ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୨୬ରେ ବିଜେଡି ପାଳିଲା ୨୦ତମ ପ୍ରତିଷ୍ଠା ଦିବସ। ଏହାର ଦିନକ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ଗଣମାଧ୍ୟମ ଏନ୍‌ଡି ଟିଭିକୁ ଦେଇଛନ୍ତି ସାକ୍ଷାତକାର। ବିଜେପିର ଉତ୍ଥାନ ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନବୀନ କହିବା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ।

  • ସମ ଦୂରତ୍ୱ କଥା ଦୋହରାଇଲେ ନବୀନ
  • ୨୦୧୯ ନିର୍ବାଚନ ଏକାକୀ ଲଢ଼ିବ ବିଜେଡି
  • ମେଣ୍ଟକୁ ନାଁ କହିଲେ ବିଜେଡି ସଭାପତି
  • ବିଜେଡି ବିଭାଜନ ନେଇ କୌଣସି ଆଶଙ୍କା ନାହିଁ

ଜାତୀୟ ଗଣମାଧ୍ୟମରେ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏନ୍‌ଡି ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ରାଜ୍ୟ ରାଜନୀତିର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ୨୦୧୯ ନିର୍ବାଚନରେ ବିଜେପିର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ନବୀନ କହିଛନ୍ତି। ଏହାସହ ସେ ପୁଣିଥରେ ସମ ଦୂରତ୍ୱ କଥା ଦୋହରାଇଛନ୍ତି।

ଡିସେମ୍ବର ୨୬ ତାରିଖରେ ବିଜେଡି ୨୦ତମ ପ୍ରତିଷ୍ଠା ଦିବସ ପୁରୀଠାରେ ପାଳନ କରିଛି। ଏହି ଅବସରରେ ନବୀନ ତାଙ୍କ  ହୃଦୟର କଥା କର୍ମୀମାନଙ୍କୁ କହିଛନ୍ତି। ଲୋକଙ୍କ ସେବା କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ନବୀନ କିଛି ଓଡ଼ିଆ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ବେଳେ ପ୍ରତିଷ୍ଠା ଦିବସ ପାଳନର ଗୋଟିଏ ଦିନ ପରେ ଜାତୀୟ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ରାଜନୀତିକୁ ସରଗରମ୍ କରିଛନ୍ତି।

ନବୀନ ପଟ୍ଟନାୟକ ସାକ୍ଷାତକାରରେ କହିଛନ୍ତି ଯେ, “ବିଜେପିର ଉତ୍ଥାନ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ୨୦୧୯ରେ ଏହି ଦଳ ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ବୋଲି ମୁଁ ଭାବି ପାରୁନାହିଁ। ଅମ ଦଳ ଉଭୟ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ରଖି ଆସୁଛି। ଆଗକୁ ମଧ୍ୟ ରଖିବ।”

ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟହାର ବୃଦ୍ଧି ପରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଏକ ନିବନ୍ଧ ଲେଖିଥିଲେ। ଏଥିରେ ସେ ବିଜେଡି ନେତୃତ୍ବକୁ ସମାଲୋଚନା କରିଥିଲେ। କିଛି ସୁବିଧାବାଦୀ ଲୋକଙ୍କ ଦ୍ୱାରା ଦଳ ପରିଚାଳିତ ହେଉଛି ବୋଲି କହିବା ସହ ବିଜେଡି ବିଭାଜନ ନେଇ ଇସାରା ଦେଇଥିଲେ।

ବିଜେଡି ସାଂସଦଙ୍କ ଏଭଳି ଆଭିମୁଖ୍ୟ ଉପରେ ନବୀନଙ୍କୁ ପ୍ରଶ୍ନ କରିଥିଲା ଏନଡି ଟିଭି।

ଏହାର ଉତ୍ତରରେ ନବୀନ କହିଛନ୍ତି, “ମୁଁ ଭାବୁଛି ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅଯୌକ୍ତିକ। ଏଥିରେ କୌଣସି ସତ୍ୟତା ନାହିଁ କିମ୍ବା ଦଳରେ ମଧ୍ୟ କୌଣସି କନ୍ଦଳ ନାହିଁ। ବିଜେଡି ବିଭାଜନ ହେବା ନେଇ କୌଣସି କାରଣ ନାହିଁ।”

“୨୦୧୯ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜେଡି କାହା ସହ ମେଣ୍ଟ କରିବ ନାହିଁ। ଦଳ ଏକାକୀ ନିର୍ବାଚନ ଲଢ଼ିବ। ଉଭୟ ବିଜେପି ଏବଂ କଂଗ୍ରେସଠାରୁ ବିଜେଡି ସମ ଦୂରତ୍ୱ ରଖିବ”, ଏହା ସ୍ପଷ୍ଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ଅଣ ବିଜେପି ଦଳ ସହ ମେଣ୍ଟ କରିବା ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, “ନିର୍ବାଚନ ଫଳାଫଳ ପରେ ଏନେଇ ଚିନ୍ତା କରାଯିବ।”

Comment