ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୦ ଦଶକର ‘ରଙ୍ଗବତୀ’ ଗୀତ ଏବେ ବି ଚିର ସବୁଜ ହୋଇ ରହିଛି। ଶ୍ରୋତାଙ୍କ ମହଲରେ ସ୍ୱତନ୍ତ୍ର ସ୍ଥାନ ପାଇଛି ଏହି ଗୀତ। କେବଳ ଓଡ଼ିଶା ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଏହି ଗୀତର ରହିଛି ସ୍ୱତନ୍ତ୍ର ମର୍ଯ୍ୟାଦା। ରଙ୍ଗବତୀର ରିମେକ୍‌ ହୋଇଥିଲେ ମଧ୍ୟ ମୂଳ ରଙ୍ଗବତୀକୁ ଭୁଲି ପାରି ନାହାନ୍ତି ଶ୍ରୋତା। ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହାର ମୂଳ ଗାୟକ ଜିତେନ୍ଦ୍ରିୟ ହରିପାଲ୍‌ ରଙ୍ଗବତୀର ପରିକଳ୍ପନା ଏବଂ ଏହାର ଲୋକପ୍ରିୟତା ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି।

ରଙ୍ଗବତୀ ଗୀତ ବିଶ୍ୱ ସ୍ତରରେ ଓଡ଼ିଶାକୁ ନୂଆ ପରିଚୟ ଦେଇଛି। ଏହି ଗୀତର ପରିକଳ୍ପନା କେମିତି?

ରଙ୍ଗବତୀ ଗୀତର ସେମିତି କିଛି ପରିକଳ୍ପନା ହୋଇ ନଥିଲା। ୧୯୭୬-୭୭ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରେଡିଓରେ ହିଁ ଏହି ଗୀତ ପ୍ରଥମେ ରେକର୍ଡିଂ ହୋଇଥିଲା। ଏହି ଗୀତକୁ ମୁଁ ଏବଂ କ୍ରୀଷ୍ଣା ପଟେଲ ଗାଇଥିଲୁ। ଗୀତର ଟ୍ୟୁନ୍‌ ଭଲ ହୋଇପାରୁ ନଥିବାରୁ ୪ ଦିନ ଧରି ରିହରସଲ୍‌ କରିବା ପରେ ହିଁ ଗୀତ ରେକର୍ଡ କରାଯାଇଥିଲା। ଏହାପରେ ଲୋକାଦୃତ ହେଲା। ରଙ୍ଗବତୀ ହେଉଛି ପ୍ରଥମ ସମ୍ବଲପୁରୀ ଗୀତ ଯାହା ପ୍ରଥମ ଥର ପାଇଁ ବିବିସି ଲଣ୍ଡନରୁ ପ୍ରସାରଣ ହୋଇଥିଲା।

‘ରଙ୍ଗବତୀ’ ଗୀତରେ କ’ଣ ଥିଲା ଯେ, ତାହା ଏତେ ଲୋକପ୍ରିୟ ହେଲା?

‘ରଙ୍ଗବତୀ’ ଗୀତରେ ସେମିତି କିଛି ନାହିଁ। କିନ୍ତୁ ଦେଖିବାକୁ ଗଲେ ବହୁତ କିଛି ଅଛି। ରଙ୍ଗବତୀର ମ୍ୟୁଜିକଟି ଏମିତି ଢଙ୍ଗରେ ତିଆରି ହୋଇଛି ଯେ, ଯିଏ ନାଇଁ ସିଏ କ୍ୟାଚ କରିପାରିବ। ଏହି ଗୀତର ପ୍ରଥମ ପଂକ୍ତି ‘ରଙ୍ଗବତୀ ରଙ୍ଗବତୀ କନକ ଲତା, ହସି ପଦେ କହଲୋ କଥା’ ସମସ୍ତଙ୍କୁ ଭଲ ଲାଗିଥିଲା। ଏହି ଧାଡ଼ିଟି ଅତି ସରଳ ହୋଇଥିବାରୁ ତାକୁ ସମସ୍ତେ ସହଜରେ ଧରି ପାରୁଛନ୍ତି। ଯେଉଁ ଗୀତ ମଣିଷର କାନରେ ବାଜି ହୃଦୟକୁ ଯାଏ ଏବଂ ତାହା ପୁନର୍ବାର ମୁହଁରେ ରିପିଟ୍‌ ହୁଏ ସେ ଗୀତ ହିଟ୍‌ ହେବା ସୁନିଶ୍ଚିତ।

‘ରଙ୍ଗବତୀ’କୁ ନେଇ କିଛିଦିନ ତଳେ ବିବାଦ ମୁଣ୍ଡ ଟେକିଥିଲା। ତେବେ କାହିଁକି ଏ ବିବାଦ?

ରଙ୍ଗବତୀ ଗୀତକୁ ନେଇ ବିବାଦ ମୁଣ୍ଡ ଟେକି ନଥିଲା। ବିବାଦଘେରକୁ ଆସି ଚର୍ଚ୍ଚାରେ ରହିବା ପାଇଁ କିଛି ଲୋକ ଚେଷ୍ଟା କରିଥିଲେ। ଏହି ଚେଷ୍ଟା ପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି। ସେମାନେ ରଙ୍ଗବତୀକୁ ଏବଂ ଏହାର ମୂଳ ଗାୟକଙ୍କୁ ବର୍ତ୍ତମାନ ପିଢ଼ିର ପିଲାଙ୍କ ପାଖରେ ପୁଣି ପରିଚିତ କରି ପାରିଛନ୍ତି। ଯେଉଁ ରଙ୍ଗବତୀ ଏବଂ ମୂଳ ଗାୟକଙ୍କୁ ଲୋକେ ଭୁଲିବାକୁ ବସିଥିଲେ ତାହା ଏବେ ପୁଣି ସତେଜ ହୋଇ ଉଠିଛି।

ରଙ୍ଗବତୀ ଗୀତର ରିମେକ୍‌ ହେବା ଫଳରେ ଏହାର ମୂଳ ଗୀତ ଉପରେ ଗଭୀର ପ୍ରଭାବ ପଡ଼ିଛି କି?

ମୂଳ ରଙ୍ଗବତୀ ଏବଂ ରିମେକ୍‌ ରଙ୍ଗବତୀ ଗୀତ ଭିତରେ ତଫାତ୍‌ ରହିଛି। ପୂର୍ବରୁ ଆମେ ଯାହା ଖାଉଥିଲୁ ତାହା ହାଇବ୍ରିଡ ନଥିଲା। ସେତେବଳର ଖାଦ୍ୟର ଏକ ନିଆରା ସ୍ବାଦ ରହିଥିଲା। ହେଲେ ଆଜି ଆମେ ହାଇବ୍ରିଡ ଖାଦ୍ୟ ଖାଉଛୁ, ଯାହା ସ୍ବାଦହୀନ। ଠିକ୍‌ ସେହିପରି ମୂଳ ରଙ୍ଗବତୀ ଏବଂ ରିମେକ୍‌ ରଙ୍ଗବତୀ ଭିତରେ ତଫାତ୍‌। ମୂଳ ରଙ୍ଗବତୀ ଗୀତରେ ସରଳତା ରହିଥିଲା। ସେଥିପାଇଁ ଲୋକଙ୍କ ହୃଦୟକୁ ଏହା ଛୁଇଁଥିଲା। ଏବେ ବି ଲୋକେ ମୂଳ ରଙ୍ଗବତୀକୁ ସମ୍ମାନ ଦେଉଛନ୍ତି।

ମୂଳ ରଙ୍ଗବତୀ ଗୀତ ଏବେ ଚିର ସବୁଜ ହୋଇ ରହିଛି ଶ୍ରୋତାଙ୍କ ମହଲରେ। ଏହାର ଶ୍ରେୟ କାହାକୁ ଦେବେ?

୧୯୭୬-୭୭ରେ ତିଆରି ହୋଇଥିବା ରଙ୍ଗବତୀ ଗୀତକୁ ଏବେ ଲୋକ ଝୁରୁଥିବାରୁ ଏହାର ଶ୍ରେୟ ନିଶ୍ଚିତ ଭାବେ ଶ୍ରୋତାମାନଙ୍କ ପାଖକୁ ଯିବ। ରଙ୍ଗବତୀ ପରେ ହଜାର ହଜାର ଗୀତ ତିଆରି ହୋଇଛି। କିନ୍ତୁ ଶ୍ରୋତାମାନେ ରଙ୍ଗବତୀକୁ ଆଜିଯାଏଁ ଭୁଲି ନାହାନ୍ତି।

ଆପଣ ଅନେକ ଗୀତ ତିଆରି କରିଛନ୍ତି। ହେଲେ ରଙ୍ଗବତୀ ପରି ହିଟ୍‌ ନହେବାର କାରଣ କ’ଣ?

