ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀକୃଷ୍ଣ ମଥୁରାରେ ଉପସ୍ଥିତ। ଗୋପର ଲୀଳା ସାରି ସେ ମଥୁରାକୁ ଆସିଛନ୍ତି ମଥୁରାବାସୀଙ୍କୁ ନିଜ ଲୀଳାରେ ଛନ୍ଦି ଦେବା ପାଇଁ।

ନିଜର ବାଲ୍ୟବନ୍ଧୁ ସୁଦାମାଙ୍କୁ ଭେଟିଛନ୍ତି ଶ୍ରୀକୃଷ୍ଣ। ଏକ ଆବେଗମୟ ଦୃଶ୍ୟ ସୃଷ୍ଟି ହେଉଛି ଯେତେବେଳେ ସୁଦାମାଙ୍କୁ ଆଲିଙ୍ଗନ କରିନେଉଛନ୍ତି ଶ୍ରୀକୃଷ୍ଣ।

ଅପ୍ରକାଶ୍ୟରେ ଭିଜି ଯାଉଛି ସୁଦାମାଙ୍କ ଆଖି ବାଲ୍ୟବନ୍ଧୁ ଶ୍ରୀକୃଷ୍ଣଙ୍କୁ ନିକଟରେ ପାଇ। ପ୍ରକୃତରେ କିଏ କେଉଁ ଭାବେ ଭଗବାନଙ୍କର ନିକଟରେ ହେବେ ତାହା ସେ ଭଗବାନ ପାଇଁ ସ୍ଥିର କରିଥାନ୍ତି। ବନ୍ଧୁତା ଆଧାରରେ କୃଷ୍ଣ-ସୁଦାମାଙ୍କ ଭେଟ ଏକ ନିଆରା ଭକ୍ତିଭାବକୁ ସୂଚାଉଛି ଭକ୍ତ ଓ ଗଭବାନଙ୍କ ସମ୍ପର୍କକୁ ନେଇ।

ଶ୍ରୀକୃଷ୍ଣଙ୍କ ରଜକଙ୍କ ସହିତ ସାକ୍ଷାତ୍

ଶ୍ରୀକୃଷ୍ଣଙ୍କ ଭେଟ ହୋଇଛି କଂସଙ୍କ ରଜକ ସହିତ। ରଜକ କଂସଙ୍କ ବସ୍ତ୍ର ବୋହି ଯିବା ବାଟରେ ଶ୍ରୀକୃଷ୍ଣ ସେଇ ବସ୍ତ୍ର ପରିଧାନ କରିବା ପାଇଁ ଜିଦ୍ କରିଛନ୍ତି। ରଜକ ମନା କରିଛି। ଅଥଚ ଯେତେବେଳେ ସେ ଜାଣିପାରିଛି ଭଗବାନ କଂସଙ୍କ ଭଣଜା ରୂପରେ ମଥୁରାରେ ପହଞ୍ଚିଛନ୍ତି, ତା’ ପରେ ସେ ନିଜକୁ ଧନ୍ୟ ମନେ କରିଛି। ଶ୍ରୀକୃଷ୍ଣଙ୍କୁ ଚନ୍ଦନ ଚର୍ଚ୍ଚିତ କରି, କଂସଙ୍କ ବସ୍ତ୍ର ପିନ୍ଧାଇ ଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ପାଦତଳେ ପଡ଼ିଯାଇଛି।

ଶ୍ରୀକୃଷ୍ଣଙ୍କ ଦ୍ୱାରା କୁବୁଜା ଉଦ୍ଧାର

ଗାନ୍ଧର୍ବୀ ଚିତ୍ରଲେଖା ନିଜର ରୂପକୁ ନେଇ ଖୁବ୍ ଗର୍ବ ଅନୁଭବ କରୁଥିଲା। ଏପରିକି ଅପସରା ଉର୍ବଶୀଙ୍କୁ ସେ ବିଦ୍ରୁପ କରିବାକୁ ପଛେଇ ନଥିଲା। ଉର୍ବଶୀ ଚିତ୍ରଲେଖାର ବର୍ଗରେ କ୍ଷୁବ୍ଧ ହୋଇ ଅଭିଶାପ ଦିଅନ୍ତି ଯେ- ସେ କୁରୂପୀରେ ପରିଣତ ହେବ। ସତକୁ ସତ ଚିତ୍ରଲେଖାର ପୂର୍ବ ରୂପ ବଦଳିଯାଏ। ତା’ର ପୁଷ୍ଠଦେଶରେ କୁବ୍‌ଜଟିଏ ଉଠିଯାଏ। ଚିତ୍ରଲେଖା ସେ ଦିନରୁ ପାଲିଟିଯାଏ କୁରୂପୀ କୁବୁଜା। ଅବଶ୍ୟ ଉର୍ବଶୀଙ୍କ ଅଭିଶାପରୁ ମୁକୁଳିବା ପାଇଁ ସେ ଭଗବାନ ଶ୍ରୀକୃଷ୍ଣଙ୍କର ମଥୁରା ଆଗମନକୁ ଅପେକ୍ଷା କରିଥାଏ। ଶ୍ରୀକୃଷ୍ଣ ଆସନ୍ତି। କୁବୁଜାର ପିଠିକୁ ଆଉଁସି ଦିଅନ୍ତି। କୁବୁଜାର ପୂର୍ବରୂପ ଫେରିଆସେ। ପୁରାଣର ଏଇ ଘଟଣା ଧନୁଯାତ୍ରାର ନାଟ୍ୟଧାରା ଭିତରେ ପ୍ରଦର୍ଶିତ ହୋଇ ଦର୍ଶକମାନଙ୍କୁ ବେଶ୍ ମନୋରଞ୍ଜନ ପ୍ରଦାନ କରିଥାଏ।

