ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି। ଯାତ୍ରାପାର୍ଟି ଚଳାଇବା ସମ୍ଭବ ହେଉନି। ଏଭଳି ଅଭିଯୋଗ ଆଣି ୨୦୧୮ ଅଗଷ୍ଟରୁ ଓଡ଼ିଶାରେ ଯାତ୍ରା ପାର୍ଟି ବନ୍ଦ କରିବାକୁ ମାଲିକ ସଂଘ ଘୋଷଣା କରିଛି। ଏହି ନିଷ୍ପତ୍ତି ଯାତ୍ରାପ୍ରେମୀଙ୍କୁ ଝଟ୍‌କା ଦେଇଛି। ଏ ସମ୍ପର୍କରେ ଯାତ୍ରାପାର୍ଟି ମାଲିକ ସଂଘ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ‘ଓଡ଼ିଶାଲାଇଭ୍‌’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଯାତ୍ରାର ବାସ୍ତବ ଚିତ୍ର, ବ୍ୟବସାୟ ଏବଂ ସରକାରଙ୍କ କଟକଣା ସମ୍ପର୍କରେ ମତ ରଖିଛନ୍ତି।

ଓଡ଼ିଶାରେ ଯାତ୍ରା ପାର୍ଟି କ’ଣ ସତରେ ବନ୍ଦ ହୋଇଯିବ? ଯାତ୍ରା ମାଲିକ ସଂଘର ଏଭଳି କଠୋର ନିଷ୍ପତ୍ତି କାହିଁକି?

ବାଧ୍ୟବାଧକତାରେ ଯାତ୍ରା ମାଲିକ ସଂଘ ଏଭଳି କଠୋର ନିଷ୍ପତ୍ତି ନେଇଛି। ଏଥିପାଇଁ ବ୍ୟକ୍ତିଗତ ଭାବରେ ମୁଁ ଅତ୍ୟନ୍ତ ଦୁଃଖିତ। ଯାତ୍ରା ଜଗତକୁ ଗୋଟିଏ ନୂଆ ଢଙ୍ଗରେ ଗଢ଼ିବା ପାଇଁ ମୁଁ ଯାତ୍ରା ଶିଳ୍ପରେ ପ୍ରବେଶ କରିଥିଲି। ହେଲେ ବହୁ ଅନିଚ୍ଛା ସତ୍ତ୍ୱେ ସଂଘର ଅନ୍ୟ ସଭ୍ୟମାନଙ୍କ ସହ ମିଶି ଏଭଳି କଠୋର ନିଷ୍ପତ୍ତି ଘୋଷଣା କରିଛୁ।

ଅବସ୍ଥା ବର୍ତ୍ତମାନ ଅସମ୍ଭାଳ ହୋଇଯାଇଛି। ଯାତ୍ରା ହେଉଛି ଓଡ଼ିଶାର ଗ୍ରାମାଞ୍ଚଳର ମନୋରଞ୍ଜନର ଏକମାତ୍ର ମାଧ୍ୟମ। ହେଲେ ଏକ ବ୍ୟବସାୟିକ ଅନୁଷ୍ଠାନ ଭାବେ ଯାତ୍ରା ପାର୍ଟି ଯଦି ତାର ଲାଭ କ୍ଷତିର ଭାଗମାପ ପାଇବ ନାହିଁ ତାହେଲେ କେତେଦିନ ଏମିତି ଚାଲିପାରିବ?

ଏବେ ନୁହେଁ, ବର୍ଷ ବର୍ଷ ଧରି ଯାତ୍ରା ପାର୍ଟି ମାଲିକମାନେ କ୍ଷତି ସହି ଆସୁଛନ୍ତି। କ୍ଷତି ସହିବା ପାଇଁ ଆଉ ମାଲିକମାନେ ପ୍ରସ୍ତୁତ ନାହାନ୍ତି। ଟଙ୍କା ଉପାର୍ଜନର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଟିକେଟ ଦାମ୍ ଆଉ ବଢ଼ାଇ ହେଉନାହିଁ। ଯାତ୍ରା ଅନୁଷ୍ଠାନ ଉପରେ ବିଭିନ୍ନ ସରକାରୀ କଟକଣା ଲଗାଯାଉଛି। ବାତ୍ୟା, ବନ୍ୟା, ପରୀକ୍ଷା, ନିର୍ବାଚନ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରା ବନ୍ଦ  ହୋଇଯାଉଛି। ତେଣୁ ଏଭଳି ପରିସ୍ଥିତିରେ ସମସ୍ତଙ୍କର କିଛି କିଛି ଉତ୍ତର ଦାୟିତ୍ୱ ରହିବା କଥା।

