ମୃଣାଳ ଚାଟ୍ଟାର୍ଜୀ

ଗ୍ରାମାଞ୍ଚଳର କିପରି ବିକାଶ ହୋଇପାରିବ, ଗାଁରେ ରହୁଥିବା ଲୋକମାନେ କିପରି ରୋଜଗାରର ସାଧନ ଜୁଟେଇପାରିବେ ଏ ନେଇ ବହୁ ଚିନ୍ତା ଭାବନା ଓ କାର୍ଯ୍ୟ ଗତ ପାଞ୍ଚ ଦଶନ୍ଧିରେ କରାଯାଇଛି। ଫଳ ଯେ ହୋଇନି ତାହା ନୁହେଁ। କିନ୍ତୁ ଏବେବି ସହର ଆଉଗାଁ ଭିତରେ ବଡ଼ ଫରକ ରହିଯାଇଛି। ରୋଜଗାରର ସୁଯୋଗ, ଜୀବନ ଧାରଣ ପାଇଁ ଆଧୁନିକ ସୁଯୋଗ ସୁବିଧା (ଇନଫ୍ରାଷ୍ଟ୍ରକ୍ଚର)ର ବେଶି ସୁବିଧା ସହରରେ ରହିଛି। ଫଳରେ ଗାଁ ଲୋକେ କ୍ରମଶଃ ସହରାଭିମୁଖୀ ହେଉଛନ୍ତି। ଫଳ: ସହରର ଇନଫ୍ରାଷ୍ଟ୍ରକ୍ଚର ଉପରେ ଚାପ ବଢ଼ୁଛି, ଗ୍ରାମ ରକ୍ତାଳ୍ପତାରେ ଭୋଗୁଛି।

ଏ ଅବସ୍ଥାର ପରିବର୍ତ୍ତନ ଦରକାରା। ଗାନ୍ଧିଜୀଙ୍କ କଳ୍ପିତ ଗ୍ରାମ ସ୍ୱରାଜର ଭିତ୍ତିଟି ହେଲା: ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ଗ୍ରାମ। ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଗ୍ରାମାଞ୍ଚଳରେ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ବିପଣନ ଆବଶ୍ୟକ। ଉପଯୁକ୍ତ ବିପଣନ ଅଭାବରେ ଗାଁରେ ଉତ୍ପାଦିତ ସାମଗ୍ରୀର ସଠିକ ମୂଲ୍ୟ ମିଳୁନାହିଁ ଏବଂ ଲୋକେ ଆର୍ଥିକ ଦୃଷ୍ଟିରୁ ଅଗ୍ରସର ହୋଇପାରୁନାହାନ୍ତି।

ସମ୍ପ୍ରତି ପ୍ଲାନିଂ କମିସନ୍ ଏ ଦିଗରେ ନୂଆ କରି ଚିନ୍ତା ଆରମ୍ଭ କରିଛନ୍ତି। କେନ୍ଦ୍ର ପ୍ଲାନିଂ କମିସନର ଜଣେ ବରିଷ୍ଠ ପରାମର୍ଶଦାତା କମଲଟାଓରି ଗତବର୍ଷ ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନକୁ ଆସିଥିଲ। କଥାପ୍ରସଙ୍ଗରେ ସେ କହିଲେ, କ୍ଲଷ୍ଟର ଆପ୍ରୋଚ ଗ୍ରାମାଞ୍ଚଳ ଅର୍ଥନୀତିକୁ ସମୃଦ୍ଧ କରିବାର ଏକ ଉପଯୁକ୍ତ ସାଧନ ହୋଇପାରେ।

‘କ୍ଲଷ୍ଟରଆପ୍ରୋଚ’ କ’ଣ? ଏହାର ଭିତ୍ତିଟି ହେଲା ସରଳ: ଗୋଟେ ଜାଗାରେ ଯଦି ବିକ୍ରି କଲା ଭଳି ଯଥେଷ୍ଟ ଜିନିଷ ତିଆରି ହେବ – ତେବେ ତାହାକୁ ସହଜରେ ବିକ୍ରି କରିହେବ। ଉଦାହରଣସ୍ୱରୂପ ଧରନ୍ତୁ ଗୋଟେ ଜାଗାରେ ବହୁତ ଲେମ୍ବୁ ଚାଷ ହେଉଛି, ପ୍ରଚୁର ଲେମ୍ବୁ ଉତ୍ପାଦିତ ହେଉଛି, ତାହେଲେ ଦୂରଦୂରାନ୍ତର ଲେମ୍ବୁ ବ୍ୟବସାୟୀମାନେ ସେଠି ଲେମ୍ବୁ କିଣିବାକୁ ଯିବେ। ସେଠି ଯଦି ଜଣେ ଲୋକ ଅଳ୍ପକିଛି ଲେମ୍ବୁ ଉତ୍ପାଦନ କରୁଥିବ ତେବେ ବେପାରୀମାନେ ସେଠି ଯିବେନି। ଏ କ୍ଷେତ୍ରରେ ଗୋଟିକିଆ ଭାବେ ଚାଷ କରୁଥିବା ଲୋକଟିର ବାରଗେନ୍ ପାଓ୍ୱାର ହେବ କମ। ପୁଣି ଲେମ୍ବୁ ଯଦି ଅଧିକ ଉତ୍ପାଦିତ ହେଲା, ତାହେଲେ ସେଠି ଗୋଟେ ଫୁଡ୍ ପ୍ରୋସେସିଂ ଇଣ୍ଡଷ୍ଟ୍ରି କରିବାକୁ ମଧ୍ୟ ଜଣେ ଆଗ୍ରହୀ ହେବା କହିବା କଥା ହେଲା : ଗୋଟିଏ ଜାଗାରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଉତ୍ପାଦନ ବା ସେବାର ଗୋଟେ ହବ୍ ତିଆରି ହେଲେ ସମ୍ପୃକ୍ତ ସମସ୍ତଙ୍କର ଲାଭା