କୃଷ୍ଣ  ଓ ବଳରାମଙ୍କ ମଥୁରାରେ ଭ୍ରମଣ

ମଥୁରାରେ କେବଳ କଂସ ରାଜ ଦାଣ୍ଡରେ ବୁଲୁନାହାନ୍ତି। ଶ୍ରୀକୃଷ୍ଣ ଓ ବଳରାମ ମଧ୍ୟ ସୁସଜ୍ଜିତ ରଥରେ ବସି ଅକ୍ରୁରଙ୍କ ସହିତ ମଥୁରା ନଗରୀରେ ପରିଭ୍ରମଣ କରୁଛନ୍ତି। ମନ ହେଉଛି ମଥୁରା ପାଲଟିଯାଇଛି ଗୋପପୁର। ରାଜଦାଣ୍ଡରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରିବା ପାଇଁ ମଥୁରାବାସୀଙ୍କ ହୃଦୟରେ ପ୍ରବଳ ଆଗ୍ରହ। ଭଗବାନଙ୍କୁ ନିଜ ସାମ୍ନାରେ ପାଇ ସମସ୍ତେ ଭକ୍ତି ପୂର୍ଣ୍ଣ ଆରାଧନାରେ ନିଜକୁ ସମର୍ପି ଚାଲିଛନ୍ତି ଏକ ଭାବମୟ ପରିବେଶ ଭିତରେ। ମଥୁରା ନଗରୀର ଏଇ ଦୃଶ୍ୟ ନାଟକୀୟତା ଭିତରେ ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ଦୂରତ୍ୱକୁ ଆପେ ଆପେ ସଂକୁଚିତ କରିଦେଇ ଚାଲିଛି।

ମଥୁରାର ରାଜଦରବାର

ଏବେ ରାଜ ଦରବାରରେ କଂସ। ସେ ଭଲ ଭାବେ ବୁଝିପାରିଛି ଯେ ତା’ର ମୃତ୍ୟୁ ଶ୍ରୀକୃଷ୍ଣ ରୂପରେ ମଥୁରାକୁ ପହଞ୍ଚି ସାରିଛନ୍ତି। ତଥାପି ଆସୁରିକ ଅହମିକାରେ ପ୍ରଗଲ୍ଭ କଂସାସୁର ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଛି ନିଜର ସହଚରମାନଙ୍କ ସହିତ।

କଂସର ଅଟ୍ଟହାସ୍ୟରେ ରାଜ ଦରବାର ପ୍ରକମ୍ପିତ ହେଉଛି ସତ, ହେଲେ ଅନ୍ୟ ଦିଗରେ ତା’ର ମୃତ୍ୟୁର ପଦଶଦ୍ଦ ପ୍ରତିଧ୍ୱନି ସୃଷ୍ଟି କରୁଛି କଂସର ହୃଦୟରେ।

ନିଜ ପାପର ହିସାବକିତାବକୁ ଭଲ ଭାବେ ପରଖି ପାଇଥିବା କଂସ ପରୋକ୍ଷରେ ଶ୍ରୀକୃଷ୍ଣଙ୍କ ଆଗମନକୁ ଅପେକ୍ଷା କରିଛି। କଂସର ଏଇ ଔଦ୍ଧତ୍ୟ ସୂଚାଇ ଦେଇଛି ଯେ- ସକରାତ୍ମକ ଭାବେ ହେଉକି ନକରାତ୍ମକ ଭାବେ ହେଉ ଭଗବାନଙ୍କ ଠାରେ ନିର୍ଲିପ୍ତ ହୋଇଯିବା ପାଇଁ ଏମିତି ସୁଯୋଗଗୁଡ଼ିକ ସୃଷ୍ଟି କରିଥାନ୍ତି ସ୍ୱୟଂ ଭଗବାନ। ନାସ୍ତିକ ହେଉ କି ଆସ୍ତିକ ସମସ୍ତେ ତାଙ୍କର ସୃଷ୍ଟି ଓ ବିନାଶ ବି ତାଙ୍କରି ହାତରେ; ଏଇ ବାର୍ତ୍ତାଟି ସ୍ପଷ୍ଟ ବାରି ହୋଇ ଯାଉଛି ଧନୁଯାତ୍ରାର ଏଇ ଦୃଶ୍ୟରୁ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment