ମୃଣାଳ ଚାଟ୍ଟାର୍ଜୀ

ସେଲ୍‌ଫି ଜିନିଷଟି କଣ ତାହା ଆଉ କାହାକୁ ବୁଝାଇ କହିବା ଦରକାର ନାହିଁ। ନିଜେ ନିଜର ଛବି ଉଠେଇଲେ ତାକୁ ସେଲ୍‌ଫି ବୋଲି କହୁଛନ୍ତି। ସାଧାରଣତଃ ଏଥିରେ ମୋବାଇଲ୍ କ୍ୟାମେରା ବ୍ୟବହାର କରାଯାଏ। ୨୦୧୩ରୁ ଏ ଶବ୍ଦଟିକୁ ଇଂରାଜୀ ଶବ୍ଦକୋଶରେ ବି ଗ୍ରହଣ କରି ନିଆଯାଇଛି।

ନିଜେ ନିଜର ଫଟୋ ଉଠେଇବାର ଏ କ୍ରିୟାଟି ନୂଆ ନୁହେଁ। ରବର୍ଟ କରନେଲିୟସ୍ ନାମକ ଜଣେ ଲୋକ ୧୮୩୯ରେ ନିଜେ ନିଜର ଗୋଟେ ଫଟୋ ଉଠେଇଥିଲ। ତାକୁ ପୃଥିବୀର ‘ପ୍ରଥମ ସେଲ୍‌ଫି’ ବୋଲି କୁହାଯାଉଛି।

ନିଜେ ନିଜ ଫଟୋ ଉଠେଇବାଟା ସିନା ନୂଆ ନୁହେଁ, ହେଲେ ସେ ଫଟୋକୁ ଇଣ୍ଟରନେଟ୍ ଜରିଆରେ ବିଭିନ୍ନ ଲୋକଙ୍କ ପାଖକୁ ପଠାଇବା ଏବଂ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିବାର ଟେକ୍ନୋଲୋଜି ଆରମ୍ଭ ହେଲା ମାତ୍ର ୨୦ ବର୍ଷ ତଳେ।

ମାତ୍ର ଦୁଇ ଦଶନ୍ଧି ଭିତରେ ଏହା କଳ୍ପନାତୀତ ଭାବେ ଜନପ୍ରିୟ ହୋଇଉଠିଛି। ପରିସଂଖ୍ୟାନ କହୁଛି ଆଜିକାଲି ଦିନକୁ ଯେତିକି ଲୋକ ନିଜ ସେଲ୍‌ଫି ନେଉଛନ୍ତି – ଫଟୋଗ୍ରାଫି ଆରମ୍ଭର ପଚାଶ ବର୍ଷ ଭିତରେ ସେତିକି ଫଟୋ ଉଠା ହୋଇନଥିବ। ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଜହ୍ନକୁ ଯାଇ ସର୍ବମୋଟ୍ ପାଞ୍ଚଟି ଉଠେଇଥିଲ। ଆମ ପଡ଼ୋଶିନୀ ରଂଗବତୀ ବାଥରୁମ୍‌ରେ ପଶିଲେ ବି ପଚିଶ ଫଟୋ ଉଠାଏ। ସେଥିରେ ପନ୍ଦରଟି ଫେସବୁକ୍‌ରେ ପୋଷ୍ଟ୍ କରିଦିଏା ତଳେ ଲେଖିଦିଏ: ଫିଲିଂ ହ୍ୟାପି ଇନ୍ ବାଥରୁମ୍‌। ସାମାଜିକ ବାଧାବନ୍ଧନ ଟିକେ ହୁଗୁଳା ଥିଲେ ସେ ବୋଧେ ଶୋଇବା ଘରୁ ବି ନିଜ ଫଟୋ ଉଠେଇ ପୋଷ୍ଟ କରନ୍ତା। ତଳେ ଲେଖନ୍ତା: ସ୍ଲିପିଂ ନାଓ। ଫିଲିଂ ହ୍ୟାପି।

ଆଗରୁ ଲୋକ ବାହାରକୁ ବୁଲି ଗଲେ ଭଲ ଲୋକେସନ୍ ଦେଖି ଫଟୋ ଉଠଉଥିଲେ। ସେଠି ଆଖପାଖ ଲୋକମାନଙ୍କୁ କହୁଥିଲେ: ଭାଇ ଆମ ଫଟୋଟା ଟିକେ ଉଠେଇଦେ। ଏବେ ସେ କଥା ଆଉ ନାହିଁ। ଲୋକେ ନିଜ ଫଟୋ ନିଜେ ଉଠେଇ ନେଉଛନ୍ତି। ସେଥିପାଇଁ ଭଲ କ୍ୟାମେରା ଥିବା ମୋବାଇଲ୍ ଫୋନ୍ ସହ ସେଲ୍‌ଫି ଷ୍ଟିକ୍ ନିଶ୍ଚୟ ନେଇ ଯାଉଛନ୍ତି। ଏ ବସ୍ତୁଟି ପୁଣି କ’ଣ ବୋଲି ଯେଉଁମାନେ ଜାଣିନଥିବେ ସେମାନଙ୍କ ପାଇଁ କହିଦିଏ- ଏହା ହେଲା ନିଜର ଫଟୋ ନେବା ପାଇଁ ବାଡ଼ି ସଦୃଶ ଯନ୍ତ୍ରଟିଏ। ଏହାର ଗୋଟେ ମୁଣ୍ଡରେ ଆପଣ ମୋବାଇଲ୍ ଫୋନଟିକୁ ବାନ୍ଧି ଦେଇ ଦୂରରୁ ନିଜର ଫଟୋ ଉଠେଇ ପାରିବେ।