ରଙ୍ଗବତୀ ପରେ ମୁଁ ଅନେକ ଗୀତ ତିଆରି କରିଛି। ୨୦୦୭ରେ ହିନ୍ଦୀରେ ଏକ ଦେଶାତ୍ମବୋଧକ ଗୀତ ମଧ୍ୟ ତିଆରି କରିଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ। କିନ୍ତୁ ଅର୍ଥ ଅଭାବରୁ ମୁଁ ଏହି ଗୀତର ଭିଡିଓ କରିପାରି ନାହିଁ। ତେବେ ରଙ୍ଗବତୀ ପରି ଅନ୍ୟ ଗୀତ ହିଟ୍‌ ନହେବାର କାରଣ ହେଉଛି, ସମସ୍ତେ ଅଭିମନ୍ୟୁ ନୁହନ୍ତି କି ସମସ୍ତେ ଲାଲବାହଦୂର ଶାସ୍ତ୍ରୀ ହୋଇପାରିବେନି। ଠିକ୍‌ ସେହିପରି ରଙ୍ଗବତୀ ତାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ରଙ୍ଗବତୀର ବିକଳ୍ପ ନାହିଁ।

ସମ୍ବଲପୁରୀ ଲୋକ ଗୀତ ଏବଂ ଲୋକ ନୃତ୍ୟ କିପରି ଆଗକୁ ଯାଇ ପାରିବ?

ସମ୍ବଲପୁରୀ ଲୋକ ଗୀତ ଏବଂ ଲୋକ ନୃତ୍ୟ ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ କଳା, ସଂସ୍କୃତିକୁ ନେଇ ପରିବେଷିତ ହୋଇଥାଏ। ଢ଼ୋଲ୍‌, ନିଶାନ୍‌, ତାସା, ଝାଜ, ମହୁରି ଆଦି ପାରମ୍ପରିକ ବାଦ୍ୟରେ ସମ୍ବଲପୁରୀ ନୃତ୍ୟ, ଗୀତ ପରିବେଷଣ କରାଯାଇଥାଏ। ଏହି ପାରମ୍ପାରିକ ବାଦ୍ୟକୁ ଏବେ ସମସ୍ତେ ଆପଣାଇ ନେଇଛନ୍ତି। ବିଭିନ୍ନ ମଞ୍ଚରେ ମଧ୍ୟ ଢୋଲ୍‌, ନିଶାନ୍‌, ତାସା ବ୍ୟବହାର ହେଉଛି। ଆଗକୁ ଏହାର କିପରି ବ୍ୟବହାର ବଢ଼ିବ ସେଥିପ୍ରତି ସମସ୍ତେ ସଚେତନ ହେବା ଦରକାର।

ଓଡ଼ିଆ ସଙ୍ଗୀତରେ ଏକ ନୂଆ ଧାରା ସୃଷ୍ଟି ହୋଇଛି। ଏଥିରେ ଓଡ଼ିଆ ସଙ୍ଗୀତର ଭବିଷ୍ୟତକୁ ଆପଣ କେମିତି ଦେଖୁଛନ୍ତି?

ଓଡ଼ିଆ ସଙ୍ଗୀତରେ ନୂଆ ଧାରା ସୃଷ୍ଟି ହେବା ସ୍ୱାଗତଯୋଗ୍ୟ। ହେଲେ ଏହା ଆମ ଓଡ଼ିଶାର ମର୍ଯ୍ୟାଦା, ସଂସ୍କୃତି ଓ ଗାରିମାକୁ ଯେପରି କ୍ଷୁର୍ଣ୍ଣ ନକରେ ସେଥିପ୍ରତି ସମସ୍ତେ ସତର୍କ ରହିବା ଦରକାର। ଆଜିକାଲି ଆଉ କେହି ମଞ୍ଚରେ ସିଧାସଳଖ ସଙ୍ଗୀତ ପରିବେଷଣ କରୁ ନାହାନ୍ତି। ସମସ୍ତେ ଟ୍ରାକ୍‌ରେ ଗୀତ ଗାଇବା ଆରମ୍ଭ କଲେଣି। ଏହା ଚିନ୍ତାର ବିଷୟ। ଯେଉଁସବୁ ବାଦ୍ୟଯନ୍ତ୍ର ରହିଛି ତାକୁ କିଏ ବଜାଇବ ସେଥିପ୍ରତି ସମସ୍ତେ ଚିନ୍ତା କରିବା ଦରକାର। କଟକର ଚିନ୍ତା ଯେପରି ବାଇମୁଣ୍ଡିଙ୍କୁ ଘାରିଥିଲା ଠିକ୍‌ ସେମିତି ସଙ୍ଗୀତର ସୁରକ୍ଷା କିପରି ହେବ ତାହା ବଡ଼ ପ୍ରଶ୍ନବାଚୀ।

ଆପଣ ହେଉଛନ୍ତି ଗୀତିକାର, ସ୍ୱରକାର ଏବଂ କଣ୍ଠଶିଳ୍ପୀ। କେଉଁଥିରେ ଆପଣ ଆତ୍ମସନ୍ତୋଷ ପାଇଛନ୍ତି?

