ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭାଷା, ସାହିତ୍ୟ ଓ ସଂସ୍କୃତିର ହେବ ଆଦାନ ପ୍ରଦାନ
  • ଗୁଣାତ୍ମକ ଶିକ୍ଷା ଓ ଉଚ୍ଚଶିକ୍ଷା ପରେ ଛାତ୍ରଛାତ୍ରୀଙ୍କ ଆତ୍ମନିଯୁକ୍ତି ଉପରେ ଗୁରୁତ୍ଵ
  • ଉତ୍ତର ପୂର୍ବ ଭାରତର ସଂସ୍କୃତି, ପରମ୍ପରା, ଐତିହ୍ୟ, ଜୈବବିବିଧତା, ପର୍ଯ୍ୟଟନ, ଆଦିବାସୀଙ୍କ ଜୀବନଶୈଳୀ ଓ ଜୀବିକା ଉପରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ହେବ ପ୍ରଚଳିତ

ବାଣୀବିହାରରେ ପ୍ରତିଷ୍ଠା ହେବ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର। ଉତ୍ତର ପୂର୍ବ ଭାରତର ପ୍ରାକୃତିକ ସମ୍ପଦ ଓ ସଂସ୍କୃତି ବିଷୟରେ ହେବ ଗବେଷଣା ଓ ଶିକ୍ଷାଦାନ। ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ୍, ନାଗାଲାଣ୍ଢ, ସିକିମ୍, ତ୍ରିପୁରାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଧ୍ୟାପକ ହେବେ ଉପକୃତ। ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ରର ଭୂମିପୂଜା।

ଓଡ଼ିଶା ସରକାର ଗୁଣାତ୍ମକ ଶିକ୍ଷା ଓ ଉଚ୍ଚଶିକ୍ଷା ପରେ ଛାତ୍ରଛାତ୍ରୀଙ୍କ ଆତ୍ମନିଯୁକ୍ତି ଉପରେ ଗୁରୁତ୍ଵ ଦେଉଛନ୍ତି। ଏଥିପାଇଁ ସରକାରୀ ସ୍କୁଲଠାରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଉତ୍କଳ ବିଶ୍ଵବିଦ୍ୟାଳୟରେ ଜାପାନୀ ଭାଷା ଅଧ୍ୟକ୍ଷନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ଦେଇଛନ୍ତି ସରକାର ସବୁଜ ସଙ୍କେତ ।

ଏବେ ପୁଣି ବାଣୀବିହାରରେ ଖୋଲିବାକୁ ଯାଉଛି ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ସହିତ ଓଡ଼ିଶା ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇପାରିବ।

ବାଣୀବିହାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମଣିପୁରର ଶିକ୍ଷା, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଥୋକ୍‌ଚମ୍‌ ରାଧେଶ୍ୟାମ ସିଂ ବାଣୀବିହାରରେ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ଏହି କେନ୍ଦ୍ରର ଭୂମିପୂଜା ଅନୁଷ୍ଠିତ ହେବ। ଏଥିପାଇଁ କୁଳାଧିପତି ତଥା ରାଜ୍ୟପାଳ ଡ. ଏସ୍‌ସି ଜମିରକୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ମାଗଣାରେ ଜମି ଯୋଗାଇ ଦିଆଯିବ ବୋଲି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି।

ଆସନ୍ତା ଶିକ୍ଷାବର୍ଷରୁ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ପ୍ରଥମ ପର୍ଯ୍ୟୟରେ ଶିକ୍ଷା ବିନିମୟ ଯୋଜନାରେ ଶିକ୍ଷାଦାନ କରାଯିବ। ଏଥିପାଇଁ ମଣିପୁର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବାୟୋରିସୋର୍ସେସ ଆଣ୍ଡ ସଷ୍ଟେନେବଲ୍‌ ଡେଭଲପ୍‌ମେଣ୍ଟ(ଆଇବିଏସ୍‌ଡି) ସହିତ ଉତ୍କଳ ବିଶ୍ଵବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ ହେବ। ଉତ୍କଳ ବିଶ୍ଵବିଦ୍ୟାଳୟର ବାୟୋ ଟେକ୍ନୋଲୋଜି, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀବିଜ୍ଞାନ ବିଭାଗ ଆଇବିଏସ୍‌ଡି ସହିତ ଚୁକ୍ତି ସ୍ଵାକ୍ଷର କରିବା ପରେ କାର୍ଯ୍ୟକ୍ଷମ ହେବ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର।

ଏହି କେନ୍ଦ୍ରରେ ଉତ୍ତର ପୂର୍ବ ଭାରତର ସଂସ୍କୃତି, ପରମ୍ପରା, ଐତିହ୍ୟ, ଜୈବବିବିଧତା, ପର୍ଯ୍ୟଟନ, ଆଦିବାସୀଙ୍କ ଜୀବନଶୈଳୀ ଓ ଜୀବିକା ଉପରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଚଳିତ ହେବ।

ଆସନ୍ତା ୨୭ତାରିଖରେ ହେବାକୁ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ୍ ବୈଠକରେ ଏ ସମ୍ପର୍କରେ ସବିଶେଷ ଆଲୋଚନା ହେବ। ସିଣ୍ଡିକେଟ୍ ମୋହର ବାଜିଲା ପରେ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାସ୍ତା ପରିଷ୍କାର ହୋଇଯିବ।

ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ୍, ନାଗାଲାଣ୍ଡ, ସିକିମ୍, ତ୍ରିପୁରାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଧ୍ୟାପକ ହେବେ ଉପକୃତ ହୋଇପାରିବେ। ଭାଷା, ସାହିତ୍ୟ ଓ ସଂସ୍କୃତିର  ଆଦାନ ପ୍ରଦାନ ହେବ ବୋଲି ଆଶା କରାଯାଇଛି।

Comment