ଛନ୍ଦା ମିଶ୍ର

ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କ ମୋବାଇଲକୁ ମେସେଜ୍ ଆସିଲା ଯେ, ତାଙ୍କ ମୋବାଇଲଟି ଜିତିଛି କିଛି ମିଲିୟନ ଡଲାର। ତେଣୁ ଏକ ବିଦେଶୀ ସଂସ୍ଥା ତାଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇ ପଇସା ସେ କେଉଁ ବ୍ୟାଙ୍କରୁ କିପରି ଭାବରେ ଡ୍ର କରିବେ ଓ ଏଥିପାଇଁ ତାଙ୍କୁ କଣ କରିବାକୁ ପଡ଼ିବ, ଏସବୁ ବିଷୟରେ ଜାଣିବା ପାଇଁ ମେସେଜରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ ପାଇଁ ଅନୁରୋଧ କରିଛି।

ଶିକ୍ଷୟିତ୍ରୀ ଓ ତାଙ୍କ ସ୍ଵାମୀ, କାଳେ ସାଙ୍ଗସାଥୀମାନେ ଈର୍ଷା କରିବେ ବୋଲି ଭାବି କଥାଟିକୁ କାନକୁ ଦି କାନ ନକରି ସେ ସଂସ୍ଥା ସହିତ ସମ୍ପର୍କ ସ୍ଥାପନ କରିବାକୁ ଉଚିତ ମଣିଲେ। ତେବେ ପୁରସ୍କାର ରାଶି ଦେଉଥିବା ଉକ୍ତ ସଂସ୍ଥାଟି ପ୍ରୋସେସିଂ ଫି ବୋଲି କହି ପ୍ରଥମେ ଷୋଳ ହଜାର, ପରେ ପଚିଶ ହଜାର ଏହିପରି କରି ଆଠଥରରେ ଦୁଇଲକ୍ଷ ଟଙ୍କା ନେଲା ପରେ ସେମାନଙ୍କର ସନ୍ଦେହ ଜାତ ହେଲା। ତେବେ ପ୍ରଥମେ ପ୍ରଥମେ ବ୍ୟାଙ୍କରୁ ଟଙ୍କା କାଢିଲା ବେଳେ ସହୃଦୟ ବ୍ୟାଙ୍କ ମ୍ୟାନେଜର ଜଣକ ଏତେ ଜଲଦି ଜଲଦି କାହିଁକି ପଇସା କାଢୁଛନ୍ତି ଓ କେଉଁ ଆକାଉଣ୍ଟକୁ ମନି ଟ୍ରାନ୍ସଫର କରୁଛନ୍ତି ଜାଣିବାକୁ ଚାହିଁବାରୁ କଥାଟି ପ୍ରଘଟ ହୋଇଯିବାର ଡରରେ ସ୍ଵାମୀ-ସ୍ତ୍ରୀ ଉଭୟେ ତାଙ୍କୁ ଏଡ଼ାଇ ଯାଇଥିଲେ। ହେଲେ ଦୁଇଲକ୍ଷ ଟଙ୍କା ଦେଲା ପରେ ସେମାନେ ବ୍ୟାଙ୍କ ମ୍ୟାନେଜରଙ୍କୁ ସବୁ କହି ନିଜ ସନ୍ଦେହ ଉପସ୍ଥାପନ କରିବାରୁ ଜାଣିବାକୁ ପାଇଲେ ଯେ, ସେମାନେ ପଇସା ଡିପୋଜିଟ୍ କରିଥିବା ଉକ୍ତ ଆକାଉଣ୍ଟ ନମ୍ବରଗୁଡ଼ିକ କଳା ତାଲିକାଭୁକ୍ତ।

