୁସ୍ଥ ଲାଗିଲେ ରୋଗୀକୁ ପାଉଁରୁଟି ଶ୍ୱେତସାର ଥିବା ଖାଦ୍ୟ ଦିଆଯାଏ। ସାଧାରଣତଃ  ସକାଳଓଳି ଇନସୁଲିନ୍ ଚିକିତ୍ସା କରାହୁଏ ଓ ଓପରଓଳିକୁ ରୋଗୀ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଥାଏ। କୋମାରୁ ଉଠିବା ପରେ ପରେ ରୋଗୀ ଖୁବ୍ ଉତ୍‌ଫୁଲ ଦେଖାଯାଏ, ଭଲରେ କଥାବାର୍ତ୍ତା କରେ ଓ ସୁସ୍ଥଲୋକ ଭଳି ବ୍ୟବହାର କରେ। କିନ୍ତୁ ଏହା ଅଳ୍ପ ସମୟ ରହେ। ଚିକିତ୍ସକ ଏହି ସମୟଟିକୁ ଭଲଭାବରେ ଉପଯୋଗ କରନ୍ତି। ରୋଗୀର ଭ୍ରାନ୍ତ ଧାରଣା ଯେ ଅଳୀକ ଓ ତା’ର ଯେ ପ୍ରକୃତରେ କେହି କ୍ଷତି କରୁନାହାନ୍ତି-ଏ ସବୁ କଥା ଚିକିତ୍ସକ ରୋଗୀକୁ ବୁଝାନ୍ତି, ତା’କୁ ଆଦର କରନ୍ତି ଓ ଅନ୍ୟ ରୋଗୀମାନଙ୍କ ସଙ୍ଗେ ତା’କୁ ମିଳାମିଶା କରାନ୍ତି। ଇନସୁଲିନ୍ ଚିକିତ୍ସା ପାଉଥିବା ରୋଗୀ ପରସ୍ପର ସହିତ ବେଶ୍ ସାଙ୍ଗ ହୋଇଯାଆନ୍ତି ଓ ଏ ବନ୍ଧୁତ୍ୱ ଓ ମିଳାମିଶାକୁ ଡାକ୍ତର ଉତ୍ସାହିତ କରିବା କଥା।

ରୋଗୀମାନଙ୍କୁ ୩୦ରୁ ୫୦ଥର ପର୍ଯ୍ୟନ୍ତ ଇନସୁଲିନ୍ ଦିଆହୁଏ। ୫୦ଥରରୁ ବେଶୀ ଇନସୁଲିନ୍ ଦେଲେ ଯେ ଆହୁରୀ ଶୀଘ୍ର ରୋଗ ଭଲ ହୋଇଯିବ ଏକଥା ଠିକ୍ ନୁହେଁ। ସାଧାରଣତଃ ସ୍କିଜୋଫ୍ରେନିଆ ହେବାର ବର୍ଷକ ଭିତରେ ଏ ଚିକିତ୍ସା ସବୁଠାରୁ ଫଳପ୍ରଦ। ତଥାପି ଦୁଇବର୍ଷର ପୁରୁଣା ସ୍କିଜୋଫ୍ରେନିଆ ରୋଗୀକୁ ମଧ୍ୟ ଏ ଚିକିତ୍ସା ଦେଇ କିଛି ସୁଫଳ ମିଳିଛି। କିନ୍ତୁ ତା’ଠାରୁ ପୁରୁଣା ରୋଗୀକୁ ପ୍ରାୟ ଇନସୁଲିନ୍ ଚିକିତ୍ସା କରାଯାଏ ନାହିଁ। ଯକୃତ, ହୃତପିଣ୍ଡ ବା ମୂତ୍ର ଯନ୍ତ୍ରରେ ସାଂଘାତିକ ରୋଗ ଥିଲେ ବା ଯକ୍ଷ୍ମା ହେବାର ଲକ୍ଷଣ ଦେଖାଯାଉଥିଲେ ଇନସୁଲିନ୍ ଦିଆଯାଏ ନାହିଁ। ପାକସ୍ଥଳି ବା ଗ୍ରହଣୀରେ ଘା’ ହୋଇଥିଲେ ଇନସୁଲିନ୍ ତା’କୁ ବଢ଼ାଏ। ତେଣୁ ଏ ଅବସ୍ଥାରେ ଇନସୁଲିନ୍ ଦିଆହୁଏ ନାହିଁ। ୪୫ ବର୍ଷ ଠାରୁ ବୟସ୍କ ରୋଗୀଙ୍କୁ ଇନସୁଲିନ୍ ଆଦୌ ଦିଆହୁଏ ନାହିଁ।