ଏହାର କୌଣସି ବିକଳ୍ପ ନାହିଁ କି?

ଏହି ନିଷ୍ପତ୍ତି ଉପରେ ଆମ ସମସ୍ତଙ୍କୁ ଗଭୀର ଚିନ୍ତା କରିବାର ଆବଶ୍ୟକତା ରହିଛି। ଏହାସହ ଯାତ୍ରା ଶିଳ୍ପ ସମ୍ପର୍କରେ ତର୍ଜମା କରିବା ପାଇଁ ସରକାରଙ୍କୁ ମଧ୍ୟ ଆମେ ସମୟ ଦେଇଛୁ। କମିଟି ଏବଂ କଳାକାରମାନେ ମଧ୍ୟ ଏଥିପ୍ରତି ଚିନ୍ତା କରିବାର ସମୟ ଆସିଛି।

କେତେ କଳାକାର ପ୍ରଭାବିତ ହେବେ?

ଆଗଧାଡ଼ିର ୨୫ଟି ଯାତ୍ରା ପାର୍ଟିରେ ପ୍ରାୟ ୨୦୦ ଲେଖାଏଁ କର୍ମଚାରୀ ବା କଳାକାର ଅଛନ୍ତି। ଯାତ୍ରାପାର୍ଟି ବନ୍ଦ ହେଲେ ୫୦୦୦ କଳାକାର ପ୍ରଭାବିତ ହେବେ। କମିଟି ମେମ୍ବର, ନିର୍ଦ୍ଦେଶକ ଏବଂ ଯାତ୍ରା ଲେଖକମାନେ ମଧ୍ୟ ପ୍ରଭାବିତ ହେବେ।

ଆପଣ ସରକାରଙ୍କର କି ପ୍ରକାର ହସ୍ତକ୍ଷେପ ଚାହୁଁଛନ୍ତି?

ଯାତ୍ରା ଶିଳ୍ପ ଉପରେ ୫୦୦୦ କଳାକାରଙ୍କର ପେଟପାଟଣା ନିର୍ଭର କରୁଛି। ଯାତ୍ରାକୁ ପେଷା ଭାବେ ଗ୍ରହଣ କରି କଳାକାର ପରିବାର ଚଳାଉଛନ୍ତି। ସରକାର ବିଭିନ୍ନ ବର୍ଗର ଲୋକମାନଙ୍କ କଥା ଚିନ୍ତା କରୁଛନ୍ତି। ଏଣୁ କଳାକାରଙ୍କ ପେଟ କଥା ମଧ୍ୟ ସରକାର ଚିନ୍ତା କରିବା ଦରକାର।

୩୬୫ ଦିନରୁ ୩୦୦ ଦିନ କିପରି ଯାତ୍ରା ଚାଲିବ ସେ ଦିଗରେ ସରକାର ସହଯୋଗ କରିବା ଦରକାର। ଯାତ୍ରା ସମୟରେ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ନଉପୁଜେ ସେଥିପ୍ରତି ସରକାର ଧ୍ୟାନ ଦେବା ଦରକାର। ପରୀକ୍ଷା ସମୟରେ ଆମେ ଯାତ୍ରା ମାଇକ୍ ବନ୍ଦ କରିପାରୁ। କିନ୍ତୁ କଲେକ୍ଟରମାନେ ଲାଟ୍ ସାହେବ ପରି ନିଷ୍ପତ୍ତି ନେଇ କହିବେ ଯାତ୍ରା କରନି।

ଆଗରୁ ଏ ବାବଦରେ ସରକାରଙ୍କ ସହିତ କୌଣସି ଆଲୋଚନା କରିଛନ୍ତି କି?

ବିଭିନ୍ନ ସମସ୍ୟା ନେଇ ଆଗରୁ ସରକାରଙ୍କ ସହ ଆଲୋଚନା କରାଯାଇଛି। ଯାତ୍ରାରେ ଅନୁକୂଳ ପରିସ୍ଥିତି ପାଇଁ ଆର୍‌ଡିସିଙ୍କୁ ଭେଟିଛୁ। ଜିଲ୍ଳାପାଳମାନଙ୍କୁ ମଧ୍ୟ ଅନୁରୋଧ କରିଛୁ। କିନ୍ତୁ ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଆମର ଯାତ୍ରା ପାର୍ଟି ମାଲିକ। ଯାତ୍ରା ପାର୍ଟିରେ ଥିବା ସମସ୍ୟା ସମ୍ପର୍କରେ ଆମେ ଅନେକବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଏହାଛଡ଼ା ଆମର ବି ଅନେକ ଦାୟିତ୍ବ ରହିଛି। ଯାତ୍ରାପାର୍ଟିରେ ଆମକୁ ମଧ୍ୟ ବିଭିନ୍ନ ଶୈଳୀ ବଦଳାଇବାକୁ ପଡ଼ିବ। ସରକାରଙ୍କୁ ମଧ୍ୟ ଯାତ୍ରା ପାଇଁ ଅନୁକୂଳ ପରିସ୍ଥିତି ତିଆରି କରିବାକୁ ପଡ଼ିବ।

ଆପଣ ନିଜେ ଯାତ୍ରାଜଗତକୁ ଆସିଲେ। ଏକରୁ ସାତଦଳ ଗଢିଲେ…

ଯାତ୍ରା ଉପରେ ମୋର କୌଣସି ଅଭିଜ୍ଞତା ନଥିଲା। ବିଦେଶରୁ ଫେରିବା ପରେ ମୁଁ ଯାତ୍ରା ଦେଖିବାକୁ ଯାଇଥିଲି। ସେହି ଯାତ୍ରା ମୋ ମନରେ ଗଭୀର ପ୍ରଭାବ ପକାଇଥିଲା। ଲାଇଟ୍‌, ସାଉଣ୍ଡରେ କଳାକାରମାନଙ୍କର ଜୀବନ୍ତ ଅଭିନୟ ମୋତେ ଆଶ୍ଚର୍ଯ୍ୟ କରିଥିଲା। ରାତି ଅନିଦ୍ରା ହୋଇ କଳାକାରମାନେ ମାଇକ ତଳେ ଡାଇଲଗ କହି ଦର୍ଶକମାନଙ୍କୁ ବାନ୍ଧି ରଖିଥିବାରୁ ସେମାନେ ଆମର ନମସ୍ୟ। ଯାତ୍ରା କଳାକାରମାନେ ସିନେ କଳକାରମାନଙ୍କଠାରୁ  ଦଶଗୁଣା ମର୍ଯ୍ୟାଦା ପାଇବା ଦରକାର। ଯାତ୍ରା କଳାକାରଙ୍କୁ  ମର୍ଯ୍ୟାଦା ଓ ସେମାନଙ୍କର ଅଧିକ ଉନ୍ନତି ପାଇଁ ମୁଁ ଏହି ଶିଳ୍ପରେ ପ୍ରବେଶ କରିଥିଲି।

ଆଜି ଯାତ୍ରା କଳାକାରଙ୍କ ଦରମା କର୍ପୋରେଟ୍  ସିଇଓଙ୍କଠାରୁ ଟପିଲାଣି। ଏହା ସତ କଥା?