ପାହାଳର ରସଗୋଲା ଏ କ୍ଷେତ୍ରରେ ଗୋଟେ ମଡେଲ୍ ହୋଇପାର। କଟକ ଓ ଭୁବନେଶ୍ୱର ମଝାମଝିରେ, ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ପାହାଳରେ ଦଶବର୍ଷ ତଳେ ବି ଅଳ୍ପ କିଛି ରସଗୋଲା ଦୋକାନ ଥିଲା। ଏବେ ଦୁଇଶହରୁ ଅଧିକ ରସଗୋଲା ଦୋକାନ ହୋଇଛି। ଏସବୁ ହୋଇଛି ପ୍ରାୟ ବିନା ସରକାରୀ ସାହାଯ୍ୟ ବା ପ୍ରୋତ୍ସାହନର। ଏଠୁ ରସଗୋଲା ରାଜ୍ୟର ବିଭିନ୍ନ ସ୍ଥାନକୁ ବସଯୋଗେ ଯାଉଛି। ଏବେ ଏଠି ଯଦି ପ୍ୟାକିଂର ୟୁନିଟଟିଏ ରହନ୍ତା, ପାହାଳ ରସଗୋଲାକୁ ଗୋଟେ ବ୍ରାଣ୍ଡ୍ ଭାବରେ ପ୍ରମୋଟ କରିହୁଅନ୍ତା- ତେବେ ସାମଗ୍ରିକ ଭାବେ ଏହାର କାଟତି ଆହୁରି ବଢ଼ନ୍ତା। ପରୋକ୍ଷ ଭାବେ ଏହା ଏ ଅଞ୍ଚଳର ଅର୍ଥନୀତିକୁ ଆହୁରି ସମୃଦ୍ଧ କରନ୍ତା।

ଏ ପ୍ରକାର ଉନ୍ନୟନ ଧାରାରେ, ସ୍ଥାନୀୟ ଲୋକମାନଙ୍କ ସମ୍ପୃକ୍ତି ଅଧିକ ଆବଶ୍ୟକ। ସରକାର ଏଥିରେ କେବଳ ଫେସିଲିଟେଟରର ଭୂମିକା ଗ୍ରହଣ କରନ୍ତ। ଆନୁଷଙ୍ଗିକ ସୁଯୋଗ ସୁବିଧା (ଇନଫାଷ୍ଟ୍ରକ୍ଚର) ସୃଷ୍ଟିରେ ସହଯୋଗ କରନ୍ତ। ପ୍ରକୃତ ଉତ୍ପାଦନରେ ବିଶେଷ ମୁଣ୍ଡ ଖେଳାନ୍ତେ ନାହିଁ। ଲୋକମାନେ ନିଜ ଇଚ୍ଛାରେ ଏବଂ ନିଜ ସ୍ୱାର୍ଥରେ ସେଇ ଜିନିଷ ଉତ୍ପାଦନ କରନ୍ତେ ବା ସେବା ଦିଅନ୍ତେ ଯାହାର ଚାହିଦା ସୃଷ୍ଟି କରାଯାଇପାରିଛି। ତାହେଲେ ସେ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ହୁଅନ୍ତା।

ଏଥିପାଇଁ ପ୍ରଥମେ ଦରକାର ରିସୋର୍ସ ମ୍ୟାପିଂର। କେଉଁ ଅଞ୍ଚଳରେ କେଉଁ ଜିନିଷ ହେଉଛି। ଗୋଟେ ଗୋଟେ ଅଞ୍ଚଳର ଲୋକେ ଗୋଟେ ପ୍ରକାର ବୃତ୍ତିରେ ପାରଦର୍ଶିତା ହାସଲ କରିଥାଇପାରନ୍ତି। ତାଙ୍କର ପାରଦର୍ଶିତାକୁ ବିପଣନକରି ସେ ଅଞ୍ଚଳର ଉନ୍ନୟନ କରାଯାଇପାରିବ।

(ସୌଜନ୍ୟ – କଥାରେ କଥାରେ ମୃଣାଳ)

Comment