ମୃଣାଳ ଚାଟ୍ଟାର୍ଜୀ

‘ରୋଗ ମଧ୍ୟେ ଯେମନ୍ତ ମଧୁମେହ, ଭାବ ମଧ୍ୟେ ସେମନ୍ତ ଈର୍ଷା’। ମଧୁମେହ ବା ଡାଇବେଟିସ୍ ଯେମିତି ଉପରକୁ ଜାଣି ହୁଏନି, ଭିତରେ ଭିତରେ ବିଷ ଭଳି କାମକରେ ଆଉ ଦେହର ବହୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମି କରିଦିଏ, ଈର୍ଷା ସେମିତି ମନ ଭିତରେ କାମକରେ, ଆଉ ଧୀରେ ଧୀରେ ଅନ୍ୟାନ୍ୟ ସକାରାତ୍ମକ ଭାବ ସବୁ ନଷ୍ଟ କରିଦିଏା କ୍ରମଶଃ ନିଜର କାର୍ଯ୍ୟ କ୍ଷମତା ବି କମିଯାଏ।

ଦୁର୍ଭାଗ୍ୟବଶତଃ ବର୍ତ୍ତମାନ ସମାଜରେ ମଧୁମେହ ଏବଂ ଈର୍ଷା ଉଭୟଟି ବଢ଼ୁଛି।

ଈର୍ଷା ଯେ ଏବେ ବଢ଼ିଛି, ଆଗରୁ ନଥିଲା ଏମିତି ଆଦୌ ନୁହେଁ। ଈର୍ଷା ମଣିଷର ହୁଏତ ସହଜାତ ପ୍ରବୃତ୍ତି। ଏବେ ତା’ର ପ୍ରକାଶ ବଢ଼ିଛି। ବସ୍ତୁବାଦ ଯେତେ ବଢ଼ିବ, ଈର୍ଷାର ପରିପ୍ରକାଶ ସେତେ ବଢ଼ିବ। ସେମିତି ଦେଖିବାକୁ ଗଲେ ବସ୍ତୁବାଦକୁ ବଢେ଼ଇବା ପାଇଁ ଈର୍ଷାର ପ୍ରସାର ଗୋଟେ ବଡ଼ ଭୂମିକା ନେଇଥାଏା

ସମାଜରେ ପରିଚିତ ହେବା, ପାଞ୍ଚ ଲୋକରେ ଗଣା ହେବା- ଏକ ମାନବିକ ଆବଶ୍ୟକତା। ଏ ଆବଶ୍ୟକତା ପୁରଣର ଦାୟରେ ମଣିଷ ଭଲ କାମ କରେ, ଭଲ କାମରେ ଆଗଭର ହୁଏ। କିନ୍ତୁ ଏହାର ଏକ୍ସଟ୍ରିମ୍‌ ଫର୍ମଟା ହେଲା: ଅନ୍ୟମାନେ ଯଦି ନଜାଣିଲେ ମୁଁ ବଞ୍ଚିଛି, ତେବେ ସତରେ କଣ ମୁଁ ବଞ୍ଚିଛି? ଖୁସିରେ ରହିବାଠୁ ଖୁସିରେ ଅଛି ବୋଲି ଦିଶିବା ଏବଂ ଅନ୍ୟମାନଙ୍କୁ ଦେଖାଇବା ଯେତେବେଳେ ବେଶି ଜରୁରୀ ହୋଇପଡ଼େ- ସେତେବେଳେ ସମସ୍ୟା। ଆଉ ମୁଁ ବଞ୍ଚିଛି ଆଉ ଖୁସିରେ ଅଛି- ଏ କଥା ଜଣେଇବାର ମାପକାଠିଟା ଯଦି ବସ୍ତୁ ହୋଇଗଲା- ତାହେଲେ ଆହୁରି ସମସ୍ୟା।

ଏବେ ଏ ସମସ୍ୟାଟା ବଡ଼ ବେଶୀ ଉଭା ହେଲାଣି। ଯାହାର ଯେତେ ଥାଉ ସେ ସେଥିରେ ସନ୍ତୁଷ୍ଟ ନୁହେଁ। ସେ ଚାହେଁ ଅନ୍ୟମାନେ ତାକୁ ଦେଖନ୍ତୁ, ତାର ଅଛି ବୋଲି ଜାଣନ୍ତୁ ଏବଂ ତା’ର ଅଛି ବୋଲି ତାକୁ ଈର୍ଷା କରନ୍ତୁ। ସେତିକି ନ ହେଲେ ତାକୁ ଶାନ୍ତି ନାହିଁ। ଅନ୍ୟମାନଙ୍କର ଯଦି ତାଠୁ ଟିକେ ଅଧିକ ଅଛି, ତେବେ ତାକୁ ଦୁଃଖ ହେଉଛି। ମୁଁ ତମଠୁ ଭଲରେ ଅଛି- ଏତିକି ଦେଖାଇ ନ ପାରିଲେ ସେମାନଙ୍କୁ ଶାନ୍ତିନାହିଁ।