ଯାତ୍ରା ଜଗତରେ ପ୍ରତିଯୋଗିତା ଚାଲିଛି। କଳାକାରମାନେ ପ୍ରତିଯୋଗିତାରେ ସାମିଲ ହୋଇ ବିଭିନ୍ନ ଯାତ୍ରାପାର୍ଟିକୁ ଯାଉଛନ୍ତି। ଯାତ୍ରାପାର୍ଟିଗୁଡ଼ିକ ଜଣେ ଜଣେ କଳାକାରଙ୍କୁ ନେଇ ଶକ୍ତିଶାଳୀ ହୋଇଥାଏ। ସେହି କଳାକାରମାନଙ୍କ ଉପରେ ଯାତ୍ରା ପାର୍ଟି ନିର୍ଭର କରେ।  ସେଥିପାଇଁ ସେମାନଙ୍କ ଦାମ୍ ବଢ଼ିବା ସ୍ୱାଭାବିକ। ଏହା ବଜାରର ନିୟମ।

 

ଆଜିର ଯୁବପିଢି କ’ଣ ଯାତ୍ରାଠାରୁ ମୁହଁ ଫେରାଇ ନେଇଛନ୍ତି? ଦର୍ଶକ ସଂଖ୍ୟା କମୁଛି କାହିଁକି?

ଯୁବପିଢ଼ିମାନେ ଯାତ୍ରାଠାରୁ ମୁହଁ ଫେରାଇ ନେଇଛନ୍ତି। ତାଛଡ଼ା ଦର୍ଶକଙ୍କ ସଂଖ୍ୟା ବି କମିଛନ୍ତି। ହେଲେ ଏବେବି ଜୀବନ୍ତ ଅଭିନୟ ପ୍ରତି ଦର୍ଶକଙ୍କ ମୋହ ତୁଟିନି। ଜୀବନ୍ତ ଅଭିନୟର ସବୁବେଳେ ଚାହିଦା ରହିଛି। ଭଲ ଅଭିନେତା ବା ଅଭିନେତ୍ରୀଙ୍କୁ ଦର୍ଶକ ମଞ୍ଚରେ ଦେଖିବାକୁ ଚାହୁଁଛନ୍ତି।

ଆଧୁନିକତା ଓ ବିଳାସପୂର୍ଣ୍ଣ ଶୈଳୀ ଯାତ୍ରା ପାଇଁ କ୍ଷତିର ଏକ ବଡ଼ କାରଣ କି?

ଏହା ବଡ଼ କାରଣ ନୁହେଁ। ଗ୍ରାମାଞ୍ଚଳରେ ଲୋକମାନଙ୍କର ଆଉ ରୋଜଗାର ନାହିଁ। ସହରାଞ୍ଚଳର ଲୋକ ଯେତିକି ଟଙ୍କା ଦେଇ ଯାତ୍ରା ଦେଖିପାରିବେ ସେତିକି ଟଙ୍କା ଦେଇ ଗ୍ରାମାଞ୍ଚଳର ଚାଷୀ ଯାତ୍ରା ଦେଖିବା ସମ୍ଭବ ନୁହେଁ। ଯାତ୍ରା ପାର୍ଟିର ଟିକେଟ୍ କିଣିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଏଣୁ ଗ୍ରାମାଞ୍ଚଳରେ ଯାତ୍ରା ପାର୍ଟି ଚାଲିବ କେମିତି?  ତାଛଡ଼ା ରାତି ଅନିଦ୍ରା ହୋଇ ଆଉ ଦର୍ଶକ ଯାତ୍ରା ଦେଖିବାକୁ ଚାହୁଁନାହାନ୍ତି। ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଘଟୁଛି।

ଓଡ଼ିଶାରେ ଯାତ୍ରାର ବାର୍ଷିକ ମୋଟ୍ କାରବାର କେତେ? ଆୟ ତୁଳନାରେ ବ୍ୟୟ ବଢୁଛି କାହିଁକି?