ଇନସୁଲିନ୍ ପ୍ରକୃତରେ କିପରି ସ୍କିଜୋଫ୍ରେନିଆ ଭଲ କରେ ତାହା ଠିକ୍ ଜଣାନାହିଁ। ରୁଷିଆରେ ପାଭଲଭ୍‌ଙ୍କ ତତ୍ତ୍ୱ ଅନୁସରଣ କରି ଇନସୁଲିନର ଗୁଣ ବିଷୟରେ କିଛି ତଥ୍ୟ ପ୍ରକାଶିତ ହୋଇଛି। ପାଭଲଭଙ୍କ ମତରେ ସମଗ୍ର ସ୍ନାୟୁ ମଣ୍ଡଳୀର ଦୌର୍ବଲ୍ୟ ଯୋଗୁଁ ସ୍କିଜୋଫ୍ରେନିଆ ହୋଇଥାଏ। ଇନସୁଲିନ୍ ଦେଇ ସ୍ନାୟୁରେ ଅତିଶୟ ଅବସାଦ ଆଣିବା ଦ୍ୱାରା ଦୁର୍ବଳ ସ୍ନାୟୁମଣ୍ଡଳୀ କିଛି ବେଳ ପାଇଁ ପ୍ରାୟ ପୂର୍ଣ୍ଣ ବିଶ୍ରାମ ଲାଭ କରେ। ବିଶେଷତଃ ମସ୍ତିଷ୍କରେ ଥିବା ସ୍ନାୟୁଗୁଡ଼ିକ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଆନ୍ତି ଯେଉଁଟା ଜାଗ୍ରତାବସ୍ଥାରେ ସମ୍ଭବପର ନୁହେଁ। ଏହିପରି ୩୦।୪୦ଥର କୋମା ହେତୁ ମସ୍ତିଷ୍କର ସ୍ନାୟୁମଣ୍ଡଳୀ ପୁରାପୁରି ନିର୍ଜିବ ଅବସ୍ଥାରେ ରହି ଯଥେଷ୍ଟ ବିଶ୍ରାମ ପାଇଲେ ପୁଣି ସ୍ୱାଭାବିକତା ଫେରି ପାଆନ୍ତି। ଏ ତତ୍ତ୍ୱ ଉପରେ ନିର୍ଭର କରି ରୁଷୀୟ ଚିକିତ୍ସକମାନେ ନିଦ ଔଷଧ ଦେଇ କିଛିଦିନ ପାଇଁ ରୋଗୀକୁ ଶୁଆଇ ରଖନ୍ତି ଓ ରୋଗୀର ସ୍ନାୟୁମଣ୍ଡଳୀକୁ ବିଶ୍ରାମ ଦିଅନ୍ତି। କୁହାଯାଏ ଯେ ଏଥିରେ ଇନସୁଲିନ୍ ଚିକିତ୍ସା ଭଳି ସୁଫଳ ମିଳେ ଏବଂ ଏହା ସହଜ ଓ ଆଦୌ ବିପଦଜନକ ନ ହୋଇଥିବାରୁ ଇନସୁଲିନଠାରୁ ଭଲ ଚିକିତ୍ସା ବୋଲି  କେତେକ ଚିକିତ୍ସକଙ୍କର ମତ। ବେଳେ ବେଳେ ଇନସୁଲିନ୍ ଓ ଦୀର୍ଘସ୍ଥାୟୀ ନିଦ୍ରା ଉଭୟ ଚିକିତ୍ସା ପ୍ରଣାଳୀ ନିଯୁକ୍ତ କରାଯାଏ। ରୁଷୀୟ ଚିକିତ୍ସକଙ୍କ ମତରେ ସ୍କିଜୋଫ୍ରେନିଆର ସାଂଘାତିକ ଅବସ୍ଥାରେ ରୋଗୀକୁ ଶାନ୍ତିପୂର୍ଣ୍ଣ ବାତାବରଣରେ ରଖିବା ଉଚିତ୍। ତୀବ୍ର ଆଲୋକ ବା ଶବ୍ଦଠାରୁ ଦୂରରେ ଗୋଟିଏ ଛୋଟ କୋଠରୀରେ ଦୁଇଜଣ ଲେଖାଁଏ ରୋଗୀଙ୍କୁ ରଖିବା ବାଞ୍ଛନୀୟ। ସେମାନଙ୍କୁ ହାତକାମ ବା ଅନ୍ୟାନ୍ୟ ବ୍ୟାୟାମ ଶିକ୍ଷାରେ ଯୋଗଦେବା ପାଇଁ ନ ଡାକିବା ଉଚିତ୍।

ତା’ଛଡ଼ା ଇନସୁଲିନ ବା ନିଦ ଔଷଧ ଦେଇ ରୋଗୀର ସ୍ନାୟବିକ ପ୍ରକ୍ରିୟାକୁ ବିଶ୍ରାମ ଦେବା ଉଚିତ୍। କାରଣ ସେମାନଙ୍କ ମତରେ ସ୍କିଜୋଫ୍ରେନିଆ ରୋଗୀର ସ୍ନାୟୁ ଅତ୍ୟଧିକ ଦୁର୍ବଳ ଓ କୌଣସି ଉତ୍ତେଜନା ପାଇଁ ଅନୁପଯୁକ୍ତ।

ଇଲେକଟ୍ରିକ ଶକ୍ ଦେବା ସ୍କିଜୋଫ୍ରେନିଆର ଆଉ ଗୋଟିଏ ଚିକିତ୍ସା। ରୋଗୀକୁ ଶୁଆଇ ରଖି ତା’ର ଦୁଇ କାନମୁଣ୍ଡାରେ ଦୁଇଟି ଇଲେକଟ୍ରୋଡ ଲଗାଇ ଦିଅନ୍ତି। ଇଲେକଟ୍ରୋଡଗୁଡ଼ିକ ଛୋଟ ଛୋଟ ଧାତବ ଖଣ୍ଡ ଯାହା ଦେହରେ ଇଲେକଟ୍ରିକ କରେଣ୍ଟ ଦିଆଯାଇପାରିବ। ୭୦ରୁ ୧୨୦ ଭୋଲ୍‌ଟ ପର୍ଯ୍ୟନ୍ତ ଇଲେକ୍ଟ୍ରିକ କରେଣ୍ଟ ଏହା ଦେହରେ  ୪ରୁ ୬ ସେକେଣ୍ଡ ପର୍ଯ୍ୟନ୍ତ ଦିଆହୁଏ।ତା ରୋଗୀ ବାତ ମାରିବା ଭଳି ଛଟପଟ କରେ। ପ୍ରଥମେ ସମସ୍ତ ଶରୀର ମୁହୂର୍ତ୍ତକ ପାଇଁ ଆକୁଞ୍ଚିତ ଓ ଅନ୍ୟ ମୁହୂର୍ତ୍ତ ପାଇଁ ପ୍ରସାରିତ ହେଉଥାଏ। ତାତା’ ପରେ ଶରୀରର ପ୍ରତ୍ୟେକ ଅଂଶ ଆକୁଞ୍ଚିତ ଓ ପ୍ରସାରିତ ହୋଇଥାଆନ୍ତି। ଶେଷକୁ କରେଣ୍ଟ କମିଗଲା ପରେ ରୋଗୀ ଖୁବ୍ ଜୋରରେ ନିଶ୍ୱାସ ପ୍ରଶ୍ୱାସ ନିଏ। ପାଟିରୁ ନାଳ ବୁହେ ଓ ନାକ ଘଡ଼ ଘଡ କରେ। ସ୍ୱାଭାବିକ ଶ୍ୱାସକ୍ରିୟା ଶକ୍ ପରେ ପରେ ଆରମ୍ଭ ନ ହେଲେ ପୁଣି ଟିକିଏ ଶକ୍ ଦେଇ ଶ୍ୱାସ ପ୍ରକ୍ରିୟା ଚାଲୁ କରାହୁଏ। ଇଲେକଟ୍ରିକ୍ ଶକ ଚିକିତ୍ସାର ନିର୍ବିଚାର ପ୍ରୟୋଗ କେତେକ ଚିକିତ୍ସାଳୟରେ ହେବା ଦ୍ୱାରା ଏଥିପ୍ରତି ଲୋକଙ୍କର ଆସ୍ଥା କମିଯାଉଛି। ଗୁଡ଼ାଏ ଶକ୍ ଦେବା ଠିକ୍ ନୁହେଁ। କାରଣ ଇଲେକଟ୍ରିକ ଶକ୍ ଦ୍ୱାରା ଶରୀରର ସ୍ଥାୟୀ କ୍ଷତି ହେବାର ଦେଖାଯାଇଛି। ସ୍ମରଣଶକ୍ତି ଲୋପପାଇବା ଓ ବ୍ୟକ୍ତିତ୍ୱ ଆସ୍ତେ ଆସ୍ତେ ଦୁର୍ବଳ ହୋଇ ନଷ୍ଟ ହୋଇଯିବା ଏହାର ଦୁଇଟି ହାନିକାରକ ଫଳ। କେତେକ ଜାଗାରେ ରୋଗୀ ଟିକିଏ ଦୁଷ୍ଟାମି କଲେ ବା ଶୃଙ୍ଖଳା ନରଖିଲେ ତା’କୁ ଶାସନ କରିଲାଭଳି ଇଲେକଟ୍ରିକ ଶକ୍ ଦିଅନ୍ତି। ଏଥିରେ ରୋଗୀ ଭଲ ହେବା ଦୂରେ ଥାଉ, ତା’ର ଆହୁରି ବେଶୀ କ୍ଷତି ହୁଏ। ଇନସୁଲିନ୍ ଚିକିତ୍ସା ଯାହାଠାରେ ଫଳପ୍ରଦ ନ ହୋଇଛି ତାକୁ ଶକ୍ ଦେଇ କିଛି ଲାଭ ନାହିଁ ବୋଲି କେତେକ ବିଶେଷଜ୍ଞଙ୍କର ମତ। ଶକ ଚିକିତ୍ସା ଇନସୁଲିନ୍ ପରି ଅପେକ୍ଷାକୃତ ସ୍ଥାୟୀ ସୁଫଳ ଦିଏ ନାହିଁ। ତେଣୁ ନୂଆ ନୂଆ ସ୍କିଜୋଫ୍ରେନିଆ ରୋଗୀଙ୍କୁ ପ୍ରଥମେ ଇନସୁଲିନ୍ ଦେବା କଥା। ଶକ୍ ଦେଇ ମିଛରେ ସମୟ ନଷ୍ଟ କରି ଲାଭ ନାହିଁ।

ରୁଷୀୟ ଚିକିତ୍ସକମାନେ ସ୍କିଜୋଫ୍ରେନିଆ ଓ ଅନ୍ୟାନ୍ୟ ମାନସିକ ବ୍ୟାଧିର ଚିକିତ୍ସା ପାଇଁ କେତେକ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ମସ୍ତିଷ୍କ ଓ ମେରୁଦଣ୍ଡ ଭିତରେ ଥିବା ତରଳ ରସରେ ପ୍ରତ୍ୟକ୍ଷ ଭାବରେ ଔଷଧ ପ୍ରୟୋଗ କରିବା ଏଥିମଧ୍ୟରୁ ଗୋଟିଏ। ଇଞ୍ଜେକସନ ନ ଦେଇ ବା ପାଟିବାଟେ ଔଷଧ ନଖୁଆଇ ଏହା କରିବା ଦ୍ୱାରା ଶୀଘ୍ର ଫଳ ମିଳିବାର ସେମାନେ କହନ୍ତି। ଏହାଛଡ଼ା ବିଶେଷକରି ସ୍କିଜୋଫ୍ରେନିଆ  ଭଲ କରିବା ପାଇଁ ସେମାନେ ଏକପ୍ରକାର ସେରମ(Serum) ଉଦ୍ଭାବନ କରିଛନ୍ତି। ମଣିଷର ପ୍ଲୀହା ଓ ଅସ୍ଥିମଜ୍ଜାରେ ଥିବା ଏକପ୍ରକାର ଟିସୁକୁ ଠେକୁଆ ଦେହରେ ଦେଇ ଗୋବୀଜ ଟିକା ତିଆରି କଲା ଭଳିଆ ଏ.