ସେଲ୍‌ଫି ନେଲାବେଳେ ପ୍ରାଣ ହରାଇବାର ବେଶ କିଛି ଘଟଣା ଘଟିଲାଣି ସାରା ପୃଥିବୀର। ଭାରତରେ ସବୁଠୁଁ ଅଧିକ। ତା ପରେ ପାକିସ୍ଥାନ। ଅର୍ଥାତ ଆମେ ଆମ ଫଟୋ ନେବାରେ ଏପ୍ରକାର ମଜ୍ଜିଯାଉଛୁ ଯେ କେଉଁ ଅବସ୍ଥାରେ ଏ ଫଟୋ ନେଉଛୁ ତାହା ବି ଭୁଲି ଯାଉଛୁ।

ଏତେ କଷ୍ଟରେ ଉଠାହେଉଥିବା ସେଲ୍‌ଫି ନିଜକୁ ଭଲ ଲାଗୁଥାଇପାରେ, ହେଲେ ପରିସଂଖ୍ୟାନ କହୁଛି ଜଣକର ସେଲ୍‌ଫି ଅନ୍ୟକୁ ସାଧାରଣତଃ ଭଲ ଲଗେନି।

ସେଲ୍‌ଫି ହେଲା ନିଜକୁ ଭଲ ପାଇବାର, ଆତ୍ମରତିର ଚରମ ଉଦାହରଣ। ଆଗରୁ ବାହାରେ କୁଆଡ଼େ ଗଲେ ଆଉ କାହାକୁ ଅନ୍ତତଃ କହୁଥିଲୁ ଫଟୋଟା ଉଠେଇଦେ। ଏବେ ନିଜ ଫଟୋ ବି ନିଜେ ଉଠଉଛୁ। ନିଜେ ତାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ନିଜେ ଦେଖୁଛୁ। ନିଜେ ହିଁ ତାକୁ ଅନ୍ୟ ନାଁରେ ଲାଇକ୍ କରୁଛୁ। ଆଉ କେଉଁ ନାଁରେ ହାଉ ବିଉଟିଫୁଲ୍ ତୁମେ କି ସୁନ୍ଦର ଦିଶୁଛ- ବୋଲି ଲେଖୁଛୁ। ଏମିତି ମୁଁତ୍ୱକୁ ନେଇ ବଂଚିବାର ପ୍ରତୀକ ହେଲା ସେଲ୍‌ଫି।

ଆଉ ଗୋଟେ କଥା ବି ହୁଏତ ହୋଇପାରୋ ମୁଁ ଯେଉଁ ଅବସ୍ଥାରେ ଅଛି ସେଥିରେ ମୁଁ ଅନ୍ୟଠୁ ଭଲ ଅବସ୍ଥାରେ ଅଛି – ଏହା ଦେଖେଇବା ବର୍ତ୍ତମାନ ସମାଜରେ ବେଶୀ ଜରୁରୀ ହୋଇପଡ଼ିଛି। ସେଲ୍‌ଫି ଏଇ ପ୍ରବଣତାର ବାସ୍ତବ ପ୍ରତିଫଳନ।

ଏବେ ସାମାଜିକ ଗଣମାଧ୍ୟମରେ ଗୋଟେ ହିନ୍ଦୀ ଶେର୍ ପଢ଼ିଲି। ପ୍ରାସଙ୍ଗିକ ହେବ ବୋଲି ପରିବେଷଣ କରୁଛି।

ପତା ନେହିଁ କ୍ୟୁଁ ସେଲ୍‌ଫି ଲେନା

ମଜବୁରି ସା ହୋ ଗୟା ହୈ

ଖୁସ୍ ଦିଖନା..

ଖୁସ୍ ରହନେ ସେ ଜ୍ୟାଦା

ଜରୁରୀ ସା ହୋ ଗୟା ହୈ

(କାହିଁକି କେଜାଣି ସେଲ୍‌ଫି ନେବା ଗୋଟେ ବାଧ୍ୟବାଧକତା ହୋଇଯାଇଛି, ଖୁସି ଦିଶିବା ଖୁସି ରହିବାଠୁ ଅଧିକ ଜରୁରୀ ହୋଇଯାଇଛି।)

(ସୌଜନ୍ୟ – କଥାରେ କଥାରେ ମୃଣାଳ)

Comment