ଓଡ଼ିଶାର ମନୋରଞ୍ଜନ ଶିଳ୍ପ ୧୨୦ କୋଟିରୁ ଅଧିକ ହେବ ନାହିଁ ବୋଲି ମୁଁ ଭାବୁଛି। ସେଥିମଧ୍ୟରୁ ଯାତ୍ରାରେ ବେପାର ହେଉଛି ୬୦ କୋଟି। ଏହି ୬୦ କୋଟି ଟଙ୍କା ୨୫ଟି ପାର୍ଟି ଭିତରେ ବାଣ୍ଟି ହୋଇଯାଉଛି। ଏଣୁ ଗୋଟିଏ ଗୋଟିଏ ପାର୍ଟି ୩ କୋଟିର ବେପାର କରୁଛନ୍ତି ବୋଲି କହିହେବ। ପ୍ରତିବର୍ଷ ଯାତ୍ରାର ଯନ୍ତ୍ରପାତି ମଧ୍ୟ ବଦଳାଇବାକୁ ପଡ଼ୁଛି। ସେଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଯାତ୍ରାପାର୍ଟିମାନଙ୍କୁ ଏ ବାବଦରେ ସରକାର ଋଣ ମଧ୍ୟ ଦେଉ ନାହାନ୍ତି।

ଅତୀତରେ ଯାତ୍ରାକୁ ପ୍ରୋତ୍ସାହିତ କରିବା ଲାଗି ସରକାର ମହୋତ୍ସବ କରିଥିଲେ। ଏଥିପାଇଁ ପ୍ରୋତ୍ସାହନ ମିଳୁନାହିଁ କି?

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଥିଏଟର୍ କଳାକାରଙ୍କୁ ପ୍ରୋତ୍ସାହନ ଦିଆଯାଉଥିଲା। ସେତେବେଳେ ଅନନ୍ତ ମହାପାତ୍ରଙ୍କୁ ସ୍ବତନ୍ତ୍ର ସହାୟତା ରାଶି ପ୍ରଦାନ କରାଯାଇଥିଲା। ସେତେବେଳେ ନୂଆପିଢ଼ିର କଳାକାରଙ୍କୁ ମଞ୍ଚ ପ୍ରତି ଆକର୍ଷିତ କରିବା ପାଇଁ  ଭୁବନେଶ୍ବରର ଭଞ୍ଜକଳାମଣ୍ଡପରେ ନୟମିତ ନାଟକ ପରିବେଷଣ କରାଯାଉଥିଲା। ହେଲେ ତାହା ବନ୍ଦ ହୋଇଯାଇଛି। ତେବେ ମଞ୍ଚ କଳା ବା ଡ୍ରାମାକୁ ବଞ୍ଚାଇ ରଖିବା ପାଇଁ ଏବଂ ନୂଆ ପିଢ଼ିର କଳାକାରଙ୍କୁ ସରକାର ସହଯୋଗ କରିବା ଦରକାର।

ଓଡ଼ିଶାରେ ଯାତ୍ରା ପରିବେଷଣରେ ଅଶ୍ଲୀଳତା କଥା ଉଠାଯାଉଛି। ଏ କ୍ଷେତ୍ରରେ ସଂସ୍କାର ଆସିବା ଦରକାର କି?

ଯାତ୍ରା ପରିବେଷଣ ଶୈଳୀରେ ସମ୍ପୂର୍ଣ୍ଣ ସଂସ୍କାର ଆସିବା ଦରକାର। ପ୍ରଥମତଃ ରାତିଅଧିଆ ଯାତ୍ରା ହେବା କଥା ନୁହେଁ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଯାତ୍ରା ପରିବେଷଣ ହେବା ଦରକାର। ହେଲେ ଯାତ୍ରା ଶିଳ୍ପ ସହ ଯୋଡ଼ି ହୋଇଥିବା ସମସ୍ତଙ୍କର ସହଯୋଗ ଏଥିପାଇଁ ଦରକାର। ସରକାର କିଛି କରିବା ପୂର୍ବରୁ କଳାକାର ସଂଘ, ମାଲିକ ସଂଘ କ’ଣ କରିପାରିବ ତାହା ବୁଝିବା ନିହାତି ଦରକାର। ସମସ୍ତଙ୍କର ସହଯୋଗ ରହିଲେ ଏ ଶିଳ୍ପ ଆଗାମୀ ଦିନରେ ବଞ୍ଚି ରହିବ।

ପ୍ରସ୍ତୁତି: ସତ୍ୟବ୍ରତ ପାଢ଼ୀ

Comment