ଆର.ସି (antireticulocytotoxic)ନାମକ ସେରମ ପ୍ରସ୍ତୁତ ହେଉଛି। ଅଳ୍ପମାତ୍ରାରେ ଏହା ଇଞ୍ଜେକସନ ଦେବା ଦ୍ୱାରା ପ୍ରାୟ ଶତକଡ଼ା ୫୦ ସ୍କିଜୋଫ୍ରେନିଆ ରୋଗୀ ଭଲ ହେଉଛନ୍ତି ବୋଲି ଦେଖାଯାଇଛି।

ମସ୍ତିଷ୍କରେ ଅସ୍ତ୍ରୋପଚାରର ସ୍କିଜୋଫ୍ରେନିଆ ଉପରେ ପ୍ରଭାବ ଏବେ ବି ବିଚାରାଧୀନ। ନୂଆ ସ୍କିଜୋଫ୍ରେନିଆ ରୋଗୀଙ୍କଠାରେ ଚିକିତ୍ସା ଆଦୌ କରାଯିବା ଉଚିତ୍ ନୁହେଁ। କିନ୍ତୁ ପୁରାତନ ସ୍କିଜୋଫ୍ରେନିଆ ରୋଗୀଙ୍କଠାରେ ଏ ଚିକିତ୍ସା କରାଯାଇପାରେ। ଏହା ସବୁବେଳେ ଖୁବ୍ ଫଳପ୍ରଦ ନୁହେଁ। ଦେଖାଯାଇଛି ଯେ ଏହା ଦ୍ୱାରା ପ୍ରାୟ ଏକ ତୃତୀୟାଂଶ ପୁରାତନ ରୋଗୀଙ୍କୁ ସମାଜରେ ରହିପାରିବା ପାଇଁ ଯେତିକି ସ୍ୱାଭାବିକତା ଦରକାର ତାହା ଦିଆଯାଇପାରିବ। ଅନ୍ୟମାନେ ଅସ୍ତ୍ରୋପଚାର ଦ୍ୱାରା ସମ୍ପୂର୍ଣ୍ଣ ଭଲ ନ ହେଲେ ମଧ୍ୟ ବେଶ୍ କିଛି ଉପକାର ପାଆନ୍ତି। ପାରାନୋଇଆ ଓ କାଟାଟୋନିଆ ରୋଗୀ ଏହାଦ୍ୱାରା ଅପେକ୍ଷାକୃତ ବିଶେଷ ଉପକୃତ ହୁଅନ୍ତି। ମସ୍ତିଷ୍କ ଅସ୍ତ୍ରୋପଚାର ପରେ ରୋଗ ବେଳେ ବେଳେ କିଛି ସମୟ ପାଇଁ ଉପଶମ ହୋଇ ପୁଣି ଲେଉଟିବାର ଦେଖାଯାଏ। ମୋଟାମୋଟି କହିବାକୁ ଗଲେ ଅସ୍ତ୍ରୋପଚାର ପ୍ରଣାଳୀ, ସଠିକ ସ୍ଥାନ ଓ ଅସ୍ତ୍ରୋପଚାର କ୍ଷତର ଆୟତନ ବିଷୟରେ ମତଦ୍ୱେଧ ଥିବାରୁ ଏହାର ଫଳାଫଳ ବିଷୟରେ ବିଶେଷ କିଛି ଜାଣି ହେଉନାହିଁ। କିନ୍ତୁ ସ୍କିଜୋଫ୍ରେନିଆର କାରଣ ନିର୍ଦ୍ଦିଷ୍ଟ ରୂପେ ନିରୁପିତ ନ ହେଲା ପର୍ଯ୍ୟନ୍ତ ଏହାର ନିଶ୍ଚିନ୍ତ ଓ ଫଳପ୍ରଦ ଚିକିତ୍ସା ବାହାରି ପାରିବ ନାହିଁ।

(ସୌଜନ୍ୟ – ଅସୁସ୍ଥ ମନ)

Comment