ଦୁହେଁ ଅନ୍ୟ ଉପାୟ ନପାଇ ଥାନାକୁ ଦୌଡ଼ିଲେ। ମାତ୍ର ଥାନାବାବୁ ଥିଲେ ନାଚାର। କାରଣ ଥରେ ପୁଣେରୁ ପଇସା ଉଠାଯାଇଥିଲା ବେଳେ ଆଉ ଥରେ ହାଇଦ୍ରାବାଦରୁ। ତା’ ପରଥର ଦିଲ୍ଲୀରୁ। ଏହିଭଳି ପ୍ରତ୍ୟେକ ଥର ଅଲଗା ଅଲଗା ଜାଗାରୁ ପଇସା ଉଠାଯାଇଥିଲା। ଶେଷରେ କାନମୁଣ୍ଡା ଆଉଁସି, ସ୍ଵାମୀ-ସ୍ତ୍ରୀ ଦୁହେଁ ନିଜ ଭାଗ୍ୟକୁ ଆଦରି ଚୁପ୍ ହୋଇ ରହିଲେ। ଆଜି ଯୁଗ ହେଉଛି ଠକାଠକିର। ଶିକ୍ଷକ-ଛାତ୍ରକୁ ଛାତ୍ର-ଶିକ୍ଷକକୁ, ପୋଲିସ-ଚୋରକୁ ଚୋର-ପୋଲିସକୁ, ଓକିଲ-ମହକିଲକୁ, ମହକିଲ-ଓକିଲକୁ, କଣ୍ଟ୍ରାକ୍ଟର-ଇଞ୍ଜିନିୟରକୁ ଇଞ୍ଜିନିୟର-କଣ୍ଟ୍ରାକ୍ଟରକୁ ଠକି କଳେବଳେ କୌଶଳେ ନିଜ ସ୍ଵାର୍ଥ ହାସଲ ପାଇଁ ଚେଷ୍ଟିତ।

ଆଜି କେତେକ୍ ଚିଟଫଣ୍ଡ ସଂସ୍ଥାର ଠକାମି ପାଇଁ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହିପରି ଅନେକ ସଂସ୍ଥା ଲୋକଙ୍କୁ ଅଧିକ ଧନ ପାଇବାର ସୁଖଦ ସ୍ଵପ୍ନରେ ବିଭୋର କରାଇ ଲୋକଙ୍କର ସର୍ବସ୍ଵ ଲୁଟି ରାତାରାତି ଉଭାନ ହୋଇଯାଇଛନ୍ତି। ଯେଉଁମାନେ ଏହି ଠକାମିର ଶିକାର ହୋଇଛନ୍ତି ଟିକେ ନିଜ ଅନ୍ତର ମଧ୍ୟକୁ ଚାହିଁ ଆତ୍ମବିଶ୍ଳେଷଣ କଲେ ଜାଣିପାରିବେ, ସେଠାରେ ଲୋଭ କିପରି ଆସ୍ଥାନ ଜମାଇ ବସିରହିଛି, ଯେଉଁଥିପାଇଁ ଆଜି ସେ ଆପଣଙ୍କୁ ନେଇ ମଝି ନଈରେ ଉବୁଟୁବୁ କରାଉଛି।

ଏହିପରି ଅନେକ ଚିଟଫଣ୍ଡ ଆମକୁ ଚିଟିଂ କରି କଅଁଳ କଥା କହି, ଆମ ପିଠି ଆଉଁଶି ପିଠିରୁ ପୁଳେ ମାଉଁସ ନେଇସାରିଲା ପରେ ଆମେ ହେଜୁ। ବାରମ୍ବାର ଖବରକାଗଜରୁ ଠକାମି ବିଷୟ ପଢ଼ିବା ସତ୍ତ୍ୱେ କମ୍ ଖର୍ଚ୍ଚରେ ସୁନାରୁପା ସଫା କରିଦେବାର ଲୋଭ ଦେଖାଇ ଲୋକେ ଆମକୁ, ଆମରି ଘରେ ଠକି ଚାଲିଯାଉଛନ୍ତି। କେହି ପନିପରିବାରେ ତୀବ୍ର ରାସାୟନିକ ରଙ୍ଗ ଦେଇ ବିକୁଛି ତ କେହି ବଣିକୁ ରଙ୍ଗ ଦେଇ ଶାରୀ ଓ ଟିଆପକ୍ଷୀକୁ ରଙ୍ଗମାରି ଚନ୍ଦନା ଶୁଆ ବନାଇଦେଲାଣି। କିଏ ବା ଗୋଟିଏ ଜାଗାକୁ ପାଞ୍ଚ ପାଞ୍ଚଥର ବିକି ଲାଭବାନ ହେଉଛି। ଜଣେ ଅନ୍ୟକୁ ଠକି ଖୁସି ହେଉଛି ତ ଆର ଜଣକ ଠକାମିର ଶିକାର ହୋଇ ନିଜକୁ ଭାଗ୍ୟବାନ ମନେକରୁଛି, କମ୍ ପଇସାରେ ଦ୍ରବ୍ୟଲାଭ କଲା ବୋଲି।