ମୋର ଜଣେ ସାଙ୍ଗ। ତା’ର ସବୁ ଅଛି। ଭଲ ଚାକିରି, ସୁନ୍ଦରୀ ସ୍ତ୍ରୀ, ଦୁଇଟି ସୁନ୍ଦର, ବୁଦ୍ଧିମାନ ପିଲା ସବୁ ଅଛି। ସେ ଭାରି ଖୁସିରେ ଥିଲା। ହେଲେ ସେ ଦେଖିଲା ଆଉଜଣଙ୍କୁ। ତାର ଆହୁରି ବଡ଼ ଗାଡ଼ି, ଆହୁରି ସୁନ୍ଦରୀ ସ୍ତ୍ରୀ, ଆହୁରି ବୁଦ୍ଧିମାନ ପିଲା। ବାସ୍, ମୋ ସାଙ୍ଗଟି ଦୁଃଖୀ ହୋଇଗଲା। ନିଜ ପିଲାକୁ ଏବେ ସେ ଆଉ ଗୋଟେ ଟିଉସନରେ ପୂରେଇଛି। ନିଜେ ଋଣ ନେଇ ଆଉ ଗୋଟେ ବଡ଼ଗାଡ଼ି କିଣୁଛି।

ମନସ୍ତତ୍ୱବିତ୍‍ ସଞ୍ଜୟ ଚୁଗ୍ ଏ ସମ୍ପର୍କରେ କହନ୍ତି, ସାଫଲ୍ୟ ଏବେ ମପା ହେଉଛି ତୁମେ କେଉଁଠି ରହୁଛ, କି ବ୍ରାଣ୍ଡର ଲୁଗାପଟା ପିନ୍ଧୁଛ – ଏଇ ମାପକାଠିର। ଅର୍ଥାତ କ୍ରୟଯୋଗ୍ୟ ବସ୍ତୁରେ। ତେଣୁ କ୍ରୟଯୋଗ୍ୟ ବସ୍ତୁର ସାମାଜିକ ମୂଲ୍ୟ ବଢ଼ି ବଢ଼ି ଚାଲିଛି।

ସାମାଜିକ ଗ୍ରହଣୀୟତା ଆଉ ରେକଗ୍ନିସନ ଏକ ଆବଶ୍ୟକତା। ଆମେ ଯଦି ଗୋଟେ ଭଲ କାମ କରିବା ଆମକୁ ଭଲଲାଗେ। ହେଲେ ସେ କାମଟିକୁ ଯଦି ପାଞ୍ଚ ଜଣ ଭଲ କହିଲେ- ତେବେ ଆହୁରି ଭଲଲାଗିବ। କିନ୍ତୁ ଏଥିରେ ଯଦି ଆମେ ଅତିମାତ୍ରାରେ ଲାଗିପଡ଼ୁ ତେବେ ନିଜର ସୁଖଶାନ୍ତି ଚାଲିଯିବ। ବହୁ ଲୋକଙ୍କର ଯାଉଛି।

ସମସ୍ତେ ଏବେ ଚାହୁଁଛନ୍ତି, ଅନ୍ୟମାନଙ୍କୁ ପଛରେ ପକେଇ ଆଗେଇଯିବୋ ଏହା ଦୁଇ ଉପାୟରେ ସମ୍ଭବ। ଆଗକୁ ଯାଉଥିବା ଲୋକଟିକୁ ଭିଡ଼ି ଧର। କିମ୍ବା ନିଜେ ଆହୁରି ଜୋରରେ ଦଉଡ଼। ପ୍ରଥମ ଉପାୟଟି ଅଧିକ ଲୋକ ଅବଲମ୍ବନ କରୁଛନ୍ତି। ସେଇଥିପାଇଁ ସମାଜରେ ଏତେ ଅସୂୟା। ବ୍ୟକ୍ତିଗତ ସ୍ତରରେ ଈର୍ଷା ଯେତେ ବଢ଼ିବ- ସମାଜରେ ଅସୂୟା ସେତେ ବଢ଼ିବ। ଏଥିରେ କ୍ଷତି ସମସ୍ତଙ୍କର।

(ସୌଜନ୍ୟ – କଥାରେ କଥାରେ ମୃଣାଳ)

Comment