ମୁଁ କିଛି ନୂହେଁ। ମୁଁ ଜଣେ କଳାକାର। ଭଗବାନଙ୍କ ଆଶିର୍ବାଦରୁ ମୁଁ ଗୀତ ଗାଉଛି। ଆଉ ବାକି ଜୀବନ ଗୀତ ଗାଇ କଟାଇଦେବି।

ସଙ୍ଗୀତକୁ କ୍ୟାରିଅର କରି ବଞ୍ଚି ହେବ କି? ନୂଆ ପିଢ଼ିଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହିଁବେ?

କିଛି କ୍ଷେତ୍ରରେ ସମ୍ଭବ। ଆଉ କିଛି କ୍ଷେତ୍ରରେ ଅସମ୍ଭବ ହେଲେ ମଧ୍ୟ ମୁଁ ସଙ୍ଗୀତକୁ ନେଇ ବଞ୍ଚିଛି। ସଙ୍ଗୀତ ପାଇଁ ମୁଁ ଅନେକ ସଂଘର୍ଷ କରିଛି। ସଂଘର୍ଷ କରିକରି ମୁଁ ଆଜି ଏହି ସ୍ଥାନରେ ପହଞ୍ଚିଛି। ଅଭାବ ଅସୁବିଧାରେ ଥିଲେ ବି ସଙ୍ଗୀତକୁ ଛାଡ଼ି ମୁଁ ରହିପାରିବିନି। ଆଜି ପର୍ଯ୍ୟନ୍ତ ମୁଁ କୌଣସି ସମ୍ମାନ ପାଇଁ ଲବି କରିନି। ଯେଉଁମାନେ ସଙ୍ଗୀତ ଜଗତକୁ ଆସୁଛନ୍ତି ସେମାନେ ସ୍ୱଚ୍ଛ ମନୋଭାବ ନେଇ ଆସନ୍ତୁ। ଭଲ ଗୀତ ଗାଆନ୍ତୁ। ହେଲେ ଓଡ଼ିଶା ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ନିବେଦନ କରୁଛି।

ସଙ୍ଗୀତରେ ଅଶ୍ଲୀଳତା ରହିଥିବା ଅଭିଯୋଗ ହେଉଛି। ଏଥିରେ ଆପଣ ଏକମତ କି?

ନିଜ ସୁନା ବଣିଆକୁ ଭଲ ଲାଗେ। ତେବେ ମୁକ୍ତ କଣ୍ଠରେ କହିବି ବ୍ୟବସାୟ ଦୃଷ୍ଟି କୋଣରୁ ଏବେ ଅଧିକରୁ ଅଧିକ ଗୀତ ତିଆରି ହେଉଛି। ଏଥିରେ ଭଲ ପଇସା ବି ରୋଜଗାର ହେଉଛି। ହେଲେ ଆମ ପରମ୍ପରା, ସଂସ୍କୃତି ଆଦିକୁ ସୁରକ୍ଷା ଦେବାରେ ବର୍ତ୍ତମାନର ସଙ୍ଗୀତରେ କିଛିଟା ବ୍ୟତିକ୍ରମ ଦେଖାଦେଇଛି।

ମିଳିମିଳା ଏବଂ ରୁବେଲ୍‌ସ୍‌ ଟୀକାକରଣ ଅଭିଯାନରେ ଆପଣ ସାମିଲ ହୋଇଛନ୍ତି। ଏ ସମ୍ପର୍କରେ କ’ଣ କହିବେ?

ମୁଁ ବିଭିନ୍ନ ଦେଶରେ ସଙ୍ଗୀତ ପରିବେଷଣ କରିଛି। ବିଭିନ୍ନ ଅନୁଷ୍ଠାନରୁ ସମ୍ମାନ ମଧ୍ୟ ପାଇଛି। ହେଲେ ଏହି ଟୀକାକରଣ ଅଭିଯାନରେ ମୋତେ ସାମିଲ କରାଯାଇଥିବାରୁ ମୁଁ ବହୁତ ଖୁସି। ଏହି ଅଭିଯାନରେ କିଛି ସ୍ୱତନ୍ତ୍ରତା ରହିଛି। ଏହି ମର୍ଯ୍ୟାଦାଜନକ କାମରେ ମୋତେ ସାମିଲ୍ କରାଯାଇଥିବାରୁ ମୋତେ ଆନନ୍ଦ ଲାଗୁଛି।

(ସାକ୍ଷାତକାର: ସରୋଜ ମହାପାତ୍ର )

Comment