କିନ୍ତୁ ସତ୍ୟତା ଉପଲବ୍ଧି କଲାବେଳକୁ ନେଡ଼ି ଗୁଡ଼ କହୁଣିକୁ ବୋହିଗଲାଣି। ଗ୍ରାହକ ଖୁସି ଗୋଟିଏ ସାଥିରେ ଗୋଟିଏ ମାଗଣା ପାଇ, ଦୋକାନୀ ଖୁସି ଖରାପ ମାଲକୁ ଚକଚକିଆ ଲେବଲ ମାରି ଗ୍ରାହକକୁ ବିକିପାରିଥିବାରୁ। ସେଥିରେ ପୁଣି ପ୍ରତ୍ୟେକ ସ୍ଥାନରେ ଅଫରର ଧୁମ୍।

ପ୍ରତ୍ୟେକ ସୁନା ଦୋକାନୀ ସୁନା ଗହଣାର ମଜୁରି ଓ ଦାମ୍ ଉପରେ ଦେଉଛନ୍ତି ଆକର୍ଷଣୀୟ ରିହାତି। ଦୋକାନ-ଦୋକାନ ମଧ୍ୟରେ ଚାଲିଛି ପ୍ରତିଯୋଗିତା। କିଏ କେତେ ପରିମାଣର ରିହାତି ଦେଇପାରିବ। ୟା ଛଡା ଲୁଗାଦୋକାନମାନଙ୍କରେ ତିରିଶ ପ୍ରତିଶତରୁ ଅଶୀ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ପାଇବାକୁ କାହାର ବା ଲୋଭ ନ ହେବ ? ତେବେ ଟିକେ ତଳେଇ ଭାବିଲେ ଦେଖି, କାହିଁକି ସେମାନଙ୍କର ଏ ଦାତାପଣିଆ ? ହେଲେ ଭାବିବାକୁ ସମୟ ଆମ ପାଖରେ କାହିଁ ଯେ, ଆମ ଆଖି ତ ଜଳକା ଲୋଭନୀୟ ଅଫରକୁ ଦେଖି, ୟାର ଅନ୍ୟ ଦିଗଟି ପ୍ରତି ଦୃଷ୍ଟି ପଡ଼ିଲେ ସିନା !

କଥାରେ ଅଛି ‘କହି ବୋଲି ଜାଣେ ଯିଏ, ପଚାମାଛ ବିକେ ସିଏ’। ଆଉ ସେହି ପଚାମାଛ କିଣିବାରେ ଆମେ ମଧ୍ୟ ଅଭ୍ୟସ୍ତ ହୋଇଗଲେଣି। ରାଜନୀତିରେ ମଧ୍ୟ ସେହି ସମାନ ଅବସ୍ଥା। କେଉଁ ଦଳ ଜନସାଧାରଣଙ୍କୁ କେଉଁ ଉପାୟରେ ଠକିବ ତାର ଏକ ତାଲିକା ପ୍ରସ୍ତୁତ କରିରଖୁଛି।

କିଏ ମାଗଣା ଟିଭି, କମ୍ପ୍ୟୁଟର ଓ ସାଇକେଲ ଆଦି ଦେବା ପାଇଁ ହେଉଛି ଆଗଭର। ଆଉ ଥରେ ଗାଦିରେ ବସିଗଲା ପରେ ନିଜ ବପୁ ସହିତ ନିଜ ବ୍ୟାଙ୍କ ବାଲାନ୍ସକୁ ବଢ଼ାଇ, ଚଉଦ ପୁରୁଷ ପାଇଁ ଧନ ସଞ୍ଚି ଦେଇଯାଉଛି। ଅନ୍ୟକୁ ଠକାଠକି କରି ନିଜ ଅଣ୍ଟି ଭରିସାରିଲା ପରେ ଆମର ମନେପଡ଼ୁଛି ଯେ ପାପ ହୋଇଗଲା। ତେଣୁ ପାପର ପ୍ରାୟଶ୍ଚିତ୍ତ ପାଇଁ ମନ୍ଦିରରେ ଘଣ୍ଟିଟିଏ ଦାନ କରି କିମ୍ବା ଗରିବଙ୍କ ମଧ୍ୟରେ ମାଗଣା ଖାଦ୍ୟ ବାଣ୍ଟି, ବିଲେଇ ଆଖିବୁଜି କ୍ଷୀର ପିଇଲା ପରି ଆମେ ନିଜକୁ ପୁଣ୍ୟାତ୍ମା ମନେକରୁଛୁ। ତେବେ ଅନ୍ୟକୁ ଠକିବାରେ ପ୍ରଚେଷ୍ଟାରେ ଆମେ ନିଜକୁ ଠକି ଚାଲିଛୁ, ଏଥିରେ ଦ୍ଵିମତ ନାହିଁ ।

ତେବେ ଆମେ ଠକୁ କାହିଁକି ବା ଠକିହେଉ କାହିଁକି?

ଅଳ୍ପ କେତେକ କ୍ଷେତ୍ରରେ ନିଜ ନିର୍ବୋଧତା ପାଇଁ ଆମେ ଠକି ହେଉଥିଲା ବେଳେ ଅଧିକାଂଶ ସ୍ଥାନରେ ଆମେ ହୋଇଥାଉ ଲୋଭର କବଳିତ। ତେବେ ଅନ୍ୟକୁ ଠକିବା ତଥା ଲୋଭର ବଶବର୍ତ୍ତୀ ହୋଇ ଠକିହେବା ଏକ ଦୁର୍ବଳ ତଥା ନକାରାତ୍ମକ ମାନସିକତା। ଏହି ମାନସିକତା ଧାରୀମାନେ ନିଜ ଭିତରେ ଥିବା ଲୋଭ ରାକ୍ଷସଟିକୁ ନିଜ ଅଜାଣତରେ ଖାଦ୍ୟପେୟ ଦେଇ ହୃଷ୍ଟପୁଷ୍ଟ କରାଇବାରେ ଲାଗିଥାନ୍ତି।

କେତେବେଳେ ଏହି ରାକ୍ଷସଟି ସେମାନଙ୍କୁ ନିଜ ଅକ୍ତିଆରକୁ ନେଇସାରିଥାଏ, ତାହା ହେଜିଲା ବେଳକୁ ହୋଇଯାଇଥାଏ ବହୁତ ଡେରି। ଫଳରେ ତା କବଳରୁ ନିଜକୁ ମୁକ୍ତକରିବା ହୋଇଥାଏ କାଠିକାର ପାଠ। ଠକିହୋଇ ଠିକିଲା ବେଳକୁ ହାତ ହୋଇଯାଇଥାଏ ଖାଲି। ତେଣୁ ଆସନ୍ତୁ ଠକିବା ଅନ୍ୟକୁ ନୁହେଁ ନିଜକୁ, ନିଜର ଲୋଭୀପଣିଆକୁ, ନିଜର ସ୍ଵାର୍ଥପରତାକୁ, ନିଜର କୁତ୍ସିତ ମାନସିକତାକୁ। ଥରେ ନିଜକୁ ନିଜେ ଠକିବା ଶିଖିଗଲେ ଆଉ ପୃଥିବୀର କୌଣସି ଶକ୍ତି ଆମକୁ ଠକିପାରିବ ନାହିଁ ଏହା ନିଶ୍ଚିତ।

(ସୌଜନ୍ୟ – ଭିନ୍ନ ମଣିଷ)

Comment